ମନୋରଞ୍ଜନ
‘ଆଧାର’ ନାଗରିକତ୍ବର ପ୍ରମାଣ ନୁହେଁ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ବିହାରରେ ନିର୍ବାଚନ କମିସନ ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଶୁଣାଣି ବେଳେ ଉଭୟ ଆବେଦନକାରୀ ଏବଂ ନିର୍ବାଚନ କମିସନ ସେମାନଙ୍କର ଯୁକ୍ତି ଉପସ୍ଥାପନ କରୁଥିବା ବେଳେ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ଆଧାର କାର୍ଡକୁ ନାଗରିକତ୍ବର ପ୍ରମାଣ ରୂପେ ଗ୍ରହଣ କରାଯାଇପାରିବ ନାହିଁ। ତେବେ ନାଗରିକିତ୍ବ ନିର୍ଦ୍ଧାରଣ ପ୍ରସଙ୍ଗରେ ନିର୍ବାଚନ କମିସନର କ୍ଷମତା ରହିଛି କି ନାହିଁ ତାର ତର୍ଜମା […]
ନୂଆଦିଲ୍ଲୀ : ବିହାରରେ ନିର୍ବାଚନ କମିସନ ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଶୁଣାଣି ବେଳେ ଉଭୟ ଆବେଦନକାରୀ ଏବଂ ନିର୍ବାଚନ କମିସନ ସେମାନଙ୍କର ଯୁକ୍ତି ଉପସ୍ଥାପନ କରୁଥିବା ବେଳେ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ଆଧାର କାର୍ଡକୁ ନାଗରିକତ୍ବର ପ୍ରମାଣ ରୂପେ ଗ୍ରହଣ କରାଯାଇପାରିବ ନାହିଁ। ତେବେ ନାଗରିକିତ୍ବ ନିର୍ଦ୍ଧାରଣ ପ୍ରସଙ୍ଗରେ ନିର୍ବାଚନ କମିସନର କ୍ଷମତା ରହିଛି କି ନାହିଁ ତାର ତର୍ଜମା କରାଯିବ। କୋର୍ଟ କହିଛନ୍ତି ଯେ ଏସ୍ଆଇଆରରେ କୌଣସି ପ୍ରକାର ବେଆଇନ କାମ ହୋଇଥିଲେ ଏହାକୁ ରଦ୍ଦ କରି ଦିଆଯିବ।
ଗତକାଲି ମାମଲାର ଶୁଣାଣି ବେଳେ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଭୋଟର ତାଲିକାରେ ନାଗରିକ ଓ ଅଣନାଗରିକମାନଙ୍କ ନାମ ସାମିଲ କରାଯିବା ଓ ବାଦ୍ ଦିଆଯିବାର କ୍ଷମତା କମିସନ ପାଖରେ ରହିଛି। ଆଧାର କାର୍ଡକୁ ନାଗରିକତ୍ବର ଏକମାତ୍ର ପ୍ରମାଣ ରୂପେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କମିସନଙ୍କ ଯୁକ୍ତି ବି ଠିକ୍। ଆଧାର ଆଇନର ଧାରା ୯ ଅନୁଯାୟୀ ଏହାର ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି। ତେବେ ଏସ୍ଆଇଆର୍ ବେଳେ କମିସନ ଯେଉଁସବୁ ପ୍ରମାଣପତ୍ର ଲୋଡ଼ିଛନ୍ତିି ତାହା ଅଧିକାଂଶ ବିହାର ବାସିନ୍ଦାଙ୍କ ପାଖରେ ନାହିଁ ବୋଲି କୁହାଯାଇପାରିବନାହିଁ। ମାମଲାର ଶୁଣାଣି କରୁଥିବା ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗଚିଙ୍କ ଖଣ୍ଡପୀଠ କହିଲେ ଯେ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଭାରତର ନାଗରିକ କିଏ? ଏହାର ଯାଞ୍ଚ କରିବାର କ୍ଷମତା ନିର୍ବାଚନ କମିସନ (ଇସି) ପାଖରେ ଅଛି କି ନାହିଁ।
