ମନୋରଞ୍ଜନ
ଓଡ଼ିଶା
ବିବାହ ମଣ୍ଡପରେ କନ୍ୟାକୁ ଗୁଳି କଲା ଏକତରଫା ପ୍ରେମିକ
ବିହାରର ବକ୍ସର ଜିଲ୍ଲାରେ ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ମୁଫସିଲ ଥାନା ଅନ୍ତର୍ଗତ ଚୌସା ନଗର ପଞ୍ଚାୟତର ମଲ୍ଲାହ ଟୋଲାଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ବିବାହ ଉତ୍ସବ ଚାଲିଥିବା ବେଳେ ଜଣେ ୧୮ ବର୍ଷୀୟା କନିଆଙ୍କୁ ଗୁଳିମାଡ଼ ହୋଇଛି। ଜୟମାଳା ସମୟରେ ଘଟିଥିବା ଏହି ଆକ୍ରମଣରେ କନିଆ ଆରତୀ କୁମାରୀ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ବାରାଣସୀର ଏକ ଡାକ୍ତରଖାନାରେ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।
Shocking Video from Buxar, Bihar: Jilted Lover Shoots Bride During Jaimala Ceremony; 18yr Old Girl in Critical Condition in ICU pic.twitter.com/P3xt1KeZJc
— Mihir Jha (@MihirkJha) February 25, 2026
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆରତୀ ନିଜ ବିବାହ ବେଦୀରେ ବରଙ୍କ ସହ ଗୁଆମାଳ ବଦଳ କରୁଥିବା ସମୟରେ ଜଣେ ମୁଖାପିନ୍ଧା ଦୁର୍ବୃତ୍ତ ହଠାତ ମଞ୍ଚ ଉପରକୁ ଚଢ଼ି ଆସିଥିଲା ଏବଂ ଗୁଳି ଚଳାଇଥିଲା। ବିବାହ ଘରର ପ୍ରବଳ ଶବ୍ଦ ଯୋଗୁଁ ପ୍ରଥମେ ଗୁଳିମାଡ଼ ବିଷୟରେ କେହି ଜାଣିପାରିନଥିଲେ। ମାତ୍ର କିଛି ସମୟ ପରେ ଆରତୀ ହଠାତ ତଳେ ପଡ଼ିଯିବା ଏବଂ ତାଙ୍କ ପେଟରୁ ରକ୍ତ ବାହାରୁଥିବା ଦେଖି ଅତିଥିମାନେ ଆତଙ୍କିତ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ବକ୍ସର ସଦର ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରାଣସୀ ସ୍ଥାନାନ୍ତର କରାଯାଇଛି।
ଜଣେ ପଡ଼ୋଶୀଙ୍କ ବିରୋଧରେ ଅଭିଯୋଗ
ଡାକ୍ତରଖାନାକୁ ନିଆଯିବା ପୂର୍ବରୁ ଆରତୀ ନିଜ ପରିବାର ସଦସ୍ୟଙ୍କୁ ଆକ୍ରମଣକାରୀର ପରିଚୟ ଦେଇଛନ୍ତି। ସେ କହିଛନ୍ତି ଯେ ଦିନବନ୍ଧୁ ନାମକ ଜଣେ ଯୁବକ ତାଙ୍କୁ ଗୁଳି କରିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଦିନବନ୍ଧୁ ସେହି ଗାଁର ଜଣେ ପଡ଼ୋଶୀ ଏବଂ ସେ ଆରତୀଙ୍କୁ ଦୀର୍ଘ ଦୁଇ ବର୍ଷ ହେବ ହଇରାଣ କରୁଥିଲା। ସେ ଆରତୀଙ୍କୁ ଏକତରଫା ପ୍ରେମ କରୁଥିବା ବେଳେ ପୂର୍ବରୁ ମଧ୍ୟ ତାଙ୍କ ବିବାହ ଭାଙ୍ଗିବାକୁ ଚେଷ୍ଟା କରି ସଫଳ ହୋଇଥିବା କୁହାଯାଉଛି।
ଘଟଣାର ସୂଚନା ପାଇ ମୁଫସିଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଅଧିକାରୀ ଚନ୍ଦନ କୁମାର କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଏହା ଏକ ବ୍ୟକ୍ତିଗତ ଶତ୍ରୁତାରୁ ଘଟିଥିବା ଜଣାପଡୁଛି। ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛି ଏବଂ ତାକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ସେପଟେ ଅଭିଯୁକ୍ତଙ୍କ ପିତା ଏଭଳି କୌଣସି ପ୍ରେମ ସମ୍ପର୍କ ବିଷୟରେ ସେ ଅବଗତ ନଥିବା କହିଛନ୍ତି।





