ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ହାତ ଫେରିପାଇଲେ ଯୁବତୀ, ଏମ୍ସ ଭୁବନେଶ୍ୱରରେ ଯୋଡ଼ା ହେଲା ଅଲଗା ହୋଇଯାଇଥିବା ବାମ ହାତ

The Sakala Picture
Published On

ଭୁବନେଶ୍ୱର: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳର ଯୁବତୀ ବର୍ଷା ଦାସ(୨୫) ପୁଣି ଥରେ ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ନିଜର ବାମ ହାତ ଫେରିପାଇଛନ୍ତି। ଏମ୍ସ ଭୁବନେଶ୍ୱର ଡାକ୍ତରଙ୍କ ଦ୍ୱାରା ଦୀର୍ଘ ୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ସଫଳତାର ସହିତ ଯୋଡ଼ା ହେଲା ସଂପୂର୍ଣ୍ଣ ଅଲଗା ହୋଇଯାଇଥିବା ବର୍ଷାଙ୍କ ବାମ ହାତ । ଚଳିତ ମାସ ୯ ତାରିଖ ରାତି ପ୍ରାୟ ୯ ଟା ସମୟରେ ଏମ୍ସ ଭୁବନେଶ୍ୱର ଜରୁରୀକାଳୀନ ବିଭାଗକୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ […]

ଭୁବନେଶ୍ୱର: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳର ଯୁବତୀ ବର୍ଷା ଦାସ(୨୫) ପୁଣି ଥରେ ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ନିଜର ବାମ ହାତ ଫେରିପାଇଛନ୍ତି। ଏମ୍ସ ଭୁବନେଶ୍ୱର ଡାକ୍ତରଙ୍କ ଦ୍ୱାରା ଦୀର୍ଘ ୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ସଫଳତାର ସହିତ ଯୋଡ଼ା ହେଲା ସଂପୂର୍ଣ୍ଣ ଅଲଗା ହୋଇଯାଇଥିବା ବର୍ଷାଙ୍କ ବାମ ହାତ । ଚଳିତ ମାସ ୯ ତାରିଖ ରାତି ପ୍ରାୟ ୯ ଟା ସମୟରେ ଏମ୍ସ ଭୁବନେଶ୍ୱର ଜରୁରୀକାଳୀନ ବିଭାଗକୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆସିଥିଲେ ଉକ୍ତ ଯୁବତୀ। ହସ୍ପିଟାଲ ଆସିବା ସମୟରେ ତାଙ୍କ ବାମ ହାତ ସମ୍ପୂର୍ଣ୍ଣ ଭାବରେ ଛିଡ଼ି ଯାଇଥିଲା। ଯୁବତୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଧାନ କୁଟା ମେସିନରେ କାମ କରୁଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ସମୟରେ ଅସାବଧାନତାବଶତ ହାତ ପଶିଯିବା ସହିତ ଏହି ଅଘଟଣ ଘଟିଥିଲା। ପରେ ତାଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଛିଡିଯାଇଥିବା ହାତର ଅଂଶକୁ ଏକ କପଡ଼ାରେ ଗୁଡ଼ାଇ ଏକ ବରଫ ଥଳୀରେ ରଖି ଏମ୍ସକୁ ଅଣାଯାଇଥିଲା।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ବର୍ଷାଙ୍କ ଅବସ୍ଥାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ତୁରନ୍ତ ପ୍ରତିରୋପଣ କରିବାର ଯୋଜନା କରିଥଲେ। ବର୍ନସ୍ ଏବଂ ପ୍ଲାଷ୍ଟିକ ବିଭାଗ ମୁଖ୍ୟ ଡ. ସଞ୍ଜୟ ଗିରିଙ୍କ ନେତୃତ୍ବରେ ଅସ୍ଥିଶଲ୍ୟ ଏବଂ ନିଶ୍ଚେତକ ବିଭାଗର ଡ଼ାକ୍ତରମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ଟିମ୍ ଗଠନ କରାଯାଇ ହାତ ପ୍ରତିରୋପଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ଦଳରେ ବର୍ନସ୍ ଏବଂ ପ୍ଲାଷ୍ଟିକ ବିଭାଗର ଡ. ଶାନ୍ତନୁ ସୁବା, ଡ. ପ୍ରିୟଙ୍କା ପନ୍ତ, ଡ. ଆକାଂକ୍ଷା ରାଜପୁତ, ଡ. ବିଷ୍ଣୁ ପ୍ରମୁଖ ରହିଥିବା ବେଳେ ଅସ୍ଥିଶଲ୍ୟ ବିଭାଗରୁ ଡ. ନିଖିଲ ଏବଂ ଡ. ମନୋଜ, ନିଶ୍ଚେତକ ବିଭାଗରୁ ଡ. ଜୟନ୍ତ ମିତ୍ର, ଡ. ହୃଷୀକେଶ ଏବଂ ଡ. ଶୈଳଯା ସାମିଲ ଥିଲେ। ନର୍ସିଂ ଅଧିକାରୀ ବାବୁଲାଲ ଏବଂ ଜସୱନ୍ତ ସିଂ ପ୍ରମୁଖ ସହଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ପ୍ରଥମେ, ଡାକ୍ତରୀ ଦଳ ଫ୍ରିଜରୁ କଟାଯାଇଥିବା ହାତକୁ ବାହାରକରିବା ସହିତ ବେଞ୍ଚ ଡିସେକସନ କରାଯାଇଥିଲା। ସମସ୍ତ ଗୁରୁତ୍ୱପୂର୍ଣ୍ଣ ଶୀରା ପ୍ରଶିରାକୁ ଚିହ୍ନଟ କରାଯାଇ ରୋଗୀକୁ ଅସ୍ତ୍ରୋପଚାର ଗୃହକୁ ନିଆଯାଇ ଥିଲା। ଧମନୀ, ଶୀରା ପ୍ରସିରା ଆଦିକୁ ଅତ୍ୟନ୍ତ ସତର୍କତାର ସହିତ ସଂଯୋଗ କରାଯିବା ପରେ ହାଡ଼, ମାଂସପେଶୀ ଆଦି ଯୋଡ଼ା ଯାଇଥିଲା। ପରେ ଶିରା ସହିତ ଧମନୀ ରକ୍ତ ସଞ୍ଚାଳନ ସ୍ଥାପିତ ହୋଇଥିଲା ଏବଂ ତା’ପରେ ଦୁଇଟି ପ୍ରମୁଖ ସ୍ନାୟୁ ଯାହା ମାଂସପେଶୀ ଏବଂ ଚର୍ମ ସହିତ ସଂଯୋଗ କରାଯାଇଥିଲା ବୋଲି ଡାକ୍ତର ସଞ୍ଜୟ ଗିରି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ସକାଳ ୮ଟା ପର୍ଯ୍ୟନ୍ତ ଅସ୍ତ୍ରୋପଚାର ଚାଲିଥିଲା ଏବଂ ପରେ ରୋଗୀଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଅସ୍ତ୍ରୋପଚାରର ପ୍ରାୟ ଦୁଇ ସପ୍ତାହ ପରେ ବର୍ତ୍ତମାନ ବର୍ଷାଙ୍କର ହାତରେ ରକ୍ତ ସଂଚାଳନ କରୁଛି। ଯାହାକି ବେଶ୍ ଖୁସିର ବିଷୟ ବୋଲି ଡ. ଗିରି ପ୍ରକାଶ କରିଛନ୍ତି। ଆଜି ୱାର୍ଡରେ ଯୁବତୀଙ୍କୁ ସାକ୍ଷାତ କରିଥଲେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ। ଡାକ୍ତରୀ ଦଳର ସାହସିକ କାର୍ଯ୍ୟ ଏବଂ ଯୁବତୀଙ୍କ ଧର୍ଯ୍ୟକୁ ପ୍ରଶଂସା କରିଥିଲେ ଡ. ବିଶ୍ୱାସ। । ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ୍ ଅଧୀକ୍ଷକ ଡ. ଏସ୍ ଏନ ମହାନ୍ତି, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ପ୍ରମୁଖ ମଧ୍ୟ ଡାକ୍ତରମାନଙ୍କୁ ପ୍ରଶଂସା କରିଥିଲେ।

ଧୀରେ ଧୀରେ ଫିଜିଓଥେରାପି ଏବଂ ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି ସହାୟତାରେ ପ୍ରାୟ ୩-୪ ମାସ ମଧ୍ୟରେ ଏହି ଆଙ୍ଗୁଠି ସ୍ବାଭାବିକ କାମ କରିବା ଆରମ୍ଭ କରିବ । ଡକ୍ଟର ଗିରିଙ୍କ କହିବା ଅନୁଯାୟୀ ଏପରି ଜଟିଳ ପରିସ୍ଥିତିରେ ପ୍ରଥମ ଛଅ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଏପରି ଘଟଣା ଘଟେ, ସେତେବେଳେ କଟି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ଅଂଶକୁ ଏକ ଗଜ୍ କନା କିମ୍ବା କପଡାରେ ଗୁଡ଼ାଇବା ସହିତ ଏକ ପଲିଥିନ୍‌ରେ ରଖିବା ଉଚିତ୍‌। ସଙ୍ଗେସଙ୍ଗେ ଉକ୍ତ ପଲିଥିନ୍‌କୁ ଏକ ବରଫ ଚାମ୍ବରରେ ସଠିକ୍ ଭାବରେ ସଂରକ୍ଷିତ କରି ରଖିବା ଉଚିତ୍। ଅଲଗା ହୋଇଯାଇଥିବା ଅଙ୍ଗକୁ ସିଧାସଳଖ ବରଫରେ ରଖାଯିବା ଉଚିତ୍ ନୁହେଁ। ଏହାପରେ ତୁରନ୍ତ ରୋଗୀଙ୍କୁ ହସ୍‌ପିଟାଲ ଆଣିବା ଆବଶ୍ୟକ ବୋଲି ଡ. ଗିରି ମତ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର