ସଂକଟର ସତର୍କ ଘଣ୍ଟି

The Sakala Picture
Published On

ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ଫେବୃଆରି ଓ ଚଳିତ ଏପ୍ରିଲ ମାସରେ କ୍ରମାଗତ ୨୫ ବେସିସ୍‌‌ ପଏଣ୍ଟ ଲେଖାଏଁ ରେପୋରେଟ୍‌‌ ହ୍ରାସ କରିବା ଅନ୍ୟତମ ଉଲ୍ଲେଖନୀୟ ଘଟଣା। ମୁଦ୍ରାନୀତି ନିର୍ଦ୍ଧାରଣ କମିଟି ବୈଠକର ଏହି ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କମାନଙ୍କୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି। ରେପୋ ରେଟ୍‌‌ ୬ ପ୍ରତିଶତକୁ ଖସି ଆସିଥିବାରୁ ତାହାର ତୁରନ୍ତ ପ୍ରଭାବ ଘର, ଗାଡ଼ି ଆଦି କିଣିବାକୁ ଋଣ ନେଇଥିବା ଗ୍ରାହକଙ୍କୁ ପରିଶୋଧ କିସ୍ତି ବା ଇଏମ୍‌‌ଆଇ ଉପରେ […]

ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ଫେବୃଆରି ଓ ଚଳିତ ଏପ୍ରିଲ ମାସରେ କ୍ରମାଗତ ୨୫ ବେସିସ୍‌‌ ପଏଣ୍ଟ ଲେଖାଏଁ ରେପୋରେଟ୍‌‌ ହ୍ରାସ କରିବା ଅନ୍ୟତମ ଉଲ୍ଲେଖନୀୟ ଘଟଣା। ମୁଦ୍ରାନୀତି ନିର୍ଦ୍ଧାରଣ କମିଟି ବୈଠକର ଏହି ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କମାନଙ୍କୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି। ରେପୋ ରେଟ୍‌‌ ୬ ପ୍ରତିଶତକୁ ଖସି ଆସିଥିବାରୁ ତାହାର ତୁରନ୍ତ ପ୍ରଭାବ ଘର, ଗାଡ଼ି ଆଦି କିଣିବାକୁ ଋଣ ନେଇଥିବା ଗ୍ରାହକଙ୍କୁ ପରିଶୋଧ କିସ୍ତି ବା ଇଏମ୍‌‌ଆଇ ଉପରେ ପଡ଼ିବ, ଏପରିକି ନୂଆ ଋଣ ନେବା ପାଇଁ ଅପେକ୍ଷାରେ ଥିବା ଗ୍ରାହକଙ୍କ କ୍ଷେତ୍ରରେ କମ୍‌‌ ସୁଧ ଲାଗୁ ହେବ। ଦୀର୍ଘ ୫ ବର୍ଷ ବ୍ୟବଧାନରେ ଏହି ସୁଧହାର ହ୍ରାସର ଅନୁଭବ ବେଶ୍‌‌ ଉତ୍ସାହଜନକ। ଏହି ନିଷ୍ପତ୍ତି ଅଭିବୃଦ୍ଧି ହାରକୁ ଗତି ଦେବ ବୋଲି କୁହାଯାଉଥିବା ବେଳେ ରିଜର୍ଭ ବ୍ୟାଙ୍କ ୨୦୨୫-୨୬ ବିତ୍ତୀୟ ବର୍ଷ ପାଇଁ ଧାର୍ଯ୍ୟ କରିଥିବା ଜିଡିପି ହାର ୬.୭ ରୁ ୬.୫ ପ୍ରତିଶତକୁ ହ୍ରାସ କରିଛନ୍ତି। ନୂଆ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ବକ୍ତବ୍ୟରୁ ଦୁଇଟି ଦିଗ ସ୍ପଷ୍ଟ ବାରି ହୋଇ ଯାଉଛି। ମୁଦ୍ରାସ୍ଫୀତି ଅପେକ୍ଷା ଟାରିଫ ଯୁଦ୍ଧର ପ୍ରଭାବରୁ ଆମର ଅଭିବୃଦ୍ଧି ହାରକୁ ସୁରକ୍ଷିତ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ଅର୍ଥନୈତିକ ଦୃଶ୍ୟପଟରେ ଦ୍ରୁତ ପରିବର୍ତ୍ତନ ଘଟିବାକୁ ଯାଉଛି। ୨୦୨୬ ବିତ୍ତୀୟ ବର୍ଷ ଏଭଳି ଏକ ପ୍ରତିକୂଳ ପରିସ୍ଥିତିରେ ଆରମ୍ଭ ହେଉଥିବାରୁ ସୁଧହାର ହ୍ରାସ ଓ ରିଜର୍ଭବ୍ୟାଙ୍କ ଆଭିମୁଖ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି।

ଏହି ଦୁଇଟି ଦିଗର ତାତ୍ପର୍ଯ୍ୟ ସ୍ୱତନ୍ତ୍ର ଆଲୋଚନା ଦାବି କରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ବାଣିଜ୍ୟ ଶୁଳ୍କ ଘୋଷଣା କରିବା ପରେ ତାହା ଆମ ଦେଶର ଅର୍ଥନୀତି ଉପରେ କିଭଳି ପ୍ରତିକୂଳ ପ୍ରଭାବ ପକାଇବ, ସେ ନେଇ ସରକାର ସମ୍ପୂର୍ଣ୍ଣ ନିରବ ରହିଥିବା ବେଳେ ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର ଉଦ୍‌‌ବେଗ ପ୍ରକାଶ କରିବା ସହ ଆନୁସଙ୍ଗିକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ରିଜର୍ଭବ୍ୟାଙ୍କ ନିଜର ନିରପେକ୍ଷ ଆଦର୍ଶରୁ ବିଚ୍ୟୁତ ହେବାକୁ ଯାଉଥିବା ସ୍ପଷ୍ଟ। ଅର୍ଥାତ୍‌‌ ପରିସ୍ଥିତିକୁ ଦେଖି କୋହଳ ନୀତି ଅବଲମ୍ବନ କରିବ। ପରୋକ୍ଷରେ ଏକଥା ବି କୁହାଯାଇପାରେ କି ସରକାରୀ ହସ୍ତକ୍ଷେପ ବା ନିର୍ଦ୍ଦେଶ ଅନୁଯାୟୀ ଆଗାମୀ ଦିନରେ ରିଜର୍ଭ ବ୍ୟାଙ୍କର ନୀତି ନିର୍ଦ୍ଧାରଣ କମିଟି ପଦକ୍ଷେପ ନେବ। ଅନ୍ୟ ଗୋଟିଏ ଦୃଷ୍ଟିରୁ ବିଚାର କଲେ ଆର୍ଥିକ ସ୍ଥିତି ଏକ ସଂକଟଜନକ ପରିସ୍ଥିତି ଦେଇ ଗତି କରିବାର ଆଶଙ୍କାକୁ ପରୋକ୍ଷରେ ରିଜର୍ଭବ୍ୟାଙ୍କ ସ୍ୱୀକାର କରିଛି। ନ ହେଲେ ନିରପେକ୍ଷ ଆଭିମୁଖ୍ୟରୁ ଖୋଲାଖୋଲି ଭାବେ ବିଚ୍ୟୁତ ହେବାର ସୂଚନା ଦେବାର ସେଭଳି ଆବଶ୍ୟକତା ନଥିଲା। ରିଜର୍ଭବ୍ୟାଙ୍କର ସମ୍ଭାବ୍ୟ ପଦକ୍ଷେପର ଯେଉଁ ସୂଚନା ମିଳିଛି, ତାହା ହେଲା ଲିକ୍ୱିଡିଟି ନିଶ୍ଚିତ କରିବା ସକାଶେ ଅର୍ଥନୀତିକୁ ଯଥେଷ୍ଟ ମୁଦ୍ରା ଯୋଗାଣ ଏବଂ ସମ୍ଭାବ୍ୟ ଅସ୍ଥିରତାକୁ ପ୍ରତିହତ ବା ନିୟନ୍ତ୍ରଣ କରିବା। ତେଣୁ ନିରପେକ୍ଷତାର ବନ୍ଧନୀ ମଧ୍ୟରେ ରହି ଉପରୋକ୍ତ ସେବା ଯୋଗାଇବା ରିଜର୍ଭବ୍ୟାଙ୍କ ପକ୍ଷରେ ସମ୍ଭବ ନୁହେଁ।
ଏଠାରେ ସୂଚାଇ ଦିଆଯାଇପାରେ କି ପୂର୍ବତନ ଗର୍ଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରାସ୍ଫୀତି ଅନିୟନ୍ତ୍ରିତ ଅବସ୍ଥାରେ ଥିବାରୁ ରେପୋରେଟ୍‌‌ ବା ସୁଧହାର ହ୍ରାସ ନକରି ଦେଶରେ ମୁଦ୍ରା ପ୍ରଚଳନକୁ କଠୋର ଶୃଙ୍ଖଳା ମଧ୍ୟରେ ରଖିଥିଲେ। ସୁଧ କମାଇବା ସକାଶେ ସେ ମଧ୍ୟ ଚାପର ସମ୍ମୁଖୀନ ହୋଇଥିଲେ। ପ୍ରତିକୂଳ ଆର୍ଥିକ ଦିଗକୁ ଦୃଷ୍ଟିରେ ରଖି ଏବେ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ହ୍ରାସ ମାଧ୍ୟମରେ ବଜାରରେ ମୁଦ୍ରାର ଉପଲବ୍ଧତାକୁ ସହଜ ଓ ସରଳ କରିଛନ୍ତି। ତେଣୁ ତାହାର ପ୍ରଭାବରେ ପୁଣି ମୁଦ୍ରାସ୍ଫୀତି ଯେ ନ ବଢ଼଼ିବ ତାହାର ଗ୍ୟାରେଣ୍ଟି କେହି ଦେଇପାରିବେନି। ଏସବୁ ସତ୍ତ୍ବେ ଆଶା କରାଯାଉଛି ଯେ ଚଳିତ ଆର୍ଥିକ ବର୍ଷରେ ଖାଉଟି ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରେ ସୀମିତ ରହିବ। ଆମକୁ ଏଠାରେ କହିବାକୁ ହେଉଛି ଯେ ସମ୍ପ୍ରତି ମୁଦ୍ରାସ୍ଫୀତି ହାର ଯେଉଁ ୩.୬ ପ୍ରତିଶତକୁ ହ୍ରାସ ପାଇଛି, ତାହା ଋତୁକାଳୀନ। ଆଗକୁ ଯେଉଁ ୪ ପ୍ରତିଶତ ସୀମାଧାର୍ଯ୍ୟ କରାଯାଇଛି, ତାହା ଅତିକ୍ରମ କରିବା ଏକ ପ୍ରକାର ନିଶ୍ଚିତ। କେନ୍ଦ୍ରୀୟ ବ୍ୟାଙ୍କର ଆକଳନ କହୁଛି ଯେ ଆର୍ଥିକ ବର୍ଷର ୪ଟି ତ୍ରୟମାସିକରେ ଏହି ହାର ଯଥାକ୍ରମେ ୩.୬, ୩.୯, ୩.୮, ଓ ୪.୪ ପ୍ରତିଶତ ରହିବ। ସେହିଭଳି ଅଭିବୃଦ୍ଧି ହାର ଯଥାକ୍ରମେ ୬.୫, ୬.୭, ୬.୬ ଓ ୬.୩ ପ୍ରତିଶତ ହେବ ବୋଲି ଅନୁମାନ କରାଯାଉଛି। ଏବେ ଯେଉଁ ସୁଧହାର କମିଛି, ତାହା ବଜାର ଅର୍ଥନୀତିକୁ କେତେଦୂର ପ୍ରଭାବିତ କରିବ, ସେନେଇ ମଧ୍ୟ ସନ୍ଦେହ ରହିଛି। ଦେଶର କେତେ ପ୍ରତିଶତ ଲୋକ ଗାଡ଼ି-ଘୋଡ଼ା ଓ ଘରବାଡ଼ି ନେଇ ବ୍ୟସ୍ତ ବିକଳ? ଯେଉଁ ମଧ୍ୟବିତ୍ତଙ୍କୁ ଦୃଷ୍ଟିରେ ରଖି ବେପାର ବଣିଜ ବଢ଼଼ିବ ବୋଲି ଆଶା କରାଯାଉଛି ସେମାନଙ୍କ ଉପାର୍ଜନ କ୍ଷମତା ଆନୁପାତିକ ଭାବେ ବଢ଼଼ୁ ନ ଥିବାରୁ ସେମାନଙ୍କ ସକାଶେ ଏହି ସୁଧହାର ହ୍ରାସ କେବଳ ସାମୟିକ ରିହାତି। ଏବେ ଯେଉଁ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଛି, ତାହାର ଅନିଶ୍ଚିତ ପରିଣତି ସମ୍ପର୍କରେ ଚିନ୍ତାକଲେ ଦେଶର ଆଭ୍ୟନ୍ତରୀଣ ସ୍ଥିତି ଅଧିକରୁ ଅଧିକ ସଂକଟାପନ୍ନ ହେବ। ତେଣୁ ଆଗାମୀ ଦିନରେ ଘରୋଇ ଉଦ୍ୟୋଗ କ୍ଷେତ୍ରରେ କେତେ ସଂକୋଚନ ଓ ଛଟେଇ ଭଳି ସ୍ଥିତି ଉପୁଜିବ ତାହା ଜଳଜଳ ହୋଇ ଦେଖାଯାଉଛି। ଏମିତିରେ ଦେଶର ଶହେକୋଟି ଲୋକଙ୍କ ଆର୍ଥିକ ଅବସ୍ଥା ଯାହା, ସେଥିରେ କୋହଳ ଋଣ ଓ ସୁଧହାର ହ୍ରାସର କୌଣସି ପ୍ରଭାବ ସେମାନଙ୍କ ଉପରେ ପଡ଼ିବ ନାହିଁ। ଅତିରିକ୍ତ ଶୁଳ୍କ ବୋଝରେ ବିଶ୍ୱ ବଜାର ଅର୍ଥନୀତିରେ ଯେଉଁ ମାନ୍ଦାବସ୍ଥା ସୃଷ୍ଟି ହେବ, ସେଥିରୁ ଯେ ଆମେ ବାଦ୍‌‌ ପଡ଼ିବା, ଏକଥା ନୁହେଁ। ତେଣୁ କେନ୍ଦ୍ରୀୟ ବ୍ୟାଙ୍କର ଏହି ତଥାକଥିତ ଗଣିତର ଭାଗଫଳ କ’ଣ ହେବ, ତାହା ସମୟ ହିଁ କହିବ।

ଆମ ଦେଶର ଏଭଳି କିଛି ସଂସ୍ଥା ଅଛି, ଯାହାର ନିରପେକ୍ଷ ଓ ନିଷ୍ପକ୍ଷ ଆଭିମୁଖ୍ୟ ପ୍ରତି ସାଧାରଣରେ ସ୍ୱତନ୍ତ୍ର ଶ୍ରଦ୍ଧା ଓ ସମ୍ମାନ ରହିଛି। ସେଇ କେତୋଟି ସଂସ୍ଥା ମଧ୍ୟରୁ ରିଜର୍ଭବ୍ୟାଙ୍କ ଅନ୍ୟତମ। ଯେକୌଣସି ସଂସ୍ଥା କ୍ଷେତ୍ରରେ କଠୋର ଓ କୋହଳ ଦୁଇଟି ସ୍ୱତନ୍ତ୍ର ଆଭିମୁଖ୍ୟ ରହିଛି। ଦେଶର ୫୪ତମ ମୁଦ୍ରାନୀତି ନିର୍ଦ୍ଧାରଣ କମିଟି ବୈଠକ ପରେ ଗଭର୍ଣ୍ଣର କେନ୍ଦ୍ରୀୟ ବ୍ୟାଙ୍କର ଆଭିମୁଖ୍ୟ ପରିବର୍ତ୍ତନ ନେଇ ଯେଉଁ ଦୁଇଟି ଶବ୍ଦ ବ୍ୟବହାର କରିଛନ୍ତି ତାହା ହେଲା – ‘ନିଉଟ୍ରାଲ’ ଓ ‘ଆକୋମୋଡେଟିଭ୍‌‌’। ଏ ପର୍ଯ୍ୟନ୍ତ ଆଭିମୁଖ୍ୟ ଦୃଷ୍ଟିରୁ ନିରପେକ୍ଷ ରହି ଆସିଥିବା ସଂସ୍ଥା ଉଦାର ଓ କୋହଳ ନୀତି ଅବଲମ୍ବନ କରିବାର ଯେଉଁ ସୂଚନା ଦେଇଛି, ତାହା ଆଗାମୀ ଦିନରେ ଗମ୍ଭୀର ଆର୍ଥିକ ସ୍ଥିତି ସମ୍ପର୍କରେ ସତର୍କ ଘଣ୍ଟି ବୋଲି କୁହାଯାଇପାରେ। n

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର