ମନୋରଞ୍ଜନ
ରାଜ୍ୟପାଳଙ୍କ ଲକ୍ଷ୍ମଣରେଖା ବନାମ କ୍ଷମତାଧିକାରର ଅତିକ୍ରିୟା
ତାମିଲନାଡ଼ୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଦୀର୍ଘସମୟ ଧରି ପଡ଼ି ରହିଥିବା ୧୦ଟି ବିଧେୟକକୁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମୋଦନ କରିଦେଲେ। ଏଥିସହ ବିଧେୟକ ଅନୁମୋଦନ ପାଇଁ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ସମୟସୀମା ମଧ୍ୟ ନିର୍ଦ୍ଧାରଣ କରିଦେଲେ। ଏ କ୍ଷେତ୍ରରେ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ଅଦାଲତ ନିଜର ସ୍ୱତନ୍ତ୍ର କ୍ଷମତାର ପ୍ରୟୋଗ କରିଛନ୍ତି। ଗତ କିଛିବର୍ଷ ହେଲା କେତେକ ରାଜ୍ୟପାଳ କେନ୍ଦ୍ରରେ କ୍ଷମତାସୀନ ଦଳର ହାତବାରିସୀ ହୋଇ ଯେପରି ଢଙ୍ଗରେ କାର୍ଯ୍ୟ କରୁଛନ୍ତି, ବିଶେଷକରି ଅଣବିଜେପି ଶାସିତ ରାଜ୍ୟମାନଙ୍କରେ […]
ତାମିଲନାଡ଼ୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଦୀର୍ଘସମୟ ଧରି ପଡ଼ି ରହିଥିବା ୧୦ଟି ବିଧେୟକକୁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମୋଦନ କରିଦେଲେ। ଏଥିସହ ବିଧେୟକ ଅନୁମୋଦନ ପାଇଁ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ସମୟସୀମା ମଧ୍ୟ ନିର୍ଦ୍ଧାରଣ କରିଦେଲେ। ଏ କ୍ଷେତ୍ରରେ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ଅଦାଲତ ନିଜର ସ୍ୱତନ୍ତ୍ର କ୍ଷମତାର ପ୍ରୟୋଗ କରିଛନ୍ତି। ଗତ କିଛିବର୍ଷ ହେଲା କେତେକ ରାଜ୍ୟପାଳ କେନ୍ଦ୍ରରେ କ୍ଷମତାସୀନ ଦଳର ହାତବାରିସୀ ହୋଇ ଯେପରି ଢଙ୍ଗରେ କାର୍ଯ୍ୟ କରୁଛନ୍ତି, ବିଶେଷକରି ଅଣବିଜେପି ଶାସିତ ରାଜ୍ୟମାନଙ୍କରେ ନିର୍ବାଚିତ ସରକାରମାନଙ୍କର କ୍ଷମତାକୁ ଗୌଣ କରିବାକୁ ଉଦ୍ୟମ କରୁଛନ୍ତି ସେହିଦୃଷ୍ଟିରୁ ଉପରୋକ୍ତ ରାୟ ସ୍ୱାଗତଯୋଗ୍ୟ ନିଶ୍ଚୟ। ତେବେ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉପରୋକ୍ତ ରାୟର ପୁନଃସମୀକ୍ଷା (ଏସ୍ଏଲ୍ପି) ଦାଖଲ କରିଛନ୍ତି।
ପୂର୍ବରୁ ସମାନ ଘଟଣାରେ କେରଳ ଓ ପଶ୍ଚିମବଙ୍ଗ ସରକାର ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ନ୍ୟାୟାଳୟ କେନ୍ଦ୍ର ସରକାର ଏବଂ ଦୁଇ ରାଜ୍ୟର ରାଜ୍ୟପାଳଙ୍କ ସଚିବଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି.ଆନନ୍ଦ ବୋଷଙ୍କ କାର୍ଯ୍ୟାଳୟରେ ୨୦୨୨ ମସିହାରୁ ୮ଟି ବିଧେୟକ ଏବଂ କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାଁଙ୍କ ନିକଟରେ ୨୦୨୧ ମସିହାରୁ ୭ଟି ବିଧେୟକ ଅନୁମୋଦନ ଅପେକ୍ଷାରେ ପଡ଼ିରହିଛି। ସମାନ ଧରଣର ମାମଲାରେ ୨୦୨୩ ମସିହାରେ ପଞ୍ଜାବ ରାଜ୍ୟପାଳଙ୍କୁ କଡ଼ା ଚେତାବନୀ ଦେଇ ‘ନିଆଁ ସହ ନ ଖେଳିବା’ ପାଇଁ ଅଦାଲତ କହିଥିଲେ। ଅଦାଲତଙ୍କ ଏହି ମନ୍ତବ୍ୟ ପରେ ପଡ଼ି ରହିଥିବା ୪ଟି ବିଧେୟକକୁ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଅନୁମୋଦନ କରିଥିଲେ। ଏହି ମାମଲାରେ ଅଦାଲତ କହିଥିଲେ ଯେ, କୌଣସି ବିଧେୟକ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକେଇ ରଖିବାର ଅଧିକାର ରାଜ୍ୟପାଳଙ୍କ କ୍ଷମତା ପରିସରଭୁକ୍ତ ନୁହେଁ। ଅଦାଲତଙ୍କ ଏହି ମନ୍ତବ୍ୟ ସତ୍ତ୍ବେ ରାଜ୍ୟପାଳମାନଙ୍କ ଆଚରଣରେ ପରିବର୍ତ୍ତନ ଘଟିପାରିଲା ନାହିଁ। ଫଳରେ ତାମିଲନାଡ଼ୁ କ୍ଷେତ୍ରରେ ଶୀର୍ଷ ଅଦାଲତ କଠୋର ମନୋଭାବ ପୋଷଣ କଲେ।
ଦେଶର ସର୍ବୋଚ୍ଚ ଅଦାଲତ ୧୯୭୪ ମସିହାରେ ସମଶେର ସିଂହ ବନାମ ପଞ୍ଜାବ ସରକାର ମାମଲାରେ ସ୍ପଷ୍ଟ କରିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳର ପରାମର୍ଶ ଓ ସହାୟତା ଅନୁଯାୟୀ ରାଜ୍ୟପାଳ କାର୍ଯ୍ୟ କରିବାକୁ ବାଧ୍ୟ। ତେବେ ସମ୍ବିଧାନର ଧାରା ୧୫୪(୧)ରେ ରାଜ୍ୟପାଳଙ୍କ ନିକଟରେ ରାଜ୍ୟର କାର୍ଯ୍ୟନିର୍ବାହୀ କ୍ଷମତା ନ୍ୟସ୍ତ ରହିଥିବାରୁ ଏହି ଆଳରେ ମନ୍ତ୍ରିମଣ୍ଡଳ ସୁପାରିସରେ ରାଜ୍ୟପାଳ ଅଙ୍କୁଶ ଲଗାଉଥିବା ପରିଲକ୍ଷିତ ହେଉଛି, ଯାହା ସାମ୍ବିଧାନିକ ଦୃଷ୍ଟିକୋଣରୁ ବୈଧ ମନେହୁଏ ନାହିଁ। ମନ୍ତ୍ରିପରିଷଦ ଓ ରାଜ୍ୟପାଳଙ୍କ କ୍ଷମତା ସମ୍ବିଧାନ ପ୍ରଦତ୍ତ। ଦେଶରେ ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥା ବଳବତ୍ତର ରଖିବା ଉଦ୍ଦେଶ୍ୟରେ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥା’ନ୍ତି। ଅର୍ଥାତ ରାଜ୍ୟପାଳ କେନ୍ଦ୍ରର ପ୍ରତିନିଧି ଭାବେ ରାଜ୍ୟରେ ଅବସ୍ଥାପିତ ହୋଇଥା’ନ୍ତି। କିନ୍ତୁ ରାଜ୍ୟପାଳ କେନ୍ଦ୍ରୀୟ ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟ କରୁଥିବାରୁ ରାଜ୍ୟରେ ନିର୍ବାଚିତ ସରକାରର କ୍ଷମତା ଓ ଅଧିକାର ସଂକୁଚିତ ହେଉଛି। ୨୦୧୮ ମସିହାରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସରକାର ଗଢ଼ିବା ପାଇଁ କୌଣସି ଦଳ ପୂର୍ଣ୍ଣ ବହୁମତ ପାଇପାରି ନ ଥିଲେ। ବିଜେପି ସର୍ବାଧିକ ୧୦୪ ଆସନରେ ଜିତିଥିଲା। ଜନତା ଦଳ (ଏସ୍ ) ଓ କଂଗ୍ରେସର ନିର୍ବାଚନ ପରବର୍ତ୍ତୀ ମେଣ୍ଟ କରି ସରକାର ଗଠନ ପାଇଁ ଦାବି ଜଣାଇଥିଲେ ମଧ୍ୟ ତତ୍କାଳୀନ ରାଜ୍ୟପାଳ ମେଣ୍ଟ ଦଳକୁ ଉପେକ୍ଷା କରି ସରକାର ଗଠନ ପାଇଁ ବିଜେପିକୁ ଆମନ୍ତ୍ରଣ କରିଥିଲେ ଏବଂ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ଦୀର୍ଘ ୧୮ ଦିନ ସୁଯୋଗ ଦେଇଥିଲେ। ଶେଷରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ୩ ଦିନ ଭିତରେ ବିଜେପି ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦରୁପ୍ପା ସଂଖ୍ୟାଗରିଷ୍ଠତା ପ୍ରମାଣ ଦେଇ ନପାରି ଇସ୍ତଫା ଦେବାକୁ ବାଧ୍ୟ ହେଲେ। ଏକ୍ଷେତ୍ରରେ ରାଜ୍ୟପାଳଙ୍କ ଇଚ୍ଛା ବିବାଦୀୟ ଥିବା ଅଭିଯୋଗ ଆସିଥିଲା।
ସମ୍ବିଧାନର ଧାରା ୧୭୪ରେ ରାଜ୍ୟପାଳଙ୍କର କେତେକ ଇଚ୍ଛାଧୀନ କ୍ଷମତା ରହିଛି। କିନ୍ତୁ ଏହା ସାମ୍ବିଧାନିକ ଦୃଷ୍ଟରୁ ନିରଙ୍କୁଶ ନୁହେଁ। ୨୦୧୫ ମସିହାରେ ଅରୁଣାଚଳ ପ୍ରଦେଶ ବାଚସ୍ପତି ବନାମ ରେବିୟା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟର ୫ ଜଣିଆ ସମ୍ବିଧାନ ଖଣ୍ଡପୀଠ ତତ୍କାଳୀନ ରାଜ୍ୟପାଳ ଜେ.ପି.ରାଜଖୋୟାଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କରି ବିଧାନସଭା ଅଧିବେଶନ ସମୟ ଓ କାର୍ଯ୍ୟସୂଚୀ ରାଜ୍ୟପାଳ ଧାର୍ଯ୍ୟ କରିପାରିବେ ନାହିଁ ବା ସରକାରଙ୍କ ସହ ପରାମର୍ଶ ନକରି ବିଧାନସଭାକୁ ସମ୍ବୋଧିତ କରିପାରିବେ ନାହିଁ ବୋଲି କହିଥିଲେ। ୨୦୧୫ ମସିହାର ଅରୁଣାଚଳ ରାଜନୈତିକ ଘନଘଟା ମଧ୍ୟରେ ରାଜ୍ୟପାଳ ରାଜଖୋୟା ରାଜ୍ୟ ସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଜାରି କଲେ। ୨୦୧୬ ମସିହାରେ ସମ୍ବିଧାନ ଖଣ୍ଡପୀଠ ରାଷ୍ଟ୍ରପତି ଶାସନକୁ ବେଆଇନ ଦର୍ଶାଇ ସରକାରଙ୍କୁ ପୁନର୍ବାହଲ କଲେ। ରାଜ୍ୟପାଳଙ୍କ ପଦକ୍ଷେପକୁ ସମାଲୋଚନା କରି ଅଦାଲତ କହିଥିଲେ ଯେ ଯାହା ଘଟିଲା ତାହା ସମ୍ବିଧାନ ପ୍ରତି ଚାପୁଡ଼ା ସଦୃଶ। ଏହା ପରେ ମଧ୍ୟ ରାଜ୍ୟପାଳ ଇସ୍ତଫା ନଦେବାରୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ବରଖାସ୍ତ କରିଥିଲେ।
ସରକାର ଗଠନ, ବିଧାନସଭା ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା, ରାଜକ୍ଷମା ପ୍ରଦାନ, ବିଧାନସଭା ଭଙ୍ଗ ଆଦି ବାବଦରେ ରାଜ୍ୟପାଳଙ୍କ ଯେଉଁ ଇଚ୍ଛାଧୀନ କ୍ଷମତା ରହିଛି ତାହା ନ୍ୟାୟପାଳିକାର ତର୍ଜମାଯୁକ୍ତ। ସଦସ୍ୟ ଅଯୋଗ୍ୟ ଘୋଷଣା କ୍ଷେତ୍ରରେ ମଧ୍ୟ ରାଜ୍ୟପାଳ ନିର୍ବାଚନ ଆୟୋଗଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବା ଆବଶ୍ୟକ। କିନ୍ତୁ ଦେଖାଯାଉଛି ରାଜ୍ୟପାଳଙ୍କ କ୍ଷମତା ପ୍ରୟୋଗର ପରିଭାଷା କ୍ରମଶଃ ବଦଳିବାରେ ଲାଗିଛି ଏବଂ ସମ୍ବିଧାନର ଲକ୍ଷ୍ମଣରେଖା ରାଜ୍ୟପାଳମାନେ ଅତିକ୍ରମ କରିବାକୁ ପସନ୍ଦ କରୁଛନ୍ତି।
ସର୍ବୋଚ୍ଚ ନ୍ୟାୟାଳୟରେ ଆଗତ ପଶ୍ଚିମବଙ୍ଗ ମାମଲାରେ ଅଧିକାଂଶ ବିଧେୟକ ହେଉଛି ଶିକ୍ଷା ସଂକ୍ରାନ୍ତ। ଶିକ୍ଷା ବିଷୟ ରାଜ୍ୟ ଅଧିକାରଭୁକ୍ତ। ରାଜ୍ୟ ଆଇନ ଅନୁଯାୟୀ ବିଶ୍ୱବିଦ୍ୟାଳୟଗୁଡ଼ିକ ପରିଚାଳିତ। ତେବେ ରାଜ୍ୟର ପ୍ରଥମ ନାଗରିକ ଦୃଷ୍ଟିରୁ ରାଜ୍ୟପାଳଙ୍କୁ ସରକାରୀ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ବୈଧାନିକ ଦାୟିତ୍ୱ ପ୍ରଦାନ କରାଯାଇଥାଏ। ରାଜ୍ୟପାଳ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତି କରିବା ସହ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରିଥା’ନ୍ତି। ସମ୍ମାନସ୍ପଦ ଡିଗ୍ରୀ ପ୍ରଦାନକୁ ଅନୁମୋଦନ କରିଥା’ନ୍ତି। କିନ୍ତୁ ଏ ସମସ୍ତ ପ୍ରକ୍ରିୟା ରାଜ୍ୟ ଶିକ୍ଷା ବିଭାଗ ନିୟନ୍ତ୍ରଣାଧୀନ। ରାଜ୍ୟପାଳଙ୍କୁ ପ୍ରଦତ୍ତ କ୍ଷମତାରେ ବ୍ୟତିକ୍ରମ ଘଟିବାରୁ ପଶ୍ଚିମବଙ୍ଗ ସରକାର ରାଜ୍ୟପାଳଙ୍କ କ୍ଷମତା ସଙ୍କୁଚିତ କରିବା ପାଇଁ ବିଧାନସଭାରେ ରାଜ୍ୟ ଶିକ୍ଷା ଆଇନ ବିଧେୟକ ଆଣିଲେ। ଏହି ବିଧେୟକଗୁଡ଼ିକ ୨୦୨୨ ମସିହାରୁ ରାଜ୍ୟପାଳଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ବିଧେୟକ ଅନୁମୋଦନ ନକଲେ ଏହାକୁ ଫେରସ୍ତ କରିବା ପାଇଁ ସମ୍ବିଧାନରେ ବ୍ୟବସ୍ଥା ରହିଛି। ଏହା ନକରି ରାଜ୍ୟପାଳ ବିଭିନ୍ନ ଆଳରେ ଦୀର୍ଘ ଦିନ ଧରି ବିଧେୟକ ଅଟକେଇ ରଖିବା ଅସାମ୍ବିଧାନିକ। କେନ୍ଦ୍ର-ରାଜ୍ୟ ସମ୍ପର୍କ ନଥିବା ବିଧେୟକଗୁଡ଼ିକ ମଧ୍ୟ ଅଟକାଯାଉଛି।
ପୂର୍ବରୁ ତାମିଲନାଡ଼ୁର ଡିଏମ୍କେ ସରକାରର ଜଣେ ମନ୍ତ୍ରୀଙ୍କ ଦଣ୍ଡାଦେଶ ଉପରେ ଅଦାଲତ ରହିତାଦେଶ ଜାରି କରିବା ପରେ ସମ୍ପୃକ୍ତ ମନ୍ତ୍ରୀଙ୍କୁ ପୁନର୍ବାର ଶପଥ ଗ୍ରହଣ କରାଇବାକୁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ସୁପାରିସ କଲେ। କିନ୍ତୁ ରାଜ୍ୟପାଳ ଏନ. ରବି ଏହାକୁ କାର୍ଯ୍ୟକାରୀ କଲେ ନାହିଁ। ଏହି ଘଟଣାରେ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟପାଳଙ୍କ ଆଚରଣ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରି ‘ଗୋଟିଏ ରାତି ମଧ୍ୟରେ ନିଜ ସାମ୍ବିଧାନିକ ସ୍ଥିତି ସୁଧାର’ ବୋଲି ଚେତାବନୀ ଦେଇଥିଲେ। ଏହି ମନ୍ତବ୍ୟ ପରେ ରାଜ୍ୟପାଳ ତତ୍ପର ହୋଇ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ଅତୀତରେ ଉଦ୍ଧବ ଠାକ୍ରେ ନେତୃତ୍ୱଧୀନ ସରକାର ପତନ ପରିପ୍ରେକ୍ଷୀରେ ମଧ୍ୟ ରାଜ୍ୟପାଳ ରାଜନୈତିକ ପ୍ରକ୍ରିୟା ସହ ଜଡ଼ିତ ହେବା ଉଚିତ୍ ନୁହେଁ, କି କୌଣସି ସରକାର ପତନରେ ମଧ୍ୟ ଭାଗିଦାରୀ ହେବା ଉଚିତ୍ ନୁହେଁ ବୋଲି ଦେଶର ଶୀର୍ଷ ଅଦାଲତ ମନ୍ତବ୍ୟ ଦେଇଥିଲେ। ଉଦ୍ଧବ ଠାକ୍ରେ ସରକାର ପତନ ରାଜ୍ୟପାଳ ଭଗତ ସିଂ କୋସିୟାରୀଙ୍କ ସମୟରେ ଘଟିଥିଲା, ଯାହା ରାଜନୈତିକ ସ୍ୱାର୍ଥ ଓ ସନ୍ଦେହରୁ ଊର୍ଦ୍ଧ୍ବରେ ନଥିଲା।
ରାଜ୍ୟବାସୀଙ୍କ ନିକଟରେ କୌଣସି ପ୍ରସଙ୍ଗରେ ରାଜ୍ୟପାଳ ଉତ୍ତରଦାୟୀ ନୁହନ୍ତି। ଏଣୁ ସାମ୍ବିଧାନିକ ପରମ୍ପରା ପ୍ରତି ସମ୍ମାନ ଜଣାଇ ରାଜ୍ୟପାଳମାନେ କାର୍ଯ୍ୟ କରିବା ଆବଶ୍ୟକ। କେନ୍ଦ୍ର-ରାଜ୍ୟ ସମ୍ପର୍କ ନିର୍ଦ୍ଧାରଣ ପାଇଁ ୧୯୮୩ ମସିହାରେ ଜଷ୍ଟିସ ଆର.ଏସ୍.ସରକାରିଆ ଓ ୨୦୦୭ ମସିହାରେ ଜଷ୍ଟିସ ମଦନ ମୋହନ ପୁଞ୍ଚି ଆୟୋଗ ଗଠନ କରାଯାଇଥିଲା। ଆୟୋଗ ନିଜ ରିପୋର୍ଟରେ ରାଜ୍ୟପାଳଙ୍କ କ୍ଷମତାର ସୀମା ସରହଦ ସମ୍ପର୍କରେ ମଧ୍ୟ ସୂଚିତ କରିଛନ୍ତି। ଏହାକୁ ରାଜ୍ୟପାଳମାନେ ଅନୁସରଣ କରି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।
ସୌଭାଗ୍ୟ ସୁନ୍ଦରରାୟ
(ବରିଷ୍ଠ ସାମ୍ବାଦିକ)
କଟକ, ମୋ: ୯୪୩୭୨୨୯୨୩୩






