ମନୋରଞ୍ଜନ
ଓଡ଼ିଶା
କର୍ମ କାହାକୁ କ୍ଷମା ଦିଏ ନାହିଁ
କର୍ମମୟ ସଂସାରରେ ପ୍ରତ୍ୟେକ ଜୀବ ଜନ୍ମ ନେଇ ନିଜନିଜ କର୍ମ କରି ଚାଲିଛନ୍ତି। ପ୍ରଶ୍ନ ଆସେ- ଜନ୍ମ ଅନୁସାରେ କର୍ମ ନା କର୍ମ ଅନୁସାରେ ଜନ୍ମ? ଏହା ଉଭୟର ପରିପୂରକ। କର୍ମ ଜନ୍ମକୁ ଅପେକ୍ଷା କରି ରହିଥାଏ ଏବଂ ଜନ୍ମ ମଧ୍ୟ କର୍ମକୁ ଅପେକ୍ଷା କରି ରହିଥାଏ। ସୃଷ୍ଟି-ରଙ୍ଗମଞ୍ଚରେ ପ୍ରତ୍ୟେକ ଜଣେ ଜଣେ ଅଭିନେତା-ଅଭିନେତ୍ରୀ। ଯାହାର ଯେତେବେଳେ ଯେଉଁ ଭାବରେ ଯେଉଁଠି ଯେପରି ଭୂମିକା ପଡ଼ିବ ସେ ସେହିଭାବରେ ଅଭିନୟ କରିବା ପାଇଁ ଯୋଜନାବଦ୍ଧ। ତେବେ ଇତର […]
କର୍ମମୟ ସଂସାରରେ ପ୍ରତ୍ୟେକ ଜୀବ ଜନ୍ମ ନେଇ ନିଜନିଜ କର୍ମ କରି ଚାଲିଛନ୍ତି। ପ୍ରଶ୍ନ ଆସେ- ଜନ୍ମ ଅନୁସାରେ କର୍ମ ନା କର୍ମ ଅନୁସାରେ ଜନ୍ମ? ଏହା ଉଭୟର ପରିପୂରକ। କର୍ମ ଜନ୍ମକୁ ଅପେକ୍ଷା କରି ରହିଥାଏ ଏବଂ ଜନ୍ମ ମଧ୍ୟ କର୍ମକୁ ଅପେକ୍ଷା କରି ରହିଥାଏ। ସୃଷ୍ଟି-ରଙ୍ଗମଞ୍ଚରେ ପ୍ରତ୍ୟେକ ଜଣେ ଜଣେ ଅଭିନେତା-ଅଭିନେତ୍ରୀ। ଯାହାର ଯେତେବେଳେ ଯେଉଁ ଭାବରେ ଯେଉଁଠି ଯେପରି ଭୂମିକା ପଡ଼ିବ ସେ ସେହିଭାବରେ ଅଭିନୟ କରିବା ପାଇଁ ଯୋଜନାବଦ୍ଧ।
ତେବେ ଇତର ପ୍ରାଣୀକୁ ବାଦ୍ ଦେଇ ସର୍ବଶ୍ରେଷ୍ଠ ପ୍ରାଣୀ ମନୁଷ୍ୟର କର୍ମ କଥା ଗଭୀର ଭାବରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ମନୁଷ୍ୟ ଜୀବନସାରା ଯେଉଁ କର୍ମ କରୁଛି ସେଥିରେ କର୍ମର ରହସ୍ୟକୁ ନଜାଣିବା କାରଣରୁ ଅନ୍ୟ ପ୍ରାଣୀକୁ କିଛି ପରିମାଣରେ ଦୁଃଖ କଷ୍ଟ ପହଁଚିଯାଉଛି। କେତେକ ନିଜର କ୍ଷମତାର ଦୁରୁପଯୋଗ କରି ପ୍ରତିପତ୍ତିକୁ ବୃଦ୍ଧି କରିବାରେ ଯତ୍ପରୋନାସ୍ତି ଚେଷ୍ଟା କରୁଛନ୍ତି, କିନ୍ତୁ କର୍ମ କେବେ କାହାକୁ କ୍ଷମା ଦିଏ ନାହିଁ ବା ଦେଇପାରିବନାହିଁ। ଯେପରି ଅମୃତପୂର୍ଣ୍ଣ କଳସୀରେ ଟୋପାଏ ବିଷ ପଡ଼ି ଗଲେ ପୂରା କଳସୀ ବିଷାକ୍ତ ହେଇଯାଏ, ସେହିପରି ମନୁଷ୍ୟର କର୍ମ ଏହି ଜନ୍ମର ଶେଷ ସମୟର ପୂର୍ବରୁ ଭୋଗ କରିବାକୁ ହୋଇଥାଏ। ଏଭଳି ପ୍ରତ୍ୟେକଙ୍କୁ କର୍ମଫଳ ଭୋଗ ନ କରିବା ପର୍ଯ୍ୟନ୍ତ ଶରୀର ତ୍ୟାଗ ହୋଇପାରେ ନାହିଁ।
ସବୁ କର୍ମର ଫଳ ବୁଝିବାକୁ ହେବ। କାହାକୁ ଦୋଷ ନ ଦେଇ ଅନ୍ତର ନୀରିକ୍ଷଣ ନିଜକୁ ନିଜେ କରି ନିଜ କର୍ମକୁ ସୁଧାରିବା ପାଇଁ ପ୍ରୟାସ ଜାରିରହିବା ଦରକାର। କର୍ମ କରୁଥିବା ପ୍ରାଣୀ ନିଜେ ଜାଣିପାରୁଛି ମୁଁ କ’ଣ କରିଛି ଏବଂ କରିଚାଲିଛି। କାହାର ପ୍ରମାଣ ଦେବାର ଆବଶ୍ୟକ ନାହିଁ। ମୁଁ ଭୋଗିବି ନାହିଁ ତ ଆଉ ମୋ ପାଇଁ ଅନ୍ୟ କିଏ ଭୋଗିବ? ଯାହାକୁ ରୋଗ ହେଉଛି ସେ ନିଜେ ଔଷଧ ଖାଇଲେ ଭଲ ହେବ, ଅନ୍ୟ ଜଣେ ତା’ ପାଇଁ ଔଷଧ ଖାଇଲେ ନିଜର ରୋଗ ଭଲ ହେବ ନାହିଁ। ସନ୍ତାନକୁ ରୋଗ ହେଲେ ମା’କୁ ଦୁଃଖ ହୁଏ, କିନ୍ତୁ ଛୁଆର କଷ୍ଟ କେବେ ମା’ ନେଇପାରିବନାହିଁ କି ମା’କୁ ରୋଗ ହେଲେ ତା’ର କଷ୍ଟ ଛୁଆ ନେଇପାରିବ ନାହିଁ। ଛୁଆର କଷ୍ଟରେ ମା’ କାନ୍ଦିପାରେ, ଭଗବାନଙ୍କୁ ଡାକିପାରେ ହେଲେ କର୍ମଫଳ କେହି ନେଇପାରିବ ନାହିଁ। ଜନ୍ମବେଳେ ମନୁଷ୍ୟ ଏକା ଆସୁଛି, କିନ୍ତୁ କର୍ମବେଳେ ଅନେକଙ୍କ ସହ ରହି କର୍ମ କରୁଛି। ପୁଣି ମୃତ୍ୟୁ ବେଳେ ସାଙ୍ଗରେ ରହି କର୍ମ କରୁଥିବା ଲୋକଙ୍କୁ ଛାଡ଼ି ଏକା ଚାଲିଯାଉଛି, ଅଥଚ କର୍ମଫଳକୁ ପୁଣି ସାଙ୍ଗରେ ଧରିଯାଉଛି।
ପ୍ରକୃତି କେବଳ ଆମକୁ ଦୁଇଟି ରାସ୍ତା ଦେଇଛି। ଆମେ କିଛି ଦେଇଯିବା କିମ୍ୱା ଛାଡ଼ି ଯିବା। କିନ୍ତୁ ସାଙ୍ଗରେ ସୂକ୍ଷ୍ମ କର୍ମଫଳ ବ୍ୟତୀତ ଅନ୍ୟ କିଛି ସ୍ଥୂଳ ବସ୍ତୁ ନେଇଯିବାର ବ୍ୟବସ୍ଥା ନାହିଁ। ଲୁଟିଥିବା ଧନରେ ଦାନ, ଧର୍ମ କଲେ କୃତକର୍ମ ବଦଳିଯିବ ନାହିଁ। ଯେତେ ଭଲ କର୍ମ କଲେ ମଧ୍ୟ କରିଥିବା ଖରାପକର୍ମକୁ ଭୋଗିବାକୁ ପଡ଼ିବ। ରାମାୟଣ, ମହାଭାରତ ଓ ଇତିହାସରେ ମଧ୍ୟ ଛଳକପଟ କର୍ମ କାହାକୁ ଛାଡ଼ି ନାହି କିମ୍ବା କାହାକୁ କ୍ଷମା ଦେଇନାହିଁ। ମନୁଷ୍ୟ ଜାଣେ ଏହି କର୍ମ ଖରାପ, ତଥାପି ସେହି ଆଡ଼କୁ ଟାଣିହୋଇ ବାରମ୍ୱାର ଚାଲିଯାଏ। ଅଥଚ ତା’ର ଫଳ ଭୋଗିବା ବେଳେ ଭଗବାନଙ୍କୁ ଦୋଷ ଦିଏ। ତେଣୁ ନୀତିଶାସ୍ତ୍ରରେ କୁହାଯାଇଛି – ‘ନିଜ କର୍ମଫଳ ନିଜେ ଭୁଞ୍ଜି ନର, ଏଡ଼ି ନପାରନ୍ତି ବ୍ରହ୍ମା ହରିହର’। ‘କର୍ମଫଳ ପ୍ରାଣୀ ଅବଶ୍ୟ ଭୁଞ୍ଜଇ କେ କରିପାରିବ ଆନ, ଶତ ପ୍ରତିଷେଧ ଲଙ୍ଘି ପଶିଥାଏ କର୍ମଫଳ ବଳବାନ।’
