ଡରାଇଲାଣି ବଜାର ଦର: ଖାଇବା ଥାଳିରୁ ଉଭାନ ହେବ ଡାଲି, ବର୍ଷେ ଭିତରେ ଦର ବଢ଼ିଲାଣି ଦୁଇ ଗୁଣ

The Sakala Picture
Published On

ଭୁବନେଶ୍ୱର: ପ୍ରତିଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଛି। ଯେଉଁଥିରେ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି। କେନ୍ଦ୍ର ସରକାରଙ୍କ କର୍ପୋରେଟ୍‌‌ ସଂସ୍ଥା ପ୍ରୀତି ଯୋଗୁଁ ଏଭଳି ହେଉଥିବାବେଳେ ସରକାର ଏଥିପ୍ରତି ସାମାନ୍ୟତମ ଦୃଷ୍ଟି ଦେଉନାହାନ୍ତି କି ଦର ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁନାହାନ୍ତି। ପୂର୍ବରୁ ତେଲ, ଅଟା ଓ ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଖାଉଟିଙ୍କୁ ପ୍ରଭାବିତ କରିଥିବାବେଳେ ଏବେ ଡାଲିର ମାତ୍ରାଧିକ ଦର ବୃଦ୍ଧି ଯୋଗୁଁ ସାଧାରଣଲୋକଙ୍କ ଖାଇବା ଥାଳିରୁ […]

ଭୁବନେଶ୍ୱର: ପ୍ରତିଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଛି। ଯେଉଁଥିରେ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି। କେନ୍ଦ୍ର ସରକାରଙ୍କ କର୍ପୋରେଟ୍‌‌ ସଂସ୍ଥା ପ୍ରୀତି ଯୋଗୁଁ ଏଭଳି ହେଉଥିବାବେଳେ ସରକାର ଏଥିପ୍ରତି ସାମାନ୍ୟତମ ଦୃଷ୍ଟି ଦେଉନାହାନ୍ତି କି ଦର ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁନାହାନ୍ତି। ପୂର୍ବରୁ ତେଲ, ଅଟା ଓ ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଖାଉଟିଙ୍କୁ ପ୍ରଭାବିତ କରିଥିବାବେଳେ ଏବେ ଡାଲିର ମାତ୍ରାଧିକ ଦର ବୃଦ୍ଧି ଯୋଗୁଁ ସାଧାରଣଲୋକଙ୍କ ଖାଇବା ଥାଳିରୁ ଡାଲି ଗାଏବ ହେବାକୁ ବସିଲାଣି। ଗତବର୍ଷ ଡାଲି ଦର କିଲୋ ପ୍ରତି ୧୦୦-୧୨୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଚଳିତ ବର୍ଷ ୨ଶହ ଛୁଇଁଲାଣି। ବର୍ଷକ ଭିତରେ ଡାଲି ଦର ଦୁଇ ଗୁଣ ବୃଦ୍ଧି ଖାଉଟି ସମେତ ବ୍ୟବସାୟୀଙ୍କ ମହଲରେ ମଧ୍ୟ ଅସନ୍ତୋଷ ବୃଦ୍ଧି ପାଇଲାଣି। ଅତ୍ୟାବଶ୍ୟକ ସାମଗ୍ରୀ ଦର ଉପରେ ସରକାରୀ ନିୟନ୍ତ୍ରଣ ନ ଆସିଲେ ପୁଞ୍ଜିଭୂତ ଜନଅସନ୍ତୋଷ ଆଗାମୀ ଦିନରେ ବିସ୍ଫୋରକ ନେଇପାରେ ବୋଲି ବୁଦ୍ଧିଜୀବୀ ମହଲ ଆଶଙ୍କା ବ୍ୟକ୍ତ କଲେଣି।

ଆହୁରି ପଢ଼ନ୍ତୁ: ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଇତିହାସ ରଚିଲେ ଏଲନ ମସ୍କ: ମୋଟ ସମ୍ପତ୍ତି ୮୦୦ ବିଲିୟନ ଡଲାର ପାର୍

