ମନୋରଞ୍ଜନ
ସଂକଟ ଟଳିନି

ମଧ୍ୟପ୍ରାଚ୍ୟରେ ଯେ ଶାନ୍ତି ଫେରିଆସୁଛି, ଏକଥା କୌଣସି ଗୋଟିଏ ପକ୍ଷ ଜୋରଦେଇ କହିପାରିବେନି। ‘ଅପରେସନ ସିନ୍ଦୂର’ରେ ହଠାତ୍ ବିରତି ବା ବିରାମ ଘୋଷଣା କଲା ଭଳି ରାଷ୍ଟ୍ରପତି ଟ୍ରମ୍ପ ଇସ୍ରାଇଲ-ଇରାନ ଅଘୋଷିତ ଯୁଦ୍ଧ ସ୍ଥଗିତ ରହିଲା କହି ଉତ୍ତେଜନା ପ୍ରଶମିତ କରିଛନ୍ତି। ଏହାର ପୃଷ୍ଠଭାଗରେ ତାଙ୍କର ନୋବେଲ ଶାନ୍ତି ପୁରସ୍କାର ହାସଲ ଲକ୍ଷ୍ୟ ଥାଉ କିମ୍ୱା କାତାର ଉପରେ ଇରାନର ପ୍ରତୀକାତ୍ମକ ଆକ୍ରମଣର ସମ୍ଭାବ୍ୟ ଭୟଙ୍କର ପରିଣତି ହେଉ, ଏଭଳି କିଛି ବିଚାର ତାଙ୍କୁ ଏ ଦିଗରେ […]
ମଧ୍ୟପ୍ରାଚ୍ୟରେ ଯେ ଶାନ୍ତି ଫେରିଆସୁଛି, ଏକଥା କୌଣସି ଗୋଟିଏ ପକ୍ଷ ଜୋରଦେଇ କହିପାରିବେନି। ‘ଅପରେସନ ସିନ୍ଦୂର’ରେ ହଠାତ୍ ବିରତି ବା ବିରାମ ଘୋଷଣା କଲା ଭଳି ରାଷ୍ଟ୍ରପତି ଟ୍ରମ୍ପ ଇସ୍ରାଇଲ-ଇରାନ ଅଘୋଷିତ ଯୁଦ୍ଧ ସ୍ଥଗିତ ରହିଲା କହି ଉତ୍ତେଜନା ପ୍ରଶମିତ କରିଛନ୍ତି। ଏହାର ପୃଷ୍ଠଭାଗରେ ତାଙ୍କର ନୋବେଲ ଶାନ୍ତି ପୁରସ୍କାର ହାସଲ ଲକ୍ଷ୍ୟ ଥାଉ କିମ୍ୱା କାତାର ଉପରେ ଇରାନର ପ୍ରତୀକାତ୍ମକ ଆକ୍ରମଣର ସମ୍ଭାବ୍ୟ ଭୟଙ୍କର ପରିଣତି ହେଉ, ଏଭଳି କିଛି ବିଚାର ତାଙ୍କୁ ଏ ଦିଗରେ ନିଶ୍ଚିତ ଅନୁପ୍ରେରିତ କରିଛି। ତେବେ ଘଟଣାକ୍ରମ ଯାହା, ସେଥିରେ ତେହେରାନର ମନୋବଳ ବଢ଼ିଛି। ଦୁଇଦିନ ଧରି ସହରର ରାଜରାସ୍ତାରେ ପାଳିତ ହୋଇଥିବା ବିଜୟୋଲ୍ଲାସ ଏବଂ ଜୁନ ୧୩ରେ ଇସ୍ରାଏଲ ଆକ୍ରମଣରେ ନିହତ ସାମରିକ ମୁଖ୍ୟ ଜେନେରାଲ ମହମ୍ମଦ ବାଘେରି, ପରମାଣୁ ବୈଜ୍ଞାନିକଙ୍କ ସମେତ ୬୦ଜଣଙ୍କୁ କବର ଦେବା ସକାଶେ ଯେଉଁ ଲକ୍ଷ ଲକ୍ଷ ଜନତାଙ୍କ ଶୋଭାଯାତ୍ରା ବାହାରିଥିଲା ତାହା ଇରାନ ଶାସକ ମୁଖ୍ୟ ଖେମିନିଙ୍କ ନେତୃତ୍ୱକୁ ସୁହୃଢ଼ କରିଛି।
ଅନ୍ୟପକ୍ଷରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ସକାଶେ ହ୍ୱାଇଟ ହାଉସରେ ସ୍ୱତନ୍ତ୍ର ଦୂତ ଷ୍ଟିଭ ୱଟକଫ, ମଧ୍ୟପ୍ରାଚ୍ୟ ସହଯୋଗୀଙ୍କ ପ୍ରତିନିଧି ସହ ଟ୍ରମ୍ପ କରିଥିବା ଗୋପନ ଆଲୋଚନା ଏବଂ ନାଟୋ ସହଯୋଗୀଙ୍କ ବୈଠକରେ ଦେଇଥିବା ସୂଚନା କେତେଦୂର ଇରାନ ପାଇଁ ଗ୍ରହଣୀୟ ତାହା ମଧ୍ୟ ସନ୍ଦେହଜନକ। ଇରାନର ତିନିଟି ଆଣବିକ କେନ୍ଦ୍ର ଉପରେ ଆମେରିକା ବି-୨ ବମ୍ବର ମାଧ୍ୟମରେ ନିର୍ଣ୍ଣାୟକ ଆକ୍ରମଣର ପରାକ୍ରମ ଓ ପରିଣତି ନେଇ ଏବେ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ଆମେରିକାର ପକ୍ଷରୁ ଯେତେ ଦାବି କରାଯାଉନା କାହିଁକି ତଥାକଥିତ ବିପର୍ଯ୍ୟୟ ଓ ବିଧ୍ୱସ୍ତ ଘଟିବା ନେଇ ଉପଗ୍ରହ ଚିତ୍ରରୁ ପେଣ୍ଟାଗନ ସଂଗ୍ରହ କରିଥିବା ଖବର ଶେଷରେ ପ୍ରଘଟ ହୋଇଯାଇଛି। ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଣବିକ କେନ୍ଦ୍ର ଫୋର୍ଡୋ ର ଭୂତଳ କଂକ୍ରିଟ ଢାଞ୍ଚାକୁ ଭେଦ କରିପାରିନାହିଁ ବି-୨ ବମ୍ୱର। ଅବଶ୍ୟ ଯଥେଷ୍ଟ ପୂର୍ବରୁ ସମ୍ପର୍ଦ୍ଧିତ ୟୁରାନିୟମକୁ ଇରାନ ସ୍ଥାନାନ୍ତର କରିବାକୁ ମଧ୍ୟ ସମର୍ଥ ହୋଇଥିଲା। ସେହି ଫୋର୍ଡୋ କେନ୍ଦ୍ରର ମରାମତି ଆରମ୍ଭ କରି ଆଣବିକ କାର୍ଯ୍ୟକ୍ରମ ପ୍ରତି ଇରାନ ନିଜର ଅଙ୍ଗୀକାରବଦ୍ଧତା ଜାହିର କରିଛି। ଆନ୍ତର୍ଜାତିକ ଆଣବିକ ସଂଗଠନରୁ ସଂପର୍କ ଛିନ୍ନ କରିବାର ନିଷ୍ପତ୍ତି ମଧ୍ୟ ନେଇଛି। ତେହେରାନ ପକ୍ଷରୁ କୁହାଯାଇଛି ଯେ ସଂଗଠନର ଡିଜି ରାଫଲ୍ ମାରିଆନା ଗ୍ରସି ଇରାନ୍ ଆଣବିକ କେନ୍ଦ୍ର ଅନୁଧ୍ୟାନ ଓ ତଦାରଖ ନାମରେ ସମସ୍ତ ଗୋପନ ତଥ୍ୟ ପ୍ରତିପକ୍ଷ ଇସ୍ରାଏଲକୁ ଯୋଗାଉଛି। ଜୁନ ୧୩ ତାରିଖରେ ଇସ୍ରାଏଲ ଆକ୍ରମଣରୁ ଏହା ସ୍ପଷ୍ଟ ହୋଇଛି। ଏକଥା ଏଠାରେ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି, ଟ୍ରମ୍ପ ଯେଉଁ ସମାଧାନର ସୂତ୍ର ଉପସ୍ଥାପନ କରିଛିନ୍ତି ତାହା ଇରାନ ପାଇଁ ଆଦୌ ଗ୍ରହଣୀୟ ନୁହେଁ। ଇରାନର ବୈଦେଶିକ ମନ୍ତ୍ରୀ ଆବାସ୍ ଆରାଗ୍ଛି ମଧ୍ୟ ତାଙ୍କ ବିବୃତିରେ ସ୍ପଷ୍ଟ କରିଛନ୍ତି।
ଇରାନର ଆଣବିକ କାର୍ଯ୍ୟକ୍ରମକୁ ଗତି ଦେବା ପାଇଁ ଟ୍ରମ୍ପ ୨୦ ରୁ ୩୦ ବିଲିୟନ ଡଲାର ସହାୟତା ଦେବା ସକାଶେ ପ୍ରସ୍ତୁତ ଅଛନ୍ତି। ତେବେ ସର୍ତ୍ତ ହେଲା ଇରାନ ୟୁରାନିୟମ୍ ସମ୍ବର୍ଦ୍ଧନ କରିପାରିବନି। ଆଣବିକ ଶକ୍ତିର ବେସାମରିକ ଉପଯୋଗ ସକାଶେ ସେ ସମ୍ବର୍ଦ୍ଧିତ ୟୁରାନିୟମ ବିଦେଶରୁ ଆମଦାନୀ କରିପାରିବ। ଏହି ବିପୁଳ ଅର୍ଥରାଶି ମଧ୍ୟ ପ୍ରାଚ୍ୟର ତାଙ୍କ ସହଯୋଗୀ ଇରାନକୁ ଦେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ପ୍ରତିବନ୍ଧକ ପ୍ରତ୍ୟାହାରର ପ୍ରଥମ ପଦକ୍ଷେପ ସ୍ୱରୂପ ଜବତ କରାଯାଇଥିବା ବିଦେଶୀ ବ୍ୟାଙ୍କର ୬ ବିଲିୟନ ଡଲାର ମଧ୍ୟ ଇରାନ ଉଠାଇବାରେ ଆଉ କଟକଣା ରହିବ ନାହିଁ। ଏହି ପ୍ରାରମ୍ଭିକ ସର୍ତ୍ତ ମାଧ୍ୟମରେ ଇରାନ ସହ ଆପୋସ ଆଲୋଚନା ସାତଦିନ ମଧ୍ୟରେ ଆରମ୍ଭ ହେବ ବୋଲି ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି। ଇରାନ ସକାଶେ ଏହା ଯେ ଗ୍ରହଣୀୟ ନୁହେଁ ତାହା ଖେମିନିଙ୍କ ଜାତି ଉଦ୍ଦେଶ୍ୟରେ କରିଥିବା ଘୋଷଣାରୁ ଜଣାପଡ଼ିଛି।
ଏହି ତଥ୍ୟରୁ ଏବେ ମଧ୍ୟ ଅସ୍ପଷ୍ଟ ଯେ ଆପୋସ ଆଲୋଚନାରେ ଇସ୍ରାଏଲର ଭୂମିକା କ’ଣ ହେବ। ଆମେରିକା ପକ୍ଷରୁ ଉପସ୍ଥାପିତ ସର୍ତ୍ତରେ ଇସ୍ରାଏଲର ନାମ ଗନ୍ଧ ନଥିବାର ଲକ୍ଷ୍ୟ କରାଯାଇଛି। ଜୁନ ୧୩ ତାରିଖରେ ଇରାନ ଉପରେ ଇସ୍ରାଏଲର ଅତର୍କିତ ଆକ୍ରମଣ ଏବଂ ସେଥିରେ ଯେଉଁ ବିପୁଳ କ୍ଷୟକ୍ଷତି ଘଟିଲା ସେଥିସକାଶେ କାହାକୁ ଦାୟୀ କରାଯାଇନାହିଁ। ଇରାନ ପ୍ରତିଆକ୍ରମଣ ଜାରି ରଖିଥିବା ବେଳେ ଆମେରିକା ସର୍ବଶକ୍ତିମାନ ବି-୨ ବମ୍ୱର ମାଧ୍ୟମରେ ତିନିଟି ପରମାଣୁ କେନ୍ଦ୍ର ଉପରେ କରିଥିବା ଘାତକ ଆକ୍ରମଣ ରାଷ୍ଟ୍ରର ସାର୍ବଭୌମତାକୁ କ୍ଷୁଣ୍ଣ କରିଛି। ଏହି ପାତାଳ ଭେଦୀ ବୋମା ଯଦି ଆଣବିକ ତେଜସ୍କ୍ରିୟର ବିକିରଣ ଘଟିଥା’ନ୍ତା ତାହାର ଭୟଙ୍କର ପରିଣତି ନେଇ ଆମେରିକା ସଚେତନ ହେବାର ଥିଲା। ଏହି ନୈତିକ ଅପରାଧ ସକାଶେ କିଏ କାହାକୁ ଦୋଷୀ କରିବ?
