ବାତ୍ୟା ‘ଅର୍ଣ୍ଣବ’ ପ୍ରଳୟ: ରାଜ୍ୟରେ ଭୂସ୍ଖଳନ ଯୋଗୁଁ ୪ ମୃତ ଓ ୧୨ ନିଖୋଜ
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ବର୍ଷା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ସ୍ୱତନ୍ତ୍ର ସହାୟତା କମିଶନର (SRC) ରାଜେଶ ପ୍ରଭାକର ପାଟିଲ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ନିଖୋଜ ଅଛନ୍ତି। ବିଶେଷକରି ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲା ଏହାଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି।
ଏସଆରସିଙ୍କ ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ ଏକ ଭୂସ୍ଖଳନ ଯୋଗୁଁ ଗୋଟିଏ ପରିବାରର ୩ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି। ସେହିପରି ଗଜପତି ଜିଲ୍ଲାରେ ପୂର୍ବରୁ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସବୁଠାରୁ ବଡ଼ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ଗିଡ଼ିପାବଲି ଗାଁରେ ଘଟିଛି। ପାହାଡ଼ ଉପରେ ଅବସ୍ଥିତ ଏହି ଗାଁରେ ଏକ ଭୀଷଣ ଭୂସ୍ଖଳନ ହୋଇଥିଲା। ଘଟଣା ସମୟରେ ସେଠାରେ ପ୍ରାୟ ୨୫ ଜଣ ଉପସ୍ଥିତ ଥିଲେ। ପ୍ରଥମେ ୧୩ ଜଣ ନିଖୋଜ ଥିବା ବେଳେ ତାରାବତୀ ପ୍ରଧାନ ନାମକ ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି। ତଥାପି ଏବେ ବି ୧୨ ଜଣ ନିଖୋଜ ଅଛନ୍ତି। ନିଖୋଜମାନଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀର ୩ଟି ଟିମ୍, SOG ଏବଂ NDRF ର ପ୍ରାୟ ୧୬୦ ରୁ ୧୭୦ କର୍ମଚାରୀ ନିୟୋଜିତ ଅଛନ୍ତି। ସେଠାରେ ଗତକାଲି ରାତିରୁ ସର୍ଚ୍ଚ ଅପରେସନ ଜାରି ରହିଛି।
ବର୍ତ୍ତମାନ କେବଳ ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ରହିଛି। ଋଷିକୂଲ୍ୟା ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ଥିବା ବେଳେ ଜଳକା ନଦୀର ଜଳସ୍ତର ମଧ୍ୟ ହ୍ରାସ ପାଇଛି। ଗଞ୍ଜାମର ପ୍ରାୟ ସମସ୍ତ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ରାସ୍ତାଗୁଡ଼ିକ ମରାମତି କରାଯାଇଛି। କେବଳ ଗୋଟିଏ ଗାଁ ଏବେ ବି ବିଚ୍ଛିନ୍ନ ହୋଇ ରହିଥିବାରୁ ସେଠାକୁ ଏୟାରଲିଫ୍ଟିଂ ମାଧ୍ୟମରେ ରିଲିଫ୍ ପଠାଯାଉଛି। ଜିଲ୍ଲାରେ ପ୍ରାୟ ୮୦ ରୁ ୮୫ ପ୍ରତିଶତ ବିଦ୍ୟୁତ ଭିତ୍ତିଭୂମି ସଜଡ଼ା ଯାଇଛି ଏବଂ ଆଜି ଆସ୍କାରେ ବିଦ୍ୟୁତ ସଂଯୋଗ ସ୍ୱାଭାବିକ ହେବ।
ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ରିଲିଫ୍ ପ୍ରଦାନ କରାଯାଉଛି। ଗଞ୍ଜାମ ଜିଲ୍ଲାରେ ୩୬୭ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଥିବା ବେଳେ ଏହାଦ୍ୱାରା ୧,୦୫,୬୨୨ ଜଣ ପ୍ରଭାବିତ ହୋଇଛନ୍ତି। ସେହିପରି ଗଜପତି ଜିଲ୍ଲାରେ ୩୪୦ଟି ରିଲିଫ୍ କ୍ୟାମ୍ପ ଜରିଆରେ ୨୧,୭୮୨ ଜଣ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛି।






