ମନୋରଞ୍ଜନ
ଓଡ଼ିଶା
ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନ: ପୁଣି ବିଜୟୀ ହେଲେ ଲୁଇଜ୍ ଇନାସିଓ ଲୁଲା ଡା ସିଲଭା, ଚତୁର୍ଥ ଥର ପାଇଁ ହେବେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ବ୍ରାଜିଲର ବର୍ତ୍ତମାନର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ରବିବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଏକ ଐତିହାସିକ ବିଜୟ ହାସଲ କରିଛନ୍ତି। ସେ ଲିବେରାଲ୍ ପାର୍ଟିର ପ୍ରାର୍ଥୀ ଫ୍ଲାଭିଓ ବୋଲସୋନାରୋଙ୍କୁ ପରାସ୍ତ କରି କ୍ରମାଗତ ଭାବେ ନିଜର ଚତୁର୍ଥ ପାଳି ସୁରକ୍ଷିତ କରିଛନ୍ତି। ୮୦ ବର୍ଷୀୟ ଲୁଲା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଫ୍ଲାଭିଓ ବୋଲସୋନାରୋଙ୍କ ଠାରୁ ୪୪ ଲକ୍ଷ ଭୋଟ୍ରେ ଅର୍ଥାତ୍ ମୋଟ ଭୋଟ୍ର ୫୧.୮ ପ୍ରତିଶତ ଆଗୁଆ ଅଛନ୍ତି। ଲୁଲା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ କଠୋର ସମାଲୋଚକ । ଯେତେବେଳେ ପରାଜିତ ପ୍ରାର୍ଥୀ ବୋଲସୋନାରୋ ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ସହଯୋଗୀ ।
ଅକ୍ଟୋବର ୧୯୪୫ ରେ ବ୍ରାଜିଲର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ଲୁଲା, ୧୯୭୦ ଦଶକରେ ଜଣେ ଟ୍ରେଡ୍ ୟୁନିୟନ୍ ନେତା ଭାବରେ ଉଭା ହୋଇଥିଲେ। ଗରିବଙ୍କ ସ୍ୱର ଏବଂ ସାମରିକ ଶାସନ ବିରୋଧରେ ଲଢେଇ କରି ସେ ବେଶ୍ ଲୋକପ୍ରିୟ ହୋଇଥିଲେ। ୧୯୮୦ ମସିହାରେ ସେ ୱାର୍କର୍ସ ପାର୍ଟି (PT) ପ୍ରତିଷ୍ଠା କରିଥିଲେ। ୨୦୦୨ ରେ ସେ ପ୍ରଥମ ଥର ପାଇଁ ବ୍ରାଜିଲର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ଶ୍ରମିକ ଶ୍ରେଣୀରୁ ଆସିଥିବା ପ୍ରଥମ ରାଷ୍ଟ୍ରପତି ଭାବେ ଇତିହାସ ରଚିଥିଲେ।
୨୦୦୬ ରେ ଲୁଲା ପୁନର୍ବାର ନିର୍ବାଚିତ ହୋଇଥିଲେ। ତାଙ୍କର ବୋଲସା ଫାମିଲିଆ (ପାରିବାରିକ ଭତ୍ତା) ଯୋଜନା ଯୋଗୁଁ ଲକ୍ଷ ଲକ୍ଷ ବ୍ରାଜିଲୀୟ ଦାରିଦ୍ର୍ୟରୁ ମୁକ୍ତି ପାଇଥିଲେ। ୨୦୧୪ ମସିହାରେ 'ଅପରେସନ୍ କାର୍ ୱାଶ୍' ଦୁର୍ନୀତି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଯାଇଥିଲେ। ତେବେ ମାର୍ଚ୍ଚ ୨୦୨୧ ରେ ବ୍ରାଜିଲର ସୁପ୍ରିମ୍ କୋର୍ଟ ତାଙ୍କ ଉପରୁ ସମସ୍ତ ଦୁର୍ନୀତି ଅଭିଯୋଗକୁ ଖାରଜ କରିଥିଲେ। ଏହା ପରେ ୨୦୨୨ ରେ ସେ ତତ୍କାଳୀନ ରାଷ୍ଟ୍ରପତି ଜାୟର୍ ବୋଲସୋନାରୋଙ୍କୁ ହରାଇ ତୃତୀୟ ଥର କ୍ଷମତାକୁ ଫେରିଥିଲେ।