ସର୍ବଶକ୍ତିମାନ ଗୋଇନ୍ଦା ସଂସ୍ଥା ମୋସାଡ୍ ମାଧ୍ୟମରେ ଇସ୍ରାଏଲ ଆବଶ୍ୟକତାଠାରୁ ଅଧିକ ବଳୀୟାନ ନୁହେଁ ତ? କେବେଳ ଆମେରିକା ନୁହେଁ ବିଶ୍ୱର ବହୁ ପ୍ରମୁଖ ରାଷ୍ଟ୍ରରେ ମୋସାଡ୍ ସକ୍ରିୟ। ସେଠାକାର ନେତୃତ୍ୱ ବିରୋଧରେ ଗୋପନ ତଥ୍ୟ ସଂଗ୍ରହ ଏବଂ ଆବଶ୍ୟକ ସ୍ଥଳେ ତାହାର ଦୁରୁପଯୋଗ କରିବାରେ ସେମାନେ ସିଦ୍ଧହସ୍ତ। ବିଶ୍ୱ କୂଟନୈତିକ ସଂପର୍କକୁ ପ୍ରଭାବିତ କରି ପ୍ରାଧାନ୍ୟ ଓ ପତିଆରା ଜାହିର କରିଆସିଛି ଇସ୍ରାଏଲ। ଅତ୍ୟାଧୁନିକ ଇଲେକ୍ଟ୍ରୋନିସ୍ ଜ୍ଞାନକୌଶଳର ଉପଯୋଗ ହେଉଛି ମୋସାଡ୍ର ଗୋପନ ଅସ୍ତ୍ର। ସମସ୍ତଙ୍କ ଅଜ୍ଞାତରେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱକୁ କବ୍ଜା କରିବାରେ ସେମାନେ ସିଦ୍ଧହସ୍ତ। ଆମଦେଶରେ ପେଗାସସ୍କୁ ନେଇ ଯେଉଁ ହଟଚମଟ ଘଟିଲା, ତାହାଠାରୁ ଆହୁରି ସଂଗିନ ସରଂଜାମର ଅଧିକାରୀ ସେମାନେ। ଏସବୁ ଉଲ୍ଲେଖ କଲାବେଳେ ଆମେ ଆମ ନିଜକୁ ମଧ୍ୟ ପ୍ରଶ୍ନ କରୁଛୁ। ଜୁନ ୧୩ ର ଆକ୍ରମଣ କ’ଣ ଆମେରିକାର ଅଜ୍ଞାତରେ ହୋଇଥିଲା? ପ୍ରତିଆକ୍ରମଣରେ ଇସ୍ରାଏଲର ବିପୁଳ କ୍ଷତି ତାହାର ପ୍ରତିରୋଧ କ୍ଷମତାକୁ ଦୁର୍ବଳ କରିଥିବା ବେଳେ ହଠାତ୍ ଇରାନ ଉପରେ ଆମେରିକା ଆକ୍ରମଣ କରିବା ସହ ଚଟାପଟ ଯୁଦ୍ଧ ବିରାମ ଘୋଷଣା କରିବାର ଉଦ୍ଦେଶ୍ୟ କ’ଣ? ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନେତୃତ୍ୱ ପ୍ରତି ସମ୍ଭାବ୍ୟ ବିପଦର ମୁକାବିଲା ସକାଶେ ଟ୍ରମ୍ପ ଏତେ ତତ୍ପର କାହିଁକି? ଏସବୁର ଉତ୍ତର ଆମେ ଏହି ଅଗ୍ରଲୋଖାରେ ଏକପ୍ରକାର ଦେଇସାରିଛୁ। କିନ୍ତୁ ଏଥିନେଇ କାହାକୁ ସିଧାସଳଖ ଆକ୍ଷେପ କରାଯାଇନପାରେ।