ଆଜି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ; ଇତିହାସର ସ୍କୋରବୋର୍ଡ଼ରେ ଅଦୃଶ୍ୟ ନାୟକମାନଙ୍କ ଅକ୍ଷୟ ସ୍ୱାକ୍ଷର

"ଏକ କ୍ରୀଡ଼ାବିତ୍‌ ପଦକ ଜିତନ୍ତି, କିନ୍ତୁ ତାଙ୍କ ସଂଘର୍ଷକୁ ଇତିହାସରେ ଲେଖି ରଖନ୍ତି କ୍ରୀଡ଼ା ସାମ୍ବାଦିକ’

Sakala Desk Picture
Published On

ଭୁବନେଶ୍ୱର (ରଞ୍ଜନ କୁମାର ରାୟ): ଜୁଲାଇ ୨। ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ଏହା କେବଳ ଏକ ପେଶାର ଉତ୍ସବ ନୁହେଁ; ଏହା ସେହି ଅଦୃଶ୍ୟ ଯୋଦ୍ଧାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି, ଯେଉଁମାନେ ଷ୍ଟାଡିୟମର କୋଳାହଳକୁ ଶବ୍ଦରେ ପରିଣତ କରନ୍ତି, ଘାମର ଗନ୍ଧକୁ ଗଳ୍ପରେ ବଦଳାନ୍ତି ଓ ବିଜୟ-ପରାଜୟର କ୍ଷଣକୁ ପିଢ଼ି ପରେ ପିଢ଼ି ପାଇଁ ସ୍ମୃତିରେ ଅମର କରି ରଖନ୍ତି। କ୍ରୀଡ଼ା ସାମ୍ବାଦିକ କେବଳ ସ୍କୋର ଲେଖନ୍ତି ନାହିଁ; ସେମାନେ ଲେଖନ୍ତି ମଣିଷର ସ୍ୱପ୍ନ, ସଂଘର୍ଷ, ଧୈର୍ଯ୍ୟ ଓ ଜିଦ୍‌ର ମହାକାବ୍ୟ। କୌଣସି ଖେଳାଳି ଯେତେବେଳେ ପଦକ ଜିତନ୍ତି, ଆମେ ତାଙ୍କ ହସକୁ ଦେଖୁ। କିନ୍ତୁ ସେହି ହସ ପଛରେ ଥିବା ଅସଂଖ୍ୟ ଲୁହ, ପରିଶ୍ରମ, ଅପମାନ, ବିଫଳତା ଓ ପୁନର୍ଜନ୍ମର କାହାଣୀକୁ ସମାଜ ଆଗରେ ଆଣିଥାଏ କ୍ରୀଡ଼ା ସାମ୍ବାଦିକତା। ସେହିପାଇଁ କ୍ରୀଡ଼ା ସାମ୍ବାଦିକ କେବଳ ଦର୍ଶକ ନୁହେଁ, ସେ ହେଉଛି ଇତିହାସର ଦଲିଲକାର। 

ଆହୁରି ପଢ଼ନ୍ତୁ: ବିଦେଶ ଶିକ୍ଷାବୃତ୍ତି ଯୋଜନା: ଆବେଦନ ସମୟସୀମା ବୃଦ୍ଧି କଲେ ରାଜ୍ୟ ସରକାର

ଯେତେବେଳେ କୌଣସି ଗାଁର ଜଣେ ଅଜଣା ଧାବକ, ଜଣେ ହକି ଖେଳାଳି କିମ୍ବା ଜଣେ ଆଦିବାସୀ କନ୍ୟାର ସଫଳତା ଖବରକାଗଜର ପୃଷ୍ଠାରେ ସ୍ଥାନ ପାଏ, ସେତେବେଳେ ଅନ୍ୟ ହଜାର ଶିଶୁଙ୍କ ମନରେ ଜନ୍ମ ନିଏ ନୂଆ ସ୍ୱପ୍ନ। ସେହି ସ୍ୱପ୍ନର ପ୍ରଥମ ସ୍ଥପତି ହେଉଛନ୍ତି ଜଣେ କ୍ରୀଡ଼ା ସାମ୍ବାଦିକ। ସେମାନେ ଖେଳକୁ କେବଳ ମନୋରଞ୍ଜନ ଭାବେ ନୁହେଁ, ବରଂ ଜାତୀୟ ଚରିତ୍ର, ଶୃଙ୍ଖଳା, ସହନଶୀଳତା, ଦଳଗତ ମନୋଭାବ ଓ ନୈତିକତାର ପାଠଶାଳା ଭାବେ ଉପସ୍ଥାନ କରନ୍ତି। ସତ୍ୟନିଷ୍ଠ କ୍ରୀଡ଼ା ସାମ୍ବାଦିକତା କେବଳ ପ୍ରଶଂସା କରେନାହିଁ, ଦୁର୍ନୀତି, ଡୋପିଂ, ଅବ୍ୟବସ୍ଥା, ଅନ୍ୟାୟ ଓ ପ୍ରଶାସନିକ ତ୍ରୁଟିକୁ ମଧ୍ୟ ସାହସର ସହିତ ସମାଜ ସମ୍ମୁଖରେ ଆଣେ। ଏହା ହେଉଛି ଗଣତନ୍ତ୍ରର କ୍ରୀଡ଼ା-ବିବେକ। 

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଗତ ଦଶନ୍ଧିରେ ଓଡ଼ିଶା ନିଜକୁ କେବଳ ଏକ ରାଜ୍ୟ ଭାବେ ନୁହେଁ, ବରଂ ଭାରତର କ୍ରୀଡ଼ା ରାଜଧାନୀ ହେବାର ଦୃଢ଼ ଦାବିଦାର ଭାବେ ପ୍ରତିଷ୍ଠା କରିଛି। ହକି ବିଶ୍ୱକପ୍‌ରୁ ଆରମ୍ଭ କରି ଆନ୍ତର୍ଜାତିକ ଆଥଲେଟିକ୍ସ, ଫୁଟବଲ, ରଗ୍‌ବି, ଟେନିସ୍‌ ଓ ବିଭିନ୍ନ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ଆଜି ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଛି। କିନ୍ତୁ ଏହି ଗୌରବଗାଥା କେବଳ ଷ୍ଟାଡିୟମ ନିର୍ମାଣ କିମ୍ବା ପଦକ ଜିତିବାରେ ସୀମିତ ନୁହେଁ। ଏହାକୁ ଦେଶ ଓ ବିଶ୍ୱ ସମ୍ମୁଖରେ ପହଞ୍ଚାଇବାରେ ଓଡ଼ିଶାର କ୍ରୀଡ଼ା ସାମ୍ବାଦିକମାନଙ୍କ ଭୂମିକା ଅସାଧାରଣ। କେବେ ସେମାନେ କଳିଙ୍ଗ ଷ୍ଟାଡିୟମର ଗ୍ୟାଲେରୀରୁ ସଜୀବ ବର୍ଣ୍ଣନା କରିଛନ୍ତି, କେବେ ସୁନ୍ଦରଗଡ଼ର ମାଟିରେ ଜନ୍ମ ନେଉଥିବା ନୂଆ ହକି ପ୍ରତିଭାଙ୍କୁ ଖୋଜି ବାହାର କରିଛନ୍ତି, ତ କେବେ ଓଡ଼ିଶାର ଗାଁଗହଳିରେ ଲୁଚି ରହିଥିବା ଖେଳାଳିଙ୍କ କାହାଣୀକୁ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି। ଆଜି ଓଡ଼ିଶାର କ୍ରୀଡ଼ା ଉନ୍ନତିର ଯେଉଁ ଇତିହାସ ଲେଖାଯାଉଛି, ସେହି ଇତିହାସର ସହ-ଲେଖକ ହେଉଛନ୍ତି ଏହି କ୍ରୀଡ଼ା ସାମ୍ବାଦିକମାନେ। 

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ଡିଜିଟାଲ୍‌ ଯୁଗରେ ପ୍ରତି ସେକେଣ୍ଡରେ ଖବର ବଦଳୁଛି। ଏହି ଦୌଡ଼ରେ ସତ୍ୟକୁ ଯାଞ୍ଚ କରିବା, ଗୁଜବ ତଥା ଉଡ଼ା କଥାକୁ ଏଡାଇବା, କାମଳ ସାମ୍ବାଦିକତା ପରିବର୍ତ୍ତେ ସଠିକ୍‌ ବିଶ୍ଳେଷଣ ଦେବା—ଏହା ଆଜିର ସବୁଠାରୁ ବଡ଼ ଆହ୍ୱାନ। ଅନେକ ସମୟରେ ଗ୍ଲାମର ଓ ଟିଆରପିର ଭିଡ଼ରେ ଗ୍ରାମୀଣ କ୍ରୀଡ଼ା, ପାରା ସ୍ପୋର୍ଟ୍ସ, ମହିଳା କ୍ରୀଡ଼ା କିମ୍ବା ଆଦିବାସୀ ଅଞ୍ଚଳର ପ୍ରତିଭା ଆଲୋକରୁ ଦୂରେ ରହିଯାଏ। ଏଠାରେ କ୍ରୀଡ଼ା ସାମ୍ବାଦିକଙ୍କ ଦାୟିତ୍ୱ ଆହୁରି ବଢ଼ିଯାଏ, କାରଣ ତାଙ୍କ କଲମ ନିଷ୍ପତ୍ତି କରେ କିଏ ଦୃଶ୍ୟମାନ ହେବେ ଓ କିଏ ଅଦୃଶ୍ୟ ରହିଯିବେ। ଜଣେ ସୈନିକ ସୀମାରେ ଦେଶକୁ ସୁରକ୍ଷା ଦିଅନ୍ତି, ଜଣେ ଖେଳାଳି ମାଠରେ ଦେଶର ସମ୍ମାନ ବଢ଼ାନ୍ତି, ଆଉ ଜଣେ କ୍ରୀଡ଼ା ସାମ୍ବାଦିକ ସେହି ସମ୍ମାନକୁ ସମାଜର ସ୍ମୃତିରେ ଚିରସ୍ଥାୟୀ କରି ରଖନ୍ତି। କ୍ରୀଡ଼ା ସାମ୍ବାଦିକତା ଆମକୁ ଶିଖାଏ—ବିଜୟରେ ନମ୍ରତା, ପରାଜୟରେ ଧୈର୍ଯ୍ୟ ଓ ପ୍ରତିଯୋଗିତାରେ ମାନବିକତା। 

ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସରେ ଆସନ୍ତୁ, ଆମେ କେବଳ କ୍ରୀଡ଼ା ସାମ୍ବାଦିକଙ୍କୁ ଶୁଭେଚ୍ଛା ନ ଜଣାଇ, ବରଂ ସେମାନଙ୍କ ସତ୍ୟନିଷ୍ଠା, ସାହସ ଓ ନିଷ୍ଠାକୁ ସମ୍ମାନ ଜଣାଉ। କାରଣ ଯେଉଁ ସମାଜ ତା'ର କ୍ରୀଡ଼ାକୁ ସମ୍ମାନ କରେ, ସେହି ସମାଜ ସୁସ୍ଥ, ସୃଜନଶୀଳ ଓ ଆତ୍ମବିଶ୍ୱାସୀ ହୁଏ। ଓଡ଼ିଶା ଆଜି କ୍ରୀଡ଼ାର ଏକ ନୂଆ ଯୁଗର ସାକ୍ଷୀ। ଏହି ଯାତ୍ରାରେ ଖେଳାଳିଙ୍କ ପରି କ୍ରୀଡ଼ା ସାମ୍ବାଦିକମାନେ ମଧ୍ୟ ସମାନ ସମ୍ମାନର ଅଧିକାରୀ। ସେମାନଙ୍କ କଲମ ଯେର୍ଯ୍ୟନ୍ତ ସତ୍ୟ, ସାହସ ଓ ମାନବିକତାରେ ଭିଜି ରହିବ, ସେପର୍ଯ୍ୟନ୍ତ କ୍ରୀଡ଼ା କେବଳ ୍ରତିଯୋଗିତା ହୋଇ ରହିବ ନାହିଁ। ଏହା ହେବ ସଂସ୍କୃତି, ଚେତନା ଓ ଜାତୀୟ ଗୌରବର ମହାକାବ୍ୟ। ‘ଦକ ସମୟ ସହିତ ସଂଗ୍ରହାଳୟକୁ ଯାଏ, କିନ୍ତୁ ତାହାର କାହାଣୀ ସଦା ଜୀବନ୍ତ ରହେ କ୍ରୀଡ଼ା ସାମ୍ବାଦିକଙ୍କ କଲମରେ ଓ ଏହାକୁ ବୋଲି ଜୋର ଦେଇ କୁହାଯାଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର