ହନୁକରଣ ପ୍ରୟାସ
ସମ୍ପ୍ରତି ଯୁଦ୍ଧ ଓ ଆତଙ୍କଗ୍ରସ୍ତ ବିଶ୍ୱରେ ଶାନ୍ତି ଓ ସହାବସ୍ଥାନର ସନ୍ଧାନରେ ଦେଶାନ୍ତରଣ ଓ ଅନୁପ୍ରବେଶ ପ୍ରବାହ ଅନେକ ରାଷ୍ଟ୍ର ପାଇଁ ଏକ ଗୁରୁତର ସମସ୍ୟା ସୃଷ୍ଟି କରିଛି। ଏଥିସହିତ କର୍ମସଂସ୍ଥାନର ଅହେତୁକ ଅନ୍ୱେଷଣ ମଧ୍ୟ ଦେଶାନ୍ତରଣ ଓ ଅବୈଧ ପ୍ରବାସନର ପରିସଂଖ୍ୟାନ ବୃଦ୍ଧି କରିଚାଲିଛି। ୧୯୫୧ରେ ସ୍ୱାକ୍ଷରିତ ଜାତିସଂଘର ରେଫ୍ୟୁଜି କନ୍ଭେନ୍ସନ୍ ଓ ୧୯୬୭ ପ୍ରଟୋକଲ୍ ଅନୁଯାୟୀ ଏଭଳି ଅନୁପ୍ରବେଶକାରୀ ଓ ଶରଣାର୍ଥୀଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ କି ସେମାନଙ୍କୁ […]
ସମ୍ପ୍ରତି ଯୁଦ୍ଧ ଓ ଆତଙ୍କଗ୍ରସ୍ତ ବିଶ୍ୱରେ ଶାନ୍ତି ଓ ସହାବସ୍ଥାନର ସନ୍ଧାନରେ ଦେଶାନ୍ତରଣ ଓ ଅନୁପ୍ରବେଶ ପ୍ରବାହ ଅନେକ ରାଷ୍ଟ୍ର ପାଇଁ ଏକ ଗୁରୁତର ସମସ୍ୟା ସୃଷ୍ଟି କରିଛି। ଏଥିସହିତ କର୍ମସଂସ୍ଥାନର ଅହେତୁକ ଅନ୍ୱେଷଣ ମଧ୍ୟ ଦେଶାନ୍ତରଣ ଓ ଅବୈଧ ପ୍ରବାସନର ପରିସଂଖ୍ୟାନ ବୃଦ୍ଧି କରିଚାଲିଛି। ୧୯୫୧ରେ ସ୍ୱାକ୍ଷରିତ ଜାତିସଂଘର ରେଫ୍ୟୁଜି କନ୍ଭେନ୍ସନ୍ ଓ ୧୯୬୭ ପ୍ରଟୋକଲ୍ ଅନୁଯାୟୀ ଏଭଳି ଅନୁପ୍ରବେଶକାରୀ ଓ ଶରଣାର୍ଥୀଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ କି ସେମାନଙ୍କୁ ନିଜ ଦେଶକୁ ପୁଣି ତଡ଼ି ଦିଆଯିବ ନାହିଁ। ଯୁଦ୍ଧ ପ୍ରଭାବିତ ବେସାମାରିକ ନାଗରିକଙ୍କ ହିତାର୍ଥେ ଉଦ୍ଦିଷ୍ଟ ଏହି ଚୁକ୍ତିନାମା କିନ୍ତୁ ଭାରତ, ଜର୍ମାନୀ, ଆମେରିକା ପରି ଅନେକ ରାଷ୍ଟ୍ରଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି। ବିଶେଷକରି ୧୯୭୧ ଭାରତ-ପାକ୍ ଯୁଦ୍ଧ ସମୟରେ ଓ ପରେ ଅସଂଖ୍ୟ ବାଂଲାଦେଶୀ ଏବଂ ପରବର୍ତ୍ତୀ ସମୟରେ ରୋହିଙ୍ଗ୍ୟାମାନେ ଭାରତରେ କ୍ରମାଗତ ଶରଣାର୍ଥୀ ବିସ୍ଫୋରଣ ସୃଷ୍ଟି କରିଚାଲିଛନ୍ତି। ଏହି ବିସ୍ଫୋରଣ ଆମ ଦେଶରେ ଯେଭଳି ଆଭ୍ୟନ୍ତରୀଣ ସାମାଜିକ, ବୈଧାନିକ ଓ ସାମ୍ବିଧାନିକ ସମସ୍ୟା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି, ତାହାର ଉଲ୍ଲେଖ ଅନାବଶ୍ୟକ।
ଅନେକ ସମୟରେ ପ୍ରଶ୍ନ ଉଠେ ଭାରତ ଉପରୋକ୍ତ ଦୁଇ ଚୁକ୍ତିନାମାରେ ସ୍ୱାକ୍ଷର କରି ନଥିବାରୁ ଅନୁପ୍ରବେଶକାରୀଙ୍କୁ ତଡ଼ିବାରେ ଅସୁବିଧା କେଉଁଠି? ଅନୁପ୍ରବେଶ ଓ ଶରଣାର୍ଥୀ ସମସ୍ୟା ଭାରତରେ ଉଭୟ ରାଜନୈତିକ ଓ କୂଟନୈତିକ ଦୃଷ୍ଟିରୁ ଏପରି ସମ୍ବେଦନଶୀଳ ପ୍ରସଙ୍ଗ ହୋଇପଡ଼ିଛି ଯେ ତାହା କାଳକ୍ରମେ ‘ବିରୁଡ଼ି ବସା’ର ରୂପ ନେଇଛି। ଏ ସଙ୍କଟର ସମାଧାନ ପାଇଁ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ପ୍ରଣୀତ ହୋଇଥିଲେ ମଧ୍ୟ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ କରିବାରେ ଏ ପର୍ଯ୍ୟନ୍ତ ପ୍ରଭାବଶାଳୀ ଅନୁଭୂତ ହୋଇପାରୁନାହିଁ। ଏହି ପୃଷ୍ଠଭୂମିରେ କେନ୍ଦ୍ର ସରକାର ଏକ ସମୟୋପଯୋଗୀ ପଦକ୍ଷେପ ନେଇ ଲୋକସଭାରେ ‘ଇମିଗ୍ରେସନ୍ ଆଣ୍ଡ ଫରେନର୍ସ ବିଲ୍-୨୦୨୫(ଦେଶାନ୍ତଣ ଓ ବିଦେଶୀ)’ନାମରେ ଏକ ବିଧେୟକ ଆଗତ କରିଛନ୍ତି। ଏହି ବିଧେୟକ ଆଇନରେ ପରିଣତ ହେଲେ ଭାରତର ସାର୍ବଭୌମତ୍ୱ ଓ ସୀମା ସୁରକ୍ଷାରେ ଉନ୍ନତି ଘଟିବା ସହିତ ଅନୁପ୍ରବେଶ ଓ ଶରଣାର୍ଥୀ ସମସ୍ୟାର ଅନେକାଂଶରେ ସମାଧାନ ହୋଇପାରିବ ବୋଲି କେନ୍ଦ୍ର ସରକାର ଆଶା ବାନ୍ଧିଛନ୍ତି। ଏହାପୂର୍ବରୁ ଭାରତରେ ଅବାଧ ଦେଶାନ୍ତରଣ ଓ ଅନୁପ୍ରବେଶ ଆଦିକୁ ନିୟନ୍ତ୍ରଣ କରିବା ପାଇଁ ଇମିଗ୍ରେସନ୍(କ୍ୟାରିୟର୍ସ ଲାଇବିଲିଟି) ଆକ୍ଟ ୨୦୦୦, ପାସ୍ପୋର୍ଟ(ଏଣ୍ଟ୍ରି ଇନ୍ଟୁ ଇଣ୍ଡିଆ) ଆକ୍ଟ- ୧୯୨୦, ରେଜିଷ୍ଟ୍ରେସନ୍ ଅଫ୍ ଫରେନ୍ ଆକ୍ଟ-୧୯୩୯ ଓ ଫରେନ୍ ଆକ୍ଟ-୧୯୩୬ ପରି ଆଇନ ଆମ ଦେଶରେ ବଳବତ୍ତର ଅଛି। କିନ୍ତୁ ସାମ୍ପ୍ରତିକ ଭୂରାଜନୈତିକ ଓ କୂଟନୈତିକ ବାଧ୍ୟବାଧକତାର ପୃଷ୍ଠଭୂମିରେ ସେହି ସବୁ ଆଇନ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରୁନାହିଁ। ତେଣୁ ଉପରୋକ୍ତ ଆଇନଗୁଡ଼ିକୁ ଅକାମୀ କରି ଏକ ପ୍ରଭାବଶାଳୀ ଓ ଯୁଗୋପଯୋଗୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ‘ଇମିଗ୍ରେସନ୍ ଆଣ୍ଡ ଫରେନର୍ସ ବିଧେୟକ-୨୦୨୫’ରେ ବ୍ୟବସ୍ଥା ରହିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଏହି ବିଧେୟକରେ ଏକ ଇମିଗ୍ରେସନ୍ ବ୍ୟୁରୋ ଗଠନର ପ୍ରସ୍ତାବ ଦିଆଯାଇଛି। କୌଣସି ବିଦେଶୀ ଭାରତରେ ପ୍ରବେଶ, ଆସ୍ଥାନ କିମ୍ବା ପ୍ରସ୍ଥାନ ପାଇଁ ବ୍ୟୁରୋର ସକାରଣ ଅନୁମତି ନେବା ବାଧ୍ୟତାମୂଳକ। ସେମାନେ ମଧ୍ୟ ବୈଧ ପରିଚୟପତ୍ର, ବାୟୋମାଟ୍ରିକ୍ ସୂଚନା, ହସ୍ତାକ୍ଷର, ଡାକ୍ତରୀ ପ୍ରମାଣପତ୍ର ଦାଖଲ କରିବେ ଏବଂ ବ୍ୟୁରୋଙ୍କ ଉଲ୍ଲେଖିତ କୌଣସି କାର୍ଯ୍ୟକଳାପରେ ଭାଗ ନେବେ ନାହିଁ ବୋଲି ଘୋଷଣାନାମାରେ ହସ୍ତାକ୍ଷର କରିବେ। ଯଦି ଭିସା ଅବଧିଠାରୁ ଅଧିକ ସମୟ ଭାରତରେ ରହିଥିବା ଜଣାପଡ଼େ ତେବେ ସେମାନଙ୍କୁ ୩ବର୍ଷ ଜେଲ୍ ସହିତ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାରେ ଦଣ୍ଡିତ କରାଯିବ। ସେହିପରି ଯଦି କୌଣସି ବହିରାଗତ ବିନା ଅନୁମତିରେ ଭାରତରେ ଅବୈଧ ପ୍ରବେଶ କରିଥିବା ଜଣାପଡ଼େ ତେବେ ତାଙ୍କୁ ୫ ବର୍ଷର ଜେଲ୍ଦଣ୍ଡ ସହିତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ଯଦି ଜାଲ୍ କାଗଜପତ୍ରରେ ଭାରତରେ ପ୍ରବେଶ କିମ୍ବା ଭାରତରୁ ପ୍ରସ୍ଥାନ କରୁଥିବା ଜଣାପଡ଼େ ତେବେ ୨-୭ ବର୍ଷ ପର୍ଯ୍ୟନ୍ତ ଜେଲ ଓ ୧-୧୦ ଲକ୍ଷ ପର୍ଯ୍ୟନ୍ତ ଜୋରିମାନାରେ ଦଣ୍ଡିତ କରାଯିବ। ଯଦି କୌଣସି ବିଦେଶୀ ଛାତ୍ର ଭାରତର କୌଣସି ଉଚ୍ଚଶିକ୍ଷାନୁଷ୍ଠାନରେ ପଢ଼଼ିବା ପାଇଁ ଆବେଦନ କରନ୍ତି ସେ ବିଷୟରେ ମଧ୍ୟ ସମ୍ପୃକ୍ତ ଅନୁଷ୍ଠାନ ବ୍ୟୁରୋଙ୍କୁ ସୂଚିତ କରିବେ। ଜଳ, ସ୍ଥଳ ଓ ଆକାଶ ପଥରେ ପଣ୍ୟ କିମ୍ବା ଯାତ୍ରୀ ପରିବହନ କରୁଥିବା ବିଦେଶୀ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ଏହି କଟକଣା ଲାଗୁ ହେବ।
ମନେ ହେଉଛି, ଆମେରିକାର ଟ୍ରମ୍ପ ପ୍ରଶାସନ ଏବେ ବହିରାଗତଙ୍କ ବିରୋଧରେ ଯେପରି କଠୋର ହୋଇଛି, ବିଶେଷକରି ଅବୈଧ ପ୍ରବାସୀ ଭାରତୀୟଙ୍କୁ ଯେଭଳି ଯୁଦ୍ଧବନ୍ଦୀ ଭାବେ ବ୍ୟବହାର କରିଛି, ସେଥିରେ ଉତ୍ସାହିତ ହୋଇ ସେହି ଅନୁକରଣରେ ଭାରତ ସରକାର ନୂଆ ଦେଶାନ୍ତର ଆଇନ ଆଣିବା ପାଇଁ ତତ୍ପର ହୋଇଉଠିଛନ୍ତି। ଶରଣାର୍ଥୀ ଓ ବହିରାଗତ ସମସ୍ୟା ଜର୍ଜରିତ ଭାରତ ପାଇଁ ଏକ କଠୋର ଆଇନ ସର୍ବଦା ସ୍ୱାଗତଯୋଗ୍ୟ ହୋଇଥିଲେ ମଧ୍ୟ ଏଥିସହିତ ଜଡ଼ିତ କେତେକ ଦ୍ୱନ୍ଦ୍ୱ ଏହି ଆଇନର ପ୍ରଭାବ ବିଷୟରେ ସନ୍ଦେହ ସୃଷ୍ଟି କରୁଛି। ପ୍ରଥମତଃ, ଆମେରିକା ଅନୁରୂପ ଭାରତରେ କର୍ମସଂସ୍ଥାନ ପାଇଁ ଅନୁପ୍ରବେଶ ସଂଖ୍ୟା ନ୍ୟୂନ। ଦ୍ୱିତୀୟତଃ, ଭାରତର କାରାଗରମାନଙ୍କର ସ୍ଥିତି ଦୃଷ୍ଟିରୁ ଅବୈଧ ବହିରାଗତ(ଯଦି ବିପୁଳ ସଂଖ୍ୟାରେ ଅନୁପ୍ରବେଶ କରୁଥିବା ଜଣାପଡ଼େ) ଆଉ ଏକ ବିଶାଳ ସମସ୍ୟା ଭାବେ ଉଭା ହେବେ। ଭାରତର ବିଲମ୍ବିତ ବିଚାର ପ୍ରକ୍ରିୟା ଦୃଷ୍ଟିରୁ ସେମାନଙ୍କ ବିରୋଧରେ ତ୍ୱରିତ ଦଣ୍ଡବିଧାନ ଆଶା କ୍ଷୀଣ। ତେଣୁ ଅଯଥା ସେମାନଙ୍କୁ ‘ଶରଣାର୍ଥୀ ଅଟକକେନ୍ଦ୍ର’ରେ ରଖି ରାଜକୋଷରୁ ଅର୍ଥ ଅପଚୟ କରିବା ସାର ହେବ। ଭାରତର ମୂଳ ସମସ୍ୟା ହେଉଛି ଭାରତର ବିଭିନ୍ନ ଅଞ୍ଚଳରେ ବିକ୍ଷିପ୍ତ ଭାବେ ବସବାସ କରୁଥିବା ବାଂଲାଦେଶୀ ଓ ରୋହିଙ୍ଗ୍ୟା ଶରଣାର୍ଥୀ। ସେଭଳି ସମସ୍ୟାର କିଭଳି ମୁକାବିଲା କରାଯାଇପାରିବ ସେ ବିଷୟ ବିଧେୟକରେ ଉଲ୍ଲେଖ ଥିବା ଜଣାପଡ଼ିନାହିଁ।
ଆମେରିକା ଅନୁକରଣରେ ଏଭଳି ଆଇନ କାର୍ଯ୍ୟକାରୀ ହେଲେ ମଧ୍ୟ ସେହି ଦେଶ ଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଯାଇ ଅନୁପ୍ରବେଶ ସମସ୍ୟାର କେତେକାଂଶରେ ସମାଧାନ ହୋଇପାରିବ। ନଚେତ୍ ଯେଉଁମାନେ ପେଟପାଟଣା ଲୋଭରେ ଅବୈଧ ଅନୁପ୍ରବେଶ କରୁଛନ୍ତି ସେମାନେ ଭାରତ ସରକାରଙ୍କ ଖର୍ଚ୍ଚରେ ଅନାୟାସରେ କାରାଗୃହ କିମ୍ବା ଅଟକ କେନ୍ଦ୍ରର ଛାତ ତଳେ ଦିନ କାଟିବାରେ ଅସୁବିଧା ହେବ ନାହିଁ। ବଂଲାଦେଶ ଅନ୍ରୁପ୍ରବେଶକାରୀଙ୍କୁ ଚିହ୍ନଟ କରି ମଧ୍ୟ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ। ତେଣୁ ପ୍ରସ୍ତାବିତ ଆଇନକୁ ତୀକ୍ଷ୍ମଦନ୍ତଯୁକ୍ତ ବ୍ୟାଘ୍ର କରିବାର ପ୍ରୟାସ କରାଯାଉ। ଆମେରିକା ବହିରାଗତ କଟକଣା ଆଇନର ଅନୁକରଣ ହନୁକରଣରେ ପରିଣତ ନ ହେଉ।






