ଗ୍ରୀଷ୍ମପ୍ରବାହ ଓ ବନାଗ୍ନି
ଚଳିତବର୍ଷ କାଳବୈଶାଖୀର ପ୍ରଭାବ ଜାରି ରହିଥିବା ସତ୍ତ୍ବେ ଗତ ଜାନୁଆରି ପହିଲାରୁ ମେ’ ମାସ ପ୍ରଥମ ସପ୍ତାହ ମଧ୍ୟରେ ଆମ ରାଜ୍ୟରେ ୨୯,୧୬୫ ଟି ସ୍ଥାନରେ ବନାଗ୍ନି ଘଟି ପ୍ରାୟ ୪, ୫୭୫.୧୧ ହେକ୍ଟର ଜଙ୍ଗଲକୁ ପ୍ରଭାବିତ କରିଛି। ଗତବର୍ଷ ଠିକ୍ ଏହି ଅବଧି ମଧ୍ୟରେ ୨୨,୮୬୮ ଟି ସ୍ଥାନରେ ବନାଗ୍ନି ସୃଷ୍ଟି ହୋଇ ୪,୦୬୭.୦୫ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଥିବା ବେଳେ ଚଳିତ ବର୍ଷ ବନାଗ୍ନି ସଂଖ୍ୟା ଓ ପ୍ରଭାବିତ ଜଙ୍ଗଲ ପରିମାଣରେ ବୃଦ୍ଧି ଘଟିବା […]
ଚଳିତବର୍ଷ କାଳବୈଶାଖୀର ପ୍ରଭାବ ଜାରି ରହିଥିବା ସତ୍ତ୍ବେ ଗତ ଜାନୁଆରି ପହିଲାରୁ ମେ’ ମାସ ପ୍ରଥମ ସପ୍ତାହ ମଧ୍ୟରେ ଆମ ରାଜ୍ୟରେ ୨୯,୧୬୫ ଟି ସ୍ଥାନରେ ବନାଗ୍ନି ଘଟି ପ୍ରାୟ ୪, ୫୭୫.୧୧ ହେକ୍ଟର ଜଙ୍ଗଲକୁ ପ୍ରଭାବିତ କରିଛି। ଗତବର୍ଷ ଠିକ୍ ଏହି ଅବଧି ମଧ୍ୟରେ ୨୨,୮୬୮ ଟି ସ୍ଥାନରେ ବନାଗ୍ନି ସୃଷ୍ଟି ହୋଇ ୪,୦୬୭.୦୫ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଥିବା ବେଳେ ଚଳିତ ବର୍ଷ ବନାଗ୍ନି ସଂଖ୍ୟା ଓ ପ୍ରଭାବିତ ଜଙ୍ଗଲ ପରିମାଣରେ ବୃଦ୍ଧି ଘଟିବା ନିଶ୍ଚିତ ଚିନ୍ତାର ବିଷୟ।
ଓଡ଼ିଶାରେ ବାର୍ଷିକ ହାରାହାରି ୨୩୮ ହେକ୍ଟର ଜଙ୍ଗଲ ବନାଗ୍ନି କାରଣରୁ ଧ୍ୱଂସ ପାଇଥାଏ। ଗତ ଦଶବର୍ଷର ଜଙ୍ଗଲ କ୍ଷୟ ପରିସଂଖ୍ୟାନ ଅଧ୍ୟୟନ ଅନୁଯାୟୀ ଆମ ରାଜ୍ୟରେ ଶିଳ୍ପ, ଖଣି ଓ ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ଯେତିକି ଜଙ୍ଗଲ ନଷ୍ଟ ହୋଇଛି, ତାହାର ଚାରିଗୁଣରୁ ଅଧିକ ଜଙ୍ଗଲ ନିଅାଁରେ ପୋଡ଼ିଯାଇଛି। ଶିଳ୍ପ, ଖଣି ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ନିମନ୍ତେ ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ ଅନୁଯାୟୀ ଆବଶ୍ୟକ ଜଙ୍ଗଲ ଜମିରୁ ଗଛ କାଟିବା ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଥା’ନ୍ତି। ତେବେ ଗତ ଦଶବର୍ଷ ମଧ୍ୟରେ ଏହିସବୁ କାର୍ଯ୍ୟ ପାଇଁ ପାଖାପାଖି କୋଡ଼ିଏ ହଜାର ହେକ୍ଟର ଜଙ୍ଗଲ କଟାଯାଇଥିବା ବେଳେ ଏହା ବଦଳରେ ଆଇନ ଅନୁଯାୟୀ କ୍ଷତିପୂରକ ବନୀକରଣ ଯୋଜନାରେ ପ୍ରାୟ ୨୩ ହଜାର ହେକ୍ଟର ଜମିରେ ୧୦୬ କୋଟିରୁ ଅଧିକ ଅର୍ଥ ବ୍ୟୟ କରି ନୂତନ ଜଙ୍ଗଲ ସୃଷ୍ଟି କରାଯାଇଛି। ଅପରପକ୍ଷେ ବନାଗ୍ନି ଯୋଗୁଁ ଗତ ଦଶବର୍ଷରେ ଓଡ଼ିଶାରେ ୮୭ ହଜାର ହେକ୍ଟରରୁ ଅଧିକ ଜଙ୍ଗଲ ପ୍ରଭାବିତ ହୋଇଥିବା କୁହାଯାଇଛି।
ବନାଗ୍ନିର ମୂଳଉତ୍ସ ଯାହା ହେଉନା କାହିଁକି, ଖରାଦିନ ଆରମ୍ଭରୁ ରାଜ୍ୟର ମୋଟ ୫୨ଟି ଜଙ୍ଗଲ ମଣ୍ଡଳର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟି ଜଙ୍ଗଲ ନଷ୍ଟ ହେବା ସହ ମୂଲ୍ୟବାନ ଉଭିଦ ଓ ପ୍ରାଣିସମ୍ପଦର ବହୁଳ କ୍ଷତି ଘଟି ଚାଲିଛି। ଏତଦ୍ବ୍ୟତୀତ ବନାଗ୍ନି ଧୂମ ଓ ତାପ ସୃଷ୍ଟି କରି ପରିବେଶ ପ୍ରଦୂଷଣର ପ୍ରମୁଖ କାରଣ ସାଜୁଥିବାରୁ ଏହା ଆଖପାଖ ଅଞ୍ଚଳର ତାତିକୁ ଅସହ୍ୟ କରିଦେଉଛି। ‘ଟେମ୍ପରେଚର’ ପତ୍ରିକାରେ ପ୍ରକାଶିତ ଏକ ଗବେଷଣାତ୍ମକ ତଥ୍ୟ ଅନୁସାରେ ୨୦୦୧ ରୁ ୨୦୧୯ ମସିହା ମଧ୍ୟରେ ଚରମ ତାପମାତ୍ରା ଯୋଗୁଁ ଭାରତରେ ୧୯,୬୯୩ ଜଣଙ୍କର ଅଂଶୁଘାତରେ ପ୍ରାଣ ଯାଇଛି।
ବନୀକରଣ ମାଧ୍ୟମରେ ନୂତନ ଜଙ୍ଗଲ ସୃଷ୍ଟି ଯେତିକି ଆବଶ୍ୟକ, ବନାଗ୍ନିକୁ ରୋକାଯିବା ତା’ଠାରୁ ଢେର ଅଧିକ ଜରୁରୀ। ଆଧୁନିକ ବିଜ୍ଞାନ ଜଗତରେ ଉପଗ୍ରହ ମାଧ୍ୟମରେ ଚିତ୍ର ଉତ୍ତୋଳନ କରି ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥା ତୁରନ୍ତ ସିଧାସଳଖ ବନାଗ୍ନି ବିଷୟରେ ଅବଗତ କରାଇବା ଏକ ଅତ୍ୟାଧୁନିକ ପଦକ୍ଷେପ ବୋଲି ଧରାଯାଇପାରେ। ଏହି ତଥ୍ୟକୁ ଆଧାର କରି ବନବିଭାଗର ବନଖଣ୍ଡ, ବନାଞ୍ଚଳ, ଉପଖଣ୍ଡ, ବିଟ୍ ଭଳି ପ୍ରତ୍ୟେକ ସ୍ତରର ଅଧିକାରୀ ଓ କର୍ମଚାରୀଙ୍କ ଆନ୍ତରିକ ତତ୍ତ୍ୱାବଧାନରେ ବନ ସଂରକ୍ଷଣ ସମିତି, ସେଚ୍ଛାସେବୀ, ପ୍ରକୃତିପ୍ରେମୀ, ସାଧାରଣ ଜନତାଙ୍କ ସହଭାଗିତା ରହିଲେ ବନାଗ୍ନିକୁ ଆୟତ୍ତ କରାଯିବା ନିହାତି ସହଜ ହେବ।
ଦେଶର ପ୍ରାୟ ୯୫ ଶତାଂଶ ବନାଗ୍ନି ମନୁଷ୍ୟକୃତ ବୋଲି ବିଭିନ୍ନ ସର୍ବେକ୍ଷଣରୁ ଜଣାପଡ଼ିଛି। କିନ୍ତୁ ସାଧାରଣ ଲୋକଙ୍କ ମଧ୍ୟରେ ବନାଗ୍ନିକୁ ନେଇ ଯେଉଁ ପରିମାଣରେ ସଚେତନତା ସୃଷ୍ଟି ହେବା କଥା ତା’ହା ଏ ପର୍ଯ୍ୟନ୍ତ ଆସିନାହିଁ। ଲୋକଙ୍କ ଅସାବଧାନତା ଓ ଖାମଖିଆଲି ମନୋଭାବ ମୂଲ୍ୟବାନ ଜଙ୍ଗଲ ଧ୍ୱଂସର କାରଣ ସାଜିଛି। ପୋଡ଼ୁଚାଷ ପାଇଁ କିମ୍ୱା ଜଙ୍ଗଲଜାତ ଦ୍ରବ୍ୟ ଗୋଟାଇବା ପାଇଁ ଜଙ୍ଗଲରେ ନିଅାଁ ଲଗାଯିବା, ଜଳନ୍ତା ବିଡ଼ି ବା ସିଗାରେଟ୍ ଅବଶେଷରୁ ଶୁଖିଲା ପତ୍ରରେ ନିଅାଁ ଲାଗି ବନାଗ୍ନି ସୃଷ୍ଟି ହେବା ଆମ ଦେଶରେ ସାଧାରଣ କଥା ହୋଇଯାଇଛି। ତେଣୁ ବନାଗ୍ନି ରୋକିବାକୁ ହେଲେ ବନବିଭାଗରେ ଯଥେଷ୍ଟ ସଂଖ୍ୟକ ଅଭିଜ୍ଞ ଓ କୁଶଳୀ କର୍ମଚାରୀଙ୍କୁ ନିୟୋଜିତ କରିବା ଦରକାର। ଯାହାଦ୍ୱାରା ସେମାନେ ସାଧାରଣ ଲୋକଙ୍କୁ ଏ ଦିଗରେ ସଚେତନ କରିବା ସହ ସେମାନଙ୍କ ସହଯୋଗରେ ବନାଗ୍ନି ଦୂରୀକରଣର ସଫଳ ଯୋଜନା ପ୍ରସ୍ତୁତ କରିପାରିବେ।
ବୈଷ୍ଣବ ମେହେର
ସିନାପାଲି(ନୂଆପଡ଼ା),
ମୋ: ୯୭୭୭୭୫୩୯୩୫






