ସମାନ ଧାରାରେ ବେଦ ଓ ବିଜ୍ଞାନ

The Sakala Picture
Published On

ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟି ଏବଂ ପରିଚାଳନା ବିଚିତ୍ର। କେହି କୁହନ୍ତି ଏହା ଭଗବାନଙ୍କ ଦ୍ୱାରା ପରିଚାଳିତ; ଅନ୍ୟ କେହି କୁହନ୍ତି ଏହା ଏକ ବିଜ୍ଞାନ। ଶେଷରେ ସର୍ବସମ୍ମତିକ୍ରମେ ଏକ ମତ ଆସେ ଅଲୌକିକ ପ୍ରକ୍ରିୟାରେ ବ୍ରହ୍ମାଣ୍ଡ ପରିଚାଳିତ। ଅଲୌକିକ ଅର୍ଥାତ୍‌‌ କୌଣସି ମଣିଷ ପରିଚାଳନା କରୁ ନ ଥିବା ସ୍ୱତଃପ୍ରବୃତ୍ତ ପ୍ରକ୍ରିୟା। ଭଲ ହେଉ ବା ମନ୍ଦ ହେଉ ଯାହା ପୂର୍ବରୁ ଚାଲିଥିଲା, ଏବେ ଚାଲିଛି ଏବଂ ଭବିଷ୍ୟତରେ ମଧ୍ୟ ଚାଲିବ। ପ୍ରାଣୀ କେବଳ ଦ୍ରଷ୍ଟା। ବ୍ରହ୍ମାଣ୍ଡର ସୃଷ୍ଟି […]

ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟି ଏବଂ ପରିଚାଳନା ବିଚିତ୍ର। କେହି କୁହନ୍ତି ଏହା ଭଗବାନଙ୍କ ଦ୍ୱାରା ପରିଚାଳିତ; ଅନ୍ୟ କେହି କୁହନ୍ତି ଏହା ଏକ ବିଜ୍ଞାନ। ଶେଷରେ ସର୍ବସମ୍ମତିକ୍ରମେ ଏକ ମତ ଆସେ ଅଲୌକିକ ପ୍ରକ୍ରିୟାରେ ବ୍ରହ୍ମାଣ୍ଡ ପରିଚାଳିତ। ଅଲୌକିକ ଅର୍ଥାତ୍‌‌ କୌଣସି ମଣିଷ ପରିଚାଳନା କରୁ ନ ଥିବା ସ୍ୱତଃପ୍ରବୃତ୍ତ ପ୍ରକ୍ରିୟା। ଭଲ ହେଉ ବା ମନ୍ଦ ହେଉ ଯାହା ପୂର୍ବରୁ ଚାଲିଥିଲା, ଏବେ ଚାଲିଛି ଏବଂ ଭବିଷ୍ୟତରେ ମଧ୍ୟ ଚାଲିବ। ପ୍ରାଣୀ କେବଳ ଦ୍ରଷ୍ଟା। ବ୍ରହ୍ମାଣ୍ଡର ସୃଷ୍ଟି ରହସ୍ୟ ଭେଦ କରିବାର ଶକ୍ତି ତା’ ପାଖରେ ନାହିଁ। କିନ୍ତୁ ବେଳେବେଳେ ମାନବ ତା’ର ଅସ୍ତିତ୍ତ୍ୱକୁ ପ୍ରଦର୍ଶନ କରିବା ପାଇଁ ମୂଲ୍ୟହୀନ ବାଦବିବାଦ କରେ। ଆସନ୍ତୁ ଏ ସମ୍ୱନ୍ଧରେ କିଛି ବିଚାରବିମର୍ଶ କରିବା।

