ବାର୍ଦ୍ଧକ୍ୟ: ଏକ ଅବ୍ୟକ୍ତ ଯନ୍ତ୍ରଣା
ପଦ୍ମ ପୁରାଣରେ ବର୍ଣ୍ଣନା ଅଛି – ‘ପିତା ଧର୍ମ ପିତା ସ୍ୱର୍ଗ, ପିତା ହିଁ ପରମ ତପ / ପିତରି ପ୍ରତିମା ପନ୍ନେ ପ୍ରିୟନ୍ତେ ସର୍ବ ଦେବତା।’ ଅର୍ଥାତ୍ ପିତା ସ୍ୱର୍ଗ ପରି ପୂଜ୍ୟ। ପୁଣି ବାପା ହିଁ ସର୍ବଶ୍ରେଷ୍ଠ ତପସ୍ୟା। ବାପାଙ୍କୁ ପୂଜା କଲେ ସର୍ବଦେବତା ଶାନ୍ତି ପାଆନ୍ତି। ପିତାମାତା ହେଉଛନ୍ତି ଜୀବନର ପ୍ରଥମ ଶବ୍ଦ ପ୍ରଥମ ଅକ୍ଷର। ସିଏ ହିଁ ଅ ଆ ଇ ଈ। ତାଙ୍କଠାରୁ ସବୁ ଶିକ୍ଷା ମିଳେ। ଯାହାଙ୍କଠାରୁ ସବୁ […]
ପଦ୍ମ ପୁରାଣରେ ବର୍ଣ୍ଣନା ଅଛି – ‘ପିତା ଧର୍ମ ପିତା ସ୍ୱର୍ଗ, ପିତା ହିଁ ପରମ ତପ / ପିତରି ପ୍ରତିମା ପନ୍ନେ ପ୍ରିୟନ୍ତେ ସର୍ବ ଦେବତା।’ ଅର୍ଥାତ୍ ପିତା ସ୍ୱର୍ଗ ପରି ପୂଜ୍ୟ। ପୁଣି ବାପା ହିଁ ସର୍ବଶ୍ରେଷ୍ଠ ତପସ୍ୟା। ବାପାଙ୍କୁ ପୂଜା କଲେ ସର୍ବଦେବତା ଶାନ୍ତି ପାଆନ୍ତି। ପିତାମାତା ହେଉଛନ୍ତି ଜୀବନର ପ୍ରଥମ ଶବ୍ଦ ପ୍ରଥମ ଅକ୍ଷର। ସିଏ ହିଁ ଅ ଆ ଇ ଈ। ତାଙ୍କଠାରୁ ସବୁ ଶିକ୍ଷା ମିଳେ। ଯାହାଙ୍କଠାରୁ ସବୁ ଶିକ୍ଷା ଲାଭ କଲୁ ଆଜି ଆମେ କହୁ ‘ଚୁପ୍ କରି ବସ, ତୁମେ କିଛି ଜାଣିନ।‘ ଆଶ୍ଚର୍ଯ୍ୟ। ଯେଉଁ ବାପା ବର୍ଷ ବର୍ଷ ଧରି କାଖେଇ କୋଳେଇ ଦୁନିଆ ଦାଣ୍ଡରେ ମଣିଷ ପରି ମଣିଷ ଟିଏ କରି ଠିଆ କରାଇଥିଲା, ଆଜି ସିଏ ଅଦରକାରୀ ବୋଝ। ଚାରି ପୁଅ ଚାରି ଭାଗ କରି ବାଣ୍ଟି ଦେଉଛନ୍ତି। ଭାଗ ନ ଛିଡ଼ିଲେ ବୃଦ୍ଧାଶ୍ରମ।
ମୋ ଓଡ଼ିଶାର ସଂସ୍କୃତି ଓ ପରମ୍ପରା କିନ୍ତୁ ଦୟା, ଧର୍ମ, ଶାନ୍ତି, ମୈତ୍ରୀ, ଭ୍ରାତୃତ୍ୱବୋଧ ଓ ମହାମାନବବାଦର ମୂଳଦୁଆ ଉପରେ ପ୍ରତିଷ୍ଠିତ। ପରସ୍ପର ସହିତ ଏକ ନିବିଡ଼ ସମ୍ପର୍କର ରଜୁରେ ବନ୍ଧା ଉତ୍କଳୀୟ ପରିବାର। ସ୍ନେହ, ଶ୍ରଦ୍ଧା, ବଡ଼, ସାନ, ମାନ୍ୟ, ପୁଣ୍ୟ ବିଚାର ସହିତ କଳା ସାହିତ୍ୟ ସଂସ୍କୃତିକୁ ନେଇ ଓଡ଼ିଶା ସମୃଦ୍ଧ। ଏହାର ପାଣି ପବନ ମାଟି ସବୁ ସରଳ ଓ ନିରୀହ। ପୋଥି, ପୁରାଣ, ଶାସ୍ତ୍ର ଜ୍ଞାନର ଗନ୍ତାଘର ହେଉଛି ଓଡ଼ିଶା ମାଟି। ପିତୃ ଦେବୋଭବ, ମାତୃ ଦେବୋଭବକୁ ମୁକ୍ତକଣ୍ଠରେ ସ୍ୱୀକାର କରୁଥିବା ଜାତିର ମା’ ମାଟି ହେଉଛି ମୋ ଓଡ଼ିଶା। ଜାତି, ବର୍ଣ୍ଣ, ଧର୍ମର ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ବକୁ ଉଠି ସେବା, ତ୍ୟାଗ, ଦାନ, ପୁଣ୍ୟ କରନ୍ତି ମୋ ଓଡ଼ିଶାବାସୀ।
ଅଥଚ ଏହି ଓଡ଼ିଶାରେ ଆଜି ଶତାଧିକ ବୃଦ୍ଧାଶ୍ରମ ନିର୍ମାଣ ହୋଇଛି। ଭାରତବର୍ଷରେ କେରଳ ପରି ଅତିଶିକ୍ଷିତ ରାଜ୍ୟରେ ୧୨୪ ରୁ ଅଧିକ ଆଶ୍ରମ ଥିବା ବେଳେ ଦୟା ଧର୍ମର ରାଜ୍ୟ ଓଡ଼ିଶା ଏ କ୍ଷେତ୍ରରେ ଦ୍ୱିତୀୟରେ ଅଛି। ବିଶେଷକରି ଭୁବନେଶ୍ୱର ପରି ସଭ୍ୟ ସହର ମଧ୍ୟରେ ହିଁ ପାଖାପାଖି ୧୦ଟି ବୃଦ୍ଧାଶ୍ରମ ରହିଛି। ଯେଉଁଠି ମୁଠାଏ ଭଲ ଭାତ ମିଳୁଛି ସିଏ ଭଲ, ଯିଏ ଅଧେ ମୁଠା ଭାତ ଦେଉଛି ସିଏ ଖରାପ।
ଉତ୍କଳ ଭୂମି, ଯେଉଁଠି ପଥର ଦେହରେ ଦେବତା, ବୃକ୍ଷ ଡାଳ ପତ୍ରରେ ଲୋକ ଦେବୀଦେବତା ଦେଖନ୍ତି, ବନ୍ଧା ଅବସ୍ଥାରେ ଗାଈଟିଏ ମରିଗଲେ ସାତଦିନ ବେକରେ ପାଳ ଦଉଡ଼ି ଗୁଡ଼େଇ ସାତ ଗାଁ ବୁଲି ଭିକ୍ଷା ମାଗନ୍ତି, ଯେଉଁଠି ଗାଁ ଗାଁରେ ଭାଗବତ ପଢ଼଼ା ହୁଏ ଓ ସନ୍ଧ୍ୟାରେ ସଙ୍କୀର୍ତ୍ତନ ହୁଏ, ପଶୁ ପକ୍ଷୀଙ୍କୁ ଖାଇବାକୁ ଦିଆଯାଏ ସେଠାରେ ବୃଦ୍ଧାଶ୍ରମ ସଂସ୍କୃତି ନିଶ୍ଚୟ ଦୁଃଖଦାୟକ। ଯେଉଁଠି ଅଧିକରୁ ଅଧିକ ଲୋକ ଗରିବ ଓ ଅଶିକ୍ଷିତ, ସେଠାରେ ଆଜି ଶତାଧିକ ଜରାଶ୍ରମ। ଏହା କ’ଣ ଆଶ୍ଚର୍ଯ୍ୟ ହେବାର କଥା ନୁହେଁ। ଓଡ଼ିଶାର ପୁରପଲ୍ଲୀରେ ଆଜି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳୁଛି। ବୃଦ୍ଧ ପିତାମାତାଙ୍କୁ ପିଲାମାନେ ମାସେ ମାସେ ଭାଗ ବାଣ୍ଟି ନିଅନ୍ତି। ମାସେ ବଡ଼ ଘରେ ରହିଲେ ମାସେ ସାନ ଘରେ ରହିବ।
ବୃଦ୍ଧାବସ୍ଥାକୁ ବାନ୍ଧି ଦେଉଛି ନିଜ ଅକର୍ମି ହାତଗୋଡ଼। ଆଖି ମଧ୍ୟ ଆଡ଼ ହେଇ ଯାଉଛି। କାନ ଠିକ୍ ଶୁଣିବାରେ ଅସହଯୋଗ କରୁଛି। ପେଟ ଖାଦ୍ୟ ଜୀର୍ଣ୍ଣ କରିବାକୁ କୁଣ୍ଠାବୋଧ କରୁଛି। ଦାନ୍ତଗୁଡ଼ିକ ପାଟିକୁ ଛାଡ଼ି ନିଜ ବାଟ ଧରୁଛନ୍ତି। ପବନ ବି ବେଳେ ବେଳେ ଧୋକା ଦେଉଛି। ରକ୍ତଚାପ, ମଧୁମେହ, ଅମ୍ଳ ପରି ରୋଗଗୁଡ଼ିକ ଶରୀର ଭିତରେ ପଶି ବାଉଁଶକୁ ପୋକ କଣା କରିଲା ପରି କରି କଣା କରି ଦେଇଥା’ନ୍ତି। ପୋକଖିଆ ବାଉଁଶର ଆୟୂଷ କେତେ? ଏମିତି ପରିସ୍ଥିତିରେ ଆଉ ପୁଅ ଝିଅ ବା କାହିଁକି ସେମାନଙ୍କର ସାଙ୍ଗରେ ରହିବେ? ବାର୍ଦ୍ଧକ୍ୟର ଶେଷ ଆଶ୍ରୟ ହିଁ ହେଉଛି ଜରାଶ୍ରମ। ନାତିନାତୁଣୀଙ୍କୁ ଛାଡ଼ି ଯଦିଓ ରହିବା କଷ୍ଟ, କିନ୍ତୁ ରହିବାକୁ ବାଧ୍ୟ।
ଜୀବନ ସାରା କଞ୍ଚା ମାଟିକୁ ଗଢ଼ି ନିଜ ହାତରେ ତିଆରି କରିଥିବା ପୁଅ ଝିଅ ଯେଉଁଠି ସେବା ଦେବା ଭୟରେ ବୃଦ୍ଧାଶ୍ରମ ଦେଖାଇ ଦେଲେ, ସେଠାରେ ସାମାନ୍ୟ କିଛି ଟଙ୍କା ପାଇଁ କାମ କରୁଥିବା ଜଣେ କର୍ମଚାରୀ କେତେ ସେବା ଦେବେ ସମସ୍ତେ ଜାଣନ୍ତି। ରାତିଦିନ ଏକାଠି କରି ଅନାହାର ଅନିଦ୍ରାରେ ରହି ସମାଜରେ ଯେଉଁ ପୁଅ ଝିଅଙ୍କୁ ମଣିଷ କରି ଠିଆ କରିଥିଲେ, ସେମାନେ ଆଜି ହତାଦର କରି ଆଶ୍ରମକୁ ଠେଲି ଦେଲେ। ଦୁଃଖ ଏତିକି ଯେ ନିଜର ସ୍ୱାଧୀନତା ସେଠାରେ ରହେ ନାହି। ନିଜ ଇଚ୍ଛାରେ କୌଣସି କାର୍ଯ୍ୟ କରି ପାରିବେ ନାହିଁ କି ପାଟିର ରୁଚି ଅନୁଯାୟୀ ଖାଦ୍ୟ ଖାଇ ପାରିବେ ନାହି। ଜୀବନସାରା ଅନ୍ୟକୁ କାମରେ ଲଗାଉ ଥିବା ଲୋକଟା ଶେଷଜୀବନରେ ନିଜେ କାମ କରିବାକୁ ପଡ଼ିବ ଭାବିଲେ କେତେ କଷ୍ଟ ଲାଗୁଛି। ଅଚିହ୍ନା ଅଜଣା ମୁହିଁକୁ ଦେଖି ବିନା ଲୁହରେ କାନ୍ଦିବା ଛଡ଼ା ଅନ୍ୟ ଉପାୟ ନଥାଏ। ନା କାହାକୁ କହି ହେବ ନା ହାଡ଼ ମାଂସ ଦେହ ଧରି ସହି ହେବ।
ଜନ୍ମ କରିଲା ବାପାମା’ଙ୍କୁ ବୃଦ୍ଧାଶ୍ରମ ପଠେଇବା ପୂର୍ବରୁ ନିଜ ବିବେକକୁ ଥରେ ପଚାରି ନିଷ୍ପତ୍ତି ନେଲେ ପୁଣି ଉତ୍କଳୀୟ ସଂସ୍କୃତି ବିଶ୍ୱରେ ନିଜ ଟେକ ରଖିପାରିବ। ସଞ୍ଜର ସୂରୁଜ ଉଷ୍ମତାରେ ଠିଆ ହୋଇଗଲେ ସମସ୍ତ ଅସାଧ୍ୟ ରୋଗ ଦୂର ହୋଇଯିବ। ମଣିଷ ପଣିଆ ଯଦି ମଣିଷ ନିକଟରେ ନ ରହିଲା ସେ କି ମଣିଷ? ଆଜିର ଏହି ଅବିବେକୀ ମଣିଷକୁ ଦେଖିଲେ ଲାଗୁଛି ଯେମିତି ପାଟିରେ ଲୁଗା ଦେଇ ମୁରୁକି ହସୁଛି ମଣିଷ ପଣିଆ। ଅନାବଶ୍ୟକ ବୃଦ୍ଧଶ୍ରମ ଏବଂ ଅନାଥ ଆଶ୍ରମ ଓଡ଼ିଶା ପରି ଶାନ୍ତି ରାଜ୍ୟରେ ନ ହେଉ।
ଜଗନ୍ନାଥ ବେହେରା
ନବରଙ୍ଗପୁର, ମୋ: ୯୪୩୭୭୮୫୧୫୮






