LIVELIVE News Updates 2026 March 12
🔴 LIVE UPDATE: ଚମ୍ପୁଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଚଢ଼ିଯିବାରୁ ବାଇକ୍ ଆରୋହୀଙ୍କ ମୃତ୍ୟୁ
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଯୋଡ଼ା-ବାମେବାରୀ ରାସ୍ତାର ବାଂଶପାଣି ଛକ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ହାଇୱା ଜଣେ ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଯାଇଛି, ଯାହାଫଳରେ ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ୍ ଆରୋହୀ ଜଣଙ୍କ ଚିହ୍ନଟ ହୋଇପାରି ନାହାନ୍ତି।
ଖବର ପାଇ ଯୋଡ଼ା ଥାନା ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବାରୁ ପୋଲିସ୍ ପକ୍ଷରୁ ଛାନଭିନ୍ ଜାରି ରହିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ରାସ୍ତା ସୁରକ୍ଷା ଓ ବେପରୁଆ ଗାଡ଼ି ଚାଳନାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି
🔴 LIVE UPDATE: ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ; ୨୦ଟି ପ୍ରମୁଖ ଛକରେ ଲାଗିଲା 'ବୋଲାର୍ଡ଼'
ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ସହରର ୨୦ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ପୋଷ୍ଟରେ 'ବୋଲାର୍ଡ଼' (Bollards) ଲଗାଯାଇଛି। ସାଧାରଣତଃ ଟ୍ରାଫିକ ଛକମାନଙ୍କରେ ବାମ ପାର୍ଶ୍ୱକୁ ଯାଉଥିବା ଗାଡ଼ିଗୁଡ଼ିକ ଅନ୍ୟ ଗାଡ଼ି ଯୋଗୁଁ ବ୍ଲକ ହୋଇ ରହୁଥିବାରୁ ଏହି ନୂତନ ବ୍ୟବସ୍ଥା କରାଯାଇଛି। ଏଣିକି ବାମ ପାର୍ଶ୍ୱ ରାସ୍ତା ସମ୍ପୂର୍ଣ୍ଣ 'ଫ୍ରି' ରହିବ, ଯାହାଫଳରେ ଗାଡ଼ି ଚଳାଚଳ ସହଜ ହେବ।
ଯେଉଁ ଚାଳକମାନେ ସିଧା କିମ୍ବା ଡାହାଣକୁ ଯିବାକୁ ଚାହୁଁଛନ୍ତି, ସେମାନେ ଯେପରି ବାମ ପାର୍ଶ୍ୱରେ ଗାଡ଼ି ନ ରଖନ୍ତି, ସେଥିପାଇଁ ପୋଲିସ ପକ୍ଷରୁ କଡ଼ା ପରାମର୍ଶ ଦିଆଯାଇଛି। ବଢୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ଏବଂ ଟ୍ରାଫିକ ଶୃଙ୍ଖଳା ରକ୍ଷା କରିବା ପାଇଁ ଏହି ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଆଡିସିନାଲ ସିପି ନରସିଂହ ଭୋଳ ଏବଂ ଟ୍ରାଫିକ ଡିସିପି ତପନ ମହାନ୍ତିଙ୍କ ସମେତ ପୁରା ଟ୍ରାଫିକ ଟିମ୍ ବିଭିନ୍ନ ସ୍ଥାନ ବୁଲି ଏହାର ଯାଞ୍ଚ କରିଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସଙ୍କେତ ମଧ୍ୟ ମିଳିଛି।
🔴 LIVE UPDATES: ଗଜପତିରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଗର୍ଜନ; ୧୦୦ କିମି ଚାଲି ଆସିଲେ ଜିଲ୍ଲାପାଳଙ୍କ ପାଖକୁ
ଗଜପତି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ପଢୁଥିବା ଆଦିବାସୀ ଛାତ୍ରଛାତ୍ରୀମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗତ ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କୁ ମିଳୁଥିବା ସରକାରୀ ଷ୍ଟାଇପେଣ୍ଡ ଟଙ୍କା ବନ୍ଦ ରହିଛି। ଯାହାଫଳରେ ସେମାନଙ୍କ ପାଠପଢ଼ାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି।
