Viral Video: ସରକାରୀ କ୍ୱାର୍ଟର୍ସରେ ଚାଲିଛି ମଦର ଆସର, ଦୁଇ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଭିଡିଓ ଭାଇରାଲ

Tapas Ranjan Nanda Picture
Published On

ମୋହନା: ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ପୁଣି ଥରେ ବିବାଦ ଘେରକୁ ଆସିଛି। କିଛି ଦିନ ତଳେ ଡାକ୍ତରଙ୍କ ବଦଳିକୁ ନେଇ ଚର୍ଚ୍ଚାରେ ଥିବା ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବେ ଦୁଇଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଦ୍ୟପାନ ଭିଡିଓ ଭାଇରାଲ ହେବାରେ ଲାଗିଛି। ସରକାରୀ ବାସଭବନରେ ମଦ ଓ ମାଂସ ରଖି ପାର୍ଟି କରୁଥିବାର ଦୃଶ୍ୟ ସାମ୍ନାକୁ ଆସିବା ପରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୨୫୦ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ, ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବାକୁ ପଦକ୍ଷେପ

ସରକାରୀ ବାସଭବନରେ ମଦର ଆସର

ଭାଇରାଲ ହେଉଥିବା ଭିଡିଓରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ (BPM) ବିଭୁ ପ୍ରସାଦ କର ଏବଂ ବିଏଏମ (BAM) ବି. ବସନ୍ତ କୁମାରଙ୍କୁ ଦେଖିବାକୁ ମିଳିଛି। ଉଭୟ କର୍ମଚାରୀ ସରକାରୀ ବାସଭବନର ଟେବୁଲ ଉପରେ ମଦ ଓ ମାଂସ ରଖି ପିଉଥିବା ନଜର ଆସିଛନ୍ତି। ସ୍ୱାସ୍ଥ୍ୟ ସେବା ଭଳି ଏକ ଜରୁରୀ ବିଭାଗରେ କାର୍ଯ୍ୟରତ ଥାଇ ସରକାରୀ ପରିସର ମଧ୍ୟରେ ଏଭଳି କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି।

ମାତ୍ର ଚାରି ଦିନ ତଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଜୟ କୁମାର ପଣ୍ଡାଙ୍କ ବଦଳି ଦାବିରେ ସମୂହ ଆଶା କର୍ମୀମାନେ ତାଙ୍କ ସରକାରୀ ବାସଭବନ ଆଗରେ ତାଲା ପକାଇବା ସହ ଆନ୍ଦୋଳନ କରିଥିଲେ। ଏହା ଫଳରେ ତୁରନ୍ତ ଡାକ୍ତର ପଣ୍ଡାଙ୍କ ବଦଳି କରାଯାଇଥିଲା। ତେବେ ବର୍ତ୍ତମାନର ଘଟଣାକ୍ରମ ଅନୁଯାୟୀ, ପୂର୍ବରୁ ଡାକ୍ତର ପଣ୍ଡା ଏହି ଦୁଇ କର୍ମଚାରୀଙ୍କୁ ସରକାରୀ କାର୍ଯ୍ୟାଳୟ ପରିସରରେ ମଦ୍ୟପାନ କରୁଥିବା ନେଇ ତାଗିଦ କରିଥିଲେ। ଏହି କାରଣରୁ ଉଭୟ ମଦ୍ୟପ କର୍ମଚାରୀ ଉଦ୍ଦେଶ୍ୟମୂଳକ ଭାବେ ବିଶୃଙ୍ଖଳା ସୃଷ୍ଟି କରି ଡାକ୍ତରଙ୍କ ବିରୋଧରେ ଷଡଯନ୍ତ୍ର ରଚିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ କିଭଳି ପଦକ୍ଷେପ ଗ୍ରହଣ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ସରକାରୀ ନିୟମ ଉଲ୍ଲଂଘନ କରିଥିବା ଏହି ଦୁଇ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp