ଓଡ଼ିଶାର ଅସ୍ମିତା ଓ ବିକାଶର ସ୍ୱପ୍ନ କେତେ ବାସ୍ତବ?

The Sakala Picture
Published On

ଦୀର୍ଘ ଚବିଶବର୍ଷର ବିଜେଡି ସରକାର ପରେ ଏବେ ବିଜେପି ସରକାର ରାଜ୍ୟ ଶାସନ ଡଙ୍ଗାର ମଙ୍ଗୁଆଳ ସାଜିଛନ୍ତି। ନିର୍ବାଚନ ବେଳେ ଓଡ଼ିଶାର ଅସ୍ମିତାକୁ ନେଇ ରାଜନୈତିକ ଦଳମାନଙ୍କ ଭିତରେ ବାଦାନୁବାଦ ଚାଲିଥିଲା ବେଳେ ଏହାକୁ ଆୟୁଧ କରି ସେମାନେ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଥିଲେ। ରାଜ୍ୟର ସାଢ଼େଚାରିକୋଟି ଲୋକଙ୍କୁ ରାଜ୍ୟର ଅସ୍ମିତା ଓ ସ୍ୱାଭିମାନ ରକ୍ଷା ସହିତ ସାମୂହିକ ବିକାଶ ନିମନ୍ତେ ଡବଲ ଇଞ୍ଜିନ୍‌‌ ସରକାର ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ଶାସନଭାର ହାତକୁ ନେବା ମାତ୍ରେ ଓଡ଼ିଶାର ଇଷ୍ଟ […]

ଦୀର୍ଘ ଚବିଶବର୍ଷର ବିଜେଡି ସରକାର ପରେ ଏବେ ବିଜେପି ସରକାର ରାଜ୍ୟ ଶାସନ ଡଙ୍ଗାର ମଙ୍ଗୁଆଳ ସାଜିଛନ୍ତି। ନିର୍ବାଚନ ବେଳେ ଓଡ଼ିଶାର ଅସ୍ମିତାକୁ ନେଇ ରାଜନୈତିକ ଦଳମାନଙ୍କ ଭିତରେ ବାଦାନୁବାଦ ଚାଲିଥିଲା ବେଳେ ଏହାକୁ ଆୟୁଧ କରି ସେମାନେ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଥିଲେ। ରାଜ୍ୟର ସାଢ଼େଚାରିକୋଟି ଲୋକଙ୍କୁ ରାଜ୍ୟର ଅସ୍ମିତା ଓ ସ୍ୱାଭିମାନ ରକ୍ଷା ସହିତ ସାମୂହିକ ବିକାଶ ନିମନ୍ତେ ଡବଲ ଇଞ୍ଜିନ୍‌‌ ସରକାର ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ଶାସନଭାର ହାତକୁ ନେବା ମାତ୍ରେ ଓଡ଼ିଶାର ଇଷ୍ଟ ପ୍ରଭୁ ଜଗନ୍ନାଥଙ୍କୁ ନିର୍ବିଘ୍ନରେ ଦର୍ଶନ ପାଇଁ ଶ୍ରୀମନ୍ଦିରର ଚାରିଦୁଆର ଖୋଲିଦେଲେ। ରତ୍ନଭଣ୍ଡାର ଖୋଲିଦେବା ସହ ଏହାର ମରାମତି କାମକୁ ହାତକୁ ନେଲେ। କିନ୍ତୁ ସେ କାମ ଏବେ ବି ଅଧୁରା, ଭକ୍ତଙ୍କୁ ସୁବିଧାରେ ଦର୍ଶନ ମିଳିବାରେ ଅନେକ ବାଧା।

ସାଧାରଣଲୋକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଲା ଏବଂ ହଜାର ହଜାର ସଂଖ୍ୟାରେ ଅଭିଯୋଗପତ୍ର ନିଜେ ମୁଖ୍ୟମନ୍ତ୍ରୀ ଲୋକଙ୍କ ହାତରୁ ଗ୍ରହଣ କଲେ। ସେଗୁଡ଼ିକ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଗଲା, ତା’ ଜାଣିବା ତ ସମ୍ଭବ ନୁହେଁ। ଏବେ ପ୍ରାୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ତାଙ୍କର ବିଭିନ୍ନ କାର୍ଯ୍ୟବ୍ୟସ୍ତତା ଯୋଗୁଁଁ ବନ୍ଦ ରହୁଛି। ଏହି କାମଟି ଅବିରତ ଚାଲୁ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଦୁଇ ଉପମୁଖ୍ୟମନ୍ତ୍ରୀ ଅବା ଅନ୍ୟ ଜଣେ ଭାରପ୍ରାପ୍ତ ମନ୍ତ୍ରୀ କ’ଣ ଦାୟିତ୍ୱ ନେଇ ପାରି ନ ଥା’ନ୍ତେ? ଋଣ କରି ଘିଅ ଖାଇବାରେ ଏବର ସରକାର ଏତେ ତତ୍ପର ଯେ ରାଜ୍ୟର ବିକାଶ ନାମରେ ଏପରି ଖର୍ଚ୍ଚମାନ କରୁଛନ୍ତି, ଯ’ଦ୍ୱାରା ମୁଣ୍ଡପିଛା ଋଣଭାର ବଢ଼଼଼ି ଚାଲିଛି। ଆତ୍ମପ୍ରଚାର ନିମନ୍ତେ ପ୍ରତିଦିନ ଅଯଥାରେ କୋଟି କୋଟି ଟଙ୍କାର ବିଜ୍ଞାପନ ଜନିତ ବ୍ୟୟ କରାଯାଉଛି। ଅନାବଶ୍ୟକ ଆଭ୍ୟନ୍ତରୀଣ ଗସ୍ତ ଖର୍ଚ୍ଚ କମୁନାହିଁ। ଯେଉଁକାମ ସ୍ଥାନୀୟ ସରକାରୀ କର୍ମଚାରୀ ବା ଲୋକପ୍ରତିନିଧି ଅନାୟାସରେ କରିପାରନ୍ତେ, ତା’କୁ ରାଜଧାନୀରୁ ମନ୍ତ୍ରୀ, ଅଧିକାରୀମାନେ ଯାଇ ଶିଳାନ୍ୟାସ ବା ଉଦ୍ଘାଟନ କରି ବାହାବା ନେଉଛନ୍ତି।

ଏବେ ବିଜେପି ସରକାର ବିଗତ ସରକାର ଅମଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ନାମ ଓ ରଙ୍ଗ ବଦଳେଇବା ଆରମ୍ଭ କରିଛନ୍ତି। ଏଥିରେ କେବଳ ଦଳୀୟ ସ୍ୱାର୍ଥ ଛଡ଼ା ସାଧାରଣ ଲୋକଙ୍କର କିଛି ଲାଭ ହେଲା କି? ବିଜେପି ସରକାର ଏବେ ନୂଆ ନୂଆ ଯୋଜନା ଓ ପ୍ରତିଶ୍ରୁତି ଗଣମାଧ୍ୟମରେ ଉପସ୍ଥାପନ କରିବା ସହିତ ୨୦୩୬ ବେଳକୁ ନୂଆ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖାଇବା ଆରମ୍ଭ କଲେଣି। ଭଲ କଥା, କିନ୍ତୁ ସେ ସବୁକୁ ଏବେଠାରୁ ନେଇ ଆଣି ଥୋଇ ପାରିବାର ବ୍ୟବସ୍ଥା ନ କଲେ ସେଇ ନଥିପତ୍ର ଭିତରେ ରହି ଉଇ ଚରିଯିବ, ଯାହା ଆଗରୁ ଅନେକବାର ହୋଇଛି। କଥାରେ ଅଛି, କାଲି କାମ ଆଜି କର ଆଉ ଆଜି କାମ ଏବେ କର। ଓଡ଼ିଶାର ଯେଉଁ ବରପୁତ୍ରମାନେ ଓଡ଼ିଶାର ଅସ୍ମିତା ଓ ସ୍ୱାଭିମାନ ପାଇଁ ନିଜକୁ ଉତ୍ସର୍ଗକରି ଦେଶର ସ୍ୱାଧୀନତା ଆଣିବା ସହିତ ଆମକୁ ଭାଷାଭିତ୍ତିକ ରାଜ୍ୟଟିଏ ଦେଇଗଲେ, ସେମାନଙ୍କ ଭିତରୁ ଜଣେ ବି ଏ ଯାଏଁ ‘ଭାରତରତ୍ନ’ ସମ୍ମାନରେ ସମ୍ମାନିତ ହୋଇପାରିଲେ ନାହିଁ। ଏଥିରେ ଆମ ରାଜ୍ୟର ଅସ୍ମିତା କ୍ଷୁଣ୍ଣ ହେଉନି କି? ଏହାଠାରୁ ଦୁଃଖର କଥା ଆଉ କ’ଣ ହୋଇପାରେ?

ଓଡ଼ିଶାର ଯୋଗ୍ୟ ସନ୍ତାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଅନେକ ପଦକ୍ଷେପ ନେଇ ଓଡ଼ିଶାରେ ଶିଳ୍ପ ବିପ୍ଳବର ମୂଳଦୂଆ ସ୍ଥାପନ କରିଥିଲେ। ଉତ୍କଳଗୌରବ ମଧୁସୂଦନ ଓ ଉତ୍କଳମଣି ଗୋପବନ୍ଧୁଙ୍କର ସେ ପ୍ରକୃତ ଦାୟାଦ ଥିଲେ ବୋଲି ଆମେ କହିବାରେ କିଛି ଭୁଲ୍‌‌ ହେବନି। ସେତେବେଳର ଓଡ଼ିଶାରେ ଶିଳ୍ପ ବିକାଶ ଉତ୍ତୁଙ୍ଗ ଶିଖରକୁ ଛୁଇଁ ପାରିଥିଲା। ପାରାଦୀପ ବନ୍ଦର, ରାଉରକେଲା ଇସ୍ପାତ ଓ ସାର କାରଖାନା, ହୀରାକୁଦ ଡ୍ୟାମ, ବଡ଼ମ୍ବା ଓ ବରଗଡ଼଼଼ ଚିନି କାରଖାନା, ଓଡ଼ିଶା ଟେକ୍ସଟାଇଲ ମିଲ୍‌‌, କୋଣାର୍କ ଟେଲିଭିଜନକୁ କେହି ଭୁଲିପାରିବେ କି? ସରକାର ବଦଳିଗଲା ବୋଲି ତାଙ୍କ ଅବଦାନକୁ ଭୁଲିଯିବା ଅପରାଧରେ ଗଣାହେବ। ଓଡ଼ିଶା ପ୍ରଶାସନକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସେ ୧୩ଟି ଜିଲ୍ଲାରୁ ୩୦ଟି ଜିଲ୍ଲା ଗଠନ କରିଥିଲେ। ତାଙ୍କର ସେଇ ମହତ୍‌‌ ଉଦ୍ଦେଶ୍ୟ ଏବେ ପୂରଣ ହୋଇ ପାରୁଥିଲା ପରି ମନେ ହେଉନାହିଁ।

ଜିଲ୍ଲାମାନଙ୍କରେ ନିୟୋଜିତ ହଜାର ହଜାର ସରକାରୀ କର୍ମଚାରୀଙ୍କ ବେତନ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲା ବେଳେ ଅଧ୍ୟୁଷିତ ଅଞ୍ଚଳରେ ବାସ କରୁଥିବା ସାଧାରଣ ଲୋକମାନଙ୍କର ସେମାନେ ଆସ୍ଥାଭାଜନ ହୋଇପାରୁ ନାହାନ୍ତି। କାରଣ ସେମାନଙ୍କ ସୁଖ ସୁବିଧା ଦେଖିବା ବଦଳରେ ଅନେକ ନିଜର ସୁଖ ସୁବିଧାକୁ ଅଧିକ ଶ୍ରେୟ ମନେ କରୁଛନ୍ତ। ପୋଲଭରମ୍‌‌ ନିମନ୍ତେ ଆମ ରାଜ୍ୟର ଅପୂରଣୀୟ କ୍ଷତି ହେବାକୁ ବସିଛି। ଛତିଶଗଡ଼଼଼ ଆମ ରାଜ୍ୟର ଜୀବନଧାରା ମହାନଦୀରେ ଏକାଧିକ ବ୍ୟାରେଜ୍‌‌ ନିର୍ମାଣ କରିବା ଫଳରେ ମହାନଦୀ ଓ ତା’ ଶାଖାନଦୀର ଶଯ୍ୟାମାନ ବର୍ଷସାରା ଶୁଖିଲା ପଡୁଛି। ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଆମର ମାତୃଭାଷା ଓଡ଼ିଆକୁ ଏବେ ବି ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ବାସ କରୁଥିବା ଓଡ଼ିଆ ଭାଇଭଉଣୀ ମାନେ ଶିକ୍ଷା କରିବାର ମୌଳିକ ଅଧିକାରରୁ ବଞ୍ଚିତ।

ପ୍ରତିଦିନ ଖବରକାଗଜମାନଙ୍କରେ ପ୍ରକାଶ ପାଉଥିବା ବିଭିନ୍ନ ଅଞ୍ଚଳର ସମସ୍ୟାବହୁଳ ଅନେକ ବାସ୍ତବ ବିକଳ ଚିତ୍ରମାନ ଶାସନକଳର ଦୃଷ୍ଟିକୁ ଆସୁଥିଲା ପରି ମନେ ହେଉନାହିଁ। ରୋଗୀ ବଣଜଙ୍ଗଲର ଦୁର୍ଗମ ରାସ୍ତାରେ ଖଟିଆ-ଭାରରେ ଡାକ୍ତରଖାନାକୁ ଆସିବା, ପିଇବାପାଣି ପାଇଁ କେତେ କିଲୋମିଟର ବାଟ ଚାଲି ଚାଲି ଯିବା, ଅନାହାରରେ ଆମ୍ବଟାକୁଆ ଜାଉ ଖାଇବା, ଛାତ୍ରଛାତ୍ରୀମାନେ ବିପଦସଙ୍କୁଳ ଭରାନଦୀରେ ପଶି ପାରିହେବା, ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର, ଫର୍ମାସିଷ୍ଟ ନଥିବା ଯୋଗୁଁଁ ରୋଗୀ ହନ୍ତସନ୍ତ ହେବା, ସୁଲଭ ଦରରେ ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ପାଇବା ପାଇଁ ଚାଷୀଭାଇ ଅସୁବିଧାରେ ପଡ଼ିବା – ଏମିତି ଅଗଣିତ ସମସ୍ୟାର ଜାଲରେ ପଡ଼ି ଛଟପଟ ହେଉଥିବା ଲୋକଙ୍କ ପାଇଁ ସରକାରଙ୍କ ଭୂମିକା କ’ଣ କିଛି ନାହିଁ?
ଏବେ ରାଜ୍ୟରେ ଦାଦନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। କାମ ନପାଇ ଲୋକେ ବାହାରକୁ ଯାଇ ଯାହା ତ ରୋଜଗାର କରୁଛନ୍ତି, ତହିିଁରେ ଅତ୍ୟାଚାରିତ ଓ ମୃତ୍ୟୁର ଶିକାର ହେଉଛନ୍ତି। ଚାଷୀ ଭାଇଙ୍କ ଦୁଃଖ କେବେ ଲାଘବ ହେବ ସେ କଥା ସରକାରଙ୍କୁ ଜଣା। ଅଭାବୀ ବିକ୍ରୀ ସହିତ ଫସଲ ସାଇତି ରଖିବାର ଘୋର ଅସୁବିଧା ପାଇଁ ସେମାନେ କି ହଇରାଣ ହରକତ ହେଉଛନ୍ତି ସେ କଥା ସମସ୍ତେ ଜାଣୁଥିଲେ ବି ପ୍ରତିକାର ବ୍ୟବସ୍ଥା ହୋଇ ପାରୁନାହିଁ। ଶୀତଳ ଭଣ୍ଡାର ନିର୍ମାଣ ଘୋଷଣା ପରେ ପୂରାପୁରି ଶିଥିଳ ପଡ଼ିଯାଇଛି।

ଏଣୁ ହେ ସରକାର! ୨୦୩୬ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖନ୍ତୁ, ମନା ନାହିଁ। କିନ୍ତୁ ବର୍ତ୍ତମାନ ସରକାରର ଅବଧି ଆଉ ଚାରିବର୍ଷ ଆଖିର ପଲକରେ ଚାଲିଯିବ। ତେବେ ସେଇ ସ୍ୱପ୍ନରୁ କିଛିଟା ସାକାର କରିବାକୁ ଚେଷ୍ଟାକରିବା ନିମନ୍ତେ ଏବେଠାରୁ ମନ୍ତ୍ରୀ, ନେତା ଓ ରାଜ୍ୟସ୍ତରୀୟ ପଦାଧିକାରୀମାନେ ପ୍ରତି ମାସରେ ଅନ୍ତତଃ ଗୋଟିଏ ଜିଲ୍ଲାରେ ସାତଦିନ ରହଣି କରି ସେ ଜିଲ୍ଲାର କୋଣ ଅନୁକୋଣର ସୁବିଧା ଅସୁବିଧାକୁ ହୃଦୟଙ୍ଗମ କରନ୍ତୁ। ସମୀକ୍ଷା କରନ୍ତୁ ଏବଂ ସେ ସବୁର ଆଶୁ ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଏ ପ୍ରକ୍ରିୟା ସେତେଦିନ ଯାଏଁ ଚାଲୁ ରହୁ, ଯେତେବେଳେ ପର୍ଯ୍ୟନ୍ତ ରାଜ୍ୟର ସାଧାରଣ ଲୋକଟିର ମୁହଁରେ ସନ୍ତୋଷର ଆଭା ଫୁଟି ଉଠି ନଥିବ।

ରାମ ନାରାୟଣ ମିଶ୍ର
ଭୁବନେଶ୍ୱର, ମୋ: ୭୯୭୮୪୬୬୪୧୫

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର