ସବୁଜ ବିପ୍ଳବର ଯୁଗାନ୍ତର!
ଭାରତୀୟ କୃଷିର ବିଡ଼ମ୍ବନା ହେଉଛି ବନ୍ୟା, ବାତ୍ୟା, ମରୁଡ଼ି, ରୋଗ, ପୋକ ଆଦି ଚିରାଚରିତ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ ହାନି। ଏଥିସହିତ ଗତ କିଛିଦଶନ୍ଧି ଧରି ଯୋଡ଼ି ହୋଇଯାଇଛି ଅଭାବୀ ବିକ୍ରି, ଏମ୍ଏସ୍ପି ଓ କଟ୍ନିଛଟ୍ନି ପରି ମାନବକୃତ ଦୁର୍ବିପାକ। ଏହି ତିନିଟିକୁ ଦୁର୍ବିପାକ ବର୍ଗୀକୃତ କରିବା ପଛର ଯୌକ୍ତିକତା ହେଉଛି କୃଷକକୁ ଏହି ସମସ୍ୟାରୁ ମୁକ୍ତି ଦେବାର ସାମର୍ଥ୍ୟ ଆପାତତଃ କୌଣସି ସରକାରଙ୍କର ନାହିଁ। ଏହା ଅବଶ୍ୟ ଅନସ୍ୱୀକାର୍ଯ୍ୟ ଯେ ଅମଳ ଋତୁରେ କଟ୍ନିଛଟ୍ନି […]
ଭାରତୀୟ କୃଷିର ବିଡ଼ମ୍ବନା ହେଉଛି ବନ୍ୟା, ବାତ୍ୟା, ମରୁଡ଼ି, ରୋଗ, ପୋକ ଆଦି ଚିରାଚରିତ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ ହାନି। ଏଥିସହିତ ଗତ କିଛିଦଶନ୍ଧି ଧରି ଯୋଡ଼ି ହୋଇଯାଇଛି ଅଭାବୀ ବିକ୍ରି, ଏମ୍ଏସ୍ପି ଓ କଟ୍ନିଛଟ୍ନି ପରି ମାନବକୃତ ଦୁର୍ବିପାକ। ଏହି ତିନିଟିକୁ ଦୁର୍ବିପାକ ବର୍ଗୀକୃତ କରିବା ପଛର ଯୌକ୍ତିକତା ହେଉଛି କୃଷକକୁ ଏହି ସମସ୍ୟାରୁ ମୁକ୍ତି ଦେବାର ସାମର୍ଥ୍ୟ ଆପାତତଃ କୌଣସି ସରକାରଙ୍କର ନାହିଁ। ଏହା ଅବଶ୍ୟ ଅନସ୍ୱୀକାର୍ଯ୍ୟ ଯେ ଅମଳ ଋତୁରେ କଟ୍ନିଛଟ୍ନି ଏବଂ ନିର୍ବାଚନ ଋତୁରେ ଏମ୍ଏସ୍ପି ରାଜନୈତିକ ପ୍ରସଙ୍ଗ ହୁଏ। ରାଜନୈତିକ ଦଳ, କୃଷକ ସଂଗଠନ, ବେସରକାରୀ ସଂସ୍ଥାଙ୍କ ସ୍ୱର କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ଶାଣିତ ହୁଏ; ଆରୋପ-ପ୍ରତ୍ୟାରୋପ, ଅଭିଯୋଗ, ଦାବି, ଆଲୋଚନା-ସମାଲୋଚନା ଶୁଣି କୃଷକ ଭବିଷ୍ୟତ ପାଇଁ ରଙ୍ଗୀନ ସ୍ୱପ୍ନ ଦେଖେ। ଅଥଚ ସେ ସବୁର ନିଷ୍କର୍ଷ ଗତାନୁଗତିକ ଢଙ୍ଗରେ ଶିତଳଭଣ୍ଡାରକୁ ଚାଲିଯାଏ ଏବଂ ଚାଷୀ ଅପେକ୍ଷା କରେ ପୁଣି ଧାନ ସଂଗ୍ରହ ପ୍ରକ୍ରିୟା ଏବଂ ନିର୍ବାଚନ ଋତୁ ଲେଉଟିବା ପର୍ଯ୍ୟନ୍ତ। ଆମ ରାଜ୍ୟର ଉଦାହରଣ ନିଆଯାଉ। ସରକାରୀ ଧାନ ସଂଗ୍ରହ ପ୍ରକ୍ରିୟାରେ କଟ୍ନିଛଟ୍ନି ସମ୍ପୂର୍ଣ୍ଣ ବନ୍ଦ କରିବାର ପ୍ରତିଶ୍ରୁତି ଦେଇ ଓଡ଼ିଶାରେ ନୂଆକରି ସରକାର ଗଢ଼ିଥିବା ବିଜେପି ମଧ୍ୟ ଚଳିତ ଥର ସମାନ ଆରୋପ ଓ ସମସ୍ୟାର ସମ୍ମୁଖୀନ ହୋଇଛି। ବରଂ କଟ୍ନି ଛଟ୍ନି ପୂର୍ବାପେକ୍ଷା ଆହୁରି ବଢ଼଼ିଛି ବୋଲି ଅଭିଯୋଗ ଆସିଛି।
କଟ୍ନିଛଟ୍ନି ସମସ୍ୟାର କିଛିଟା ସମାଧାନ ଦିଗରେ କିନ୍ତୁ ପଞ୍ଜାବ ସରକାର ନିକଟରେ ଏକ ସାହସିକ ଓ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଆଗାମୀ ଦିନରେ ଅନେକ ବିବାଦ ଓ ବିରୋଧାଭାସ ସୃଷ୍ଟି କରିବାକୁ ଯାଉଥିବା ଏହି ସରକାରୀ ଘୋଷଣାନାମା ଅନୁଯାୟୀ ପଞ୍ଜାବରେ ସଙ୍କରଜାତୀୟ ଧାନ ବିହନ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସଙ୍କରଜାତୀୟ ଧାନ ଫସଲର ଅନେକ ଦୁର୍ବଳତା ମଧ୍ୟରୁ ଗୋଟିଏ ହେଲା ପ୍ରକ୍ରିୟାକରଣ ବା ମିଲିଂ ବେଳେ ବର୍ଜ୍ୟ ବା ଅବ୍ୟବହୃତ ଅଂଶ ଅଧିକ ରହୁଛି। ତେଣୁ ମିଲରମାନେ ଏଥିରେ ଅଧିକ କ୍ଷତି ସହୁଥିବାରୁ କଟ୍ନିଛଟ୍ନି ପରିମାଣ ମଧ୍ୟ ବଢ଼଼ାଇବାକୁ ଦାବି କରିଆସୁଥିବା ବେଳେ ସ୍ୱାଭାବିକ ଭାବେ ଚାଷୀମାନଙ୍କର ପ୍ରତିବାଦ ମଧ୍ୟ ଜୋର ହେଉଛି। ପଞ୍ଜାବ ସରକାର ଏ ବିଷୟରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା ଓ ତର୍ଜମା କରିବା ପରେ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ଯଦି ପଞ୍ଜାବ ସରକାରଙ୍କ ନିର୍ଦ୍ଦେଶନାମା କାଏମ ରହେ ଆଗାମୀ ଖରିଫ୍ ଋତୁରୁ ପଞ୍ଜାବର ଚାଷୀମାନେ କେବଳ ଦେଶୀ ବିହନ ହିଁ ବ୍ୟବହାର କରିବେ।
ବିଗତ ଶତାବ୍ଦୀର ଷାଠିଏ ଦଶକରେ ଦେଶକୁ ଖାଦ୍ୟାଭାବ ସଙ୍କଟରୁ ଉଦ୍ଧାର କରିବା ପାଇଁ ଯେଉଁ ଯୁଗାନ୍ତକାରୀ ସବୁଜ ବିପ୍ଲବ ଆରମ୍ଭ ହୋଇଥିଲା ତାହାର ସୁଫଳରୁ ଭାରତ ଆଜି ଖାଦ୍ୟ ଶସ୍ୟ ଅମଳ ଓ ଚାହିଦା ପୂରଣରେ ସ୍ୱାବଲମ୍ବୀ ହେବା ସହିତ ଏକ ଶସ୍ୟବଳକା ଦେଶ ଭାବେ ବିଶ୍ୱ କୃଷି ବାଣିଜ୍ୟରେ ଅଗ୍ରଣୀ ରପ୍ତାନିକାରୀର ମାନ୍ୟତା ଲାଭ କରିଛି। କିନ୍ତୁ ସମାନ୍ତରାଳ ଭାବେ ସବୁଜ ବିପ୍ଳବର ପାର୍ଶ୍ବ ପ୍ରତିକ୍ରିୟାମାନ ମଧ୍ୟ ଅନୁଭୂତ ହେବାରେ ଲାଗିଛି। ସବୁଜ ବିପ୍ଲବ ମୁଖ୍ୟତଃ ସଙ୍କରଜାତୀୟ ବିହନ, ସାର ଓ କୀଟନାଶକ କୈନ୍ଦ୍ରିକ ଥିବାରୁ ମୃତ୍ତିକାର