ଯୁବସ୍ୱପ୍ନର ଅନ୍ତହୀନ ସଂଘର୍ଷ

The Sakala Picture
Published On

ଘରଠୁ ବହୁ ଦୂରରେ କାହିଁ କେଉଁ ଏକ ଅଜଣା ସହରରେ କଅଁଳ ମନଟି ଯେବେ ସ୍ୱପ୍ନରେ ଉଡାଣ ଭରିବା ପାଇଁ ପାଦ ଥାପେ, କାହିଁ କେତେ ସଂଘର୍ଷ କରେ ବଞ୍ଚିବାକୁ। ଅଥଚ ବେଳେବେଳେ ଅନେକ କିଛି କାରଣ ପାଇଁ ଜୀବନ ହାରିଦିଏ ଭବିଷ୍ୟତ ଗଢୁଥିବା ସେହି କୋଠରି ଭିତରେ। କଠିନ ପରିଶ୍ରମ ପରେ ଯେବେ କମ୍‌‌ ନମ୍ବର ରଖିଥିବା ପିଲାଟି ଚାକିରି କିଣିଥିବା ଜଣାପଡ଼େ ଆଉ ବିଫଳତାର ପ୍ରମାଣପତ୍ର ମିଳେ ଘରକୁ ଫେରେ ଭେଣ୍ଡିଆ ପୁଅର ମୃତ […]

ଘରଠୁ ବହୁ ଦୂରରେ କାହିଁ କେଉଁ ଏକ ଅଜଣା ସହରରେ କଅଁଳ ମନଟି ଯେବେ ସ୍ୱପ୍ନରେ ଉଡାଣ ଭରିବା ପାଇଁ ପାଦ ଥାପେ, କାହିଁ କେତେ ସଂଘର୍ଷ କରେ ବଞ୍ଚିବାକୁ। ଅଥଚ ବେଳେବେଳେ ଅନେକ କିଛି କାରଣ ପାଇଁ ଜୀବନ ହାରିଦିଏ ଭବିଷ୍ୟତ ଗଢୁଥିବା ସେହି କୋଠରି ଭିତରେ। କଠିନ ପରିଶ୍ରମ ପରେ ଯେବେ କମ୍‌‌ ନମ୍ବର ରଖିଥିବା ପିଲାଟି ଚାକିରି କିଣିଥିବା ଜଣାପଡ଼େ ଆଉ ବିଫଳତାର ପ୍ରମାଣପତ୍ର ମିଳେ ଘରକୁ ଫେରେ ଭେଣ୍ଡିଆ ପୁଅର ମୃତ ଶରୀର। ଆଶା ଥାଏ ମୋ ପିଲା ୟୁନିଫର୍ମରେ ଆସିବ, ହେଲେ ଫେରେ ପୋଷ୍ଟମର୍ଟମ ହେଇ।

ଗରିବ ପରିବାରର ଅସୁମାରି ଆଶା, ଆକାଂକ୍ଷିତ ହୃଦୟ ଓ ଅକ୍ଷୁଣ୍ଣ ବଳିଦାନ – ଏହି ତିନି ବିଷୟର ମେଳ ଆମ ଶିକ୍ଷା ପ୍ରଣାଳୀର ମୂଳଧାରାକୁ ସ୍ପର୍ଶ କରେ। ଭୁବନେଶ୍ୱର ଓ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାର ଅନେକ ଛାତ୍ର ଏକ ୬ ଫୁଟିଆ ପାତାଳ ଗଭୀରତାରେ ଏକ ଛୋଟ କୋଠରିରୁ ପାଖାଳ ଭାତ ସହ ଆଳୁ ଚକଟା ଖାଇ ଅନେକ ଘଣ୍ଟା ବିତାଇ ଆଲୋକର ଆଶା ରଖନ୍ତି – ‘ସରକାରୀ ଚାକିରି’। ଦିନସାରା ଖାଦ୍ୟ ନଥିଲେ, ରାତିସାରା ଅନିଦ୍ରା ଓ ଅଶାନ୍ତି। ଏହା ଏକ ବ୍ୟକ୍ତିଗତ ସଂଘର୍ଷ ନୁହେଁ। ଭୁବେନେଶ୍ୱର ସହରରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଏକ ଛାତ୍ରର ଦୁଃଖ କେତେ ତାହା କେବଳ ଅତି ନିକଟରୁ ଦେଖି ଅନୁଭବ କରିହୁଏ। କେବେ ଥରେ ଯାଆନ୍ତୁ କୌଣସି ଏକ ପାଠାଗାରକୁ, ଯେଉଁଠାରେ ଗରିବ ଅସହାୟ ପରିବାରରୁ ଆସୁଥିବା ପିଲାମାନେ କିପରି ସଂଘର୍ଷ କରୁଛନ୍ତି ଦେଖିବେ। ସକାଳେ ପଖାଳ ଭାତ ଆଳୁ ଚକଟା ଆଉ ରାତିରେ ବି ତାହା ଖାଇ ପ୍ରତୀକ୍ଷାର ଅନ୍ତ ଜାଳୁଥିବାର ଦେଖିବେ। ଯଦି ଭୋଜିଟିଏ ସହରର କୋଉ ଗଳିରେ ମିଳିଯାଏ! ଏହା ମହାଆନନ୍ଦ ଦିଏ ତାଙ୍କୁ। ହେଲେ ସେଇଠି ଯେବେ କିଏ କହିଦିଏ – ‘କୁଆଡୁ ପଳେଇ ଆସୁଛନ୍ତି ରେ!’ ଏ କଥା ସତରେ ଭାରି କଷ୍ଟ ଲାଗେ।

ନା ପର୍ବପର୍ବାଣୀରେ ମନ ଥାଏ ନା ମେଳା ମହୋତ୍ସବକୁ ଯାଇ ମନ ଖୋଲି ବୁଲି ହୁଏ। ଗୋଟାଏ ପଟେ ପରିବାରର ଦୁଃଖ। କାହାର ଭଉଣୀ ବାହାଘର କରାଇବାର ଆଶା ତ କାହାର ବାପାମା’ଙ୍କୁ ବୃଦ୍ଧ କାଳେ ଚିକିତ୍ସା ବା ଦାମୀ ଔଷଧ ଦେବାର ଇଚ୍ଛା ତ ପୁଣି କାହାର ସାନ ଭାଇଭଉଣୀମାନଙ୍କୁ ପାଠ ପଢ଼଼ାଇବାର ସ୍ୱପ୍ନ। ଏସବୁ ସଂଘର୍ଷ ଭିତରେ ପକେଟ୍‌‌ରେ ଟଙ୍କାଟିଏ ନଥିଲା ବେଳେ ଟିୟୁସନ୍‌‌ ପଢ଼଼ାଇ ହଜାରେ ଦୁଇହଜାରେ ଟଙ୍କା କିଏ କେମିତି ରୋଜଗାର କରନ୍ତି। କିନ୍ତୁ ଘର ଭଡ଼ା ଦିନେ/ଦୁଇଦିନ ଡେରି ହୋଇଗଲେ ଘରମାଲିକ ଧମକ ଦିଏ ଘରୁ ବାହାର କରିଦେବାର। ସେହି ଧମକ ଏ ଯନ୍ତ୍ରଣାରେ ଘିଅ ଢାଳିଦିଏ। ଏହାପରେ ବି ଯେବେ ଅଣ୍ଟା ଭିଡ଼ି ସରକାରୀ ଚାକିରି ପାଇଁ ସଂଘର୍ଷ କରେ ଜଣେ ମେଧାବୀ ଛାତ୍ର, ସେତେବେଳେ ସରକାର ତାଙ୍କ ଉପରେ ଲଦି ଦିଅନ୍ତି ବୋଝ ଉପରେ ନଳିତା ବିଡ଼ା। ଯେ କୌଣସି ଚାକିରିର ବିଜ୍ଞପ୍ତି ବାହାରିଲେ ହିଁ କେତେବେଳେ ଏହା ବିକ୍ରି ହେଲାଣି ତ କେତେବେଳେ ପରୀକ୍ଷାରେ ଅନିୟମିତତା ଦେଖା ଦେଲାଣି। କୋଉଠି ପୁଣି ପ୍ରଶ୍ନପତ୍ର ପ୍ରଘଟ। ବିଗତ ଦିନରେ ଓଡ଼ିଶାରେ ଆର୍‌‌ଆଇ, ଅମିନ ପରୀକ୍ଷାକୁ ନେଇ ଅନେକ ପ୍ରତିବାଦ ହେଲା। ସରକାର ସବୁ ଶୁଣିଲେ ଆଉ ସବୁ ଶୁଣି ପୁଣି ଶୋଇଗଲେ। ସେହିପରି ଫରେଷ୍ଟ ଗାର୍ଡ, ଏଲ୍‌‌ ଆଇ ପରୀକ୍ଷାର ଅନିୟମିତତା ଓ ବିଗତ ଦିନରେ ଏସଆଇ ଏବଂ ଅନ୍ୟାନ୍ୟ ପରୀକ୍ଷାଗୁଡ଼ିକରେ ମଧ୍ୟ ସମଯାତନା।

ତାରିଖ ପରେ ତାରିଖ ଘୁଞ୍ଚାଇ ଦେଇ ଶିକ୍ଷାର୍ଥୀର ସମୟକୁ ନଷ୍ଟ କରିଦିଆଯାଏ। ବୟସ ଗଡ଼଼ିଯିବା ପରେ ଏତେ ସମସ୍ୟାକୁ ଖାତିର ନକରି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଟିଏର ଭବିଷ୍ୟତ କଥା ଥରେ କେହି ଚିନ୍ତା କରନ୍ତି ନାହିଁ। ବାକି ରହିଲେ କିଛି ରାଜନୈତିକ ସମାଲୋଚକ। ଏହିସବୁ ଘଟଣାରେ ଛୁଙ୍କ ଦେଇ ରାଜନୀତି କରିବା ସତେଯେପରି ଗୋଟେ ଗତାନୁଗତିକ ଧାରା ପାଲଟିଗଲାଣି। ସବୁପରେ ଯେବେ ବିଦ୍ୟାର୍ଥୀର ବୟସ ଗଡ଼଼ିଯାଏ ଚାକିରି ନପାଇ ଆଶାୟୀ ଛାତ୍ରଟି ରାଜଧାନୀ ଛାଡ଼ି ଫେରିଆସେ ଭିଟା ମାଟିକୁ।
ଥରେ ଚିନ୍ତା କରନ୍ତୁ ଏତେ ସମସ୍ୟାକୁ ନିଜେ ଅଙ୍ଗେ ନିଭାଇବା ପରେ ତା’ ଭିତରେ ଆଉ ମାନବିକତାର ଧୈର୍ଯ୍ୟ ରହିବ ତ? ଜଣେ ମେଧାବୀ ଛାତ୍ରକୁ ଏ ସମାଜର ବ୍ୟବସ୍ଥା ଅସାମାଜିକ ତତ୍ତ୍ୱଙ୍କ ପ୍ରରୋଚନାରେ ଖରାପ୍‌‌ ବାଟକୁ ଯିବା ପାଇଁ ବାଧ୍ୟ କରୁନାହିଁ ତ? ଏବେବି ସମୟ ଅଛି – ସରକାରଙ୍କ ସମେତ ବୁଦ୍ଧିଜୀବୀ ମହଲ ଏହି ସମସ୍ୟାର ସମାଧାନ ପାଇଁ ସଜାଗ ହୁଅନ୍ତୁ। ଆମ ରାଷ୍ଟ୍ରର ଭବିଷ୍ୟତଙ୍କୁ ଏପରି ନଷ୍ଟ କରି ନଦିଅନ୍ତୁ। ଅନ୍ୟ ରାଜ୍ୟମାନଙ୍କ ପରି ଆମରାଜ୍ୟର ପ୍ରତିଯୋଗୀ ବୟସ ସୀମା ବୃଦ୍ଧି ହେଉ। ପ୍ରତ୍ୟେକ ପରୀକ୍ଷା, ଯାହା ଅନ୍ଧାର ଘେରରେ ଅଛି, ତା’ର ତଦନ୍ତ ତୁରନ୍ତ କରାଇ ଶିକ୍ଷାର୍ଥୀ ଭାଇଭଉଣୀଙ୍କୁ ଚାକିରି ଦିଆଯାଉ। ଦୋଷୀ ଦଣ୍ଡ ପାଆନ୍ତୁ ଏବଂ ଆଗାମୀ ଦିନରେ କିପରି ଚାକିରି କ୍ଷେତ୍ରରେ ଦୁର୍ନୀତି ହେବ ନାହିଁ ତାହାର ସମାଧାନର ବାଟ ବାହାର କରାଯାଉ।

ଆର୍‌‌.ରାହୁଲ୍‌‌ କୁମାର୍‌‌
ଭୁବନେଶ୍ୱର, ମୋ:୬୩୭୨୮୨୪୭୬୯

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର