ନବୀନଙ୍କ ପ୍ରସ୍ତାବ ଗ୍ରହଣ କରି ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କର: ବିଜେଡି

ରାଜ୍ୟରେ ଧାନ ଚାଷକୁ ନିରୁତ୍ସାହିତ କରିବା ପାଇଁ ସରକାର ଚକ୍ରାନ୍ତ କରୁଛନ୍ତି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଧାନକିଣାକୁ ନେଇ ସୃଷ୍ଟି ହୋଇଥିବା ଅଭାବନୀୟ ପରିସ୍ଥିତିକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଉଦ୍ବେଗ ପ୍ରକାଶ କରିବା ସହିତ ତୁରନ୍ତ ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ କହିବା ପରେ, ବିଜେଡି ରାଜ୍ୟ ସରକାରଙ୍କ ଉପରେ ଆଜି ବର୍ଷିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ରୋହିତ ପୂଜାରୀ, ମୁଖପାତ୍ର ତଥା ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ରାଜ୍ୟ ବିଜେପି ସରକାର ଚାଷୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣରେ ବିଫଳ ହେବା ସହିତ ରାଜ୍ୟର ସମଗ୍ର ଚାଷୀକୁଳକୁ ହତାଶ କରିଛନ୍ତି ବୋଲି କହିଛନ୍ତି । 

ଆହୁରି ପଢ଼ନ୍ତୁ: ଭାରତ ବନ୍ଦବେଳେ ବ୍ରେକ୍ ଫେଲ୍ ହେଲା ପୋଲିସ ବସ୍, ଅଳ୍ପକେ ବର୍ତ୍ତିଲେ ଆନ୍ଦୋଳନକାରୀ

ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ମୁଖ୍ୟତଃ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ଗତ ନିର୍ବାଚନ ସମୟରେ ଏମଏସପି ସହିତ ୩୧୦୦ ଟଙ୍କା ଧାନ କ୍ରୟ ମୂଲ୍ୟ ହେବ, ବିନା କଟନୀ ଛଟନୀରେ ସମସ୍ତ ଧାନ କିଣାଯିବ ଓ ୪୮ ଘଣ୍ଟାରେ ଡିବିଟି ମାଧ୍ୟମରେ ଧାନର ମୂଲ୍ୟ କୃଷକ ମାନଙ୍କୁ ପ୍ରଦାନ କରାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା । ବିଜେପିର ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି । ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଧାନ ସଂଗ୍ରହ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି । ସମୁଦାୟ ୭୩ ଲକ୍ଷ ମେଟ୍ରିକ ଟନ ଖରିଫ୍ ଧାନକିଣା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ୪୧.୯୬ ଲକ୍ଷ ମେଟ୍ରିକ ଟନ ଅର୍ଥାତ ମାତ୍ର ୫୭% ଧାନ ସଂଗ୍ରହ ହୋଇପାରିଛି । ରାଜ୍ୟର ସମୁଦାୟ ୧୯,୬୬,୧୮୧ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ, ଏବେ ସୁଦ୍ଧା ୯,୬୫,୫୪୬ ଜଣ ଚାଷୀ ଅର୍ଥାତ ମାତ୍ର ୪୯% ଚାଷୀ ଧାନ ବିକ୍ରି କରିବାକୁ ସକ୍ଷମ ହୋଇଛନ୍ତି । ଅପରପକ୍ଷରେ ପଡୋଶୀ ଛତିଶଗଡ଼ରେ ୮୦ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୧୪୦ ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଲାଣି । ପଡୋଶୀ ଛତିଶଗଡ଼ ତୁଳନାରେ ଓଡ଼ିଶାର ଧାନ କିଣା ସ୍ଥିତିକୁ ଦେଖିଲେ କିପରି ଦୟନୀୟ ସ୍ଥିତିରେ ରହିଛି, ତାହା ସ୍ପଷ୍ଟ ହୁଏ । ରାଜ୍ୟର ଚାଷୀମାନେ ଆଜି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । କିନ୍ତୁ ରାଜ୍ୟର ମନ୍ତ୍ରୀମାନେ ବିଭିନ୍ନ ମନ୍ତବ୍ୟ ଦେଇ ରାଜ୍ୟର ଚାଷୀକୁଳକୁ ଅପମାନ କରୁଛନ୍ତି । 

ଆହୁରି ପଢ଼ନ୍ତୁ: ବେପରୁଆ ଗାଡ଼ି ଚାଳନା ପଡ଼ିଲା ମହଙ୍ଗା: ଓଡ଼ିଶା ପରିବହନ ବିଭାଗ ଜାରି କଲା ଭୟଙ୍କର ଦୁର୍ଘଟଣାର ଭିଡିଓ

ରୋହିତ ପୂଜାରୀ କହିଛନ୍ତି, ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ବିଜେପିର ପୁରୁଣା ଅଭ୍ୟାସ । ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ସ୍ୱାମୀନାଥନ କମିଟି ଲାଗୁ କରିବା ପାଇଁ ଓ ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବା ପାଇଁ, କିନ୍ତୁ ତାହା ହେଲା ନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ତାଙ୍କ ଚିଠିରେ, ଧାନ ସଂଗ୍ରହକୁ ନେଇ ସୃଷ୍ଟି ହୋଇଥିବା ଅଭାବନୀୟ ପରିସ୍ଥିତି ପାଇଁ ଉଦ୍ବେଗ ପ୍ରକାଶ କରିବା ସହିତ ଏହି ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । କଟନୀ ଛଟନୀ ବନ୍ଦ କରିବା ପାଇଁ ତୁରନ୍ତ ମଣ୍ଡି ଗୁଡିକରେ ସ୍ପେଶାଲ ସ୍କ୍ୱାଡ୍ ନିୟୋଜିତ କରାଯାଉ ଏବଂ ଦୋଷୀ ମିଲ୍ ମାଲିକ ଓ ସରକାରୀ ଅଫିସରଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଇନପୁଟ୍ ସବ୍ସିଡି ପ୍ରଦାନ ପାଇଁ ରଖାଯାଇଥିବା ଚାଷୀ ପିଛା ସର୍ବାଧିକ ୧୫୦ କୁଇଣ୍ଟାଲ ସିଲିଂ ସର୍ତ୍ତ ତୁରନ୍ତ ପ୍ରତ୍ୟାହାର କରାଯାଉ ଏବଂ ରେଜେଷ୍ଟ୍ରିଭୁକ୍ତ ସବୁ ଚାଷୀଙ୍କ ଠାରୁ ସବୁ ଧାନ କିଣାଯାଉ । ବିଜେପିର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ସବୁ ଚାଷୀଙ୍କୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଡିବିଟି ଜରିଆରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଉ  । ୭୨ ଘଣ୍ଟା ମଧ୍ୟରେ ମଣ୍ଡି ଗୁଡିକରେ ଖୋଲାରେ ପଡିଥିବା ସବୁ ଧାନ ଗୁଡିକୁ ଶତ ପ୍ରତିଶତ ଉଠାଯାଉ । ତେଣୁ ନବୀନଙ୍କ ପ୍ରସ୍ତାବ ତଥା ଦାବି ଗୁଡିକ ତୁରନ୍ତ କାର୍ଯ୍ୟକାରୀ କରାଯାଉ । ଏହି ସମସ୍ୟା ତୁରନ୍ତ ସମାଧାନ ନହେଲେ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।

ଆହୁରି ପଢ଼ନ୍ତୁ: ପୁଣି ମହାପ୍ରସାଦକୁ ଘୋର ଅସମ୍ମାନ: ଗୋଡ଼ରେ ଚପଲ ପିନ୍ଧି ଡାଇନିଂ ଟେବୁଲରେ ବସି ଖାଇଲେ ପର୍ଯ୍ୟଟକ; ଭିଡିଓ ଭାଇରାଲ

ଭୃଗୁ ବକ୍ସିପାତ୍ର କହିଥିଲେ, ବିରୋଧୀ ଦଳରେ ଥିଲାବେଳେ ବିଜେପି ନେତା ମାନେ ବିଭିନ୍ନ ମଣ୍ଡିରେ ପହଞ୍ଚି ବିଭିନ୍ନ କଥା କହୁଥିଲେ ଓ ଚାଷୀ ମାନଙ୍କୁ ସରକାରଙ୍କ ବିରୋଧରେ ଉସକାଉ ଥିଲେ । କିନ୍ତୁ ଏବେ ମନ୍ତ୍ରୀ ଓ ନେତାମାନେ ଚାଷୀକୁଳ ପ୍ରତି ବିଭିନ୍ନ କଟୁକ୍ତି କରିବା ସହିତ ପରିହାସ କରୁଛନ୍ତି । ବାସ୍ତବରେ ବିଜେପି ସରକାର ଧାନ ଚାଷକୁ ନିରୁତ୍ସାହିତ କରିବା ଉଦେ୍ଦଶ୍ୟରେ ଏପରି କରୁଛନ୍ତି । କେନ୍ଦ୍ର ଅର୍ଥ ବିଭାଗର ସଚିବ କେରଳ ସରକାରଙ୍କୁ ନିକଟରେ ଦେଇଥିବା ଏକ ଚିଠିକୁ ଦେଖାଇଥିଲେ, ଯେଉଁଥିରେ ଧାନ ଓ ଗହମ ସଂଗ୍ରହ ବେଳେ ଯେଉଁ ରାଜ୍ୟ ମାନେ ବୋନସ ବା ଇନପୁଟ ସବସିଡି ଦେବାକୁ ବାରଣ କରିଛନ୍ତି । ଏହି ଚିଠିରୁ ସ୍ପଷ୍ଟ ହେଉଛି ଯେ, କେନ୍ଦ୍ର ସରକାର ଧାନ ଚାଷକୁ ପ୍ରୋତ୍ସାହନ ଦେବାକୁ ଚାହୁଁ ନାହାନ୍ତି । ସମ୍ଭବତଃ ସେହି କାରଣ ପାଇଁ ରାଜ୍ୟ ସରକାର ଓଡ଼ିଶାର ଚାଷୀକୁଳକୁ ଏପରି ହତାଶ କରୁଛନ୍ତି । କିନ୍ତୁ ଧାନ ଚାଷ ହେଉଛି ଓଡ଼ିଶାର ପାରମ୍ପରିକ ଚାଷ । ହଜାର ହଜାର ବର୍ଷ ପୂର୍ବରୁ ଓଡ଼ିଶାର କୃଷକ ମାନେ ଧାନ ଚାଷ କରିଆସୁଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp