ବିଶ୍ୱାସର ବୈଜ୍ଞାନିକ ବିଶ୍ଳେଷଣ

The Sakala Picture
Published On

ଆମ ସମାଜରେ ଧର୍ମ ବିଶ୍ୱାସ ସହିତ ତନ୍ତ୍ରମନ୍ତ୍ର ଆଦିର ଉପସ୍ଥିତି ଓ ପ୍ରଭାବ ବହୁକାଳରୁ ରହିଆସିଛି। ଏଥିସହିତ ଯୋଡ଼ି ହୋଇରହିଥିବା ଅଲୌକିକତା ଯୋଗୁଁଁ ତନ୍ତ୍ରମନ୍ତ୍ରର ଉପରେ ଜନବିଶ୍ୱାସ ଦୃଢ଼ ହୋଇ ଆସିଛି। ଅପରପକ୍ଷରେ ବିଜ୍ଞାନର ଆହ୍ୱାନରେ ତନ୍ତ୍ରମନ୍ତ୍ରର କରାମତି ବଳହୀନ ସାବ୍ୟସ୍ତ ହୋଇଛି। ତଥାପି ଅନ୍ଧବିଶ୍ୱାସକୁ ପାଥେୟ କରି ତନ୍ତ୍ର ଓ ତାନ୍ତ୍ରିକମାନେ ଆଜି ମଧ୍ୟ ସମାଜର ବିଭିନ୍ନ ସ୍ତରରେ ଆଧିପତ୍ୟ ବିସ୍ତାର କରିଛନ୍ତି। ତନ୍ତ୍ରମନ୍ତ୍ର ଆଦିର ବିଶ୍ଳେଷଣରୁ ଜଣାଯାଏ ଯେ ପାଶ୍ଚାତ୍ୟ ଜଗତରେ ଏହାର ଦୁଇ […]

ଆମ ସମାଜରେ ଧର୍ମ ବିଶ୍ୱାସ ସହିତ ତନ୍ତ୍ରମନ୍ତ୍ର ଆଦିର ଉପସ୍ଥିତି ଓ ପ୍ରଭାବ ବହୁକାଳରୁ ରହିଆସିଛି। ଏଥିସହିତ ଯୋଡ଼ି ହୋଇରହିଥିବା ଅଲୌକିକତା ଯୋଗୁଁଁ ତନ୍ତ୍ରମନ୍ତ୍ରର ଉପରେ ଜନବିଶ୍ୱାସ ଦୃଢ଼ ହୋଇ ଆସିଛି। ଅପରପକ୍ଷରେ ବିଜ୍ଞାନର ଆହ୍ୱାନରେ ତନ୍ତ୍ରମନ୍ତ୍ରର କରାମତି ବଳହୀନ ସାବ୍ୟସ୍ତ ହୋଇଛି। ତଥାପି ଅନ୍ଧବିଶ୍ୱାସକୁ ପାଥେୟ କରି ତନ୍ତ୍ର ଓ ତାନ୍ତ୍ରିକମାନେ ଆଜି ମଧ୍ୟ ସମାଜର ବିଭିନ୍ନ ସ୍ତରରେ ଆଧିପତ୍ୟ ବିସ୍ତାର କରିଛନ୍ତି।

ତନ୍ତ୍ରମନ୍ତ୍ର ଆଦିର ବିଶ୍ଳେଷଣରୁ ଜଣାଯାଏ ଯେ ପାଶ୍ଚାତ୍ୟ ଜଗତରେ ଏହାର ଦୁଇ ପ୍ରକାରର ଉତ୍ସ ରହିଛି। ଖ୍ରୀଷ୍ଟପୂର୍ବ ଷଷ୍ଠରୁ ଚତୁର୍ଥ ଶତାବ୍ଦୀ ମଧ୍ୟରେ ପ୍ରାଚୀନ ପାରସ୍ୟରେ ଯୋରାଷ୍ଟର ଧର୍ମାବଲମ୍ୱୀମାନଙ୍କ ମଧ୍ୟରୁ ଏକ କ୍ଷୁଦ୍ର ଗୋଷ୍ଠୀ ଦୁର୍ବୋଧ୍ୟ ଶବ୍ଦ ଉଚାରଣ, ମନ୍ତ୍ର ଆଦି ମାଧ୍ୟମରେ ପ୍ରକୃତି ଉପରେ କିଛିଅଂଶରେ ଏବଂ ମନୁଷ୍ୟ ଓ ପଶୁପକ୍ଷୀଙ୍କ ଉପରେ ନିୟନ୍ତ୍ରଣ, ସେମାନଙ୍କୁ ବଶୀଭୂତ କରିବା, ରୋଗୀ ଚିକିତ୍ସା ଭଳି କାର୍ଯ୍ୟରେ ସଂପୃକ୍ତ ଥିଲେ। ଏହି ବ୍ୟକ୍ତିମାନେ ‘ମାଗି’ ଭାବରେ ଏବଂ ସେମାନଙ୍କ ବୃତ୍ତି ‘ମାଗସ୍‌‌’ ନାମରେ ପରିଚିତ ଥିଲା। ‘ମାଗସ୍‌‌’ ଶବ୍ଦରୁ ଆଧୁନିକ ‘ମ୍ୟାଜିକ’ ଶବ୍ଦର ସୃଷ୍ଟି। ଏହି କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ‘ମେଜିକସିୟାନ’ ବା ‘ଯାଦୁକର’ ନାମ ଦିଆଯାଇଥିଲ। ଏମାନେ ତନ୍ତ୍ରମନ୍ତ୍ର, ଅଲୌକିକ ଶକ୍ତି ଆଦିର ପ୍ରୟୋଗ କରି ଅସାଧ୍ୟ ସାଧନ କରୁଥÒବା ଦାବି କରୁଥିଲେ। ଏମାନଙ୍କ ବିଦ୍ୟା ଅତ୍ୟନ୍ତ ରହସ୍ୟମୟ ଏବଂ ମାରଣ, ତାରଣ, ବଶୀକରଣ, ଉଚ୍ଚାଟନ, ସ୍ତମ୍ଭନ, ସମ୍ମୋହନ, ପ୍ରକୃତି ନିୟନ୍ତ୍ରଣ ଓ କୃଷି ଯାଦୁ ଭାବରେ ଆଠଟିରୁ ଅଧିକ ଭାଗରେ ବିଭକ୍ତ ଥିଲା।

ଅନ୍ୟପକ୍ଷରେ ଯାଦୁବିଦ୍ୟା ପ୍ରାୟ ୨୦ରୁ ଅଧିକ ବିଭାଗରେ ବିଭାଜିତ। ଅଲୌକିକ କୁହାଯାଉଥିବା ଏକ ରହସ୍ୟମୟ ଶକ୍ତି ଏସବୁର ମୂଳଉତ୍ସ। ଅଲୌକିକ ଶବ୍ଦର ବିଶ୍ଳେଷଣ କଲେ ଏହା ବୈଜ୍ଞାନିକ ତତ୍ତ୍ୱଗୁଡ଼ିକର ଧୋକାବାଜୀପୂର୍ଣ୍ଣ ପ୍ରୟୋଗକୁ ବୁଝାଏ। ପାଶ୍ଚାତ୍ୟ ସଭ୍ୟତାରେ ତନ୍ତ୍ରମନ୍ତ୍ର, ଅଲୌକିକତା ଆଦିର ଦ୍ୱିତୀୟ ଉତ୍ସଟି ହେଉଛି ଖ୍ରୀଷ୍ଟିୟ ୩ୟ ଶତାବ୍ଦୀ ପୂର୍ବରୁ ଇଜିପ୍ଟରେ ‘ଚେମି’ ନାମରେ ପରିଚିତ ଥିବା ଏକ ଚିକିତ୍ସକ ଗୋଷ୍ଠୀ। ତୃତୀୟ ଶତାବ୍ଦୀ ବେଳକୁ ରୋଗର ସଫଳ ଉପଶମର ସଫଳତା ଯୋଗୁଁ ସମାଜରେ ସେମାନଙ୍କ ସମ୍ମାନ ଶାସକବର୍ଗ ଅପେକ୍ଷା ଅଧିକ ବଢ଼଼ିଲା। ଏଥିରେ ଶାସକମାନେ କ୍ଷମତା ହରାଇବା ଆଶଙ୍କାରେ ‘ଚେମି’ମାନଙ୍କୁ ଗୁପ୍ତରେ ହତ୍ୟା କଲେ। ତେଣୁ ‘ଚେମି’ମାନେ ଇଜିପ୍ଟରୁ ଆରବକୁ ଚାଲିଆସି ଆରବୀୟ ଭାଷାଶୈଳୀରେ ‘ଚେମି’ ପୂର୍ବରୁ ‘ଏଆଇ’ ଯୋଗକରି ‘ଏଆଇଚେମିଷ୍ଟ’ ନାମରେ ପରିଚିତ ହେଲେ।

‘ଏଆଇଚେମିଷ୍ଟ’ମାନଙ୍କର ବୃତ୍ତିଗତ ଅବଧାରଣା ଦୁଇପ୍ରକାରର ଥିଲା। ପ୍ରଥମତଃ, ‘ଫିଲୋସଫିକାଲ୍‌‌ ଷ୍ଟୋନ୍‌‌’ ନାମକ ଏକ ରହସ୍ୟମୟ ପଦାର୍ଥ ସଂସ୍ପର୍ଶରେ ଆସିଲେ ନିକୃଷ୍ଟ ଧାତୁ ସୁନା ହେବା ସହ ସମସ୍ତ ରୋଗରୁ ଆରୋଗ୍ୟଲାଭ, କାମନା ପୂରଣ ଆଦି ହୋଇପାରେ। ଏହା ପୃଥିବୀ ପୃଷ୍ଠରେ କେଉଁଠି ଅଛି ଓ ଶୁଭ ମୁହୂର୍ତ୍ତରେ ଖୋଜିଲେ ମିଳିବ। ଦ୍ୱିତୀୟ ଧାରଣାଟି ହେଲା ଏହା କେଉଁଠି ନାହିଁ, ଏହାକୁ ବିଭିନ୍ନ ଧାତୁ ଇତ୍ୟାଦିର ମିଶ୍ରଣରୁ ତିଆରି କରାଯାଇ ପାରିବ। ପ୍ରଥମ ଅବଧାରଣାକୁ ନେଇ ଶୁଭ ମୁହୂର୍ତ୍ତରେ ବିଭିନ୍ନ ସ୍ଥାନ ଖୋଜି ପାଇବାକୁ ଚେଷ୍ଟା କରୁଥିବା ଗୋଷ୍ଠୀ ଏହା ପାଇଲେ ନାହିଁ ସତ, କିନ୍ତୁ ଫଳିତ ଜ୍ୟୋତିଷ ଆଧାରରେ ଜ୍ୟୋତିର୍ବିଜ୍ଞାନ ଓ ଭୂ-ବିଜ୍ଞାନକୁ ବିଭିନ୍ନ ନୂଆ ତତ୍ତ୍ୱରେ ସମୃଦ୍ଧ କଲେ। ବିଭିନ୍ନ ଧାତୁର ମିଶ୍ରଣରେ ‘ଫିଲୋସଫିକାଲ୍‌‌ ଷ୍ଟୋନ୍‌‌’ ତିଆରୁଥିବା ଗୋଷ୍ଠୀ ମେଟାଲରଜିକାଲ୍‌‌ ସାଇନ୍ସ, ଆଲଏ, ଆର୍ସେନିକ୍‌‌ ପଏଜନ୍‌‌, ଟକ୍ସିକୋଲଜି, ସାଇନ୍ସ ଅଫ୍‌‌ ମେଡିସିନ୍‌‌ ଆଦି ବିଜ୍ଞାନର ଅନେକ କ୍ଷେତ୍ରକୁ ନୂଆ ତତ୍ତ୍ୱ ଦେଲେ। ଏହି ଉଭୟ ଅବଧାରଣାରେ ତନ୍ତ୍ରମନ୍ତ୍ରର ପ୍ରୟୋଗ ଅପବିଜ୍ଞାନ ହୋଇ ରହିଗଲା।

ପ୍ରାଚ୍ୟ ଭୂଭାଗରେ ତନ୍ତ୍ରମନ୍ତ୍ର ଆଦିର ଅନେକ ଉତ୍ସ ରହିଛି। ବୌଦ୍ଧ ଧର୍ମ ମହାଯାନ ଓ ହୀନଯାନ ଭାବରେ ବିଭାଜିତ ହୋଇ ସେଥÒରୁ ଆହୁରି ଅନେକ ବିଭାଜନ ପରେ ତନ୍ତ୍ରଯାନ ଓ ସହଜଯାନର ଉଦ୍ଭବ ହେଲା। ସହଜଯାନପନ୍ଥୀମାନେ ରହସ୍ୟମୟ ତାନ୍ତ୍ରିକ ଅବଧାରଣାର ସ୍ରଷ୍ଟା ବୋଲି ସେମାନଙ୍କ ଦ୍ୱାରା ରଚିତ ଚର୍ଯ୍ୟାପଦଗୁଡ଼ିକରୁ ଜଣାପଡ଼େ। ବେଦ ଏବଂ ବିଭିନ୍ନ ସଂହିତାଗୁଡ଼ିକର ରଚନାକାଳ ଖ୍ରୀଷ୍ଟପୂର୍ବ ୧୫୦୦ରୁ ଖ୍ରୀଷ୍ଟପୂର୍ବ ୬୦୦ ବୋଲି ଏକ ମତ ରହିଛି। ବୈଦିକ ଯୁଗରୁ ଫଳିତ ଜ୍ୟୋତିଷର ପ୍ରୟୋଗ ପ୍ରାଚ୍ୟ ଜଗତରେ ଥିଲା। ବେଦ ଓ ଜ୍ୟୋତିଷ ଶାସ୍ତ୍ରରେ ବିଭିନ୍ନ ପ୍ରକାରର ତନ୍ତ୍ରମନ୍ତ୍ର ଆଦିର ବ୍ୟବହାର ମଧ୍ୟ ହେଉଥିଲା। ଖ୍ରୀଷ୍ଟିୟ ପ୍ରଥମ ଶତାବ୍ଦୀରେ ରଚିତ ଆୟୁର୍ବେଦର ଆଠଟି ବିଭାଗ ମଧ୍ୟରୁ ଶଲ୍ୟତନ୍ତ୍ର, ଶାଲକ୍ୟତନ୍ତ୍ର, ଅଗଦତନ୍ତ୍ର ଓ ଭୂତବିଦ୍ୟା ସିଧାସଳଖ ତନ୍ତ୍ରମନ୍ତ୍ର ସହ ଜଡ଼ିତ। ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସମ୍ଭବତଃ ୧୩ଶ ଶତାବ୍ଦୀରେ ନାରାୟଣାନନ୍ଦ ଅବଧୂତସ୍ୱାମୀଙ୍କ ରଚିତ ‘ରୁଦ୍ରସୁଧାନିଧି’ ନାମକ ଅସମ୍ପୂର୍ଣ୍ଣ ଗଦ୍ୟକାବ୍ୟରେ ତନ୍ତ୍ରମନ୍ତ୍ରର ଅନେକ ବିଭାଗର ବର୍ଣ୍ଣନା ରହିଛି। କବିସମ୍ରାଟ ଉପେନ୍ଦ୍ରଭଞ୍ଜ ‘ଲାବଣ୍ୟବତୀ’ କାବ୍ୟରେ ‘ଐନ୍ଦ୍ରଜାଲିକର ରାମଚରିତ ପ୍ରଦର୍ଶନ’ ଅଧ୍ୟାୟରେ ଓଡ଼ିଶାରେ ତନ୍ତ୍ରମନ୍ତ୍ର, ଯାଦୁବିଦ୍ୟା ପ୍ରଚଳନର ସୂଚନା ଦେଇଛନ୍ତି। ପ୍ରାଚ୍ୟ-ପାଶ୍ଚାତ୍ୟ ଅବଧାରଣା ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଥିବା ଦେଖାଯାଏ।

ଡଚ୍‌‌-ଜୀଉ ଦାର୍ଶନିକ ସ୍ପିନୋଜା ଷୋଡ଼ଶ ଶତାବ୍ଦୀରେ ଧର୍ମର ବୈଜ୍ଞାନିକ ବିଶ୍ଳେଷଣ ଆବଶ୍ୟକ ବୋଲି ମତଦେଲେ। ସେ ଅନୁଭବ କରିଥିଲେ ଯେ ଧର୍ମଗୁଡ଼ିକ ଅଜ୍ଞତାପୂର୍ଣ୍ଣ ଅବଧାରଣା, ବିଚାରହୀନତା ଓ ଅବୈଜ୍ଞାନିକ ଚିନ୍ତାଧାରାରେ ପରିପୂର୍ଣ୍ଣ। ଏହି ମତସହ ସେ ଧର୍ମର ବୈଜ୍ଞାନିକ ବିଶ୍ଳେଷଣର ଭିତ୍ତି ପକାଇଥିଲେ। ଏହିଠାରୁ ଅଲୌକିକ କୁହାଯାଉଥିବା ଘଟଣାଗୁଡ଼ିକର ସିଧାସଳଖ ଅନୁସନ୍ଧାନ ଓ ଆହ୍ୱାନ ଆରମ୍ଭ ହେଲା ବୋଲି କୁହାଯାଇପାରେ। ଅଲୌକିକତାକୁ ଛାଡ଼ି ଦେଲେ ଧର୍ମ ଆକର୍ଷଣୀୟ ହେବନାହିଁ। ଅନ୍ୟପକ୍ଷରେ ଅଲୌକିକତା ହେଉଛି ବିଭିନ୍ନ ବୈଜ୍ଞାନିକ ତତ୍ତ୍ୱର ବିରୁଦ୍ଧାଚରଣ କରୁଥିବା ଘଟଣାର ବର୍ଣ୍ଣନା। ପ୍ରତ୍ୟେକ ବ୍ୟକ୍ତି ପାରିବାରିକ ଧର୍ମ ବିଶ୍ୱାସ ଭିତରେ ବଢ଼଼ନ୍ତି। ତେଣୁ ଯେତେ ଅଧିକ ପାଠ ପଢ଼଼ିଲେ ମଧ୍ୟ ପାରିବାରିକ ଧର୍ମର ଅବୈଜ୍ଞାନିକ ଅବଧାରଣାକୁ ଛାଡ଼ିବା ସହଜ ହୁଏ ନାହିଁ। ଏହି ଅବଧାରଣାକୁ ନେଇ କିଛି ଧୂର୍ତ୍ତ ଧୋକାବାଜୀକୁ ବ୍ୟବସାୟରେ ପରିଣତ କରିଦିଅନ୍ତି। ସମାଜର ପ୍ରତିଷ୍ଠିତ ଓ ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ ମଧ୍ୟ ଏପ୍ରକାରର ବ୍ୟବସାୟିକ ଧୋକାବାଜୀର ଶିକାର ହୁଅନ୍ତି ଏବଂ ଲୋକଲଜ୍ଜା ହେତୁ ପ୍ରତିବାଦ କିମ୍ୱା ଅଭିଯୋଗ କରନ୍ତି ନାହିଁ।

ତନ୍ତ୍ରମନ୍ତ୍ର, ଅଲୌକିକତା, ଅପବିଜ୍ଞାନ, ଚିକିତ୍ସକ ନହୋଇ ରୋଗୀ ଚିକିତ୍ସା ଆଦି ଉପରେ ଅନୁସନ୍ଧାନ ତଥା ଏସବୁକୁ ବ୍ୟକ୍ତିଗତ ଓ ଆନୁଷ୍ଠାନିକ ଭାବରେ ଆହ୍ୱାନ ଦେବା ଜନଆନ୍ଦୋଳନ ଭାବରେ ଆରମ୍ଭ ହେଲା ଊନବିଂଶ ଶତାବ୍ଦୀରେ। ୧୮୮୫ ମସିହାରେ ‘ବ୍ରିଟିଶ ରେସନାଲିଷ୍ଟ ପ୍ରେସ ଆସୋସିଏସନ’ ଗଠିତ ହୋଇ ଅନେକ ତଥାକଥିତ ଅଲୌକିକ ଶକ୍ତିଧାରୀଙ୍କୁ ଶକ୍ତି ପ୍ରଦର୍ଶନର ଆହ୍ୱାନ ଦେଲା। ଏହାପରେ ଅଲୌକିକତା ନାମରେ ଲୋକଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଅନେକ ସଙ୍ଗଠନ ସୃଷ୍ଟି ହେଲା। ୧୯୭୬ ମସିହାରେ ନ୍ୟୁୟର୍କଠାରେ ପଲ କର୍ଜଙ୍କ ସଭାପତିତ୍ୱରେ ‘କମିଟି ଫର ସାଇଣ୍ଟିଫିକ୍‌‌ ଇନ୍‌‌ଭେଷ୍ଟିଗେସନ୍‌‌ ଅଫ୍‌‌ କ୍ଲେମ୍‌‌ସ ଅଫ୍‌‌ ପାରାନର୍ମାଲ’ ନାମକ ଅନ୍ତର୍ଜିତୀୟ ସଙ୍ଗଠନ ସୃଷ୍ଟି ହେଲା। ଆମେରିକାରେ ଜେମ୍ସ ରାଣ୍ଡି, ହାରି ଏଡୱାଡସ୍‌‌ଙ୍କ ଭଳି କେତେକ ବ୍ୟକ୍ତି ଜନସାଧାରଣଙ୍କୁ ଅଲୌକିକତା ନାମରେ ଶୋଷଣରୁ ରକ୍ଷା କରିବାକୁ ସଂସ୍ଥାମାନ ଗଢ଼ିଲେ। ୧୯୮୦ ମସିହାରେ ଅଷ୍ଟ୍ରେଲିଆର ସିଡନୀଠାରେ ‘ଅଷ୍ଟ୍ରେଲିଆନ ସ୍କେପଟିକସ’ ନାମକ ଆନ୍ତର୍ଜାତିକ ସଙ୍ଗଠନ ଗଠନ ହେଲା। ଏହା ପୂର୍ବରୁ ୧୯୪୮ ଡିସେମ୍ୱର ୧୦ ତାରିଖ ଦିନ ମିଳିତ ଜାତିସଂଘ ପକ୍ଷରୁ ‘ୟୁନିଭର୍ସାଲ ଡିକ୍ଲାରେସନ ଅଫ ହ୍ୟୁମାନ ରାଇଟସ୍‌‌’ ଘୋଷଣାପତ୍ର ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ରମାନେ କାର୍ଯ୍ୟକାରୀ କରି ସାଧାରଣ ଜନତାଙ୍କ ସ୍ୱାର୍ଥ ରକ୍ଷା ସହ ବିଭିନ୍ନ ପ୍ରକାର ଶୋଷଣରୁ ସୁରକ୍ଷା ନିମିତ୍ତ ଆଇନ ପ୍ରଣୟନ କରିଛନ୍ତି। ଆମ ଦେଶରେ ‘ଦ ମ୍ୟାଜିକାଲ୍‌‌ ରିମେଡିସ୍‌‌ ଆଣ୍ଡ(ଅବଜେକସନାଲ୍‌‌ ଆଡଭରଟାଇଜମେଣ୍ଟ) ଆକ୍ଟ ୧୯୫୪’ ମାଧ୍ୟମରେ ଚିକିତ୍ସାଗତ ଆଇନସିଦ୍ଧ ପ୍ରମାଣପତ୍ର ନଥିଲେ ରୋଗୀ ଚିକିତ୍ସା, ତନ୍ତ୍ରମନ୍ତ୍ର ଚିକିତ୍ସା, ଉପଚାର ଆଦି କରିବା ଦଣ୍ଡନୀୟ ଅପରାଧ ଭାବରେ ପରିଗଣିତ ହୋଇସାରିଛି। ଆମ ଦେଶର ସମ୍ୱିଧାନର ଧାରା ୫୧(କ)(ଜ) ବୈଜ୍ଞାନିକ ଦୃଷ୍ଟିକୋଣ, ମାନବବାଦର ପ୍ରସାର ଓ ଅନୁସନ୍ଧାନର ମନୋବୃତ୍ତି ପ୍ରତ୍ୟେକ ନାଗରିକ ରଖିବାକୁ ନିର୍ଦ୍ଦେଶ କରିଛି। ଭାରତରେ ପ୍ରଫେସର ଆବ୍ରାହମ ଥମାସ କଭୁର, ସାନାଲ ଏଡାମାରୁକୁ, ବାସବ ପ୍ରେମାନନ୍ଦଙ୍କ ଭଳି ଅନେକ ବ୍ୟକ୍ତି ଅଲୌକିକତା ଓ ତନ୍ତ୍ରମନ୍ତ୍ର ନାମରେ ଶୋଷଣକୁ ବୃତ୍ତି ଭାବରେ ଗ୍ରହଣ କରିଥିବା ଲୋକଙ୍କୁ ଖୋଲା ଆହ୍ୱାନ ଦେଇ ଅଲୌକିକତା ନାମରେ କରାଯାଉଥିବା ଧୋକାବାଜୀର ରହସ୍ୟ ପ୍ରଘଟକାରୀ ଜନସଭା ଆୟୋଜନ କରିଛନ୍ତି। ଏସବୁ ସତ୍ତ୍ବେ ଶିକ୍ଷିତ ଲୋକଙ୍କ ସହିତ ସାଧାରଣ ଲୋକେ ଅବୈଜ୍ଞାନିକ ଅବଧାରଣାକୁ ନେଇ ବିଜ୍ଞାପନ ମାଧ୍ୟମରେ ଠକାମି ଓ ଶୋଷଣର ଶିକାର ହୋଇଚାଲିଛନ୍ତି।

ସୁଧାଂଶୁ ଶେଖର ଧଡ଼ା
ଭୁବନେଶ୍ୱର, ମୋ: ୯୩୩୭୦୧୫୮୮୨

About The Author

ସମ୍ବନ୍ଧିତ ଖବର