କର୍ମ ଫଳର ଦିନରାତି, ସକାଳସନ୍ଧ୍ୟା, ଶୀତକାକର, ଖରାବର୍ଷା କିଛି ନାହିଁ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟ ନାହିଁ। କର୍ମ ବର୍ଷକରେ, ପାଞ୍ଚ ବର୍ଷରେ କିମ୍ବା ଚାଳିଶ ପଚାଶ ବର୍ଷ ପରେ ମଧ୍ୟ ଫଳ ଦେଇପାରେ। କର୍ମ ହଜାରେ ସିଂହଠାରୁ ମଧ୍ୟ ବଳୀୟାନ। ଯେଉଁ ମନୁଷ୍ୟ କର୍ମଯୋଗୀ ହୋଇଥିବ, ଅର୍ଥାତ କର୍ମ କରୁଥିବା ସମୟରେ ଭଗବାନଙ୍କ ସହିତ ସମ୍ୱନ୍ଧିତ ହୋଇ ଚାଲୁଥିବ, ସେ ହିଁ କର୍ମ, ଅକର୍ମ, ବିକର୍ମର ସଂଜ୍ଞାକୁ ନିରୂପଣ କରିପାରିବ ଏବଂ କର୍ମକୁ ଏକାଗ୍ରତାର ସହିତ କରିଚାଲିଥିବ। କର୍ମ କରିବାର ଅଧିକାର ମୋ ହାତରେ ଅଛି, କିନ୍ତୁ ଫଳପ୍ରାପ୍ତିରେ ନାହିଁ – ଗୀତାରେ ଭଗବାନଙ୍କ ଏହି ବାଣୀର ଭାବନା ମଧ୍ୟ ସୁଦୃଢ଼ ହେବ।
ନୀତିଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ – ‘ବୁଝିବିଚାରି କର୍ମ କଲେ, ପ୍ରମାଦ ନ ପଡ଼ଇ ହେଳେ।’ ‘କର୍ମ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ’। କର୍ମର ତିନୋଟି ସଂଜ୍ଞା ରହିଛି – କୃତ, କାରିତ, ଅନୁମୋଦିତ। ଅର୍ଥାତ ନିଜେ କରିବା, ଅନ୍ୟ ଦ୍ୱାରା କରାଇବା, ଅନ୍ୟାୟ ଅନୀତି କର୍ମ ଦେଖି କିଛି ନକହି ସମର୍ଥନ କରିବା। ଜୀବିକାର୍ଜନ ପାଇଁ ପ୍ରତ୍ୟେକ ପ୍ରାଣୀକୁ କର୍ମ କରିବା ଆବଶ୍ୟକ। ପ୍ରଥମେ ମନରେ ସଂକଳ୍ପ କରିବା ଠୁ କର୍ମ ଆରମ୍ଭ ହୁଏ। ସେହି ମନରେ ନିରନ୍ତର ଚିନ୍ତାଶକ୍ତି ଉତ୍ପନ୍ନ ହୁଏ। ତାହା ବୁଦ୍ଧିରେ ରୂପାନ୍ତରିତ ହୋଇ କର୍ମରେ ପ୍ରତିଫଳିତ ହୁଏ। ଯାହାର ଯେଭଳି ଚିନ୍ତା ତାହାର ସେଭଳି କର୍ମ। ମୋର ପ୍ରତ୍ୟେକ କର୍ମ ଈଶ୍ୱରାନୁମୋଦିତ, ଈଶ୍ୱରଙ୍କ ଦ୍ୱାରା ପ୍ରେରିତ, ଈଶ୍ୱର ସଙ୍ଗଯୁକ୍ତ, ଈଶ୍ୱରୀୟ ନିୟମ ପରିଚାଳିତ, ଈଶ୍ୱରୀୟ ସମୀପ ସମ୍ୱନ୍ଧ – ଏହିଭଳି ଅନୁଭବ କରି କର୍ମ କରିଚାଲିଲେ ତାହାର ସୁଫଳ ଅବଶ୍ୟ ମିଳିବ। କର୍ମ କେବେ କ୍ଷମା ଦେଇପାରେ ନାହି। ତେଣୁ ପ୍ରତ୍ୟେକ କର୍ମକୁ ନିମିତ୍ତ ଭାବ ହୋଇ କରିବା। ଠିକ ସମୟରେ ଠିକ କର୍ମ କରିଚାଲିବା। ଯାହାକୁ ଯାହା ଦାୟିତ୍ୱ ପ୍ରାରବ୍ଧ ଅନୁସାରେ ଦିଆଯାଇଛି, ତାହାକୁ ଭଲଭାବରେ ନିର୍ବାହ କରିବା। ସତକର୍ମ ହିଁ ସତଧର୍ମ। ସତ୍ୟ ଶିବ ସୁନ୍ଦରଙ୍କୁ ସାଥୀରେ ଧରି ଚାଲିବା।
ଭାଗବତ ସେନାପତି
ବାଲେଶ୍ୱର






