ଅର୍ଥନୀତିକୁ ଅଡୁଆ ଟ୍ରମ୍ପ ନୀତି : ୬ ଦିନରେ ବୁଡ଼ିଲା ୧୬ ଲକ୍ଷ କୋଟି

The Sakala Picture
Published On

ନୂଆଦିଲ୍ଲୀ : ଦ୍ବିତୀୟ ଥର ଦାୟିତ୍ବ ଗ୍ରହଣ କରିବା ଦିନ ଠାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବରେ ଅସ୍ଥିରତା ସୃଷ୍ଟି କରିଚାଲିଛନ୍ତି। କେତେବେଳେ ଚଢ଼ା ଶୁଳ୍କ ଲଗାଉଛନ୍ତି ତ, ଆଉ କେବେ ଭିସା ଦେୟକୁ ଅଚାନକ ବୃଦ୍ଧି କରି କମ୍ପାନୀ ଏବଂ ନିବେଶକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛନ୍ତି। ତାଙ୍କର ଏଭଳି ନିିଷ୍ପତ୍ତି ଯୋଗୁଁ ବିଶ୍ବ ଅର୍ଥନୀତି ଅସ୍ଥିର ହୋଇପଡ଼ିଛି। ଭାରତୀୟ ସେୟାର ବଜାର ମଧ୍ୟ ଏଥିରେ ଭୀଷଣ ପ୍ରଭାବିତ ହେଉଛି। ଏଚ୍‌-୧ବି ଭିସା ଦେୟ […]

ନୂଆଦିଲ୍ଲୀ : ଦ୍ବିତୀୟ ଥର ଦାୟିତ୍ବ ଗ୍ରହଣ କରିବା ଦିନ ଠାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବରେ ଅସ୍ଥିରତା ସୃଷ୍ଟି କରିଚାଲିଛନ୍ତି। କେତେବେଳେ ଚଢ଼ା ଶୁଳ୍କ ଲଗାଉଛନ୍ତି ତ, ଆଉ କେବେ ଭିସା ଦେୟକୁ ଅଚାନକ ବୃଦ୍ଧି କରି କମ୍ପାନୀ ଏବଂ ନିବେଶକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛନ୍ତି। ତାଙ୍କର ଏଭଳି ନିିଷ୍ପତ୍ତି ଯୋଗୁଁ ବିଶ୍ବ ଅର୍ଥନୀତି ଅସ୍ଥିର ହୋଇପଡ଼ିଛି। ଭାରତୀୟ ସେୟାର ବଜାର ମଧ୍ୟ ଏଥିରେ ଭୀଷଣ ପ୍ରଭାବିତ ହେଉଛି।

ଏଚ୍‌-୧ବି ଭିସା ଦେୟ ବଢ଼ାଇବା ପାଇଁ ଟ୍ରମ୍ପ ନେଇଥିବା ନିଷ୍ପତ୍ତି ନିବେଶକଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଏଥିପାଇଁ ଗତ ସପ୍ତାହରେ ନିବେଶକମାନଙ୍କର ୧୬ ଲକ୍ଷ କୋଟି ଟଙ୍କା ବୁଡି ଯାଇଛି। ନିଫ୍ଟି୫୦ ପ୍ରାୟ ୩ ପ୍ରତିଶତ ହ୍ରାସ ପାଇଛି। ଆଇଟି ସୂଚକାଙ୍କ ୮ ପ୍ରତିଶତ ଖସି ଆସିଛି। ଟଙ୍କା ତୁଳନାରେ ଡଲାର ମଜ୍‌ବୁତ ହେଉଥିବାରୁ ବିଦେଶୀ ପାଣ୍ଠି ଭାରତ ବାହାରକୁ ଯିବାରେ ଲାଗିଛି। ସୂଚନା ଅନୁଯାୟୀ କ୍ରମାଗତ ଷଷ୍ଠ ଦିନରେ ସେୟାର ବଜାର ଶୁକ୍ରବାର ଲାଲ୍‌ ସଙ୍କେତରେ ବନ୍ଦ ହୋଇଥିଲା। ସେନ୍‌ସେକ୍ସ ୭୩୩ ପଏଣ୍ଟ ହ୍ରାସ ପାଇ ୮୦, ୪୨୬ରେ ପହଞ୍ଚି ଯାଇଥିଲା। ସେହିପରି ନିଫ୍ଟି୫୦ ୨୩୬ ପଏଣ୍ଟ ଖସି ଆସି ୨୪, ୬୫୫ରେ ବନ୍ଦ ହୋଇଥିଲା। ଏହି ସପ୍ତାହରେ ସେନ୍‌ସେକ୍ସ ୨,୧୯୯ ପଏଣ୍ଟ ଏବଂ ନିଫ୍ଟି୫୦ ୬୭୨ ପଏଣ୍ଟ ହ୍ରାସ ପାଇଥିଲା। ଏହା ଗତ ୬ ମାସରେ ସବୁଠାରୁ ବଡ଼ ସାପ୍ତାହିକ ବିପର୍ଯ୍ୟୟ ଥିଲା।

ଆମେରିକା ରାଷ୍ଟ୍ରପତି ଏଚ୍‌-୧ବି ଭିସା ଦେୟ ବଢ଼ାଇ ଲକ୍ଷେ ଡଲାର (ପ୍ରାୟ ୮୮ ଲକ୍ଷ ଟଙ୍କା) କରିବାରୁ ଏହି ସଙ୍କଟ ସୃଷ୍ଟି ହୋଇଥିଲା। ଏହାର ପ୍ରତ୍ୟକ୍ଷ ପ୍ରଭାବ ଭାରତୀୟ ଆଇଟି କମ୍ପାନୀଙ୍କ ଉପରେ ପଡ଼ିଥିଲା। ଏହି କମ୍ପାନୀଗୁଡିକର ହଜାର ହଜାର କର୍ମଚାରୀ ଆମେରିକାରେ କାମ କରୁଛନ୍ତି। ଏଥିଯୋଗୁଁ ଆଇଟି ସୂଚକାଙ୍କ ୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ବିଦେଶୀ ନିବେଶକମାନେ ଭାରତୀୟ ସେୟାର ବଜାରରୁ ଅର୍ଥ କାଢିବାରେ ଲାଗିଛନ୍ତି।

ସେହିପରି ଔଷଧ ଉପରେ ଆମେରିକା ୧୦୦ ପ୍ରତିଶତ ଶୁଳ୍କ , କିଚେନ କ୍ୟାବିନେଟ୍ସ ଉପରେ ୫୦ ପ୍ରତିଶତ, ଆସବାବପତ୍ରରେ ୩୦ ପ୍ରତିଶତ ଏବଂ ଭାରୀ ଟ୍ରକ ଉପରେ ୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ଏହା ମଧ୍ୟ ନିବେଶକଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହାର ପ୍ରଭାବରେ ଏନ୍‌ଏସ୍‌ଇରେ ପଞ୍ଜୀକୃତ କମ୍ପାନୀଙ୍କ ବଜାର ପୁଞ୍ଜି ଚଳିତ ସପ୍ତାହରେ ପ୍ରାୟ ୧୬ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ନିଫ୍ଟି୫୦ରେ ସାମିଲ ୪୩ କମ୍ପାନୀଙ୍କ ମଧ୍ୟ କ୍ଷତି ହୋଇଛି। ଟେକ୍‌ ମହିନ୍ଦ୍ରାର ସବୁଠାରୁ ଅଧିକ କ୍ଷତି ହୋଇଛି। ଏହି କମ୍ପାନୀର ସେୟାର ୯.୪ ପ୍ରତିଶତ ହ୍ରାସ ପାଇଛି। ସେହିପରି ଟିସିଏସ୍‌ର ୮.୫ ପ୍ରତିଶତ ,ୱିପ୍ରୋ ଏବଂ ଟ୍ରେଣ୍ଟର ୮ ପ୍ରତିଶତ ଏବଂ ଇନ୍‌ଫୋସିସର ସେୟାର ୫.୯ ପ୍ରତିଶତ ଖସି ଆସିଛି। କ୍ଷେତ୍ର ହିସାବରେ ଆଟିର ସର୍ବାଧିକ ୮%, ରିୟଲଟିର ୬.୧%, ଫାର୍ମାର ୫.୨%, କଞ୍ଜୁମର ଡ୍ୟାରାବିଲ୍ସର ୪.୬%, ଗଣମାଧ୍ୟମଗୁଡିକର ସେୟାର ୨.୭% ହ୍ରାସ ପାଇଛି।

About The Author

ସମ୍ବନ୍ଧିତ ଖବର