ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Madhusudan Das Picture
Published On

ଭୁବନେଶ୍ୱର: ଖାଉଟିଙ୍କ ଆଖିରୁ ଲୁହ ଝରାଉଛି ପିଆଜ । ୭୦ ଟଙ୍କା ଛୁଇଁଲା ଦାମ୍ । ରାଜ୍ୟରେ ପୁଣି ଥରେ ହୁ ହୁ ହୋଇ ବଢିବାରେ ଲାଗିଛି ପିଆଜ ଦର। ବଜାରକୁ ଆବଶ୍ୟକ ମାତ୍ରାରେ ପିଆଜ ଆସୁନଥିବାରୁ ଏହାର ସିଧାସଳଖ ପ୍ରଭାବ ଖୁଚୁରା ବଜାର ଉପରେ ପଡ଼ିଛି। ଫଳରେ ଓଡ଼ିଶାର ବିଭିନ୍ନ ଖୁଚୁରା ବଜାରରେ ପିଆଜ ଦର କେଜି ପ୍ରତି ୬୦ରୁ ୭୦ ଟଙ୍କା ଛୁଇଁଲାଣି। ବିଶେଷକରି ବାଲେଶ୍ୱର, ବ୍ରହ୍ମପୁର, ବଲାଙ୍ଗୀର ଏବଂ କଟକ ଭଳି ପ୍ରମୁଖ ସହରର ବଜାରଗୁଡ଼ିକରେ ପିଆଜ ଦରରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ମୟୂରଭଞ୍ଜ ସ୍ଥିତି ବେହାଲ; ବାଙ୍ଗିରିପୋଷି ଓ ସାରସକଣାରେ ସର୍ବାଧିକ ବର୍ଷା, କାତରା ଓ ବୁଢାବଳଙ୍ଗରେ ବନ୍ୟା

କଟକର ପ୍ରସିଦ୍ଧ ଛତ୍ର ବଜାରରେ ମଧ୍ୟ ପିଆଜ ଅଭାବର ପ୍ରଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି। ବ୍ୟବସାୟୀଙ୍କ କହିବା ଅନୁଯାୟୀ, ପୂର୍ବରୁ ପ୍ରତିଦିନ ୫ ରୁ ୬ଟି ଟ୍ରକ୍ ପିଆଜ ଆସୁଥିବା ବେଳେ ବର୍ତ୍ତମାନ କେବଳ ୧ କିମ୍ବା ୨ଟି ଟ୍ରକ୍ କ୍ୱଚିତ୍ ଆସୁଛି। ଓଡ଼ିଶାରେ ପିଆଜ ଉତ୍ପାଦନ ସୀମିତ ଥିବାରୁ ରାଜ୍ୟ ମୁଖ୍ୟତଃ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ପଶ୍ଚିମ ଓଡ଼ିଶା ଏବଂ ଅନୁଗୁଳର କିଛି ଅଞ୍ଚଳକୁ ଛାଡ଼ିଦେଲେ ରାଜ୍ୟରେ ପିଆଜ ଚାଷ ବ୍ୟାପକ ନୁହେଁ। ତେଣୁ ଓଡ଼ିଶାକୁ ମୁଖ୍ୟତଃ ମହାରାଷ୍ଟ୍ରର ନାସିକ୍, ଦିଲ୍ଲୀ ଏବଂ ଆନ୍ଧ୍ରପ୍ରଦେଶରୁ ପିଆଜ ଆସିଥାଏ। ଏହି ବଜାରଗୁଡ଼ିକରୁ ଯୋଗାଣରେ ବ୍ୟାଘାତ ସୃଷ୍ଟି ହେଲେ ରାଜ୍ୟରେ ଦରଦାମ୍ ହଠାତ୍ ବୃଦ୍ଧି ପାଇଥାଏ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ମହାରାଷ୍ଟ୍ରରେ ଖରାପ ପାଗ ଯୋଗୁଁ ପିଆଜ ଚାଷ ଏବଂ ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ବର୍ତ୍ତମାନର ଦର ବୃଦ୍ଧିର ଅନ୍ୟତମ ମୁଖ୍ୟ କାରଣ ବୋଲି ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି। ଆମଦାନୀ କମିବା କାରଣରୁ ଓଡ଼ିଶା ବଜାରରେ ପିଆଜ ଉପଲବ୍ଧତାକୁ ନେଇ ଚିନ୍ତା ବଢ଼ିଛି। ତେବେ ଯୋଗାଣରେ ସୁଧାର ଆସିଲେ ସେପ୍ଟେମ୍ବର ମଧ୍ୟଭାଗ ସୁଦ୍ଧା ପିଆଜ ଦର କମିବ ବୋଲି ବିଶେଷଜ୍ଞମାନେ ଆଶାବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ପନିପରିବା ଦର ପୂର୍ବରୁ ଆକାଶଛୁଆଁ ଥିବା ବେଳେ ଏବେ ପିଆଜ ଦର ବୃଦ୍ଧି ସାଧାରଣ ଲୋକଙ୍କ ଆର୍ଥିକ ବୋଝକୁ ଦ୍ୱିଗୁଣିତ କରିଛି। ଗ୍ରାହକମାନେ କହିଛନ୍ତି ଯେ ଅତ୍ୟାବଶ୍ୟକ ପନିପରିବା ଦର ବଢୁଥିବାରୁ ସେମାନେ କିଣାକିଣି କମାଇବାକୁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥିତିରେ ବଜାରରେ ପର୍ଯ୍ୟାପ୍ତ ପିଆଜ ଯୋଗାଣ ସୁନିଶ୍ଚିତ କରିବା ଏବଂ ଦର ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ସରକାରଙ୍କୁ ନିବେଦନ କରିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର