ପ୍ରଳୟ ଅଭିମୁଖେ ପୃଥିବୀ
ପୌରାଣିକ ଓ ବୈଜ୍ଞାନିକ ତଥ୍ୟ ଅନୁଯାୟୀ ପୃଥିବୀରେ ଅନେକ ଥର ପ୍ରଳୟ ହୋଇଛି ଏବଂ ପୃଥିବୀରୁ ପ୍ରାୟ ସମସ୍ତ ଜୀବଜଗତ ଲୋପ ପାଇ ପୁଣି ସୃଷ୍ଟିହୋଇଛି। ଆମେମାନେ ବର୍ତ୍ତମାନ ଯୁଗରେ ପୁନଶ୍ଚ ଏକ ପ୍ରଳୟ ଆଡ଼କୁ ଅଗ୍ରସର ହେଉଛେ। କିନ୍ତୁ ପ୍ରାକୃତିକ କାରଣରୁ ନୁହେଁ, ବରଂ ପୃଥିବୀର ଶ୍ରେଷ୍ଠଜୀବ ମନୁଷ୍ୟର କାର୍ଯ୍ୟକଳାପ ଯୋଗୁଁଁ ଏହା ଘଟିବାକୁ ଯାଉଛି। ଆମେମାନେ କଳକାରଖାନା ସ୍ଥାପନ କରି ଏବଂ ଯାନବାହନର ଅତ୍ୟଧିକ ଉପଯୋଗ କରି ବାୟୁମଣ୍ଡଳକୁ ଏତେ ଅଧିକ ପରିମାଣର ଅଙ୍ଗାରକାମ୍ଳ […]
ପୌରାଣିକ ଓ ବୈଜ୍ଞାନିକ ତଥ୍ୟ ଅନୁଯାୟୀ ପୃଥିବୀରେ ଅନେକ ଥର ପ୍ରଳୟ ହୋଇଛି ଏବଂ ପୃଥିବୀରୁ ପ୍ରାୟ ସମସ୍ତ ଜୀବଜଗତ ଲୋପ ପାଇ ପୁଣି ସୃଷ୍ଟିହୋଇଛି। ଆମେମାନେ ବର୍ତ୍ତମାନ ଯୁଗରେ ପୁନଶ୍ଚ ଏକ ପ୍ରଳୟ ଆଡ଼କୁ ଅଗ୍ରସର ହେଉଛେ। କିନ୍ତୁ ପ୍ରାକୃତିକ କାରଣରୁ ନୁହେଁ, ବରଂ ପୃଥିବୀର ଶ୍ରେଷ୍ଠଜୀବ ମନୁଷ୍ୟର କାର୍ଯ୍ୟକଳାପ ଯୋଗୁଁଁ ଏହା ଘଟିବାକୁ ଯାଉଛି। ଆମେମାନେ କଳକାରଖାନା ସ୍ଥାପନ କରି ଏବଂ ଯାନବାହନର ଅତ୍ୟଧିକ ଉପଯୋଗ କରି ବାୟୁମଣ୍ଡଳକୁ ଏତେ ଅଧିକ ପରିମାଣର ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ କରୁଛେ ଯେ ତାହା ପ୍ରାକୃତିକ ଉପାୟରେ ଶୋଷିତ ହୋଇପାରୁନାହିଁ। ଫଳରେ ବାୟୁମଣ୍ଡଳରେ ଏହାର ପରିମାଣ ବୃଦ୍ଧି ପାଇ ପୃଥିବୀକୁ ଉତ୍ତପ୍ତ କରୁଛି।
ପୃଥିବୀ ଉତ୍ତପ୍ତ ହେବାର ଅନ୍ୟଏକ ପରିଣାମ ହେଉଛି ସମୁଦ୍ର ପତନ ବୃଦ୍ଧି। ଏହା ଦୁଇଟି ଉପାୟରେ ସଂଶ୍ଳିଷ୍ଟ ଅଛି। ପ୍ରଥମତଃ, ଉତ୍ତାପ ବୃଦ୍ଧି ଯୋଗୁଁଁ ଉଚ୍ଚ ପର୍ବତ ଓ ମେରୁ ପ୍ରଦେଶରେ ଥିବା ବରଫ ଓ ହିମବାହଗୁଡ଼ିକ ତରଳି ସମୁଦ୍ରକୁ ଯାଇ ଜଳସ୍ତର ବୃଦ୍ଧି କରିଥାଏ। ନିକଟରେ ୟୁନେସ୍କୋ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁଯାୟୀ ପୃଥିବୀର ଅନେକ ଅଞ୍ଚଳରେ ଅଧିକ ଉଚ୍ଚରେ ଥିବା ସ୍ଥାନ କମ୍ ଉଚ୍ଚତାରେ ଥିବା ସ୍ଥାନ ଅପେକ୍ଷା ଅଧିକ ଉତ୍ତପ୍ତ ହେଉଛି। ଏହା ହିମବାହଗୁଡ଼ିକର ଗଳନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି। ଏହି ରିପୋର୍ଟ ଅନୁଯାୟୀ ୧୯୯୭ ଓ ୨୦୨୦ ମସିହା ମଧ୍ୟରେ ସମଗ୍ର ପୃଥିବୀରେ ବରଫର ପରିମାଣ ୭.୭୯ ପ୍ରତିଶତ ହ୍ରାସ ପାଇଛି। ଦ୍ୱିତୀୟତଃ, ଉତ୍ତପ୍ତ ଜଳର ଆୟତନ ବୃଦ୍ଧି ହୋଇଥାଏ ଏବଂ ସମୁଦ୍ର ଜଳସ୍ତର ବୃଦ୍ଧି ହୋଇଥାଏ। ସମୁଦ୍ର ଜଳର ତାପୀୟ ପ୍ରସାରଣ ହେଉଛି ମୋଟ ସମୁଦ୍ର ପତନ ବୃଦ୍ଧିର ଏକ-ତୃତୀୟାଂଶ।
ଗତ ଫେବୃଆରି ୧୯ ତାରିଖରେ ବିଜ୍ଞାନ ପତ୍ରିକା ‘ନେଚର’ରେ ପ୍ରକାଶିତ ଏକ ନିବନ୍ଧରେ ଦର୍ଶାଯାଇଛି ଯେ କେବଳ ଏହି ଶତାବ୍ଦୀରେ ସମୁଦ୍ର ପତନ ଦୁଇ ସେମି ବୃଦ୍ଧି ପାଇଛି। ୨୦୦୦ ମସିହାରୁ ୨୦୧୬ ମସିହା ମଧ୍ୟରେ ପୃଥିବୀରେ ହିମବାହର ଆୟତନ ୨୦ ରୁ ୩୦ ପ୍ରତିଶତ ହ୍ରାସ ପାଇଛି। ଏହି ପରିମାଣ ବର୍ଷକୁ ୩୩୫ ବିଲିୟନ ଟନ୍ ବରଫ ତରଳିବା ସହିତ ସମାନ, ଯାହା ବର୍ଷକୁ ସମୁଦ୍ର ପତନ ୧ ମିମି ବୃଦ୍ଧି କରିଥାଏ। ୧୮୮୦ ମସିହାଠାରୁ ସମୁଦ୍ର ପତନ ୨୧ ରୁ ୨୫ ସେମି ବୃଦ୍ଧି ପାଇଛି। କିନ୍ତୁ ବିଗତ କେତେବର୍ଷ ମଧ୍ୟରେ ଏହି ବୃଦ୍ଧି ପରିମାଣ ତ୍ୱରାନ୍ୱିତ ହୋଇଛି। ଉଦାହରଣ ସ୍ୱରୂପ ୧୯୯୩ ମସିହାରେ ସମୁଦ୍ର ପତନ ୧.୧୮ ସେମି ବଢ଼଼ିଥିବା ବେଳେ ବର୍ତ୍ତମାନ ଏହା ବର୍ଷକୁ ୦.୪୨ ସେମି ହାରରେ ବୃଦ୍ଧି ପାଉଉଛି।
ସମୁଦ୍ର ପତନ ବୃଦ୍ଧି ଯୋଗୁଁଁ ଉପକୂଳ ଅଞ୍ଚଳ ବନ୍ୟାପ୍ଲାବିତ ହେବ, ଯାହା ମନୁଷ୍ୟ ଓ ପ୍ରାକୃତିକ ସଂସ୍ଥିତି ଉପରେ ଭୀଷଣ ପ୍ରଭାବ ପକାଇବ। ବିଶେଷତଃ ଛୋଟ ଛୋଟ ଦ୍ୱୀପଗୁଡ଼ିକର ପରିସ୍ଥିତି ସାଂଘାତିକ ହେବ। ଅନେକ ଉପକୂଳ ଗ୍ରାମ କ୍ରମଶଃ ସମୁଦ୍ରରେ ଲୀନ ହେବ। ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତୋଟି ଗ୍ରାମ ସମୁଦ୍ରରେ ମିଶିଗଲାଣି। ‘ଜାତୀୟ ଉପକୂଳ ଗବେଷଣା କେନ୍ଦ୍ର’ ସୂତ୍ରରୁ ଜଣାପଡ଼ିଛି ଯେ ୧୯୯୦ ମସିହାରୁ ୨୦୧୬ ମସିହା ମଧ୍ୟରେ କେବଳ ପଶ୍ଚିମବଙ୍ଗ ୯୯ ବର୍ଗ କିମି ଉପକୂଳ ଅଞ୍ଚଳ ହରାଇଛି। ‘ସାଇଣ୍ଟିଫିକ୍ ରିପୋର୍ଟ’ ପତ୍ରିକାରେ ପ୍ରକାଶିତ ୨୦୨୪ ମସିହାର ଏକ ରିପୋର୍ଟ ଅନୁଯାୟୀ ସମଗ୍ର ପୃଥିବୀରେ ୨୯ ପ୍ରତିଶତ ଲୋକ ସମୁଦ୍ର କୂଳଠାରୁ ୫୦ କିମି ମଧ୍ୟରେ ଏବଂ ୧୫ ପ୍ରତିଶତ ଲୋକ ୧୦ କିମି ଦୂରତା ମଧ୍ୟରେ ବାସ କରୁଛନ୍ତି। ଏକ ଆକଳନରୁ ଜଣାଯାଇଛି ଯେ ୧ ମିଲିମିଟର ସମୁଦ୍ର ପତନ ବୃଦ୍ଧି ସମଗ୍ର ପୃଥିବୀରେ ତିନିଲକ୍ଷ ଲୋକଙ୍କୁ ପ୍ରଭାବିତ କରିବ।
ଏହି ପ୍ରକ୍ରିୟାରେ ଭାରତୀୟ ସହରଗୁଡ଼ିକ ମଧ୍ୟରେ ମୁମ୍ବାଇ ସବୁଠାରୁ ଅଧିକ ପ୍ରଭାବିତ ହେବ। ବାଙ୍ଗାଲୋରସ୍ଥିତ ‘ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଓ ନୀତି ଅଧ୍ୟୟନ କେନ୍ଦ୍ର’ ୨୦୨୪ ମସିହାରେ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁଯାୟୀ ୧୯୮୭ ଓ ୨୦୨୧ ମସିହା ମଧ୍ୟରେ ମୁମ୍ବାଇଠାରେ ସମୁଦ୍ର ପତନ ୪.୪୪ ସେମି ବୃଦ୍ଧି ପାଇଛି। ସମୁଦ୍ର ପତନରୁ ଏହି ସହରର ହାରାହାରି ଉଚ୍ଚତା ହେଉଛି ଦଶ ମିଟର। ଏଣୁ ସମୁଦ୍ର ପତନ ଅଧିକ ବୃଦ୍ଧି ହେଲେ ଏଠାରେ ଅନେକ ଲୋକ ନିଜ ବାସଗୃହ ହରାଇବେ। ସେହିପରି ଏହି ସମୟରେ ପଶ୍ଚିମବଙ୍ଗର ହଳଦିଆଠାରେ ୨.୭୩ ସେମି, ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ୨.୩୮ ସେମି ଏବଂ କେରଳର କୋଚିଠାରେ ୨.୨୧ ସେମି ସମୁଦ୍ର ପତନ ବୃଦ୍ଧି ପାଇଛି।
ଜାଗତିକ ଉଷ୍ଣତା ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ମାତ୍ର ଏହା ଯଥେଷ୍ଟ ନୁହେଁ। ଆକଳନ କରାଯାଇଛି ଯେ ବର୍ତ୍ତମାନର କାର୍ବନ ଉତ୍ସର୍ଜନ ଅନୁଯାୟୀ ୨୦୫୦ ମସିହା ସୁଦ୍ଧା ସମୁଦ୍ର ପତନ ଆଉ ୨୦ ସେମି ବୃଦ୍ଧି ପାଇବ। ଆମ ପାଖରେ ଆଉ ବେଶୀ ସମୟ ନାହିଁ। ପ୍ରତ୍ୟେକ ଦେଶ ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ନିର୍ଗତକୁ ହ୍ରାସ କରିବା ପାଇଁ ବିହିତ ପଦକ୍ଷେପ ନେବା ଉଚିତ।
ଇଂ ମାୟାଧର ସ୍ୱାଇଁ
ଭୁବନେଶ୍ୱର, ମୋ: ୯୪୩୮୬୯୩୭୨୪






