ରେଲୱେ ଷ୍ଟେସନରେ ବିମାନବନ୍ଦର ପରି ନିୟମ : ମିଳିବ ବୋର୍ଡିଂ ପାସ୍, ଲଗେଜ୍ ଓଜନ ଅନୁଯାୟୀ ଆଦାୟ ହେବ ଭଡ଼ା
ନୂଆଦିଲ୍ଲୀ : ବିମାନଯାତ୍ରୀଙ୍କ ପରି ଏଣିକି ରେଳ ଯାତ୍ରୀ ବି ଦେବେ ବ୍ୟାଗେଜ୍ ଓ ଲଗେଜ୍ ଚାର୍ଜ। ଯାତ୍ରା ସମୟରେ ସାଥୀରେ ନେଉଥିବା ସାମଗ୍ରୀ, ବ୍ୟାଗ୍ ଓ ଲଗେଜ୍ ଓଜନ ଅନୁସାରେ ଯାତ୍ରୀଙ୍କୁ ଭଡ଼ା ଦେବାକୁ ପଡ଼ିବ। ଉତ୍ତରପ୍ରଦେଶର ପ୍ରୟାଗରାଜ ଓ ଲକ୍ଷ୍ନୌ ଷ୍ଟେସନରୁ ଏହା କାର୍ଯ୍ୟକାରୀ ହେବ; ପରବର୍ତ୍ତୀ ସମୟରେ ଏହା ସାରା ଦେଶରେ ପ୍ରଚଳନ କରାଯିବ। ରେଳଯାତ୍ରୀଙ୍କ ପାଇଁ ଏହି ନିୟମ କଠୋର ଭାବରେ ଅନୁପାଳନ କରାଯିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । […]
ନୂଆଦିଲ୍ଲୀ : ବିମାନଯାତ୍ରୀଙ୍କ ପରି ଏଣିକି ରେଳ ଯାତ୍ରୀ ବି ଦେବେ ବ୍ୟାଗେଜ୍ ଓ ଲଗେଜ୍ ଚାର୍ଜ। ଯାତ୍ରା ସମୟରେ ସାଥୀରେ ନେଉଥିବା ସାମଗ୍ରୀ, ବ୍ୟାଗ୍ ଓ ଲଗେଜ୍ ଓଜନ ଅନୁସାରେ ଯାତ୍ରୀଙ୍କୁ ଭଡ଼ା ଦେବାକୁ ପଡ଼ିବ। ଉତ୍ତରପ୍ରଦେଶର ପ୍ରୟାଗରାଜ ଓ ଲକ୍ଷ୍ନୌ ଷ୍ଟେସନରୁ ଏହା କାର୍ଯ୍ୟକାରୀ ହେବ; ପରବର୍ତ୍ତୀ ସମୟରେ ଏହା ସାରା ଦେଶରେ ପ୍ରଚଳନ କରାଯିବ। ରେଳଯାତ୍ରୀଙ୍କ ପାଇଁ ଏହି ନିୟମ କଠୋର ଭାବରେ ଅନୁପାଳନ କରାଯିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।
ଟ୍ରେନ୍ ଯାତ୍ରା ସମୟରେ ଯାତ୍ରୀଙ୍କ ଲଗେଜ୍ର ଓଜନ ଓ ଆକାର ସମ୍ପର୍କରେ ପୂର୍ବରୁ ନିୟମ ଥିଲେ ହେଁ ଏହାକୁ ଅନୁପାଳନ କରାଯାଉ ନାହିଁ । ମାତ୍ର ଏବେ ରେଳ ବିଭାଗ ଏହି ନିୟମକୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଚଳାଇଛି। ନୂଆ ନିୟମ ଅନୁସାରେ ରେଳ ଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କୁ ଇଲେକ୍ଟ୍ରୋନିକ୍ ଓଜନ ମେସିନରେ ସେମାନଙ୍କର ଲଗେଜ୍ ଓଜନ କରିବାକୁ ପଡିବ। ଯଦି ଲଗେଜ୍ ନିର୍ଦ୍ଧାରିତ ସୀମାଠାରୁ ଅଧିକ ହୁଏ କିମ୍ବା କମ୍ ଓଜନ ସତ୍ତ୍ବେ ଏହାର ଆକାର ଅଧିକ ହୋଇଥାଏ, ତେବେ ଏଥିପାଇଁ ଯାତ୍ରୀଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ। ଉତ୍ତର ଏବଂ ଉତ୍ତର କେନ୍ଦ୍ରୀୟ ରେଳବାଇ ଅଧୀନସ୍ଥ ଲକ୍ଷ୍ନୌ ଓ ପ୍ରୟାଗରାଜ ଡିଭିଜନର ପ୍ରମୁଖ ଷ୍ଟେସନଗୁଡ଼ିକରୁ ଏହି ନୂଆ ନିୟମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।
ପ୍ରଥମ ପର୍ଯ୍ୟାୟରେ ଲକ୍ଷ୍ନୌ, ଚାରବାଗ, ବନାରସ, ପ୍ରୟାଗରାଜ ଜଙ୍କସନ୍, କାନପୁର ସେଣ୍ଟ୍ରାଲ, ମିର୍ଜାପୁର, ଆଲିଗଡ, ଗୋବିନ୍ଦପୁରୀ ଏବଂ ଇଟାୱା ଭଳି ଷ୍ଟେସନରେ ଏହା କାର୍ଯ୍ୟକାରୀ କରାଯିବ। ଏହି ସ୍ଥାନଗୁଡ଼ିକରେ ଇଲେକ୍ଟ୍ରୋନିକ୍ ଲଗେଜ୍ ମେସିନ୍ ଲଗାଯିବ। ପ୍ଲାଟଫର୍ମରେ ପ୍ରବେଶ କରିବା ପୂର୍ବରୁ ବ୍ୟାଗର ଓଜନ ଏବଂ ଆକାର ଯାଞ୍ଚ କରାଯିବ। ଏ ସମ୍ପର୍କରେ ପ୍ରୟାଗରାଜ ଡିଭିଜନ ସିନିୟର ଡିଭିଜନାଲ୍ କମର୍ସିଆଲ୍ ମ୍ୟାନେଜର (ଡିସିଏମ) ହିମାଂଶୁ ଶୁକ୍ଲା କହିଛନ୍ତି ଯେ ଯାତ୍ରୀମାନଙ୍କ ଲଗେଜ୍ ଓଜନ କରାଯିବା ପରେ ସେମାନଙ୍କୁ ପ୍ଲାଟଫର୍ମ ଭିତରକୁ ଯିବାଲାଗି ଅନୁମତି ଦିଆଯିବ । ଏହି ବ୍ୟବସ୍ଥା ୨୦୨୬ ଡ଼ିସେମ୍ବର ମାସରୁ ଲାଗୁ ହେବ ଏବଂ ରେଳ ଷ୍ଟେସନରେ ବିମାନବନ୍ଦର ପରି ବୋର୍ଡିଂ ପାସ୍ ବ୍ୟବସ୍ଥା ରହିବ । ଅଣ ଟ୍ରେନ୍ ଯାତ୍ରୀମାନେ ପ୍ଲାଟଫର୍ମ ଟିକେଟ ପରି ପରିଦର୍ଶକ ପାସ୍ ନେଇ ରେଳ ଷ୍ଟେସନରେ ପ୍ରବେଶ କରିବେ ।
ବର୍ତ୍ତମାନ ପ୍ରଥମଶ୍ରେଣୀ ଶୀତତାପ ନିୟନ୍ତ୍ରିତ ଯାତ୍ରୀମାନେ ୭୦ କିଲୋ ପର୍ଯ୍ୟନ୍ତ ସାମଗ୍ରୀ ବିନା ଶୁଳ୍କରେ ନେଇ ପାରିବାର ବ୍ୟବସ୍ଥା ରହିଛି । ସେହିପରି ଏସି ଦ୍ୱିତୀୟ ଶ୍ରେଣୀ ଯାତ୍ରୀମାନେ ୫୦ କିଲୋ, ଏସି ତୃତୀୟ ଶ୍ରେଣୀ ଓ ସ୍ଲିପର ଯାତ୍ରୀଙ୍କ ପାଇଁ ଏହି ସୀମା ୪୦ କିଲୋ ରହିଛି । ସାଧାରଣ ଯାତ୍ରୀ ସାଥୀରେ ସର୍ବାଧିକ ୩୫ କିଲୋ ସାମଗ୍ରୀ ନେଇ ପାରିବେ । ଏହାଠାରୁ ଅଧିକ ଓଜନର ସାମଗ୍ରୀ ସାଥୀରେ ନେଲେ ସମ୍ପୃକ୍ତ ଯାତ୍ରୀଙ୍କୁ ଧାର୍ଯ୍ୟ ଲଗେଜ୍ ଓଜନ ବ୍ୟତିରେକ ଅବଶିଷ୍ଟ ଓଜନ ନିମନ୍ତେ ଦେୟ ଦେବାକୁ ପଡ଼ିବ ।






