ଚିକିତ୍ସା ଦିଅ; ନହେଲେ ଇଚ୍ଛାମୃତ୍ୟୁ

The Sakala Picture
Published On

କଟକ : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ନିର୍ଦ୍ଦେଶକ୍ରମେ ଅଗଷ୍ଟ ୧୬ ତାରିଖରେ ଦୁଷ୍ମନ୍ତ ଦାସଙ୍କୁ ଏସ୍‍ସିବି ମେଡ଼ିକାଲର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ଏଠାରେ ଏକ ତ୍ରୁଟି ପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଚାଲିବାକୁ ଅକ୍ଷମ ହୋଇ ପଡ଼ିଛନ୍ତି ଦୁଷ୍ମନ୍ତ। ତାଙ୍କ ବାମ ଗୋଡ଼ ସମ୍ପୂର୍ଣ୍ଣ ଭାବେ ଅଚଳ। ରାଜ୍ୟ ସରକାରଙ୍କ ସହଯୋଗ ପରେ ସେ ସୁସ୍ଥ ହୋଇଯିବେ ବୋଲି ଆଶା ନେଇ ପୁଣି ବଡ଼ ମେଡ଼ିକାଲକୁ ଆସିଥିଲେ। […]

କଟକ : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ନିର୍ଦ୍ଦେଶକ୍ରମେ ଅଗଷ୍ଟ ୧୬ ତାରିଖରେ ଦୁଷ୍ମନ୍ତ ଦାସଙ୍କୁ ଏସ୍‍ସିବି ମେଡ଼ିକାଲର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ଏଠାରେ ଏକ ତ୍ରୁଟି ପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଚାଲିବାକୁ ଅକ୍ଷମ ହୋଇ ପଡ଼ିଛନ୍ତି ଦୁଷ୍ମନ୍ତ। ତାଙ୍କ ବାମ ଗୋଡ଼ ସମ୍ପୂର୍ଣ୍ଣ ଭାବେ ଅଚଳ। ରାଜ୍ୟ ସରକାରଙ୍କ ସହଯୋଗ ପରେ ସେ ସୁସ୍ଥ ହୋଇଯିବେ ବୋଲି ଆଶା ନେଇ ପୁଣି ବଡ଼ ମେଡ଼ିକାଲକୁ ଆସିଥିଲେ। ହେଲେ ମେଡ଼ିକାଲରେ ୨୧ ଦିନ ପଡ଼ିରହିବା ପରେ ମଧ୍ୟ ତାଙ୍କର ଚିକିତ୍ସା ହୋଇ ପାରୁନାହିଁ। ଡାକ୍ତରମାନେ ନିୟମିତ ୱାର୍ଡ଼କୁ ଆସୁଛନ୍ତି। ଚିକିତ୍ସା କେବେ ହେବ ଦୁଷ୍ମନ୍ତ ପଚାରିବାରୁ କୌଣସି ଉତ୍ତର ଦେଉନାହାନ୍ତି। ପୁନଃ ଅସ୍ତ୍ରୋପଚାର ଦ୍ୱାରା ଦୁଷ୍ମନ୍ତ ସୁସ୍ଥ ହେବେ। ହେଲେ ଡାକ୍ତରମାନେ କେବଳ ମଲମ ଲଗାଇବା ଓ କିଛି ଔଷଧ ଖାଇବାକୁ କହୁଛନ୍ତି। ଅସ୍ତ୍ରୋପଚାର କଥା କହିଲେ ଶୁଣୁନାହାନ୍ତି।

ଆହୁରି ପଢ଼ନ୍ତୁ: ଆଜି ଇଣ୍ଡିଆ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ରାଜ୍ୟବ୍ୟାପୀ ସାଧାରଣ ଜୀବନଯାତ୍ରା ପ୍ରଭାବିତ

ମେଡ଼ିକାଲରେ ଏଭଳି ଅବହେଳା ଅଭିଯୋଗ ଉଠାଇ ଆଜି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଦୁଷ୍ମନ୍ତ। ଏଥି ସହିତ ଚିକିତ୍ସା ଦିଅ ନଚେତ୍‍ ଇଚ୍ଛାମୃତ୍ୟୁ ଦିଅ ବୋଲି ଆକୁଳ ନିବେଦନ କରିଛନ୍ତି। ଦୁଷ୍କନ୍ତ କହିଛନ୍ତି ଯେ, ମୋର ଜୀବନ ବଞ୍ଚାଇବାକୁ ରାଜ୍ୟ ସରକାର ଚେଷ୍ଟା କରିଛନ୍ତି। ହେଲେ ମେଡ଼ିକାଲ କର୍ତ୍ତୃପକ୍ଷ ଜାଣିଶୁଣି ମୋତେ ପଙ୍ଗୁ କରି ଦେବାକୁ ଚାହୁଁଛନ୍ତି। ଏଭଳି ଅବହେଳା ସହି ଯନ୍ତ୍ରଣା ପାଇବା ଅପେକ୍ଷା ମୃତ୍ୟୁ ଭଲ ବୋଲି ଦୁଷ୍ମନ୍ତ କହିଥିଲେ। ଏ ସଂକ୍ରାନ୍ତରେ ମତାମତ ନିମନ୍ତେ ଏସ୍‍ସିବି ମେଡ଼ିକାଲର ଜରୁରୀକାଳୀନ ଅଧିକାରୀ ଡ. ଭୁବନାନନ୍ଦ ମହାରଣା ଓ ଅଧୀକ୍ଷକ ପ୍ରଫେସର ଡ. ଲୁସି ଦାସଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ପଙ୍କପାଳ ଅଞ୍ଚଳର ଦୁଷ୍ମନ୍ତ ୨୦୨୦ ମସିହା ମାର୍ଚ୍ଚ ୨୨ ତାରିଖ ରାତିରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ଆହୁରି ପଢ଼ନ୍ତୁ: ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣା: ପୁଲିସ ଡିଜିଙ୍କୁ ବିଜେଡି ପ୍ରତିନିଧିମଣ୍ଡଳୀର ଦାବିପତ୍ର

ସେ ଘରକୁ ଫେରୁଥିବା ସମୟରେ ଏକ ପିକଅପ ଭ୍ୟାନ ପଛ ପାର୍ଶ୍ବରୁ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ପରିବାର ଲୋକେ ପ୍ରଥମେ ତାଙ୍କୁ ଜଗତସିଂପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏସ୍‍ସିବି ମେଡ଼ିକାଲକୁ ଅଣାଯାଇଥିଲା। ଦୁର୍ଘଟଣାର ପରଦିନ ଅର୍ଥାତ୍‍ ମାର୍ଚ୍ଚ ୨୩ରେ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଦୁଷ୍ମନ୍ତଙ୍କ ଗୋଡ଼ର ଅସ୍ତ୍ରୋପଚାର କରାଯାଇଥିଲା। ବାମ ଜଙ୍ଘରୁ ମାଂସ କଟାଯାଇ ଏହି ଅସ୍ତ୍ରୋପଚାର ହୋଇଥିଲା। ଏହି ମାଂସକୁ ଡାକ୍ତରମାନେ କ୍ଷତବିକ୍ଷତ ଗୋଡ଼ରେ ଯୋଡ଼ିଥିଲେ। କିଛି ଦିନ ପରେ ତାଙ୍କୁ ଘରକୁ ଚାଲି ଯିବା ନିମନ୍ତେ ଡାକ୍ତର ପରାମର୍ଶ ଦେଇଥିଲେ। ବିଶ୍ରାମ ନେଲେ ଗୋଡ଼ ଭଲ ହୋଇଯିବ ବୋଲି ଡାକ୍ତର କହିଥିଲେ। ତେବେ ମାସାଧିକ କାଳ ବିତି ଯାଇଥିଲେ ମଧ୍ୟ ଗୋଡ଼ଟି ଭଲ ହୋଇ ନଥିଲା। ଦିନକୁ ଦିନ ଏହା ଅଚଳ ହେବାକୁ ଲାଗିଥିଲା।

ଆହୁରି ପଢ଼ନ୍ତୁ: ବ୍ଲୋସମ୍ସ ସ୍କୁଲରେ ‘ଏଡୁଫେଷ୍ଟ ୨୦୨୬’ ଅନୁଷ୍ଠିତ: ବିଦ୍ୟାର୍ଥୀଙ୍କ ଜ୍ଞାନ, ସୃଜନଶୀଳତା, ପ୍ରତିଭା ଓ ଦକ୍ଷତାର ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟ

ଜୁନ ୨୦ ତାରିଖରେ ସେ ପୁଣି କଟକ ଆସି ଏସ୍‍ସିବି ମେଡ଼ିକାଲରେ ଡାକ୍ତରଙ୍କୁ ଭେଟିଥିଲେ। ଆଉ ଏକ ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି ବୋଲି କହିଥିଲେ ଡାକ୍ତର। ଦ୍ୱିତୀୟ ଅସ୍ତ୍ରୋପଚାର ପରେ ସେ ସୁସ୍ଥ ହୋଇଯିବେ। ଆଣ୍ଠୁ ଭାଙ୍ଗି ହୋଇ ନପାରେ ହେଲେ ଚାଲିପାରିବେ ବୋଲି ଦୁଷ୍ମନ୍ତଙ୍କୁ କୁହାଯାଇଥିଲା। ଦ୍ୱିତୀୟ ଅସ୍ତ୍ରୋପଚାର କରାଯିବା ପରେ କରୋନା ମହାମାରୀ ଯୋଗୁଁ ଦୁଷ୍ମନ୍ତଙ୍କୁ ଡିସଚାର୍ଜ କରି ଦିଆଯାଇଥିଲା। ମାତ୍ର ଗୋଡ଼ଟି କାର୍ଯ୍ୟକ୍ଷମ ହେବା ବଦଳରେ ଦିନକୁ ଦିନ ଅକ୍ଷମ ହେବାକୁ ଲାଗିଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। ଏସ୍‍ସିବି ମେଡ଼ିକାଲରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ହୋଇଛି ବୋଲି ସେଠାକାର ଡାକ୍ତରମାନେ କହିଥିଲେ। ଗୋଡ଼ର ସ୍ପର୍ଶଜନିତ ଶିରାଟି ଯୋଡ଼ା ହୋଇନାହିଁ। ଏସ୍‍ସିବି ମେଡ଼ିକାଲରେ ଦୁଇଥର ଅସ୍ତ୍ରୋପଚାର କରିସୁଦ୍ଧା ଡାକ୍ତରମାନଙ୍କ ତ୍ରୁଟି ଯୋଗୁଁ ଦୁଷ୍ମନ୍ତଙ୍କ ଏଭଳି ଅବସ୍ଥା ହୋଇଛି ବୋଲି ଜଣାପଡ଼ିଥିଲା।

ତେଣୁ ସହାୟତା ନିମନ୍ତେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିଛି ଦିନ ତଳେ ଏକ ଚିଠି ଲେଖିଥିଲେ। ତାଙ୍କ କୁନି ଝିଅ ଦେବାଂଶୀ ମଧ୍ୟ ବାପାର ଏଭଳି ଅବସ୍ଥାରେ ବିଚଳିତ ହୋଇ ଏକ ଭିଡ଼ିଓ ମାଧ୍ୟରେ ତାଙ୍କୁ ସୁସ୍ଥ କରିଦେବା ପାଇଁ କରୁଣ ନିବେଦନ କରିଥିଲେ। ଉକ୍ତ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଗତ ଜାନୁୟାରୀ ୨୭ ତାରିଖରେ ଏ ସଂକ୍ରାନ୍ତରେ ଖବର ‘ସକାଳ’ରେ ପ୍ରଥମେ ପ୍ରକାଶ ପାଇଥିଲା। ଉକ୍ତ ଘଟଣା ସମ୍ପର୍କରେ ଜାଣି ପାରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଏସ୍‍ସିବି ମେଡ଼ିକାଲ ଅଧୀକ୍ଷକଙ୍କୁ ଚିଠି ଲେଖି ଦୁଷ୍ମନ୍ତଙ୍କ ଚିକିତ୍ସା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଚିଠି ପରେ ଦୁଷ୍ମନ୍ତଙ୍କର ପୁନଃଚିକିତ୍ସା କରାଯିବାର ପଥ ଉନ୍ମୁକ୍ତ ହୋଇଥିଲା। ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ଅସ୍ଥିଶଲ୍ୟ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ଏକ ନୋଟିସ୍‍ ଜାରି ହୋଇଥିଲା। ଉକ୍ତ ନୋଟିସ୍‍ ପରେ ଦୁଷ୍ମନ୍ତଙ୍କୁ ବଡ଼ ମେଡ଼ିକାଲକୁ ଅଣାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ହେଉନଥିବା ସେ ଅଭିଯୋଗରେ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର