ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ; ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ପିୟୁସିସି, ଆଇନଶୃଙ୍ଖଳା ଅସ୍ତ୍ର

Madhusudan Das Picture
Published On

ଭୁବନେଶ୍ୱର: ଆଜିଠାରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହାକୁ ନେଇ ଉଭୟ ଶାସକ-ବିରୋଧୀ ଦଳ ନିଜନିଜର ରଣନୀତି ପ୍ରସ୍ତୁତ କରିଛନ୍ତି । ଅଧିବେଶନକୁ ଶୃଙ୍ଖଳିତ କରିବାକୁ ସର୍ବଦଳୀୟ ବୈଠକରେ ସବୁ ପକ୍ଷ ଆପାତତଃ ରାଜି ହୋଇଛନ୍ତି । ମାତ୍ର ସତରେ ବିଧାନସଭା ଅଧିବେଶନ ଶୃଙ୍ଖଳିତ ଭାବରେ ଚାଲିବ ଓ ରାଜ୍ୟର ଲୋକମାନଙ୍କ କଥା ବିଧାୟକମାନେ ଗୃହରେ ଉଠାଇବେ ତାହାକୁ ନେଇ ସନ୍ଦେହ ଲାଗି ରହିଛି। ରାଜ୍ୟରେ ବିଜେପି ସରକାର ଗଠନ ହେବାଠାରୁ ପ୍ରାୟ କୌଣସି ଅଧିବେଶନ ଶୃଙ୍ଖଳାର ସହ ଶେଷ ହୋଇନାହିଁ। ୨୦୨୫ କ୍ୟାଲେଣ୍ଡର ବର୍ଷରେ ତିନିଟି ଅଧିବେଶନ ଆରମ୍ଭର ଅଧାଦିନ ପର୍ଯ୍ୟନ୍ତ ହୋ-ହଲ୍ଲା, ପାଟିତୁଣ୍ଡ, ଆକ୍ଷେପ -ପ୍ରତ୍ୟାକ୍ଷେପରେ ବରବାଦ ହୋଇଛି । ରାଜ୍ୟର ଲୋକମାନଙ୍କ କଥା ବିଧାନସଭାରେ ଉଠିପାରି ନାହିଁ। କେବେ ବିରୋଧୀ ଗୃହ ଅଚଳ କରିଛନ୍ତି ତ କେବେ ପୁଣି ଶାସକ। କେତେବେଳେ ପୁଣି ପରସ୍ପର ବିରୋଧରେ ମୁହାଁମୁହିଁ ହେବା ଯୋଗୁଁ ଗୃହ ମୁଲତବୀ ହୋଇଛି; ମାତ୍ର ଉଭୟ ଶାସକ  ଓ ବିରୋଧୀ ଏକାଠି ହୋଇ ନିଜ ବେତନ ୩୫୦% ବୃଦ୍ଧି କରିବାକୁ ସହମତ ହୋଇଛନ୍ତି। ଯାହା କେବଳ ସାରା ରାଜ୍ୟ ନୁହେଁ, ଦେଶରେ ବି ଚର୍ଚ୍ଚାର ବିଷୟ ହୋଇଛି। ମାତ୍ର ଗତ କେଇମାସର ଘଟଣାକ୍ରମ ଓ ରାଜ୍ୟରେ ବିଭିନ୍ନ ସମସ୍ୟା ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଅଧିବେଶନକୁ ସରଗରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି ଓ ସରକାରଙ୍କ ପାଇଁ ଏହା ଆହ୍ୱାନପୂର୍ଣ୍ଣ ହେବା ଆଶଙ୍କା କରାଯାଉଛି। 

ଆହୁରି ପଢ଼ନ୍ତୁ: କାନପୁର ଲାମ୍ବୋର୍ଗିନି ଦୁର୍ଘଟଣା: ତମାଖୁ ବ୍ୟବସାୟୀଙ୍କ ପୁଅ ଶିବମ ମିଶ୍ର ଗିରଫ, ଡ୍ରାଇଭରର ଆତ୍ମସମର୍ପଣ ନାଟକ ବିଫଳ