ସୂଚନା ଅନୁସାରେ, ଓଡ଼ିଶାରେ ବାର୍ଷିକ ୯ଲକ୍ଷ ୪୦ହଜାର କ୍ୱିଣ୍ଟାଲ୍‌‌ ଡାଲି ଓ ଡାଲି ଜାତୀୟ ଦ୍ରବ୍ୟର ଆବଶ୍ୟକତା ରହିଛି। ଓଡ଼ିଶା ବଜାରରେ ମାସକୁ ୭୫ରୁ ୮୦ହଜାର ଟନ୍‌‌ ଡାଲି ବିକ୍ରି ହେଉଛି। ବର୍ତ୍ତମାନ ପାଇକାରୀ ଦର କିଲୋ ପ୍ରତି ୧୬୦ରୁ ୧୭୦ ଥିବାବେଳେ ଖୁଚୁରା ଦର ୧୮୦ରୁ ୨ଶହ ଟଙ୍କାରେ ପହଞ୍ଚିଲାଣି। ବର୍ଷକ ତଳେ ଏହା ୮୦ରୁ ୧୦୦ ଟଙ୍କା ଭିତରେ ଥିଲା। ବର୍ଷକ ଭିତରେ ଦୁଇ ଗୁଣ ଦର ବଢ଼଼ିବା ଯୋଗୁଁ ଲୋକମାନଙ୍କର କ୍ରୟ କରିବାର କ୍ଷମତା ମଧ୍ୟ ହ୍ରାସ ପାଉଛି। ପୂର୍ବରୁ ଯେଉଁ ପରିବାର ମାସକୁ ୧୦କିଲୋ ଡାଲି କିଣୁଥିଲା, ସେ ଏବେ ୫ କିଲୋକୁ କମାଇ ଦେଲେଣି। ଖାଉଟି ଏଭଳି ନିଆଣ୍ଟିଆ ଭାବେ ଚଳୁଥିବାବେଳେ ବ୍ୟବସାୟୀମାନେ ମଧ୍ୟ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି। ହେଲେ କର୍ପୋରେଟ୍‌‌ ସଂସ୍ଥା ଏଥିରେ ବିଶେଷ ଲାଭବାନ ହେଉଛି। ଅନ୍ୟପକ୍ଷରେ ଖାଇବା ଥାଳିରେ ଡାଲି ଅତ୍ୟାବଶ୍ୟକ ହୋଇଥିବାରୁ ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ଓ ଆର୍ଥିକ ଅନଗ୍ରସର ବର୍ଗ ବିଶେଷ ପ୍ରଭାବିତ ହେଉଛନ୍ତି। ଯେଉଁମାନେ ଦୈନିକ ୩ଶହ ଗ୍ରାମ୍‌‌ ଡାଲି ଖାଉଥିଲେ, ସେମାନେ ବାଧ୍ୟ ହୋଇ ନିଅଣ୍ଟିଆ ଭାବେ ଦେଢ଼ ଶହ ଗ୍ରାମ୍‌‌କୁ କମାଇ ଦେଉଛନ୍ତି। କର୍ପୋରେଟ୍‌‌ ସଂସ୍ଥାମାନଙ୍କର ଏଭଳି ମନମାନୀ ଉପରେ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ସାଧାରଣ ଖାଉଟି ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଗୁଗଲ୍‌ର ଚେତାବନୀ: ୧୦୦ କୋଟି ଫୋନ୍‌ରୁ ଡାଟା ଚୋରି ଭୟ

ଏ ସମ୍ପର୍କରେ ଓଡ଼ିଶା ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଏବେ କର୍ପୋରେଟ୍‌‌ ସଂସ୍ଥାମାନେ ମନମୁଖୀ ଭାବେ ଦର ବୃଦ୍ଧି କରୁଛନ୍ତି। ଏଥିରେ କେନ୍ଦ୍ର ସରକାରଙ୍କ ଯେତିକି ନିୟନ୍ତ୍ରଣ ରହିବା କଥା ତାହା ରହୁନାହିଁ। କର୍ପୋରେଟ୍‌‌ ହାଉସ୍‌‌ମାନେ ଦର ବୃଦ୍ଧି କରି ମୁନାଫା କମାଉଥିବାବେଳେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ବର୍ତ୍ତମାନ ସମୟରେ ଡାଲି ଦର ବଢ଼଼ିବାର କୌଣସି କାରଣ ନାହିଁ। କେବଳ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକରେ ଦର ବୃଦ୍ଧି କରି କର୍ପୋରେଟ୍‌‌ ହାଉସ୍‌‌ମାନେ ସାଧାରଣଜନତାଙ୍କ ରକ୍ତ ଶୋଷଣ କରୁଛନ୍ତି। ସରକାର ଚାହିଁଲେ ଏହି ଦରକୁ ନିୟନ୍ତ୍ରଣ କରିପାରିବେ। ହେଲେ ସରକାର ଏ ଦିଗରେ ଦୃଷ୍ଟି ଦେଉନାହାନ୍ତି। ବରଂ କର୍ପୋରେଟ୍‌‌ ହାଉସ୍‌‌କୁ ପରୋକ୍ଷ ଭାବେ ସାହାଯ୍ୟ ସହଯୋଗ କରି ସାଧାରଣ ଖାଉଟିଙ୍କ ପେଟକୁ ଲାତ ମାରୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ ବିଜାପୁରରେ ପୋଲିସ-ମାଓବାଦୀ ଗୁଳିବିନିମୟ: ଦୁର୍ଦ୍ଦାନ୍ତ ମାଓ ନେତା ଉଧମ ସିଂ ନିହତ

ଏ ନେଇ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା କହିଛନ୍ତି ଯେ କେନ୍ଦ୍ର ସରକାର ୧୯୫୫ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଉଚ୍ଛେଦ କରିବା ପରେ କର୍ପୋରେଟ୍‌‌ ଜଗତ ଭାରତ ବର୍ଷର ୧୪୦କୋଟି ଖାଉଟିଙ୍କୁ ଶୋଷଣ କରିବାରେ ଲାଗିଛନ୍ତି। ଯେଉଁ ଡାଲି ୯୦ଟଙ୍କାରେ ମିଳୁଥିଲା, ଆଜି ତାହା ୨ଶହ ଟଙ୍କା ଛୁଇଁଲାଣି। ଡାଲିର କଳାବଜାରୀ ଯୋଗୁଁ ଖାଉଟି ଶୋଷଣର ଶିକାର ହେଉଛନ୍ତି। ତେଣୁ କେନ୍ଦ୍ର ସରକାର ତୁରନ୍ତ କର୍ପୋରେଟ୍‌‌ ସଂସ୍ଥା ଉପରେ ନିୟନ୍ତ୍ରଣ ଆଣନ୍ତୁ। ନଚେତ ଆଗାମୀ ଦିନରେ କର୍ପୋରେଟ୍‌‌ ଜଗତକୁ ବୟକଟ୍‌‌ କରାଯିବା ସହ ବିରାଟ ଗଣଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp