‘ଗିରଫଦାରି’ର କାହାଣୀ

The Sakala Picture
Published On

ପୁଲିସ ଚାକିରି ଅନ୍ୟାନ୍ୟ ବୃତ୍ତିଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଲାଗେ ଶିଶୁ ବୟସରେ। ମୁଣ୍ଡରେ ଟୋପି, ପାଦରେ ବୁଟ୍‌‌, ଗୋଟେ ହାତରେ ବେତ ସାଙ୍ଗକୁ ଆର ହାତରେ ହାତକଡ଼ି- ଏତେ ସବୁ ଦେଖିଲେ ଲାଗେ ପୁଲିସର କ୍ଷମତା ଢେର ବେଶି। ପୁଣି ତା’ର ଅଣ୍ଟାପାଖରେ ଝୁଲୁଥାଏ ଗୋଟାଏ ବନ୍ଧୁକ। ଅନେକ ଭାରତୀୟ ଫିଲ୍ମରେ ପୁଲିସ ହିଁ ପାଇଥାଏ ନାୟକର ମାନ୍ୟତା। ସେ ବଡ଼ ବଡ଼ ଦସ୍ୟୁମାନଙ୍କୁ କାବୁ କରିପାରେ, ଅପରାଧୀମାନଙ୍କୁ ଦମନ କରିପାରେ ଆଉ ସେମାନଙ୍କୁ ଗିରଫ କରିବାର […]

ପୁଲିସ ଚାକିରି ଅନ୍ୟାନ୍ୟ ବୃତ୍ତିଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଲାଗେ ଶିଶୁ ବୟସରେ। ମୁଣ୍ଡରେ ଟୋପି, ପାଦରେ ବୁଟ୍‌‌, ଗୋଟେ ହାତରେ ବେତ ସାଙ୍ଗକୁ ଆର ହାତରେ ହାତକଡ଼ି- ଏତେ ସବୁ ଦେଖିଲେ ଲାଗେ ପୁଲିସର କ୍ଷମତା ଢେର ବେଶି। ପୁଣି ତା’ର ଅଣ୍ଟାପାଖରେ ଝୁଲୁଥାଏ ଗୋଟାଏ ବନ୍ଧୁକ। ଅନେକ ଭାରତୀୟ ଫିଲ୍ମରେ ପୁଲିସ ହିଁ ପାଇଥାଏ ନାୟକର ମାନ୍ୟତା। ସେ ବଡ଼ ବଡ଼ ଦସ୍ୟୁମାନଙ୍କୁ କାବୁ କରିପାରେ, ଅପରାଧୀମାନଙ୍କୁ ଦମନ କରିପାରେ ଆଉ ସେମାନଙ୍କୁ ଗିରଫ କରିବାର କ୍ଷମତା କେବଳ ପୁଲିସର – ଏମିତି ଏକ ଅବବୋଧ ସାଧାରଣ ଭାବରେ ଅନେକଙ୍କ ଭିତରେ ରହିଥାଏ ବହୁଦିନ ପର୍ଯ୍ୟନ୍ତ।

ପୁଲିସ ପାଖରେ ବହୁ କ୍ଷମତା ରହିଛି ଯୁଗ ଯୁଗ ଧରି। ରାଷ୍ଟ୍ରର ପ୍ରତିନିଧି ଭାବରେ ଆଭ୍ୟନ୍ତରୀଣ ନିରାପତ୍ତାର ଦାୟିତ୍ୱ ନେଉଥିବା ପୁଲିସ କ୍ଷମତାଶୀଳ ନ ହେଲେ ଚୋର ତସ୍କର, ଡାକୁ, ଜୁଆଡ଼ିଠାରୁ ଆରମ୍ଭ କରି ଅଭ୍ୟାସଗତ ଅପରାଧୀମାନଙ୍କୁ କିଏ ବା ନିୟନ୍ତ୍ରଣ କରିପାରିବ? ଶହଶହ ବର୍ଷତଳେ ପୁଲିସ ପ୍ରତି ଭୟ ଥିଲା ଲୋକଙ୍କର; ଆଜି ବି ସେଇ ଭୟ ରହିଛି ଆଉ ସେଇ ଭୟର ମୂଳ କାରଣ ହେଲା ପୁଲିସ ନିକଟରେ ଥିବା ଗିରଫ କରିବାର କ୍ଷମତା।

ଗିରଫ କହିଲେ ସାଧରଣ ଲୋକଟିଏ ଭାବେ ଯେ ତା’କୁ ପୁଲିସ ହାତକଡ଼ି ପକେଇ ଥାନାକୁ ନେଇଯିବ, ଯେଉଁଠି ତା’ ପାଖରେ ନଥିବ କୌଣସି ସ୍ୱାଧୀନତା। ଆମ ଦେଶର ଲୋକଙ୍କର ହାତକଡ଼ିକୁ ଭୟ ସର୍ବାଧିକ। ତାହା ଯେ ଭାରି କଷ୍ଟଦାୟକ ସେମିତି ନୁହେଁ; ମାତ୍ର ତାହା ଜଣକର ଆତ୍ମସମ୍ମାନ ସବୁ ଉଜାଡ଼ି ଦିଏ ସାଙ୍ଗେ ସାଙ୍ଗେ; ଏଇମିତି ଗୋଟିଏ ଧାରଣା ବଳବତ୍ତର ରହିଛି ଗାଁ ଠାରୁ ସହରଯାଏଁ। ଏଇ ଗିରଫଦାରି ଏଡ଼ାଇବା ପାଇଁ ଲୋକଟିଏ କେତେବେଳେ ପୁଲିସକୁ ପ୍ରଭାବିତ କରେ, କେବେ ନ୍ୟାୟାଳୟରୁ ଆଗୁଆ ଜାମିନ ପାଇବାକୁ ଓକିଲ ବାବୁଙ୍କ ଦ୍ୱାରସ୍ଥ ହୁଏ କିମ୍ବା ନେତା-ମନ୍ତ୍ରୀଙ୍କ ଗୋଡ଼ତଳେ ପଡ଼ି ମାମଲାରୁ ନିଜକୁ ଖସେଇ ଦେବାକୁ ଉଦ୍ୟମ କରେ। ଏମିତି କେହି ଲୋକ ନାହାନ୍ତି ଯିଏ କି ଗିରଫଦାରି ଖବର ପାଇ ଭୟ ନ କରି ରହିପାରିବ। ଆମେରିକା ପରି ଦେଶରେ ଗିରଫଦାରି ମାନେ ହେଲା ହାତରେ ପକେଇ ଦିଆଯାଏ ହାତକଡ଼ି। ଆଉ ସେ ଦେଶର ଲୋକମାନେ ଏତେ ଉଦ୍‌‌ବିଗ୍ନ ହୁଅନ୍ତି ନାହିଁ କିମ୍ବା ଗିରଫଦାରି ଏଡ଼ାଇବା ପାଇଁ ବହୁ କଷ୍ଟରେ ଅର୍ଜିତ ସମ୍ପତ୍ତିକୁ ସମର୍ପି ଦିଅନ୍ତି ନାହିଁ କାହାରି ପାଖରେ।