ଅନ୍ୟ କୌଣସି ଉପାୟ ନପାଇ ଶେଷରେ ନ୍ୟାୟ ପାଇଁ ୧୦୦ କିଲୋମିଟର ଦୂରରୁ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଶତାଧିକ ଆଦିବାସୀ ଛାତ୍ରଛାତ୍ରୀ। ଜିଲ୍ଲାପାଳଙ୍କୁ ଭେଟି ନିଜର ଦୁଃଖ ଜଣାଇବା ସହ ତୁରନ୍ତ ଟଙ୍କା ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଗରିବ ଆଦିବାସୀ ପରିବାରର ପିଲାମାନେ ଏହି ଷ୍ଟାଇପେଣ୍ଡ ଟଙ୍କା ଉପରେ ନିର୍ଭର କରି ହଷ୍ଟେଲ ଫି' ଓ ବହିପତ୍ର କିଣିଥାନ୍ତି। ଟଙ୍କା ନମିଳିବାରୁ ଅନେକ ପିଲା ପାଠପଢ଼ା ଛାଡ଼ିବା ଅବସ୍ଥାକୁ ଚାଲି ଆସିଲେଣି।
🔴 LIVE UPDATES: ହାଣ୍ଡିଶାଳରେ ନିଆଁ, ରାଜରାସ୍ତାରେ ମହିଳା କଂଗ୍ରେସ
ବିଧାନସଭା ଘେରାଉ ଚେତାବନୀ
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ମହିଳା କଂଗ୍ରେସ। ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ଏବଂ ବିଧାନସଭା ଘେରାଉ କରାଯିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଆସନ୍ତାକାଲି ଓ ପରଦିନ ରାଜ୍ୟର ସମସ୍ତ ଜିଲ୍ଲା ସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ପ୍ରତି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯିବ ବୋଲି ସୂଚନା ମିଳିଛି।
"ସୁଭଦ୍ରା କାନ୍ଦୁଛି ହାଣ୍ଡିଶାଳରେ"
ସାମ୍ବାଦିକ ସମ୍ମିଳନୀରେ ନାଟକୀୟ ଢଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ମହିଳା କଂଗ୍ରେସ। "ସୁଭଦ୍ରା କାନ୍ଦୁଛି ହାଣ୍ଡିଶାଳରେ" ଭଳି ସଂଳାପ କହି ଗ୍ୟାସ୍ ଦର ବୃଦ୍ଧି ଓ ଅଭାବ ଯୋଗୁଁ ମହିଳାମାନେ ଭୋଗୁଥିବା ଦୁର୍ଦ୍ଦଶାକୁ ଉପସ୍ଥାପନ କରାଯାଇଛି।
ଗ୍ୟାସ୍ ସିଲିଣ୍ଡରକୁ ଶ୍ରଦ୍ଧାଞ୍ଜଳି
ଅଭାବନୀୟ ପ୍ରତିବାଦ! ମହିଳା କଂଗ୍ରେସ ପକ୍ଷରୁ ଗ୍ୟାସ୍ ସିଲିଣ୍ଡରକୁ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସାଧାରଣ ଲୋକଙ୍କ ପାଇଁ ଗ୍ୟାସ୍ ଏବେ ଅପହଞ୍ଚ ହୋଇପଡ଼ିଥିବାରୁ ଏଭଳି ପ୍ରତୀକାତ୍ମକ ବିକ୍ଷୋଭ କରାଯାଇଛି।
LIVE UPDATES: ଏରସମା ଗଡ଼କୁଜଙ୍ଗ ସ୍କୁଲରେ ଉତ୍ତେଜନା; ଗଣିତ ଶିକ୍ଷକଙ୍କ ବଦଳିକୁ ନେଇ ସ୍କୁଲରେ ତାଲା
ପରୀକ୍ଷା ବର୍ଜନ କରିବାକୁ ଚେତାବନୀ
ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଯଦି ଦିଲ୍ଲୀପ ସାର୍ଙ୍କ ବଦଳି ବାତିଲ ନହୁଏ, ତେବେ ସେମାନେ ଆଗାମୀ କୌଣସି ପରୀକ୍ଷା ଦେବେ ନାହିଁ। "ପାଠ ପଢ଼ାଇବାକୁ ଶିକ୍ଷକ ନାହାନ୍ତି, ଆମେ ପରୀକ୍ଷା କେମିତି ଦେବୁ?" ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ।
ବାରମ୍ବାର ବଦଳିକୁ ନେଇ ଅଭିଭାବକ କ୍ଷୁବ୍ଧ
ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ଗୋଟିଏ ବର୍ଷ ମଧ୍ୟରେ ୪ ଜଣ ଶିକ୍ଷକଙ୍କୁ ଏହି ସ୍କୁଲରୁ ବଦଳି କରାଯାଇଛି। ୩୦୦ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକ ସଂଖ୍ୟା କମିବାରେ ଲାଗିଛି, ଯାହା ଶିକ୍ଷାଦାନରେ ବଡ଼ ବାଧା ସୃଷ୍ଟି କରୁଛି।
ସ୍କୁଲ ଫାଟକରେ ପଡ଼ିଲା ତାଲା
ଉତ୍ତ୍ୟକ୍ତ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଗଡ଼କୁଜଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି। ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନଙ୍କ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲ ସମ୍ମୁଖରେ ଧାରଣା ଜାରି ରହିଛି।