ଉତ୍ପାଦିକା ଶକ୍ତି ହ୍ରାସ, ପରିବେଶ ଓ ପ୍ରାଣୀମାନଙ୍କର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ, ଜଳ ପ୍ରଦୂଷଣ ଆଦି ସମସ୍ୟାମାନ ଉତ୍କଟ ହେଉଛି। ତେଣୁ ଓଡ଼ିଶା ସମେତ କେତେକ ରାଜ୍ୟରେ, ଏପରିକି କେନ୍ଦ୍ର ସରକାର ଅଧୁନା ଜୈବିକ କୃଷିର ପୁନରୁଦ୍ଧାରକୁ ଗୁରୁତ୍ୱ ଦେଉଥିବା ବେଳେ ପରିବେଶବିତ୍ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦେଶୀ ବିହନଜାତ ଶସ୍ୟକୁ ଖାଦ୍ୟ ପ୍ରଣାଳୀରେ ସାମିଲ୍ କରି ସଙ୍କରଜାତୀୟ ଶସ୍ୟକୁ ଦୂରେଇବାକୁ ପରାମର୍ଶ ଦେଇ ଆସୁଛନ୍ତି। ବସ୍ତୁତଃ ଦେଶରେ ଏବେ ଜୈବିକ ଓ ପାରମ୍ପରିକ କୃଷି ଏବଂ ଦେଶୀ ବିହନ ସପକ୍ଷରେ ଅନୁକୂଳ ମତ ପ୍ରକାଶ ପାଉଥିବା ବେଳେ ପଞ୍ଜାବ ସରକାରଙ୍କ ଏଭଳି ଉଦ୍ୟମକୁ ସମୟୋପଯୋଗୀ ଓ ବୈପ୍ଳବିକ କୁହାଯାଇପାରେ। ଏଠାରେ ସ୍ମରଣ କରାଇବା ଉଚିତ ହେବ ଯେ ସବୁଜ ବିପ୍ଲବର ମଞ୍ଜି ଯେଉଁ ରାଜ୍ୟରେ ପ୍ରଥମେ ବପନ ହୋଇଥିଲା ସେହି ରାଜ୍ୟରୁ ହିଁ ପାରମ୍ପରିକ କୃଷିକୁ ପ୍ରତ୍ୟାବର୍ତ୍ତନ ବା ସବୁଜ ବିପ୍ଲବର ଯୁଗାନ୍ତରର ଅୟମାରମ୍ଭ ହେବାକୁ ଯାଉଛି।
ଭାରତକୁ ପୁଣି ପାରମ୍ପରିକ କୃଷି ଅଭିମୁଖୀ କରିବାରେ ପଞ୍ଜାବ ସରକାର ବିଗୁଲ୍ ଫୁଙ୍କିଥିଲେ ହେଁ ଏହି ଲକ୍ଷ୍ୟ ପୂରଣ ହେବାର ଆଶା ଓ ସମ୍ଭାବନା ପଥରେ ଅନେକ ପ୍ରତିବନ୍ଧକ ଦୃଷ୍ଟିଗୋଚର ହେଉଛି। ପ୍ରଥମତଃ, କୃଷି କ୍ଷେତ୍ର ସରକାରୀ ଯୁଗ୍ମ ତାଲିକାରେ ରହିଛି ଏବଂ ବିହନ ସମ୍ବନ୍ଧୀୟ ନୀତି ନିର୍ଦ୍ଧାରଣ କ୍ଷମତା ଓ ଅଧିକାର ସମ୍ପୂର୍ଣ୍ଣ ରୂପେ କେନ୍ଦ୍ର ସରକାରଙ୍କ ହାତରେ ରହିଛି। ପଞ୍ଜାବ ସରକାରଙ୍କ ସାନି ନିର୍ଦ୍ଦେଶ କେନ୍ଦ୍ର ସରକାରଙ୍କ ବିହନ ଆଇନ ୧୯୬୬ ଏବଂ ବିହନ ନିୟନ୍ତ୍ରଣ ନିର୍ଦ୍ଦେଶନାମା ୧୯୮୩ର ବିରୁଦ୍ଧାଚରଣ କରୁଥିବାରୁ ଏହା ଖୁବ୍ଶୀଘ୍ର ଆଇନଗତ ଜଟିଳତାର ସମ୍ମୁଖୀନ ହେବାର ଆଶଙ୍କା ସୃଷ୍ଟି କରିଛି। ଦ୍ୱିତୀୟତଃ, ଭାରତର ବିଶାଳ କୃଷି ବଜାରରେ ବହୁଦେଶୀୟ କମ୍ପାନୀମାନଙ୍କ ପ୍ରଭାବ କିଛି କମ୍ ନୁହେଁ। ଯଦି ଆଗାମୀ ଦିନରେ ଅନ୍ୟ ରାଜ୍ୟମାନେ ପଞ୍ଜାବ ସରକାରଙ୍କ ପଦାଙ୍କ ଅନୁସରଣ କରିବେ ତେବେ ସଙ୍କରଜାତୀୟ ବିହନ, ସାର, କୀଟନାଶକ ଉତ୍ପାଦନକାରୀ ବହୁଦେଶୀୟ କମ୍ପାନୀମାନେ ପ୍ରଭୂତ କ୍ଷତି ସହିବେ। ତେଣୁ ପଞ୍ଜାବ ସରକାରଙ୍କ ମହତ୍ ଉଦ୍ଦେଶ୍ୟ ପୂରଣ ହେବାର ପଥକୁ ସେମାନେ ସୁଗମ କରିବା ପାଇଁ ଏତେ ଶୀଘ୍ର ଭାରତୀୟ କୃଷି ବଜାରରୁ ମୁହଁ ଫେରାଇ ନେବାର ପ୍ରଶ୍ନ ଉଠୁନାହିଁ। ତୃତୀୟତଃ, ଯଦି ସଙ୍କରଜାତୀୟ ବିହନ ବିପଣନ ହଠାତ୍ ବନ୍ଦ ହୋଇଯାଏ ତେବେ ଏତେ ପରିମାଣର ଦେଶୀ ବିହନ ସଂଗ୍ରହ କରିବା କଷ୍ଟକର ହୋଇପଡ଼ିବ ଏବଂ ଦଶନ୍ଧି ଦଶନ୍ଧି ଧରି ସଙ୍କରବିହନ ସହନଶୀଳନ ହୋଇ ଉର୍ବରତା ଓ ଉତ୍ପାଦିକା ଶକ୍ତି ହରାଇଥିବା ଆମ ମାଟି ହଠାତ ଦେଶୀ ବିହନରୁ ଚାହିଦା ମୁତାବକ ଅମଳ ଦେଇପାରିବ କି ନାହିଁ ସନ୍ଦେହ ସୃଷ୍ଟି ହେଉଛି। କୃଷି ଅମଳ ହଠାତ୍ ହ୍ରାସ ପାଇଲେ ତାହାର ତତ୍କାଳ ପ୍ରଭାବ ଅର୍ଥନୀତି ଉପରେ ଅନୁଭୂତ ହେବ। ଏଭଳି ସାଧୁ ଉଦ୍ୟମ କରିଥିବା ଶ୍ରୀଲଙ୍କାର ଅର୍ଥନୀତି ଓ ରାଜନୀତିର ଦଶାକୁ ଉଦାହରଣ ରୂପେ ନିଆଯାଇପାରେ। ଚତୁର୍ଥରେ ଦେଶରେ ବିପୁଳ ସରକାରୀ ଖର୍ଚ୍ଚରେ ବର୍ଷ ବର୍ଷ ଧରି ଗବେଷଣା କରିଆସୁଥିବା ବିଭିନ୍ନ କୃଷି ଗବେଷଣା ସଂସ୍ଥା/ଅନୁଷ୍ଠାନମାନଙ୍କର ଗବେଷଣା ଲବ୍ଧ ଉଦ୍ଭାବନର ଭୂମିକା କ’ଣ ହେବ ତାହା ମଧ୍ୟ ପ୍ରଶ୍ନ ଘେରକୁ ଆସୁଛି।
ସମୟର ଆହ୍ୱାନରେ ପରିବେଶ ଓ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଯେତେଶୀଘ୍ର ସମ୍ଭବ ଆମେ ପାରମ୍ପରିକ କୃଷିକୁ ଆପଣେଇବାକୁ ହେବ। ଏ ସପକ୍ଷରେ ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଥିଲେ ହେଁ ଏହା କିନ୍ତୁ ବିଲେଇ ବେକରେ ଘଣ୍ଟି ଭଳି ଏକ ସ୍ପର୍ଶକାତର ପ୍ରସଙ୍ଗ। ପଞ୍ଜାବ ସରକାର ଏହି ଘଣ୍ଟି ବାନ୍ଧିବାର ସାହସିକ ଉଦ୍ୟମ କରିଥିବାରୁ ସାଧୁବାଦାର୍ହ। କିନ୍ତୁ ଏହାର ସମ୍ଭାବ୍ୟ ତତ୍କାଳ ପରିଣାମଗୁଡ଼ିକ ପ୍ରତି ଅଧିକ ସମ୍ବେଦନଶୀଳ ଓ ବିଚାରବନ୍ତ ହେବାର ଆବଶ୍ୟକତା ରହିଛି। ଯଦି ପଞ୍ଜାବ ସରକାରଙ୍କ ଉଦ୍ୟମକୁ ସମଗ୍ର ଦେଶରୁ ସମର୍ଥନ ମିଳେ ତେବେ ଭାରତ ଖୁବ୍ଶୀଘ୍ର କୃଷି-ଯୁଗାନ୍ତରର ସୂର୍ଯ୍ୟୋଦୟ ଦେଖିବ।