ସାଧାରଣରେ ଧାରଣା ସୃଷ୍ଟି ହୋଇଛି ଯେ କେବଳ ପୁଲିସ ହି ଗିରଫ କରିବା ପାଇଁ ଆଇନରେ ଅଧିକାରପ୍ରାପ୍ତ। ଅଧିକାର ଏପରି ଏକ କ୍ଷମତା ତାହା କେବଳ ସମ୍ପୃକ୍ତ ବ୍ୟକ୍ତି ହିଁ ପ୍ରୟୋଗ କରିପାରେ। ମନୋଜ ଦାସଙ୍କର କୌତୂହଳପ୍ରଦ କାହାଣୀ ପ୍ରଣିଧାନଯୋଗ୍ୟ – ଗୋଟିଏ ରାଜ୍ୟର ମନ୍ତ୍ରୀ ରାଜାଙ୍କ ନିକଟକୁ ଗୋଟିଏ ଛୁଟି ଦରଖାସ୍ତ ପଠାଇ ଜଣେଇ ଦେଲେ ଯେ ସେ ଗାୟତ୍ରୀ ସାଧନା କରିବାକୁ ମାସେ ଛୁଟି ନେବାକୁ ଚାହୁଁଛନ୍ତି। ରାଜା ମନ୍ତ୍ରୀଙ୍କୁ ଡକାଇଲେ ଏବଂ ଗାୟତ୍ରୀ ଶ୍ଳୋକଟି ଆବୃତ୍ତି କରି କହିଲେ ‘ଏତିକି ଶିଖିବା ପାଇଁ କ’ଣ ଆପଣଙ୍କୁ ମାସେ ସମୟ ଲୋଡ଼ା?’ ମନ୍ତ୍ରୀ ରାଜାଙ୍କ ସହିତ ବାଦାନୁବାଦ କଲେ ନାହିଁ; ମାତ୍ର ନମ୍ରତାର ସହ କହିଲେ, ‘ମହାରାଜ! ସାଧନା କେବଳ ଶ୍ଳୋକ ନୁହେଁ; ଏହା କିଛି ଅଧିକାର ପ୍ରଦାନ କରେ, ଯାହା ସମସ୍ତଙ୍କ ନିକଟରେ ନଥାଏ। ସମୟ ସୁବିଧା ଦେଖି ମୁଁ ଆପଣଙ୍କୁ ବୁଝାଇ ଦେବି।’ କିଛିଦିନ ଗଲାପରେ ରାଜସଭାରେ ମନ୍ତ୍ରୀ ମହୋଦୟ ସେନାପତିଙ୍କୁ ଆଦେଶଦେବା ଢଙ୍ଗରେ କହିଲେ, ‘ରାଜାଙ୍କୁ ଗିରଫ କର’। ରାଜା ହଠାତ୍‌‌ ବୁଝିପାରିଲେ ନାହିଁ। ତହୁଁ ସେ ସେନାପତିଙ୍କୁ ଲକ୍ଷ୍ୟ କରି କହିଲେ, ‘ସେନାପତି ତୁରନ୍ତ ମନ୍ତ୍ରୀଙ୍କୁ ଗିରଫ କର।’ ସେନାପତି କାଳବିଳମ୍ବ ନ କରି ମନ୍ତ୍ରୀଙ୍କ ହାତରେ କଡ଼ି ପିନ୍ଧାଇଦେଲେ। ଏବେ ରାଜାଙ୍କ ଆଡ଼କୁ ଶ୍ରଦ୍ଧାପୂର୍ଣ୍ଣ ଭାବରେ ଅନାଇ ମନ୍ତ୍ରୀ କହିଲେ, ‘ମହାରାଜ ଏବେ ମୋର ସେ ଦିନର ଅପୂର୍ଣ୍ଣ କଥା ବୁଝାଇଦେଲି- ଆପଣ ବୁଝି ସାରିଥିବେ ବୋଧହୁଏ।’ ରାଜା ହଠାତ୍‌‌ ବୁଝି ପାରିଲେ ନାହିଁ। ମନ୍ତ୍ରୀ ସୂଚେଇ ଦେଲେ ଯେ, ‘ଦେଖନ୍ତୁ ଅଧିକାର ଏପରି କ୍ଷମତା, ଯାହା ଅଧିକାରପ୍ରାପ୍ତ ବ୍ୟକ୍ତି ହିଁ ପ୍ରୟୋଗ କରିପାରିବେ। ଆପଣ ଓ ମୁଁ ଦୁହେଁ ଏକା କଥା କହିଲେ। ମାତ୍ର ସେନାପତି ଆପଣଙ୍କ କଥା ମାନିଲେ। ତା’ର କାରଣ ହେଲା ସେହି କ୍ଷମତା କେବଳ ଆପଣଙ୍କର।’

ଲୋକେ ବି ଭାବନ୍ତି ଗିରଫ କରିବାର କ୍ଷମତା କେବଳ ପୁଲିସ ପାଖରେ ଅଛି। ମାତ୍ର ଆଇନ ଅନୁସାରେ ମାଜିଷ୍ଟ୍ରେଟ ଅପରାଧୀକୁ ଗିରଫ କରିବା ପାଇଁ ଆଦେଶ ଦେଇପାରିବେ ପୁଲିସକୁ। ଆଗରୁ ଆମେ ଏ ସମ୍ପର୍କିତ ନିୟମ ସିଆରପିସି ବା ଭାରତୀୟ ଦଣ୍ଡପ୍ରକ୍ରିୟା ସଂହିତାରୁ ଅଧ୍ୟୟନ କରୁଥିଲେ, ଯାହା ଏବେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଭାବରେ ସଂଶୋଧିତ ହୋଇଛି। ପୁଲିସ କଗନିଜେବ୍‌‌ଲ ଅଫେନସ ବା ଧର୍ତ୍ତବ୍ୟ ଅପରାଧ କ୍ଷେତ୍ରରେ ବିନା ମାଜିଷ୍ଟ୍ରେଟଙ୍କ ଆଦେଶରେ ଅପରାଧୀଙ୍କୁ ଗିରଫ କରିପାରିବେ। ତା’ଛଡ଼ା ଦୁର୍ଦ୍ଦାନ୍ତ ଅପରାଧୀମାନେ କୌଣସି ଅପରାଧ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ମଧ୍ୟ ଅପରାଧୀକୁ ଗିରଫ କରିବା ପାଇଁ କୌଣସି ଅଦାଲତ ବା ନ୍ୟାୟମୂର୍ତ୍ତିଙ୍କ ଆଦେଶ ଆବଶ୍ୟକ ନୁହେଁ।

ଗିରଫ କରିବା ବେଳେ ପୁଲିସ କ’ଣ କ’ଣ ନିୟମ ମାନିବେ ସେ କଥା ସର୍ବୋଚ୍ଚ ନ୍ୟାୟାଳୟ ବିଶଦ ଭାବରେ ଆଦେଶପତ୍ର ଜାରି କରିଛନ୍ତି। ଯେଉଁ ବ୍ୟକ୍ତିଙ୍କୁ ଗିରଫ କରାଯାଏ ତାଙ୍କର ମଧ୍ୟ କିଛି ଆଇନଗତ ଅଧିକାର ରହିଛି। ସେଗୁଡ଼ିକ ପ୍ରତ୍ୟେକ ବ୍ୟକ୍ତି ଜାଣିରଖିବା ଦରକାର। ଉଦାହରଣସ୍ୱରୂପ, କୌଣସି ସ୍ତ୍ରୀଲୋକଙ୍କୁ ରାତିରେ ଗିରଫ କରାଯାଇପାରିବ ନାହିଁ, କୌଣସି ଲୋକଙ୍କୁ ପୁଲିସ ଗିରଫ କଲେ ତାଙ୍କୁ କାହିଁକି ଗିରଫ କରାଯାଉଛି ତାହା ଜଣାଇବାକୁ ବାଧ୍ୟ, ପ୍ରତ୍ୟେକ ଗିରଫ ହେଉଥିବା ବ୍ୟକ୍ତିଙ୍କଠାରୁ ଇଚ୍ଛା ବିରୋଧରେ ବଳପୂର୍ବକ କିଛି କଥା ଆଦାୟ କରାଯାଇପାରିବ ନାହିଁ, ଗିରଫ ହେବାର ଚବିଶ ଘଣ୍ଟା ଭିତରେ ତାଙ୍କୁ ଅଦାଲତରେ ହାଜିର କରାଯିବ ଏବଂ ତାଙ୍କର ଓକିଲଙ୍କୁ ସେ ଡକାଇପାରିବେ ଇତ୍ୟାଦି। ମାତ୍ର ମୁଖ୍ୟ କଥାଟି ହେଲା ଆମ ଦେଶର ଆଇନ ଅନୁସାରେ ପୁଲିସ ଖାଲି ଅପରାଧୀକୁ / ମୁଦାଲାକୁ କହି ଦେଲେ ‘ତମକୁ ଗିରଫ କରାଗଲା’ ତାହା ହୁଏ ଯଥେଷ୍ଟ। ସମସ୍ତଙ୍କୁ ହାତକଡ଼ି ପକେଇବା ଦରକାର ନାହିଁ। ମାତ୍ର ଯେଉଁଠି ଅଭିଯୁକ୍ତ ଖସି ପଳେଇଯିବାର ଆଶଙ୍କା ଥାଏ ସେଠାରେ ହାତକଡ଼ି ପକେଇବାର କ୍ଷମତା ପୁଲିସର ରହିଛି। ଏପରିକି ବେଳେବେଳେ ହାତକଡ଼ି ସହିତ ଗୋଡ଼ରେ ବି ବେଡ଼ି ପକାଯାଏ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ନିୟନ୍ତ୍ରଣ କରିବା ପାଇଁ।

ଗିରଫ କରିବାର କ୍ଷମତା ଭିତରେ ଅନେକ ଇଚ୍ଛାଧୀନ କ୍ଷମତା ରହିଯାଏ, ଯେଉଁଥିପାଇଁ ପୁଲିସ ଅଧିକାଂଶ ସମୟରେ ତା’କୁ ମନଇଚ୍ଛା ପ୍ରୟୋଗ କରି ସମାଲୋଚନାର ଶିକାର ହୁଏ। ଏତଲାରେ ମିଛ ପ୍ରୟୋଗ କରି ପୁଲିସ ବହୁ ସମୟରେ ସାଧାରଣ ଲୋକଙ୍କୁ ହଇରାଣ କରିବାର ଅନେକ ଉଦାହରଣ ରହିଛି। ଶହେ ବର୍ଷରୁ ଅଧିକ କାଳ ଆଗରୁ ରାଧାନାଥ ରାୟ ‘ଦରବାର’ରେ ଲେଖିଥିଲେ-

କିଏ କହଇ ମୁଁ ଅଟଇ ପୁଲିସ ବିନା ମେଘେ ସୃଜି ପାରଇ କୁଳିଶ / କିବା ଦୁଃଖୀ ରଙ୍କି କି କୋଟି ପତି ୟେ, ଲାଲ ପଗଡ଼଼ିକି ନ ଡରନ୍ତି କିଏ? / ମୋତେ ଦେଖି କିଏ ନ ଭଜେ କମ୍ପକୁ? କିଏ ନ ଡରଇ ଉଚ୍ଚଫଣା ତମ୍ପକୁ?

ଆଜି ଅବଶ୍ୟ ପୁଲିସର ନାଲି ପଗଡ଼଼ି ନାହିଁ, ମାତ୍ର ପୁଲିସ ପ୍ରତି ଭୟ କେତେ ରହିଛି ତାହା ବିଜ୍ଞଜନେଙ୍କୁ ଅଜଣା ନୁହେଁ। କିନ୍ତୁ ଆଜିର ଯୁଗରେ ଯେଉଁ ମିଛ ପୁଲିସ ଉତ୍‌‌ପୀଡ଼ନ ସୀମା ଲଙ୍ଘିଛି, ତାହା ହେଉଛି ଗୋଟିଏ ରକମର ସାଇବର ଫ୍ରଡ ବା ଅନଲାଇନ ଠକେଇ। ଏଥିରେ ଆପଣଙ୍କ ନିକଟକୁ ହ୍ୱାଟସଅପରେ ସୂଚନା ଆସିବ ଆପଣଙ୍କୁ ସିବିଆଇ କିମ୍ବା ଆୟକର କିମ୍ବା ପଦସ୍ଥ ପୁଲିସ ଅଧିକାରୀ କଥାହେବାକୁ ଚାହୁଁଛନ୍ତି। ଆପଣଙ୍କୁ ଏମିତି ଧମକ ମିଳିବ ଯେ ଆପଣ ହିତାହିତ ଜ୍ଞାନ ଭୁଲିଯିବେ ଏବଂ ଆପଣଙ୍କୁ ଡିଜିଟାଲ ଆରେଷ୍ଟ କରାଗଲା ବୋଲି କୁହାଯାଇ କୌଣସି ବେଆଇନ କାମରେ ଆପଣଙ୍କ ହାତ ଅଛି ବୋଲି ଧମକ ଚମକ ଦିଆଯିବ। ନିକଟରେ ବହୁ ପଦାଧିକାରୀ ଶିକ୍ଷିତ ବ୍ୟକ୍ତି ଏପରି ପ୍ରତାରଣାର ଶିକାର ହୋଇଛନ୍ତି। ଏପରି ଫୋନ ଆସିଲେ କ’ଣ କରିବାକୁ ହେବ ତାହା ମଧ୍ୟ ଭାରତ ସରକାରଙ୍କ ତରଫରୁ ବାରମ୍ବାର ଘୋଷଣା କରାଯାଉଛି। ତା’ ସତ୍ତ୍ବେ କିଛି ସରଳ ବିଶ୍ୱାସୀ ସେଥିରେ ପଡ଼ି ମାନସିକ ଭାରସାମ୍ୟ ହରାଇ ତାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଠକଙ୍କୁ ସମର୍ପି ଦେଉଛନ୍ତି। ଏଥିପ୍ରତି ସମସ୍ତେ ସଜାଗ ରହିବାର ଆବଶ୍ୟକତା ରହିଛି। ଆଇନ ଅନୁସାରେ ଡିଜିଟାଲ୍‌‌ ଆରେଷ୍ଟ ଭଳି କୌଣସି ବ୍ୟବସ୍ଥା ନାହିଁ।

ଗିରଫ ହେବା ଭଳି କାର୍ଯ୍ୟ କରିବା ଅନୁଚିତ; ମାତ୍ର ଅନ୍ୟର ମିଛ ମାମଲାରେ ଗିରଫ ହେଲେ ଅନୁଶୋଚନା ରହିବା ବି ଉଚିତ୍‌‌ ନୁହେଁ। ଅବଶ୍ୟ ଶେଷରେ ସତ୍ୟର ଜୟ ହୋଇଯାଏ।

ଡ. ନିରଞ୍ଜନ ସାହୁ
(ପୂର୍ବତନ ପ୍ରଶାସନିକ ଅଧିକାରୀ)
ଭୁବନେଶ୍ୱର, ମୋ: ୯୪୩୮୪୮୨୯୧୧

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର