କୋଟିପତିଙ୍କ ସ୍ୱର୍ଗ

The Sakala Picture
Published On

ବିଶ୍ୱରେ ସବୁଠାରୁ ଜନବହୁଳ ରାଷ୍ଟ୍ର ଭାରତ। ଏଥିମଧ୍ୟରେ ଲୋକସଂଖ୍ୟା ୧୪୪ କୋଟି ଅତିକ୍ରମ କଲାଣି। ଆମ ଅର୍ଥନୀତି ମଧ୍ୟ ୪ଟ୍ରିଲିୟନ୍‌‌ ଡଲାର ଅତିକ୍ରମ କରି ଚତୁର୍ଥ ବୃହତ୍‌‌ ଅର୍ଥନୀତିର ମର୍ଯ୍ୟାଦା ହାସଲ କରିଛି। ତେବେ ଦେଶର ଏକଶହ ବିତ୍ତଶାଳୀ ବ୍ୟକ୍ତିଙ୍କ ହାତରେ ୧ ଟ୍ରିଲିୟନ୍‌‌ ଡଲାର ସମ୍ପତ୍ତି ଠୁଳ ହୋଇ ରହିଛି। ତେଲିଆ ମୁଣ୍ଡରେ ତେଲ ଭଳି କିଛି ସୀମିତ ଲୋକଙ୍କ ଉପାର୍ଜନ ବଢ଼ୁଛି। ସେମାନେ ଜାତୀୟ ସମ୍ୱଳକୁ ନିଜ କରାୟତ୍ତରେ ରଖିବାକୁ ସମର୍ଥ ହୋଇଛନ୍ତି। ସରକାରୀ […]

ବିଶ୍ୱରେ ସବୁଠାରୁ ଜନବହୁଳ ରାଷ୍ଟ୍ର ଭାରତ। ଏଥିମଧ୍ୟରେ ଲୋକସଂଖ୍ୟା ୧୪୪ କୋଟି ଅତିକ୍ରମ କଲାଣି। ଆମ ଅର୍ଥନୀତି ମଧ୍ୟ ୪ଟ୍ରିଲିୟନ୍‌‌ ଡଲାର ଅତିକ୍ରମ କରି ଚତୁର୍ଥ ବୃହତ୍‌‌ ଅର୍ଥନୀତିର ମର୍ଯ୍ୟାଦା ହାସଲ କରିଛି। ତେବେ ଦେଶର ଏକଶହ ବିତ୍ତଶାଳୀ ବ୍ୟକ୍ତିଙ୍କ ହାତରେ ୧ ଟ୍ରିଲିୟନ୍‌‌ ଡଲାର ସମ୍ପତ୍ତି ଠୁଳ ହୋଇ ରହିଛି। ତେଲିଆ ମୁଣ୍ଡରେ ତେଲ ଭଳି କିଛି ସୀମିତ ଲୋକଙ୍କ ଉପାର୍ଜନ ବଢ଼ୁଛି। ସେମାନେ ଜାତୀୟ ସମ୍ୱଳକୁ ନିଜ କରାୟତ୍ତରେ ରଖିବାକୁ ସମର୍ଥ ହୋଇଛନ୍ତି। ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ ସୁବିଧା ସୁଯୋଗ ସେହି ବର୍ଗ ହିଁ ଉପଭୋଗ କରୁଛନ୍ତି। ଏତେ ବିପୁଳ ଜନସଂଖ୍ୟା ମଧ୍ୟରୁ ବାର୍ଷିକ କୋଟିଏ ଟଙ୍କା ଉପାର୍ଜନ କ୍ଷମତା ହାସଲ କରିଥିବା ଲୋକଙ୍କ ସଂଖ୍ୟା ୪.୬୮ ଲକ୍ଷରେ ସୀମିତ ଅଛି। ଏହି କୋଟିପତିଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି। ବିସିଜିର ପରିସଂଖ୍ୟାନ ଆକଳନ କରିଛି ଯେ ୨୦୨୯ ସୁଦ୍ଧା ଏହି କୋଟିପତିଙ୍କ ସଂଖ୍ୟା ୫୫ ପ୍ରତିଶତ ବୃଦ୍ଧି ପାଇବ। ଏହା ବିଶ୍ୱହାରଠାରୁ ୨୧ ପ୍ରତିଶତ ଅଧିକ। ଏକଥା ସତ ଯେ ଆମ ଅର୍ଥନୈତିକ ବ୍ୟବସ୍ଥା ଏଥିସକାଶେ ସୁବିଧା ସୁଯୋଗ ସୃଷ୍ଟି କରୁଛି। ତେବେ ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ଏମାନଙ୍କ ଆନୁପାତିକ ହାର ଅତି ନଗଣ୍ୟ। ଅସ୍ୱଚ୍ଛଳ ବର୍ଗଙ୍କ ସ୍ଥିତିରେ ଉନ୍ନତି ପାଇଁ ଉପାର୍ଜନ କ୍ଷମତା ବୃଦ୍ଧି ପ୍ରତି ଯଥୋଚିତ ଧ୍ୟାନ ଦିଆଯାଇ ପାରୁନଥିବାର ପରିଲକ୍ଷିତ ହେଉଛି। ନହେଲେ ଦେଶର ୮୧ କୋଟି ଲୋକଙ୍କୁ ମାଗଣା ରାସନ୍‌‌ ଦେବାର ବାଧ୍ୟବାଧକତା ସୃଷ୍ଟି ହୋଇ ନ ଥା’ନ୍ତା।

କର୍ପୋରେଟ ସଂସ୍କୃତିକୁ ସବୁସ୍ତରରୁ ମିଳୁଥିବା ସରକାରୀ ସହାୟତା ସେମାନଙ୍କୁ ଅଧିକରୁ ଅଧିକ ବିତ୍ତଶାଳୀ କରିଛି। ଦ୍ରୁତ ଅର୍ଥନୀତିର ସେମାନେ ହିଁ ହୋଇଛନ୍ତି ବାହକ। ଠିକା ନିଯୁକ୍ତି ମାଧ୍ୟମରେ ଶ୍ରମ ଆଇନର ଖୋଲା ଉଲ୍ଲଙ୍ଘନ କରି ନିର୍ବାଧାରେ ସେମାନେ ଶୋଷଣ ଜାରି ରଖିଛନ୍ତି। ସେମାନଙ୍କ ବିପୁଳ ଆୟ ସତ୍ତ୍ବେ ଏହି ନିମ୍ନ ଆୟକାରୀ ଠିକା ଶ୍ରମିକ ଓ କର୍ମଚାରୀଙ୍କ ଉପାର୍ଜନ ସମୟର ଆବଶ୍ୟକତା ଅନୁରୂପ ହେଉନଥିବାରୁ ଭୟଙ୍କର ଆର୍ଥିକ ଦୁର୍ଗତି ମଧ୍ୟରେ ସେମାନେ କାଳାତିପାତ କରୁଛନ୍ତି। ଦେଶର ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଉପାର୍ଜନକ୍ଷମତା ସୃଷ୍ଟି କରିବାକୁ ଅସମର୍ଥ। ତେଣୁ ବର୍ଦ୍ଧିତ ବେକାରୀ ଦେଶରେ ଉପୁଜୁଥିବା ନାନା ସମସ୍ୟାର କାରଣ ପାଲଟିଛି। ଅଭାବରୁ ଅପରାଧ ପ୍ରବଣତା ବଢ଼ୁଛି, କ୍ରମେ ତାହା ନିୟନ୍ତ୍ରଣ ସୀମା ଅତିକ୍ରମ କରୁଛି। ପରିଲକ୍ଷିତ ଆର୍ଥିକ ଅସମାନତା ସାମାଜିକ ଜୀବନଧାରାରେ ଆକାଂକ୍ଷିତ ପରିବର୍ତ୍ତନର ବାଧକ ସାଜିଛି। ଆମ ଦେଶରେ ବୃଦ୍ଧି ପାଉଥିବା ଅରବପତି ଓ କୋଟିପତିଙ୍କୁ ନେଇ ସାମଗ୍ରିକ ବିକାଶର ସ୍ୱପ୍ନ ଦେଖିବାର କୌଣସି ଯଥାର୍ଥତା ନାହିଁ। ଆମେରିକା, ଚୀନ, ଜର୍ମାନୀ ପଛକୁ ଆମେ ବିଶ୍ୱର ଚତୁର୍ଥ ଅର୍ଥନୀତି ରୂପେ ଗର୍ବ କରୁଥିବା ବେଳେ ଆମ ଦେଶରେ ଜୀବନ ଧାରଣର ମାନ ଓ ମୁଣ୍ଡ ପିଛା ଆୟ ତୁଳତ୍ମକ ଭାବେ ବହୁତ ପଛରେ ପଡ଼ିଛି।

ଉଚ୍ଚ ଆୟକାରୀ ବର୍ଗଙ୍କୁ ଦେଶର ଅର୍ଥନେତିକ ପ୍ରଗତିର ସୂଚକ ରୂପେ ଗ୍ରହଣ କରାଯାଉଥିବା ବେଳେ ଜୀବନ ଯୁଦ୍ଧରେ ହାରିଯାଉଥିବା ଲୋକସଂଖ୍ୟାର ଦୁଇ-ତୃତୀୟାଂଶ ସରକାରୀ ରାଜସ୍ୱ ବା ଟ୍ରେଜେରୀଙ୍କ ଟିକସ ମାଧ୍ୟମରେ ସମୃଦ୍ଧ କରିଚାଲିଛନ୍ତି। ଅଥଚ ଯୋଜନାର ରୂପରେଖ ସେମାନଙ୍କ ଭବିଷ୍ୟତ ବା ସମ୍ମୁଜ୍ୱଳ ଭବିଷ୍ୟତ ଗଢ଼ିବାରେ ସହାୟକ ହେଉନି। ସରକାରଙ୍କ ବିଚାରଧାରାରେ ଏହି ବ୍ୟବଧାନ ସଙ୍କୁଚିତ ନ ହେଲେ ତଥାକଥିତ ବିକଶିତ ଭାରତ ଗଠନ ସ୍ୱପ୍ନ ଅଧୁରା ରହିଯିବ। ଏହା ସତ୍ୟ ଯେ ପ୍ରତିଯୋଗିତାପୂର୍ଣ୍ଣ ବଜାର ଅର୍ଥନୀତିରେ ନିବେଶକାରୀର ପ୍ରାଧାନ୍ୟ ରହିବ। ଆର୍ଥିକସ୍ତରରେ ଅସମାନତାକୁ ଦୂର କରିବା ସମ୍ଭବ ନୁହେଁ। କିନ୍ତୁ ଜୀବନଧାରଣ ମାନରେ ଉନ୍ନତି ଓ ସହନୀୟ ମୁଣ୍ଡପିଛା ଆୟ ବୃଦ୍ଧି ନ ଘଟିଲେ ପ୍ରତିଯୋଗିତାପୂର୍ଣ୍ଣ ପରିବେଶ ସୃଷ୍ଟି ହେବ ନାହିଁ। ଫଳରେ ଏକଚାଟିଆ କାରବାର ଓ ଶୋଷଣକୁ ପ୍ରୋତ୍ସାହିତ କରିବ। ଏହା ସାମାଜିକ ଓ ଜାତୀୟ ଜୀବନରେ ଶୃଙ୍ଖଳା ଓ ସଂପ୍ରୀତି ପରିବେଶ ସୃଷ୍ଟିରେ ଗୁରୁତର ପ୍ରତିବନ୍ଧକ ହେବ।

ଦେଶର ବିତ୍ତଶାଳୀ ବ୍ୟକ୍ତିଙ୍କ ସଂପର୍କରେ ଉଲ୍ଲେଖ କଲାବେଳେ ମୁକେଶ ଆମ୍ୱାନି ଓ ଗୌତମ ଆଦାନୀଙ୍କୁ ବାଦ ଦେଇ ପାରିବାନି। ଆମ୍ୱାନି ୯୧.୮ ବିଲିୟନ ଡଲାର ସମ୍ପତ୍ତିର ମାଲିକ। ସେ ଏସିଆର ସବୁଠାରୁ ଧନଶାଳୀ ବ୍ୟକ୍ତି। ତାଙ୍କ ପଛକୁ ଅଛନ୍ତି ଗୌତମ ଆଦାନୀ। ସେ ୫୩.୫ ବିଲିୟନ ଡଲାର ସମ୍ପତ୍ତିର ମାଲିକ। ଅର୍ଥ ବା ସମ୍ପତ୍ତି ଆହରଣ ପାଇଁ ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ନିଶ୍ଚୟ ରହିବ। ଗତ ଆର୍ଥିକବର୍ଷରେ ଆମ୍ୱାନିଙ୍କ ୧ଲକ୍ଷ କୋଟି ଟଙ୍କାର ଆୟ ହ୍ରାସ ପାଇଥିବା ବେଳେ ଆଦାନୀଙ୍କ ଆୟ ୧୩ ପ୍ରତିଶତ ବଢ଼଼ିଛି। ଆମ ଦେଶରେ ବାର୍ଷିକ ୧୦ କୋଟି ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଥିବାର ପରିଲକ୍ଷିତ ହୋଇଛି। ସେମାନଙ୍କ ସଂଖ୍ୟା ୪୩ ହଜାରରେ ପହଞ୍ଚିଛି। ସେହିଭଳି ବାର୍ଷିକ ୧ କୋଟିରୁ ୫ କୋଟି ଉପାର୍ଜନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୩.୮୯ ଲକ୍ଷ ଓ ୫ କୋଟିରୁ ୧୦ କୋଟି ଟଙ୍କା ଆୟକାରୀଙ୍କ ସଂଖ୍ୟା ୩୬ ହଜାରରେ ପହଞ୍ଚିଛି। ଅବଶ୍ୟ ଏହି ତଥ୍ୟ ଆୟକର ବିଭାଗ ରିପୋର୍ଟରୁ ଜଣାପଡ଼ିଛି। ଏହାଛଡ଼ା ଦେଶରେ ୨୮୪ ଅରବପତି ଅଛନ୍ତି, ଯେଉଁମାନଙ୍କର ଆୟ ସାଉଦୀ ଆରବର ଜିଡିପିଠାରୁ ଅଧିକ।

ଦେଶର ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ଏହି ସୀମିତ ଲୋକଙ୍କ ଉପାର୍ଜନ କ୍ଷମତା ହିଁ ଆମ ଅର୍ଥନୀତିକୁ ନୂଆ ଶିଖରରେ ପହଞ୍ଚାଇଛି। ଅଭିବୃଦ୍ଧି ବା ଜିଡିପି ହାର ବୃଦ୍ଧି ସେମାନଙ୍କ କର୍ମକୁଶଳତା ଉପରେ ନିର୍ଭର କରେ। ଅବଶ୍ୟ ଗତ ତୈମାସିକ ଆର୍ଥିକ ରିପୋର୍ଟରେ ଜିଡିପିକୁ କୃଷିର ଅବଦାନ ୪.୨ ପ୍ରତିଶତ ଏକ ଉଲ୍ଲେଖନୀୟ ଘଟଣା। ହେଲେ କୃଷି ଉତ୍ପାଦର ବେପାର ବଣିଜରେ ଏହି ବର୍ଗର ହିଁ ପ୍ରମୁଖ ଭୂମିକା ରହିଛି। ତେଣୁ ଦେଶର ଅର୍ଥନୀତିକୁ ଗତି ଦେଇ ଚତୁର୍ଥସ୍ଥାନରେ ପହଞ୍ଚାଇବାର ସମସ୍ତ ଶ୍ରେୟ ଏମାନଙ୍କୁ ହିଁ ଦିଆଯାଉଛି। ତେଣୁ ସରକାର ବିପୁଳ ବ୍ୟାଙ୍କଋଣ ଛାଡ଼ କରିବା ସହ କର୍ପୋରେଟ ଟିକସ ମଧ୍ୟ ହ୍ରାସ କରିଛନ୍ତି। କିନ୍ତୁ ଆୟକର ବିଭାଗ ପରିସଂଖ୍ୟାନ କହେ ଏମାନଙ୍କ ଅପେକ୍ଷା ସାଧାରଣ ବର୍ଗ ହିଁ ଅଧିକ ଟିକସ ଦେଇଛନ୍ତି। ଏସବୁ ସତ୍ତ୍ବେ ସେମାନଙ୍କ ପ୍ରତି ସରକାରଙ୍କ ସ୍ୱତନ୍ତ୍ର ଆଶୀର୍ବାଦ ରହିଛି।

About The Author

ସମ୍ବନ୍ଧିତ ଖବର