ଆସନ୍ତାକାଲି ଟ୍ରିବ୍ୟୁନାଲରେ ମହାନଦୀ ଶୁଣାଣି : ସରକାରଙ୍କ ଆଭିମୁଖ୍ୟକୁ ନେଇ ସଂଶୟ, ଆଇନଗତ ଲଢେ଼ଇ ସମ୍ପର୍କରେ ନିରବ

The Sakala Picture
Published On

ଭୁବନେଶ୍ୱର : ଆସନ୍ତାକାଲି ଅର୍ଥାତ ଶନିବାର ହେବ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ୪୪ତମ ଶୁଣାଣି । ଏହି ଶୁଣାଣି ସମୟରେ ଓଡ଼ିଶାର ଆଭିମୁଖ୍ୟ କଣ ରହିବ, ତାହା ଜାଣିବା ପାଇଁ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ପର୍ଯ୍ୟନ୍ତ ସମସ୍ତେ ଉଦ୍‌ବିଗ୍ନ। ଗତ ଶୁଣାଣି ସମୟରେ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ବିବାଦର ସମାଧାନ ପାଇଁ ଦୁଇରାଜ୍ୟ ମଧ୍ୟରେ ଆପୋସ ଆଲୋଚନା ଜାରି ରହିଥିବା ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ଏଥିପାଇଁ ଶ୍ରୀ ଆଚାର୍ଯ୍ୟ ଅଧିକ ସମୟ ମାଗିଥିଲେ […]

ଭୁବନେଶ୍ୱର : ଆସନ୍ତାକାଲି ଅର୍ଥାତ ଶନିବାର ହେବ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ୪୪ତମ ଶୁଣାଣି । ଏହି ଶୁଣାଣି ସମୟରେ ଓଡ଼ିଶାର ଆଭିମୁଖ୍ୟ କଣ ରହିବ, ତାହା ଜାଣିବା ପାଇଁ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ପର୍ଯ୍ୟନ୍ତ ସମସ୍ତେ ଉଦ୍‌ବିଗ୍ନ। ଗତ ଶୁଣାଣି ସମୟରେ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ବିବାଦର ସମାଧାନ ପାଇଁ ଦୁଇରାଜ୍ୟ ମଧ୍ୟରେ ଆପୋସ ଆଲୋଚନା ଜାରି ରହିଥିବା ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ଏଥିପାଇଁ ଶ୍ରୀ ଆଚାର୍ଯ୍ୟ ଅଧିକ ସମୟ ମାଗିଥିଲେ ଓ ଟ୍ରିବ୍ୟୁନାଲ ପରବର୍ତ୍ତୀ ଶୁଣାରି ତାରିଖ ଅଗଷ୍ଟ ୨ ତାରିଖକୁ ଧାର୍ଯ୍ୟ କରିଥିଲେ। ଶୁଣାରି ପାଇଁ ପାଇଁ ରାଜ୍ୟ ସରକାରଙ୍କ ହାତରେ ଦିନଟିଏ ଥିବାବେଳେ ଉଭୟ ରାଜ୍ୟ ମଧ୍ୟରେ ବିବାଦର ସମାଧାନ ପାଇଁ କେଉଁ ପ୍ରକାର ଆଲୋଚନା ହୋଇଛି, ସେ ସମ୍ପର୍କରେ ସରକାର ନିରବ।

କିଛିଦିନ ତଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତରେ କ୍ଷୋଭ ପ୍ରକାଶ କରିବା ସହ ଦୁଇ ରାଜ୍ୟ ମଧ୍ୟରେ ଆପୋସ ଆଲୋଚନା କଣ ହୋଇଛି ଏବଂ ଓଡ଼ିଶା ଆଇନଗତ ଲଢେ଼ଇରୁ ଓହରି ଯିବ ନା ଜାରି ରଖିବ ସେନେଇ ସ୍ପଷ୍ଟୀକରଣ ଲୋଡ଼ିଥିଲେ ହେଁ ସରକାର ଏ ସମ୍ପର୍କରେ ତୁଣ୍ଡ ଖୋଲି ନାହାନ୍ତି। ଏହି ସମୟରେ ଦିନକ ପରେ ହେବାକୁଥିବା ଶୁଣାଣିରେ ରାଜ୍ୟ ସରକାର କେଉଁ ତଥ୍ୟ ରଖିବେ ଓ କେଉଁ ଆଭିମୁଖ୍ୟ ପୋଷଣ କରିବେ ତାହା ଉପରେ ରାଜ୍ୟବାସୀଙ୍କର ନଜର ରହିଛି।

ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନଦୀ ଜଳବିବାଦକୁ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ କରିଥିଲେ। କେନ୍ଦ୍ରୀୟ ଜଳ କମିଶନରେ ସମସ୍ୟା ସମାଧାନ ପାଇଁ ହେଉଥିବା ଉଦ୍ୟମ ମନ୍ଥର ଗତିରେ ଚାଲିଥିବାରୁ କେନ୍ଦ୍ର ସରକାରଙ୍କ ସହଯୋଗରେ ଉଭୟ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କରାଯାଇ ଏହି ସମସ୍ୟାର ସମାଧାନ କରାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏପରିକି ଦୁଇରାଜ୍ୟ ମଧ୍ୟରେ ଉଚ୍ଚସ୍ତରୀୟ ପଦାଧିକାରୀ ମାନେ ଏ ନେଇ ଆଲୋଚନାରତ ଥିବା ବୈଠକରୁ ଜଣା ପଡ଼ିଥିଲା। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏକାଧିକ ଧର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସହ ବିବାଦ ସମ୍ପର୍କରେ ଆଲୋଚନା କରିଛନ୍ତି। ତାଙ୍କ ସହ କଣ ଆଲୋଚନା ହୋଇଛି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସର୍ବସାଧାରଣରେ ପ୍ରକାଶ କରିନାହାନ୍ତି। ମହାନଦୀ ଓଡ଼ିଶାର ଜୀବନରେଖା। ଏହାକୁ ନେଇ ସରକାର କୌଣସି ନିଷ୍କର୍ସରେ ପହଞ୍ଚିବା ପୂର୍ବରୁ ସମସ୍ତଙ୍କୁ ବିଶ୍ୱାସକୁ ନେବା ଆବଶ୍ୟକ। ତେଣୁ ଛତିଶଗଡ଼ ସହ କେଉଁପ୍ରକାର ବୁଝାମଣା ହେଉଛି, ତାହା ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ ବୋଲି ମହାନଦୀ ଆନ୍ଦୋଳନ ସହ ଜଡ଼ିତ ବିଭିନ୍ନ ସଂଗଠନ ଦାବି କରିଛନ୍ତି।

ସୂଚନା ଅନୁଯାୟୀ ଛତିଶଗଡ଼ ସହ ଓଡ଼ିଶା ସମସ୍ୟାର ସମାଧାନ ପାଇଁ ଆଲୋଚନା ରତ ବୋଲି ନିଜେ ମୁଖ୍ୟମନ୍ତ୍ରୀ ଓ ଏଜି କହୁଥିଲେ ହେଁ, ପ୍ରତିପକ୍ଷ ଛତିଶଗଡ଼ର ଏଜି ଏହାକୁ ଖଣ୍ଡନ କରୁଛନ୍ତି। ତେଣୁ ସତ କଣ ତାହା ଜାଣିବାର ଅଧିକାର ସମସ୍ତଙ୍କର ରହିଛି ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଦାବି କରାଯାଇଛି। ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏନେଇ ନିଜର କ୍ଷୋଭ ପ୍ରକାଶ କରିବା ସହ ଛତିଶଗଡ଼ ସହ ରାଜ୍ୟ ସରକାର କଣ ଆଲୋଚନା କରୁଛନ୍ତି, ତାହା ସାର୍ବଜନୀନ କରିବାକୁ ଦାବି କରିଛନ୍ତି। ଏହା ସହ ରାଜ୍ୟ ସରକାର ଏନେଇ ସର୍ବଦଳୀୟ ବୈଠକ ଡକାନ୍ତୁ ବୋଲି ନବୀନ ଦାବି କରିଥିଲେ। ତେବେ ନବୀନଙ୍କ ଦାବି ଏବଂ ପ୍ରସ୍ତାବକୁ ନେଇ ରାଜ୍ୟ ସରକାର କୌଣସି ଆଗ୍ରହ ଦେଖାଇନଥିବା ବେଳେ ମହାନଦୀକୁ ନେଇ ନିରବତା ଅବଲମ୍ବନ କରୁଛନ୍ତି। ଯାହା ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଆଦୌ ଭଲ ନୁହେଁ। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ କୁହାଯାଇଛି ଯେ ସରକାରୀ ସ୍ତରରେ ଆପୋଷ ଆଲୋଚନାକୁ ଯିବା ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ଓଡ଼ିଶାର ରାଜନୈତିକ ଦଳ, ସାମାଜିକ ସଂଗଠନ, ନଦୀ ଆନ୍ଦୋଳନ ତଥା ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ କରାଯିବା ଜରୁରୀ ଅଟେ। ସରକାର ଏନେଇ ପଦକ୍ଷେପ ନିଅନ୍ତୁ ବୋଲି ସଂଗଠନ ପକ୍ଷରୁ ଦାବି ହୋଇଛି।

About The Author