ଯଦି ସେମାନଙ୍କର ଏଭଳି କ୍ଷମତା ନାହିଁ, ତାହା ହେେଲ ଏସ୍ଆଇଆରର କିଛି ଅର୍ଥ ନାହିଁ। ଯଦି ଇସିର କ୍ଷମତା ରହିଛି, ତାହାହେଲେ ଏସ୍ଆଇଆରକୁ ନେଇ ଆଉ କିଛି ସମସ୍ୟା ରହିବ ନାହିଁ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ସିଂହଭୀ କହିଥିଲ ଯେ ଦେଶର ନାଗରିକ କିଏ ତାହାର ଯାଞ୍ଚ କେବଳ ଭାରତ ସରକାରଙ୍କର ସ୍ବରାଷ୍ଟ୍ର ବିଭାଗ କରିପାରିବ। ଏହି କ୍ଷମତା ନିର୍ବାଚନ କମିସନଙ୍କୁ ଦିଆଯାଇନାହିଁ। ଏହାପୂର୍ବରୁ ସର୍ବୋଚ୍ଚ ଅଦାଲତ ମଧ୍ୟ ଏହା ସ୍ପଷ୍ଟ କରିଥିଲେ।
ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ଅନ୍ୟତମ ବରିଷ୍ଠ ଓକିଲ କପିଲ ଶିବଲ କହିଲେ ଯେ ବିହାରରେ ବହୁ ସଂଖ୍ୟକ ଲୋକମାନଙ୍କ ପାଖରେ ଆବଶ୍ୟକ ପ୍ରମାଣପତ୍ର ନଥିବାରୁ ସେମାନଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଉଛି। ସେ ଆହୁରି କହିଲେ ଯେ ଏସ୍ଆଇଆର୍ ବେଳେ ନିର୍ବାଚନ କମିସନ ଯାହାକୁ ମୃତ ବୋଲି ଘୋଷଣା କରିଛନ୍ତି, ସେମାନେ ଜୀବିତ ଥିବାର ପ୍ରମାଣ ରହିଛି। ଜୀବିତ ଲୋକଙ୍କୁ ଜାଣିଶୁଣି ମୃତ ଘୋଷଣା କରି ସେମାନଙ୍କ ନାମ ଭୋଟର ତାଲିକାରୁ କାଟି ଦିଆଯାଉଛି। ଏହାର ଉତ୍ତର ଦେବାକୁ ଯାଇ କମିସନଙ୍କ ଓକିଲ ରାକେଶ ଦ୍ବିବେଦୀ ସ୍ବୀକାର କରିଥିଲେ ଯେ ଏସ୍ଆଇଆର୍ ବେଳେ ଏମିତି ତ୍ରୁଟି ହୋଇଛି। ତେବେ ଏହା କେବଳ ଚିଠା ତାଲିକା ଏବଂ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ବେଳେ ଏହାର ସଂଶୋଧନ କରାଯିବ। ଏହି ସମୟରେ ମାନ୍ୟବର ବେଞ୍ଚ କହିଲେ ଯେ ଶୁଣାଣି ବେଳେ କମିସନଙ୍କ ପାଖରେ ସବୁ ତଥ୍ୟ ରହିବା ଉଚିତ। ଏସ୍ଆଇଆର୍ ପୂର୍ବରୁ ଭୋଟର ସଂଖ୍ୟା କେତେ ଥିଲା ଏବଂ କେତେ ଭୋଟରଙ୍କ ମୃତ୍ୟୁ ଘଟିଛି। ଏବେ ଏହି ସଂଖ୍ୟା କେତେ। ଏସଂକ୍ରାନ୍ତ ତଥ୍ୟ ଧରି ଆସିବାକୁ କୋର୍ଟ କହିଥିଲେ।
ଏହାସହିତ କୋର୍ଟ ସ୍ପଷ୍ଟ କରିଦେଇଥିଲେ ଯେ ଭୋଟର ତାଲିକାରୁ ବ୍ୟାପକ ସଂଖ୍ୟାରେ ନାମ କଟାଯାଇଥିଲେ କୋର୍ଟ ହସ୍ତକ୍ଷେପ କରିପାରିବେ ଏବଂ ଏହା ଉପରେ ବିଚାର କରାଯିବ। ଏସ୍ଆଇଆର୍ ପ୍ରକ୍ରିୟାରେ କୌଣସି ପ୍ରକାର ଅନିୟମିତତା ହୋଇଥିବା ଧରାପଡ଼ିଲେ କୋର୍ଟ ଏହାକୁ ରଦ୍ଦ ମଧ୍ୟ କରିଦେଇପାରିବେ। ଚଳିତ ବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ େହାବକୁ ଯାଉଥିବା ବେଳେ ୩୦ ସେପଟେମ୍ବର ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିବ ନିର୍ବାଚନ କମିସନ। ଏହି ଦୁଇ ମାସ ମଧ୍ୟରେ କୋର୍ଟ ବଡ଼ ନିଷ୍ପତ୍ତି ନେଇପାରନ୍ତି।






