ମନୋରଞ୍ଜନ
ଓଡ଼ିଶା
ଦିଲ୍ଲୀରେ ରିଲ୍ ନିଶା ହେଲା କାଳ: ସ୍କର୍ପିଓ ଷ୍ଟଣ୍ଟ୍ ବେଳେ ଚାଲିଗଲା ୨୩ ବର୍ଷୀୟ ସାହିଲଙ୍କ ଜୀବନ, ନ୍ୟାୟ ଭିକ୍ଷା କରୁଛନ୍ତି ମା’
ସୋସିଆଲ ମିଡିଆରେ ରିଲ୍ ବନାଇବାର ନିଶା ଆଜିକାଲି ଲୋକଙ୍କ ଜୀବନ ନେବାକୁ ବସିଲାଣି। ଦେଶର ରାଜଧାନୀ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଏଭଳି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ରାସ୍ତା ଉପରେ ‘ରିଲ୍’ ପାଇଁ ଷ୍ଟଣ୍ଟ କରୁଥିବା ଏକ ସ୍କର୍ପିଓ ଗାଡ଼ି ଧକ୍କାରେ ଜଣେ ୨୩ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସାହିଲ ଧନେଶ୍ରା ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ସାହିଲଙ୍କ ମା’ ଇନା ମକାନ ପୁଅ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି।
କିପରି ଘଟିଲା ଦୁର୍ଘଟଣା?
ରିପୋର୍ଟ ଅନୁଯାୟୀ, ଘଟଣାଟି ଫେବୃଆରୀ ୩ ତାରିଖରେ ଘଟିଥିଲା। ସାହିଲ ନିଜ ବାଇକ୍ ଯୋଗେ ଅଫିସ୍ ଯାଉଥିବା ସମୟରେ ଦ୍ୱାରକା ସେକ୍ଟର-୧୧ ନିକଟରେ ଏକ ଦ୍ରୁତଗାମୀ କଳା ରଙ୍ଗର ସ୍କର୍ପିଓ ତାଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ଅଭିଯୋଗ ହୋଇଛି ଯେ, ଗାଡ଼ିଟିକୁ ଜଣେ ୧୭ ବର୍ଷୀୟ ନାବାଳକ ଚଳାଉଥିଲେ ଏବଂ ସେ ସୋସିଆଲ ମିଡିଆ ପାଇଁ ‘ରିଲ୍’ ପ୍ରସ୍ତୁତ କରୁଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଗାଡ଼ିଟି ଭୁଲ୍ ରାସ୍ତାରେ ଅତି ଦ୍ରୁତ ଗତିରେ ଆସୁଥିଲା ଏବଂ ଷ୍ଟଣ୍ଟ କରୁଥିବା ବେଳେ ନିୟନ୍ତ୍ରଣ ହରାଇ ସାହିଲଙ୍କ ବାଇକକୁ ପିଟିଥିଲା। ଘଟଣାସ୍ଥଳରେ ହିଁ ସାହିଲଙ୍କ ମୃତ୍ୟୁ ଘଟିଥିଲା।
ନ୍ୟାୟ ଅପେକ୍ଷାରେ ଏକାକୀ ମା’
ସାହିଲଙ୍କ ମା’ ଇନା ମକାନ, ଯିଏକି ଜଣେ ‘ସିଙ୍ଗଲ୍ ମଦର’, ଏହି ଘଟଣା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ, "ମୋ ପୁଅର କୌଣସି ଭୁଲ୍ ନଥିଲା, କେବଳ ଅନ୍ୟ ଜଣଙ୍କର ମଜା ଓ ରିଲ୍ ନିଶା ପାଇଁ ମୋ ଦୁନିଆ ଉଜୁଡ଼ି ଗଲା।" ସେ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ନାବାଳକ ପୂର୍ବରୁ ମଧ୍ୟ ଦ୍ରୁତ ଗତିରେ ଗାଡ଼ି ଚଳାଇ ଅନେକ ଥର ଚାଲାଣ କାଟିଥିଲେ, ତଥାପି ତାଙ୍କ ପିତାମାତା ତାଙ୍କୁ ଗାଡ଼ି ଦେବା ବନ୍ଦ କରିନଥିଲେ।
ଅଭିଯୁକ୍ତକୁ ମିଳିଲା ଜାମିନ
ପୋଲିସ ଏହି ମାମଲାରେ ସମ୍ପୃକ୍ତ ନାବାଳକକୁ ଅଟକ ରଖିଥିଲା, କିନ୍ତୁ ଦଶମ ଶ୍ରେଣୀ ପରୀକ୍ଷା ଥିବାରୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ (JJB) ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଏଥିରେ ଅସନ୍ତୋଷ ବ୍ୟକ୍ତ କରି ସାହିଲଙ୍କ ପରିବାର ଲୋକେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ‘ଜଷ୍ଟିସ୍ ଫର୍ ସାହିଲ’ (#JusticeForSahil) ଅଭିଯାନ ଆରମ୍ଭ ହୋଇଛି।





