ଶିକ୍ଷାରେ ଭାଷା ବୋଝ
ୱାକଫ୍(ସଂ) ଆଇନ-୨୦୨୫ ପୃଷ୍ଠଭୂମିରେ ସୃଷ୍ଟ ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ପରେ ପରେ କାଶ୍ମୀରର ପହଲ୍ଗାମ୍ ଆତଙ୍କବାଦୀ ଆକ୍ରମଣ ଜନିତ ଭାବଗମ୍ଭୀର ପରିବେଶ ଭିତରେ ବିଦ୍ୟାଳୟ ପାଠ୍ୟକ୍ରମରେ ବାଧ୍ୟତାମୂଳକ ତ୍ରିଭାଷୀ ପ୍ରଚଳନର ପ୍ରତିବାଦ ସ୍ୱର ସାମୟିକ ଭାବେ ନିଷ୍ପ୍ରଭ ହୋଇଯାଇଛି; କିନ୍ତୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇନାହିଁ। ବିଭିନ୍ନ ରାଜ୍ୟରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଥିବାରୁ ଏହି ସମସ୍ୟାର ଆପୋସ ଓ ତ୍ୱରିତ ସମାଧାନ ନହେଲେ ବୈଧାନିକ ଓ ବ୍ୟବସ୍ଥାଗତ ଜଟିଳତା ସୃଷ୍ଟି ହୋଇପାରେ। ବିଦ୍ୟାଳୟ ଶିକ୍ଷାରେ ତ୍ରିଭାଷା ବିଶେଷକରି […]
ୱାକଫ୍(ସଂ) ଆଇନ-୨୦୨୫ ପୃଷ୍ଠଭୂମିରେ ସୃଷ୍ଟ ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ପରେ ପରେ କାଶ୍ମୀରର ପହଲ୍ଗାମ୍ ଆତଙ୍କବାଦୀ ଆକ୍ରମଣ ଜନିତ ଭାବଗମ୍ଭୀର ପରିବେଶ ଭିତରେ ବିଦ୍ୟାଳୟ ପାଠ୍ୟକ୍ରମରେ ବାଧ୍ୟତାମୂଳକ ତ୍ରିଭାଷୀ ପ୍ରଚଳନର ପ୍ରତିବାଦ ସ୍ୱର ସାମୟିକ ଭାବେ ନିଷ୍ପ୍ରଭ ହୋଇଯାଇଛି; କିନ୍ତୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇନାହିଁ। ବିଭିନ୍ନ ରାଜ୍ୟରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଥିବାରୁ ଏହି ସମସ୍ୟାର ଆପୋସ ଓ ତ୍ୱରିତ ସମାଧାନ ନହେଲେ ବୈଧାନିକ ଓ ବ୍ୟବସ୍ଥାଗତ ଜଟିଳତା ସୃଷ୍ଟି ହୋଇପାରେ। ବିଦ୍ୟାଳୟ ଶିକ୍ଷାରେ ତ୍ରିଭାଷା ବିଶେଷକରି ହିନ୍ଦୀ ଭାଷାର ବାଧ୍ୟତାମୂଳକ ପ୍ରଚଳନକୁ ତାମିଲନାଡ଼ୁ କଡ଼ା ବିରୋଧ ଜାରି ରଖିଥିବା ବେଳେ ମହାରାଷ୍ଟ୍ରରେ ମଧ୍ୟ ବିରୋଧାଭାସ ଦେଖିବାକୁ ମିଳିଛି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀ ବାଧ୍ୟତାମୂଳକ କରିବାକୁ କଡ଼ା ବିରୋଧ କରାଯାଇଛି। ତାମିଲନାଡ଼ୁରେ ଅଣବିଜେପି ସରକାର ଥିବାରୁ ହିନ୍ଦୀ ଶିକ୍ଷା ବିରୋଧର ସମ୍ମୁଖୀନ ହେବା ସ୍ୱାଭାବିକ। କିନ୍ତୁ ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ସରକାରରେ ବିଦ୍ୟାଳୟ ଶିକ୍ଷାରେ ହିନ୍ଦୀ ଭାଷାର ପ୍ରଚଳନକୁ ବିରୋଧ କରାଯିବା ଅସ୍ୱାଭାବିକ ନିଶ୍ଚୟ। ଏହି ବିବାଦୀୟ ପ୍ରସଙ୍ଗ ଏଭଳି ସମସ୍ୟା ସୃଷ୍ଟି କରିଛି ଯେ କେନ୍ଦ୍ର ସରକାର ଓ ତାମିଲନାଡ଼ୁ ସରକାର ଏକପ୍ରକାର ମୁକାବିଲା ସ୍ଥିତିକୁ ଆସିଯାଇଛନ୍ତି। ଏପରିକି ସର୍ବଶିକ୍ଷା ଅଭିଯାନ ଯୋଜନାରେ କେନ୍ଦ୍ର ସରକାର ତାମିଲନାଡ଼ୁକୁ କେନ୍ଦ୍ରୀୟ ଅନୁଦାନ ବନ୍ଦ କରିଦେଇଥିବା ଅଭିଯୋଗ ଆସିଛି।
ଶିକ୍ଷା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଅଧୀନ ନୁହେଁ; ଏହା ଯୁଗ୍ମ ତାଲିକାଭୁକ୍ତ। ଏଣୁ ଜୋରଜବରଦସ୍ତ କେନ୍ଦ୍ର ପ୍ରଣୀତ ଜାତୀୟ ଶିକ୍ଷା ନୀତିକୁ କୌଣସି ରାଜ୍ୟ ଉପରେ ଲଦିଦେବାର ଅଧିକାର କେନ୍ଦ୍ର ସରକାରଙ୍କର ନାହିଁ। ସରକାରଙ୍କ ଏହି ପଦକ୍ଷେପ ସମ୍ବିଧାନର ବିରୁଦ୍ଧାଚରଣ ବୋଲି କୁହାଯାଇପାରେ। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଜାତୀୟ ଶିକ୍ଷା ନୀତି ସଂସଦରେ ଆଲୋଚିତ ହୋଇନାହିଁ। କେବଳ କ୍ୟାବିନେଟ ନିଷ୍ପତ୍ତିକ୍ରମେ ଏହା ପ୍ରଚଳନ କରାଯାଇଛି। ତେଣୁ ଅଣଏନ୍ଡିଏ ଶାସିତ ରାଜ୍ୟମାନଙ୍କରେ ଏହାକୁ ନେଇ ବିବାଦ ଉଠିଛି।
ଜାତୀୟ ଏକତାକୁ ସୁଦୃଢ଼ କରିବା, ଆଞ୍ଚଳିକ ଭାବ ବିନିମୟ ସୁଗମ କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ତ୍ରିଭାଷୀ ସୂତ୍ରର ପ୍ରୟୋଗ ଭାରତରେ ୧୯୬୮ ମସିହାରୁ ଆରମ୍ଭ ହୋଇଛି। କିନ୍ତୁ ଏଥିରୁ କେତେ ସୁଫଳ ମିଳିଛି ତାହା ଅଦ୍ୟାବଧି ସମୀକ୍ଷା ହୋଇନାହିଁ। ୨୦୨୦ରେ ପ୍ରଣୀତ ନୂତନ ଜାତୀୟ ଶିକ୍ଷାନୀତିରେ ଏହି ତ୍ରିଭାଷା ସୂତ୍ର ତଥ୍ୟପ୍ରମାଣ ଉପରେ ପର୍ଯ୍ୟବସିତ ହୋଇନାହିଁ, ବରଂ ବିଚାରଧାରା ଉପରେ କାର୍ଯ୍ୟକାରୀ କରାଯାଉଥିବା କେତେକ ମହଲ ମତ ଦେଉଛନ୍ତି। ଏହି ବିଚାରଧାରା ମଧ୍ୟରେ ଉତ୍ତର ଭାରତୀୟ ଭାଷା ହିନ୍ଦୀକୁ ସର୍ବଭାରତୀୟ କରିବା ନିମନ୍ତେ ଉଦ୍ୟମ କରାଯାଇଛି। ବାସ୍ତବରେ ମରାଠୀ, ପଞ୍ଜବୀ ଓ ଓଡ଼ିଆ ପରି ଇଣ୍ଡୋ-ଆର୍ଯ୍ୟନ ଭାଷା କହୁଥିବା ବ୍ୟକ୍ତିମାନେ ହିନ୍ଦୀଭାଷାକୁ ସହଜରେ ଆୟତ୍ତ କରିପାରନ୍ତି। କାରଣ ଏହିସବୁ ଭାଷାରେ ବ୍ୟାକରଣ, ଉଚ୍ଚାରଣ, ଶବ୍ଦଗତ ସାମଞ୍ଜସ୍ୟ ରହିଛି। କିନ୍ତୁ ତାମିଲ ପରି ଦ୍ରାବିଡ଼ ଭାଷା, ସାନ୍ତାଳୀ ପରି ଅଷ୍ଟ୍ରୋ-ଏସିଆଟିକ ଭାଷା, ମିଜୋ ପରି ତିବ୍ଦତ- ବର୍ମନ ଭାଷାଗୁଡ଼ିକର ହିନ୍ଦୀ ସହ ସାମାନ୍ୟତମ ମଧ୍ୟ ସାମଞ୍ଜସ୍ୟ ନାହିଁ। ଏଣୁ ଏହିସବୁ ରାଜ୍ୟରେ ହିନ୍ଦୀ ଭାଷା ବାଧ୍ୟତାମୂଳକ କରାଗଲେ ପିଲାମାନେ ଭାରାକ୍ରାନ୍ତ ହେବା ସ୍ୱାଭାବିକ। ଏଥିସହ ଅୱଧୀ, ଭୋଜପୁରୀ, ମଗଧୀ, ଛତିଶଗଡ଼଼ି, ରାଜସ୍ଥାନୀ ଆଦି ଅନେକ ସ୍ୱାଧୀନ ଉପଭାଷା ରହିଛି। ଏହା ସମ୍ପୃକ୍ତ ଅଞ୍ଚଳ ପାଇଁ ମାତୃଭାଷା ସଦୃଶ। ତେଣୁ ମାତୃଭାଷାକୁ ମିଶାଇଲେ ଏହି ସମସ୍ତ ଅଞ୍ଚଳର ପିଲାଙ୍କୁ ୪ଟି ଭାଷାର ବୋଝ ବୋହିବାକୁ ପଡ଼ିବ। ଏହା କ୍ଲାନ୍ତିକର ବୋଲି କୁହାଯାଇପାରେ।
ନ୍ୟାସନାଲ ଆଚିଭମେଣ୍ଟ ସର୍ଭେ (ନାସ)-୨୦୧୭ ରିପୋର୍ଟ କହୁଛି ଦେଶରେ ଅଷ୍ଟମ ଶ୍ରେଣୀର ଅଧାକୁ ଅଧିକ ବିଦ୍ୟାର୍ଥୀ ଏକ ସରଳ ପରିଚ୍ଛେଦ ପଢ଼଼ିବା ପାଇଁ ଅସମର୍ଥ। ଏହି ସଂଖ୍ୟକ ବିଦ୍ୟାର୍ଥୀ ନିଜ ଆଞ୍ଚଳିକ ଭାଷାରେ ସାଧାରଣ ରଚନାଟିଏ ଲେଖିବା କିମ୍ବା ବ୍ୟାକରଣ ବୁଝିବା ପାଇଁ ସମର୍ଥ ନୁହନ୍ତି। ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ‘ନାସ୍’ ତୃତୀୟ ଭାଷାର ଦକ୍ଷତାକୁ ବିଚାରକୁ ନେଇ ନାହାନ୍ତି। ନାସ୍ -୨୦୨୧ ରିପୋର୍ଟରେ ଦକ୍ଷତା ପୂର୍ବାପେକ୍ଷା ଅଧିକ ନିମ୍ନଗାମୀ ହୋଇଛି। ଏହାର କାରଣ କୋଭିଡ୍ ମହାମାରୀକୁ ଦିଆଯାଉଛି। ସେହିପରି ‘ପ୍ରଥମ’ ନାମକ ବେସରକାରୀ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ଦେଶର ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଏଏସ୍ଇଆର)ରୁ ଜଣାପଡ଼ିଛି ଯେ, ୨୦୧୮ ମସିହାରେ ଅଷ୍ଟମ ଶ୍ରେଣୀର ୨୭% ବିଦ୍ୟାର୍ଥୀ ନିଜ ଆଞ୍ଚିଳକ ଭାଷାରେ ଦ୍ୱିତୀୟ ଶ୍ରେଣୀ ବିଷୟବସ୍ତୁ ଠିକ୍ ଭାବେ ପଢ଼଼ିପାରୁ ନ ଥିଲେ। ୨୦୨୨ ମସିହା ବେଳକୁ ଏମାନଙ୍କ ସଂଖ୍ୟା ୩୦.୪%କୁ ବୃଦ୍ଧି ପାଇଛି। ତୃତୀୟ ଭାଷା ଦକ୍ଷତା ମୂଲ୍ୟାୟନ ଅଧ୍ୟାବଧି କରାଯାଇ ନାହିଁ।
ଆମ ସମୟରେ ତୃତୀୟ ଭାଷା ଭାବେ ସଂସ୍କୃତ ପଢ଼଼ିଥିବା ବହୁ ବ୍ୟକ୍ତିଙ୍କର ଏହି ପାଠ୍ୟକ୍ରମ ଏବେ ମନେ ନାହିଁ। ପେସାଗତ ବାଧ୍ୟବାଧକତା ଓ ଆବଶ୍ୟକତା ଯୋଗୁଁଁ ସେମାନେ ଓଡ଼ିଆ ଓ ଇଂରାଜୀ ବ୍ୟବହାର ବଳବତ୍ତର ରଖିଛନ୍ତି। ଅନ୍ତର୍ଜାତୀୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ନିମନ୍ତେ ଇଂରାଜୀ ଭାଷାର ନିହାତି ଆବଶ୍ୟକତା ରହିଛି। କିନ୍ତୁ ଏଏସ୍ଇଆର ରିପୋର୍ଟ ଅନୁଯାୟୀ ୫୩.୩% ଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀ ଇଂରାଜୀରେ ଏକ ସାଧାରଣ ବାକ୍ୟ ପଢ଼଼ିପାରୁ ନାହାନ୍ତି। ଏଣୁ ପ୍ରଥମ ଓ ଦ୍ୱିତୀୟ ଭାଷାରେ ବିଦ୍ୟାର୍ଥୀ ନିଜର ଦକ୍ଷତା ପରିପ୍ରକାଶ କରିବାରେ ସଂଗ୍ରାମ କରୁଥିବା ବେଳେ ଏଥିରେ ଉନ୍ନତି ପାଇଁ ଚିନ୍ତା ନକରି ତୃତୀୟ ଭାଷାର ବୋଝ ଲଦିବା ଆଦୌ ସମୀଚୀନ ହୋଇନପାରେ। ୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ ଦେଶର ମାତ୍ର ୭% ଜନତା ତୃତୀୟ ଭାଷାରେ ଦକ୍ଷତା ହାସଲ କରିପାରିଛନ୍ତି। ଏଥିରୁ ପ୍ରମାଣିତ ହେଉଛି ଯେ, ଦେଶବ୍ୟାପୀ ତ୍ରିଭାଷୀ ଯୋଜନା ବିଫଳ ହୋଇଛି। ଏହି ରିପୋର୍ଟ ଅନୁଯାୟୀ ହିନ୍ଦୀ ଭାଷୀ ରାଜ୍ୟ ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଓ ଛତିଶଗଡ଼଼ରେ ମାତ୍ର ୨% ଜନତା ତୃତୀୟ ଭାଷା ଜାଣିଛନ୍ତି। ଏହି ରାଜ୍ୟରେ ୧୫% ଜନତା ଦ୍ୱିଭାଷୀରେ ମଧ୍ୟ ସାମର୍ଥ୍ୟ ହାସଲ କରିନାହାନ୍ତି। ଦ୍ୱିଭାଷୀ ତାମିଲନାଡ଼ୁ ଉନ୍ନତ ରାଜ୍ୟ ଭାବେ କିପରି ପରିଗଣିତ ହୋଇଛି ଏହି ପରିପ୍ରେକ୍ଷୀରେ ଭାଷାବିତ୍, ବିଶେଷଜ୍ଞମାନେ ତାହାର ତର୍ଜମା କରିବାର ଆବଶ୍ୟକତା ରହିଛି।
କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି, ତ୍ରିଭାଷୀ ବୋଧଶକ୍ତିର ବିକାଶ ଘଟାଇବ। କିନ୍ତୁ ‘କେମ୍ବ୍ରିଜ ହ୍ୟାଣ୍ଡବୁକ୍ ଅଫ ଥାର୍ଡ଼ ଲାଙ୍ଗୁଏଜ୍ ଆକ୍ୱିଜିସନ’ର ଗବେଷଣା କୁହେ ବୋଧଶକ୍ତିର ବିକାଶ ସେହି ସମୟରେ ହୁଏ ଯେତେବେଳେ ବିଦ୍ୟାର୍ଥୀ କୌଣସି ସମସ୍ୟାର ସମ୍ମୁଖୀନ ହୁଏ। ଅର୍ଥାତ ଜଣେ ଭିନ୍ନଭାଷୀ ବ୍ୟକ୍ତି ଚୀନର କୌଣସି ଏକ କଂପାନୀରେ ଚାକିରୀ କରିବା ପାଇଁ ଚାହିଁଲେ ସେ ମାଣ୍ଡାରିନ୍ ଶିଖିବାକୁ ବାଧ୍ୟ ହୋଇଥାଏ। କେରଳର ନର୍ସଟିଏ ଯଦି ମହାରାଷ୍ଟ୍ରରେ ଚାକିରି ପାଏ, ନିଜ ବୃତ୍ତିଗତ ସୁବିଧା ପାଇଁ ସେ ମରାଠୀ ଶିଖେ। ଏଣୁ ତୃତୀୟ ଭାଷା ପାଇଁ ଶ୍ରେଣୀଗୃହର ଆବଶ୍ୟକତା ନାହିଁ କି ଏହାଦ୍ୱାରା ବୋଧଶକ୍ତିର ବିକାଶ ଘଟିବ ନାହିଁ। ଅଧିକନ୍ତୁ ଏହା ଅଧିକ ମାନସିକ ଚାପ ସୃଷ୍ଟି କରି ପ୍ରଥମ ଓ ଦ୍ୱିତୀୟ ଭାଷା ସହ ଗଣିତ, ବିଜ୍ଞାନ ଶିକ୍ଷା ଆହରଣରେ ପ୍ରତିବନ୍ଧକ ସୃଷ୍ଟି କରିବ।
ଜାତୀୟ ଶିକ୍ଷା ନୀତିରେ ତ୍ରିଭାଷୀ ବ୍ୟବସ୍ଥା ସେଭଳି କିଛି ନୂଆ ନୁହେଁ। କିନ୍ତୁ ଏଥିରେ ହିନ୍ଦୀ ଭାଷାକୁ ପ୍ରାଧାନ୍ୟ ଦିଆଯିବା ନିଶ୍ଚିତ ଏକ ପ୍ରସଙ୍ଗ। ଭାରତ ବହୁଭାଷୀ ରାଷ୍ଟ୍ର। ତେଣୁ ରାଷ୍ଟ୍ରୀୟ ଏକତା ପାଇଁ ହିନ୍ଦୀ ଆବଶ୍ୟକ ବୋଲି ଯେଉଁ ଧାରଣା ସୃଷ୍ଟି କରାଯାଉଛି ତାହା ଭ୍ରମାତ୍ମକ ଓ ଭିତ୍ତିହୀନ ଭଳି ମନେହୁଏ। ଏହାକୁ ଜୋର ଜବରଦସ୍ତ ଲଦିବାକୁ ଉଦ୍ୟମ କଲେ ଫଳ ନକାରାତ୍ମକ ହୋଇପାରେ। ଯଦି ହିନ୍ଦୀକୁ ଦେଶର ଭାଷା ବୋଲି ଗ୍ରହଣ କରାଯାଏ ତେବେ ଅନ୍ୟ ୨୨ଟି ସରକାରୀ ସ୍ୱୀକୃତ ଭାଷା କେଉଁ ବର୍ଗରେ ଆସିବ?
ଏଣୁ ତ୍ରିଭାଷୀକୁ ନେଇ ଜାତୀୟସ୍ତରରେ ଯେଉଁ ବିତର୍କ ଦେଖାଦେଇଛି ତାକୁ ‘ହିନ୍ଦୀ ରାଜନୀତି’ ବୋଲି ଅଭିହିତ କରାଯାଉଛି। ଜାତୀୟ ଶିକ୍ଷାନୀତି ପ୍ରଣୟନ ହୋଇସାରିଥିଲେ ମଧ୍ୟ କେନ୍ଦ୍ରୀୟ ଶିକ୍ଷା ଉପଦେଷ୍ଟା ପରିଷଦ (ସିଏବିଇ) ବୈଠକ ଆହୂତ କରାଯାଉ ନାହିଁ। ଏହି ବୈଠକ ନିୟମିତ ହେବା ଆବଶ୍ୟକ। ଫଳରେ ରାଜ୍ୟମାନେ ସିଏବିଇ ମଞ୍ଚରେ ନିଜନିଜ ମତ ରଖିପାରିବେ। ଅସ୍ମିତାର ସୁରକ୍ଷା ପାଇଁ ମାତୃଭାଷା, ନିଯୁକ୍ତି ପାଇଁ ଇଂରାଜୀ, ଗବେଷଣାତ୍ମକ କାର୍ଯ୍ୟ ନିମନ୍ତେ ଗଣିତ ଓ ବିଜ୍ଞାନ ପାଠ୍ୟକ୍ରମ ପ୍ରତି ଅଧିକ ଗୁରୁତ୍ୱ ପ୍ରଦାନର ଆବଶ୍ୟକତା ରହିଛି।
ସୌଭାଗ୍ୟ ସୁନ୍ଦରରାୟ
(ବରିଷ୍ଠ ସାମ୍ବାଦିକ)
କଟକ, ମୋ: ୯୪୩୭୨୨୯୨୩୩