ବିଜ୍ଞାନ କହିଲାଣି ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ଇତ୍ୟାଦି ପାଇଁ ବିଶ୍ୱ ବିପଦମୁଖରେ ଅଛି। ଏହାଦ୍ୱାରା ହିମାଳୟ ଓ ଏଭରେଷ୍ଟ ଆଦି ହିମ ଗିରିଶୃଙ୍ଗର ବରଫ ତରଳୁଛି, ଜଙ୍ଗଲ ନଷ୍ଟ ହେଉଛି। ଫଳରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଛି, ଜୀବଜଗତ ପାଇଁ ମହାବିପଦ ମାଡ଼ିଆସୁଛି। ପ୍ରତିବର୍ଷ ମହାବାତ୍ୟା, ଜଳ ପ୍ରଳୟ, ଭୂକମ୍ପ ଇତ୍ୟାଦି ସଂଘଟିତ ହେଉଛି। ତେଣୁ ଏ ସବୁଥିରୁ ସୁରକ୍ଷା ପାଇଁ ପରିବେଶ ସନ୍ତୁଳନ, ବନୀକରଣ, କଳକାରଖାନା ଓ ଯାନବାହାନ ନିଯନ୍ତ୍ରଣ ଇତ୍ୟାଦି ଅନେକ ପଦକ୍ଷେପ ନେବାକୁ ବିଜ୍ଞାନ ଉପଦେଶ ଦିଏ। ମଧୁମେହ, ରକ୍ତଚାପ, ହୃଦ୍‌‌ରୋଗ, ଅବସାଦ, ଚକ୍ଷୁ ରୋଗ, ବାତ, ଥଣ୍ଡା ଆଦି ରୋଗ ଆଜି ଘରେଘରେ ଦେଖାଦେଇଛି। ଡାକ୍ତରମାନେ କହୁଛନ୍ତି ରାସାୟନିକ ସାର, କୀଟନାଶକ ରହିତ ଜୈବିକ କୃଷିଜାତ ଶସ୍ୟ ବ୍ୟବହାର କରନ୍ତୁ। ଦୈନିକ ଯୋଗ, ପ୍ରାଣାୟାମ ଇତ୍ୟାଦି କରନ୍ତୁ। କିନ୍ତୁ ମାନବ ହେଉଛି ସୁଖ ଖୋଜୁଥିବା ଏକ ଯନ୍ତ୍ର। ତେଣୁ ବୈଜ୍ଞାନିକ ଓ ଡାକ୍ତରଙ୍କ କଥା ମାନବ ଶୁଣେ ସତ, ଅନୁପାଳନ କରେ ନାହିଁ। ପ୍ରତିଦିନ ଗଛ କଟା ହେଉଛି। ଯାନବାହାନ, କଳକାରଖାନା ସଂଖ୍ୟା ବଢ଼଼ିଚାଲିଛି। କୃଷିରେ ସଙ୍କରଜାତୀୟ ବିହନ, ସାର, କୀଟନାଶକର ବ୍ୟବହାର ବଢ଼଼ିଚାଲିଛି।

ଏବେ ଆସନ୍ତୁ ଧର୍ମ-ଉପଦେଶ ବିଷୟରେ ଚିନ୍ତା କରିବା। ଧର୍ମ-ଉପଦେଶ ବିଶ୍ୱର ସର୍ବପ୍ରାଚୀନ ଉପଦେଶ। ମନ୍ତ୍ର ମାଧ୍ୟମରେ ଗୁରୁ ଶିଷ୍ୟଙ୍କୁ ବେଦ ପଢ଼଼ାଉଥିଲେ। ବିଶ୍ୱରେ ଲେଖନ ପ୍ରଣାଳୀ ଯେବେ ଆରମ୍ଭ ହୋଇନଥିଲା ସେତେବେଳେ ମନ୍ତ୍ରଗୁଡ଼ିକୁ ଶୁଣିକରି ମନେ ରଖୁଥିଲେ। ବେଦମନ୍ତ୍ରଗୁଡ଼ିକ ବୈଜ୍ଞାନିକ ତଥ୍ୟ, ପରିବେଶ ସୁରକ୍ଷା, ଔଷଧ, ରୋଗ ନିରାକରଣ, ସାହିତ୍ୟ, ଶିକ୍ଷା ପ୍ରଭୃତିକୁ ଧାରଣ କରିଛି। ବେଦରେ ଗୋଟିଏ ବୈଶିଷ୍ଟ୍ୟ ହେଲା ପ୍ରତ୍ୟେକ ମନ୍ତ୍ର କୌଣସି ଦେବତାଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବା ସହିତ ଏହା ପଛରେ ଗୋଟିଏ ଦୃଢ଼ ମନୋବୈଜ୍ଞାନିକ କାରଣ ମଧ୍ୟ ରହିଛି। ତେଣୁ ପୁରାକାଳରେ ବେଦର ଉପଦେଶକୁ ମାନବସମାଜ ସସମ୍ମାନେ ମାନୁଥିଲେ। ବେଦମନ୍ତ୍ରକୁ ସରଳ କରି ଉପନିଷଦ୍‌‌, ପୁରାଣ, ଗୀତା, ରାମାୟଣ ଇତ୍ୟାଦିରେ ସମାଜକୁ ଉପଦେଶ ଦିଆଯାଇଛି। ଲୋକେ ଏହାକୁ ମାନୁ ଥିବାରୁ ପରିବେଶ ସନ୍ତୁଳିତ ଥିଲା, ଜନସାଧାରଣଙ୍କ ଭିତରେ ସହଭାବନା ଥିଲା, ଲୋକଙ୍କର ଆକାଂକ୍ଷା ଉତ୍ତମ ରହୁଥିଲା। ମୋଟାମୋଟି ଗୋଟିଏ ସୁସ୍ଥ ସମାଜର ବାହକ ଥିଲେ ସେତେବେଳର ଜନତା।

କ୍ରମଶଃ ଆଧୁନିକତା ନାଁରେ ଧର୍ମ ଉପଦେଶ ଉପରେ ବିବିଧ ମିଥ୍ୟା ଆରୋପ ପ୍ରତ୍ୟାରୋପ କରି ଲୋକଙ୍କୁ ସେଥିରୁ ଦୂରେଇ ଦିଆଗଲା। ସମସ୍ତେ ଆଧୁନିକତାକୁ ଶ୍ରେୟ କରି ବଞ୍ଚିଲେ। ଆଧୁନିକତା ନାଁରେ ପ୍ରାଚୀନ ଉପଦେଶ ପରମ୍ପରାକୁ ଆମେ ବନ୍ଦ କରିଦେବାରେ ସମର୍ଥ ହେଲେ ସତ, କିନ୍ତୁ ବର୍ତ୍ତମାନ ଯେତେବେଳେ ଚରମ ବିଶୃଙ୍ଖଳା ସୃଷ୍ଟି ହେଲାଣି ଆମର ବୁଦ୍ଧି ଏବେ କାମଦେଉନି। ସମସ୍ତେ କେବଳ ନିରବ ଦ୍ରଷ୍ଟା। ଯେଉଁମାନେ ପ୍ରାଚୀନ ଉପଦେଶକୁ ବନ୍ଦ କରିବାରେ ଅଗ୍ରଣୀ ଭୂମିକା ନେଇଥିଲେ ସେମାନଙ୍କ ଘରେ ବି ନିଅାଁ ଲାଗିଛି। ଏବେ ବିଶ୍ୱ ମାର୍ଗଦର୍ଶକ ବିହୀନ। ଅନନ୍ୟୋପାୟ ମାନବ ପୁନଃପ୍ରାଚୀନ ଉପଦେଶ ଏବଂ ପରମ୍ପରାକୁ ସ୍ୱତଃ ଖୋଜିଲାଣି।

ଯଜୁର୍ବେଦରେ ଗୋଟିଏ ମନ୍ତ୍ର ଅଛି – ଓଁ ଦୌଃ ଶାନ୍ତିଃ, ଅନ୍ତରୀକ୍ଷ ଶାନ୍ତିଃ, ପୃଥିବୀ ଶାନ୍ତିଃ, ଆପଃ ଶାନ୍ତିଃ, ଓଷଧୟଃ ଶାନ୍ତିଃ, ବନସ୍ପତୟଃ ଶାନ୍ତିଃ, ବିଶ୍ୱେଦେବାଃ ଶାନ୍ତିଃ, ବ୍ରହ୍ମ ଶାନ୍ତିଃ, ସର୍ବଂ ଶାନ୍ତିଃ। ଏହିଭଳି ଋଗ୍‌‌ ବେଦରେ ଅଗ୍ନି ସୂକ୍ତରେ ଅଗ୍ନିଙ୍କୁ ପ୍ରାର୍ଥନା କରାଯାଇଛି ତଥା ଅନେକ ସ୍ଥଳରେ ବିଷ୍ଣୁ, ଶିବ, ଇନ୍ଦ୍ର, ବରୁଣ ଆଦି ଦେବତାମାନଙ୍କୁ ପ୍ରାର୍ଥନା କରାଯାଇଛି। ବେଦରେ ବ୍ରହ୍ମାଣ୍ଡ, ଆକାଶ, ଅନ୍ତରୀକ୍ଷ, ପୃଥିବୀ, ଜଳ, ବୃକ୍ଷଲତା, ଅଗ୍ନି, ମେଘ, ସମୁଦ୍ର, ପର୍ବତ, ନଦୀ ଇତ୍ୟାଦିକୁ ଦେବତା ଭାବରେ ସମ୍ୱୋଧନ କରାଯାଇଛି। ଯେଉଁ ଶକ୍ତିଗୁଡ଼ିକ ବିଶ୍ୱକୁ ପରିଚାଳନା କରୁଛନ୍ତି ସେମାନଙ୍କୁ ଦେବତା ଶବ୍ଦରେ ସମ୍ୱୋଧନ କରି ତାଙ୍କର ପୂଜା ଅର୍ଥାତ୍‌‌ ସୁରକ୍ଷା କରିବା ପାଇଁ ବେଦରେ ଉପଦେଶ ରହିଛି। ଶାନ୍ତିଃ ଅର୍ଥାତ୍‌‌ ସୁରକ୍ଷିତ ବା ଆନନ୍ଦିତ ରୁହନ୍ତୁ। ବିଜ୍ଞାନ ମଧ୍ୟ ସେହି ସମାନ କଥା କହୁଛି ଜଳ ସୁରକ୍ଷା, ପରିବେଶ ସୁରକ୍ଷା, ବୃକ୍ଷ ସୁରକ୍ଷା ଇତ୍ୟାଦି। ବେଦର କଥାକୁ ହିଁ ବିଜ୍ଞାନ କହୁଛି। ଡାକ୍ତର କହୁଛନ୍ତି ଫିଜିଓଥେରାପି, ଶାରୀରିକ ବ୍ୟାୟାମ ଇତ୍ୟାଦି କରିବା ପାଇଁ। ଏହା ହିଁ ବହୁ ପ୍ରାଚୀନ କାଳରୁ ବିରଚିତ ଯୋଗଶାସ୍ତ୍ର କହେ। ଅଥର୍ବ ବେଦ ହିଁ ଔଷଧ ବିଦ୍ୟା। ଆୟୁର୍ବେଦ ଆମ୍ଭର ସର୍ବପ୍ରାଚୀନ ଔଷଧୀୟ ବିଦ୍ୟା। ଚରକ, ଶୁଶ୍ରୁତଙ୍କର ସଂହିତା ଆଧୁନିକ ସର୍ଜରୀର ସହସ୍ର ବର୍ଷ ପୂର୍ବରୁ ସୃଷ୍ଟି। ଧନ୍ୱନ୍ତରୀଙ୍କୁ ଆରୋଗ୍ୟର ଦେବତା ବୋଲି କୁହାଯାଏ। ଆଧୁନିକ ବ୍ୟକ୍ତି କୁହନ୍ତି ଦେବତା ବୋଲି କେହି ନାହାନ୍ତି। ଏ ସବୁ ଅନ୍ଧବିଶ୍ୱାସ। ବେଦ, ଉପନିଷଦ୍‌‌, ଗୀତା କୁହନ୍ତି ବିଶ୍ୱର ସର୍ବତ୍ର ଯେଉଁ ଶକ୍ତି ସଞ୍ଚାରିତ ହେଉଛି ସେହି ଶକ୍ତି ହିଁ ଦେବତା। ଆଧୁନିକ ଭାଷାରେ ଆମେ ଯାହାକୁ ଶକ୍ତି ବୋଲି କହୁ ବେଦରେ ସେହି ପାରିଭାଷିକ ଶବ୍ଦଟି ହେଉଛି ଦେବତା। ସରଳ ଉପାୟରେ ସେହି ଶକ୍ତିର ଜ୍ଞାନ ପାଇଁ ପରବର୍ତ୍ତୀ କାଳରେ ଦେବତାଙ୍କର ରୂପ ପରିକଳ୍ପନା ହୋଇ ବିଗ୍ରହ ମାଧ୍ୟମରେ ତାଙ୍କର ପୂଜା ହେଉଛି। ସେହି ଶକ୍ତିଗୁଡ଼ିକୁ ଲୋକେ ସମ୍ମାନ ଦେବେ ଏବଂ ସମାଜ ଶୃଙ୍ଖଳାରେ ସହାୟକ ହେବେ। ଏତିକି ବୁଝିନଥିବା ଆଧୁନିକ ଶିକ୍ଷିତ ଲୋକଟିଏ ଅଶିକ୍ଷିତ ଭଳି ଧର୍ମ ଏବଂ ବିଜ୍ଞାନ ନାଁରେ ସମାଜରେ ନିଅାଁ ଲଗାଏ।

ଡ. ଭାରତ ଭୂଷଣ ରଥ
(ଉପ ନିର୍ଦ୍ଦେଶକ,
ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ)
ଆନ୍ଧ୍ରପ୍ରଦେଶ, ମୋ: ୮୮୯୭୪୨୬୨୪୩

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର