ରାତି ପାହିଲେ ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର: ରାତି ପାହିଲେ ଜାଗର। ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ନେଇ ପୁଲିସର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଉଭୟ ମନ୍ଦିର ବାହାରେ ଓ ଭିତରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଏହାସହ ମନ୍ଦିର ଆଖପାଖ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ୧୨ଟି ପାର୍କିଂସ୍ଥଳୀ । ଭକ୍ତଙ୍କ ପହଞ୍ଚିବା ଲାଗି ସ୍ୱତନ୍ତ୍ର ବସସେବା, ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ବ୍ୟାରିକେଡ, ବିଶୁଦ୍ଧ ପିଇବା ପାଣି, ଜରୁରି କାଳିନ ମେଡିକାଲ ଓ ଅଗ୍ନିଶମ ସେବା, ସ୍ନାନ ଶୌଚ ପାଇଁ ଶୌଚାଳୟ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଭଜନ ଜଣାଣ, ପ୍ରବଚନ ସାଙ୍ଗକୁ ସମସ୍ତ ଜରୁରି ସୂଚନା ପ୍ରଦାନ, ସୁରକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ପୁଲିସ ମୁତୟନ ସହ ସିସି କ୍ୟାମେରା ବ୍ୟବସ୍ଥା କରାଯିବ । ତେଣୁ ଏଥିର ସୁରକ୍ଷିତ, ଶୃଙ୍ଖଳିତ ଓ ନୀତି ନିର୍ଘଣ୍ଟରେ ସମସ୍ତ କାର୍ଯ୍ୟ ହେବ ବୋଲି ପ୍ରଶାସନଠାରୁ ଶ୍ରଦ୍ଧାଳୁଙ୍କ ପର୍ଯ୍ୟନ୍ତ ସମସ୍ତେ ଆଶାବାଦୀ ଅଛନ୍ତି ।
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ନୀତି ନିର୍ଘଣ୍ଟରେ ସାମନ୍ୟ ପରିବର୍ତ୍ତନ ହୋଇଛି । ପରିବର୍ତ୍ତିତ ନୀତି ନିର୍ଘଣ୍ଟ ମୁତାବକ ମହାଶିବରାତ୍ରୀରେ ମହାଦୀପ ରାତି ୧୦ଟାରେ ଉଠିବା ପରେ ଚାରି ପ୍ରହର ପୂଜା, ହରିହର ଭେଟ, ବଡ଼ସିଂହାର ଓ ପହୁଡ ସୋମବାର ଭୋର ସାଢେ ୫ଟାରେ ସମ୍ପନ୍ନ ହେବ । ଏ ନେଇ ସ୍ୱତନ୍ତ୍ର ବିଜ୍ଞପ୍ତି ମନ୍ଦିର ପ୍ରଶାସନ ଜାରି କରିଛନ୍ତି ।