ବିରୋଧୀ ବିଜେଡି ଓ କଂଗ୍ରେସ ହାତରେ ଏବେ ରାଜ୍ୟସ୍ୱାର୍ଥ ସମ୍ବଳିତ ପୁଳାପୁଳା ପ୍ରସଙ୍ଗ। ଧାନକିଣାରେ ଅବ୍ୟବସ୍ଥାକୁ ନେଇ ବିଜେଡି ରାଜ୍ୟବ୍ୟାପୀ ପ୍ରତିବାଦ କରୁଥିବା ବେଳେ ସମାନ ଭାବରେ ଗୃହରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ଧାନ ଉଠାଣରେ ସରକାରଙ୍କ ପଳାୟନପନ୍ଥୀ ମନୋଭାବ, ୧୫୦ କୁଇଣ୍ଟାଲ ଏମ୍‌ଏସ୍‌ପି ସିଲିଂକୁ ନେଇ ଚାଷୀକୁଳ କ୍ଷୁବ୍ଧ। ମୁଖ୍ୟ ବିରୋଧୀ ବିଜେଡି ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ଜାରି ରଖିଛି। କୃଷକମାନେ ମଧ୍ୟ ରାଜରାସ୍ତାକୁ ଆସିଥିବା ବେଳେ ସମସ୍ୟାର ସମାଧାନ ପରିବର୍ତ୍ତେ କୃଷକଙ୍କୁ ସରକାର ନକଲି ଚାଷୀର ଆଖ୍ୟା ଦେଉଛନ୍ତି। ଯାହା ବିରୋଧୀଙ୍କ ପାଇଁ ଅସ୍ତ୍ର ହୋଇପାରେ। ସେହିପରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମଧ୍ୟ ଗୃହ ହୁଲୁସ୍ତୁଲୁ କରିବାକୁ ମଧ୍ୟ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମହିଳା ବିରୋଧୀ ଅତ୍ୟାଚାର ସୀମା ଟପୁଥିବା ବେଳେ ଦୁଷ୍କର୍ମ/ଗଣଦୁଷ୍କର୍ମ ଘଟଣାରେ ଓଡ଼ିଶା ଜାତୀୟ ସ୍ତରରେ ଦୁର୍ନାମ ଅର୍ଜିଛି। ସେହିପରି ନାବାଳିକା ଏବଂ ଦଳିତଙ୍କ ପ୍ରତି ଅତ୍ୟାଚାର ମଧ୍ୟ ସାଧାରଣରେ ଚିନ୍ତାର କାରଣ ପାଲଟିଛି। ଏପରି ସମ୍ବେଦନଶୀଳ ପ୍ରସଙ୍ଗ ନିହାତି ଭାବରେ ଗୃହରେ ଉତ୍ଥାପନ ହେବ ବୋଲି ଉଭୟ ବିଜେଡ଼ି ଓ କଂଗ୍ରେସ ଗୃହରେ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି।  ସେହିପରି ଓଡ଼ିଶାର ଜୀବନରେଖା ମହାନଦୀକୁ ନେଇ ସରକାରଙ୍କ ଲୁଚକାଳି ଖେଳ ଏବଂ ଛତିଶଗଡ଼ ସହ ଆପୋସ ସର୍ତ୍ତକୁ ଗୋପନ ରଖିବାକୁ ନେଇ ମଧ୍ୟ ଗୃହରେ ଦୃଢ଼ ସ୍ୱର ରଖିପାରନ୍ତି ବିରୋଧୀ। ଏତଦ୍‌ ବ୍ୟତୀତ ବଜେଟ ଆବଣ୍ଟିତ ଅର୍ଥ ଖର୍ଚ୍ଚରେ ମନ୍ଥରତା, ସ୍ମାର୍ଟ ମିଟର, ପିୟୁସିସି, ରତ୍ନଭଣ୍ଡାର ଚାବି, ରାଜ୍ୟରେ କୁଳପତି ପଦବୀ ଖାଲି, ତୃଣମୂଳସ୍ତରରେ ବିକାଶ କାର୍ଯ୍ୟ ଠପ୍‌, ଲଘୁ ଖଣିଜ ଦ୍ରବ୍ୟର ଚୋରାଚାଲାଣ ଆଦି ପ୍ରସଙ୍ଗକୁ ନେଇ ମଧ୍ୟ ଗୃହ ସରଗରମ ରହିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ମୌସୁମୀ ଅଧିବେଶନ ନିର୍ଦ୍ଧାରିତ ୧୮ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଥିଲା। ବିରୋଧୀଙ୍କ ମୁଡକୁ ଦେଖିଲେ ବଜେଟ ଅଧିବେଶନର ମାହୋଲ ମଧ୍ୟ ଗରମ ରହିବା ନେଇ ଆଶଙ୍କା ରହିଛି। ତେଣୁ ବଜେଟ ଅଧିବେଶନ ସରକାରଙ୍କ ପାଇଁ ସହଜ ହୋଇ ନ ପାରେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଭାରତର ସବୁଠାରୁ ବଡ଼ ପ୍ରତିରକ୍ଷା ଚୁକ୍ତି: ୩.୨୫ ଲକ୍ଷ କୋଟିରେ କିଣାଯିବ ୧୧୪ ରାଫେଲ୍ ଯୁଦ୍ଧ ବିମାନ

ଏପଟେ ବିରୋଧୀଙ୍କ ସମସ୍ତ ଗଠନମୂଳକ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ଶାସକ ଦଳ ଦମ୍ଭୋକ୍ତି ପ୍ରକାଶ କରିଛି। ପୁନଶ୍ଚ ଆସନ୍ତା ଅଧିବେଶନରେ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଧେୟକ ସରକାର ଆଣିବେ ବୋଲି ସୂଚନା ମିଳିଛି। ଏଥିରେ ବିଧାୟକଙ୍କ ଦରମା ତଥା ପୂର୍ବ ବିଧାୟକଙ୍କ ପେନସନ ବୃଦ୍ଧି ସଂକ୍ରାନ୍ତ ଗତ ଅଧିବେଶନ ନିଷ୍ପତ୍ତିର ପୁନଃର୍ବିଚାର ହୋଇପାରେ ବୋଲି କୁହାଯାଉଛି। ବଜେଟ ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟଦିବସ ରହିଛି। ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବାକୁ ଥିବାବେଳେ ଫେବ୍ରୁଆରୀ ୧୭ ତାରିଖରୁ ଆରମ୍ଭ ହୋଇ ଏହା ଏପ୍ରିଲ ୮ ତାରିଖ ଯାଏଁ ଚାଲିବ। ପ୍ରଥମ ଦିନ ଅର୍ଥାତ୍‌ ଆସନ୍ତାକାଲି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଗୃହରେ ଅଭିଭାଷଣ ରଖିବେ। ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଗୃହରେ ବଜେଟ ଆଗତ କରିବେ ଓ ମାର୍ଚ୍ଚ ୩୧ରେ ଗୃହରେ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଭାରତ ବନ୍ଦ: ଓଡ଼ିଶାରେ ପଡ଼ିବ ବଡ଼ ପ୍ରଭାବ, ଜାଣନ୍ତୁ କ’ଣ ରହିବ ଖୋଲା ଓ କ’ଣ ବନ୍ଦ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp