ଆଜି ପବିତ୍ର ଅକ୍ଷୟ ତୃତୀୟା, ଜାଣନ୍ତୁ ଆମ ସଂସ୍କୃତିରେ ଅକ୍ଷୟ ତୃତୀୟାର ମାହାତ୍ମ୍ୟ

The Sakala Picture
Published On

ପବିତ୍ର ଅକ୍ଷୟତୃତୀୟା ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ। ଅକ୍ଷୟତୃତୀୟାର ମାହାତ୍ମ୍ୟ ଅନନ୍ୟ ଅଟେ। ଅକ୍ଷୟର ଅର୍ଥ ଯାହାର କ୍ଷୟ ନାହିଁ । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ କହିବାର ଯଥେଷ୍ଟ ତାତ୍ପର୍ଯ୍ୟ ଅଛି । କାରଣ ପୁରାଣ, ଶାସ୍ତ୍ର, ଗ୍ରନ୍ଥ ଅନୁସାରେ ଏହି ଦିନଟିରେ ଅନେକ ଗୁଡିଏ ଶୁଭକାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ଅକ୍ଷୟତୃତୀୟା ଦିନ ମାନବ ତା’ର ଜୀବନର ସମସ୍ତ ଆବଶ୍ୟକତା ପୂରଣ ନିମନ୍ତେ ଭଗବାନ ସ୍ୱୟଂ ପରଂବ୍ରହ୍ମଙ୍କୁ ପ୍ରାର୍ଥନା […]

ପବିତ୍ର ଅକ୍ଷୟତୃତୀୟା ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ। ଅକ୍ଷୟତୃତୀୟାର ମାହାତ୍ମ୍ୟ ଅନନ୍ୟ ଅଟେ। ଅକ୍ଷୟର ଅର୍ଥ ଯାହାର କ୍ଷୟ ନାହିଁ । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ କହିବାର ଯଥେଷ୍ଟ ତାତ୍ପର୍ଯ୍ୟ ଅଛି । କାରଣ ପୁରାଣ, ଶାସ୍ତ୍ର, ଗ୍ରନ୍ଥ ଅନୁସାରେ ଏହି ଦିନଟିରେ ଅନେକ ଗୁଡିଏ ଶୁଭକାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ଅକ୍ଷୟତୃତୀୟା ଦିନ ମାନବ ତା’ର ଜୀବନର ସମସ୍ତ ଆବଶ୍ୟକତା ପୂରଣ ନିମନ୍ତେ ଭଗବାନ ସ୍ୱୟଂ ପରଂବ୍ରହ୍ମଙ୍କୁ ପ୍ରାର୍ଥନା କରିଥାଏ ଯେ “ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ” ଅର୍ଥାତ୍‌ ଜୀବନରୁ ସୁଖ, ଶାନ୍ତି, ସମୃଦ୍ଧି ଓ ପୁଣ୍ୟର କେବେ ବି କ୍ଷୟ ନ ହେଉ।

ଆହୁରି ପଢ଼ନ୍ତୁ: ମାଷ୍ଟର କ୍ୟାଣ୍ଟିନ୍ ଛକରେ ବ୍ୟାପକ ହିଂସାକାଣ୍ଡ ଘଟଣା: କ୍ଷମା ମାଗିଲେ ଅନ୍‌ଲାଇନ୍ ଅଟୋ ସଂଘ ସଭାପତି

ଏହି ପବିତ୍ର ଅକ୍ଷୟତୃତୀୟା ତିଥିରେ ଓଁକାର ରୂପୀ ପରଂବ୍ରହ୍ମ, ପରମେଶ୍ବର, ପୁରୁଷୋତ୍ତମ, ମହାପ୍ରଭୁ ଜଗତରନାଥ ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ତିମ ତଥା ଶେଷ ଯାତ୍ରା ଚନ୍ଦନଯାତ୍ରାର ଶୁଭାରମ୍ଭ ହୋଇଥାଏ। ଏହି ପବିତ୍ର ଯାତ୍ରା ଅକ୍ଷୟତୃତୀୟା ଠାରୁ ଆରମ୍ଭ କରି ୪୨ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥାଏ। ଏହି ୪୨ ଦିନ ମଧ୍ୟରୁ ପ୍ରଥମ ୨୧ ଦିନ ବ୍ୟାପୀ ମହାପ୍ରଭୁ ବାହାରକୁ ତଥା ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିଥାନ୍ତି। ଏହି ବାହ୍ୟ ଜଳକ୍ରୀଡା ଉତ୍ସବରେ ଭୂଦେବୀଙ୍କ ସହିତ ପଞ୍ଚୁପାଣ୍ଡବ, ଶ୍ରୀ କପାଳମୋଚନ, ଶ୍ରୀ ମାର୍କଣ୍ଡେଶ୍ୱର, ଶ୍ରୀ ନୀଳକଣ୍ଠେଶ୍ବର, ଶ୍ରୀ ଜମ୍ବେଶ୍ୱର ଓ ଶ୍ରୀ ଲୋକନାଥ ଚାପ ଖେଳିବା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଗମନ କରିଥାନ୍ତି। ଅବଶିଷ୍ଟ ୨୧ ଦିନ ଶ୍ରୀ ମନ୍ଦିର ଭିତରେ ଚନ୍ଦନଯାତ୍ରା ସମ୍ପୂର୍ଣ ହୁଏ। ଏହାକୁ ଭିତର ଚନ୍ଦନଯାତ୍ରା କୁହାଯାଏ।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଲାଠିକଟା ତହସିଲଦାରଙ୍କୁ ଗିରଫ କଲା ଭିଜିଲାନ୍ସ

ଏହି ପବିତ୍ର ଅକ୍ଷୟତୃତୀୟା ତିଥିରେ ମହାପ୍ରଭୁ ସଚ୍ଚିଦାନନ୍ଦ ଶ୍ରୀ ଜଗନ୍ନାଥଙ୍କର ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା ନିମନ୍ତେ ରଥନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ। ଏଥିସହିତ ତିନି ରଥର ମୁଖ୍ୟମହାରଣା ତାଙ୍କର ଲୌହକୁରାଢ଼ୀକୁ ରଥଖଳାରେ ରଖାଯାଇଥିବା ତିନିରଥର ତିନି କାଠଖଣ୍ଡକୁ ସ୍ପର୍ଶ କରାଇ ଭଗବାନ ବଳଭଦ୍ରଙ୍କର ତାଳଧ୍ବଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ ନିର୍ମାଣାର୍ଥେ ପ୍ରାର୍ଥନା କରିଥାନ୍ତି।

ଆହୁରି ପଢ଼ନ୍ତୁ: ହିମାଚଳ ପ୍ରଦେଶର ମାଉଣ୍ଟ ୟୁନାମ ବିଜୟ କଲେ ଓଡ଼ିଶାର ମହିଳା ପର୍ବତାରୋହୀ, ରାଜ୍ୟପାଳଙ୍କ ଶୁଭେଚ୍ଛା

ଆମ ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। କୃଷି ହେଉଛି ଆମମାନଙ୍କର ଜୀବନରେଖା। ବର୍ଷସାରା ଧନସମ୍ପତ୍ତିର ଅକ୍ଷୟ ରହିବାପାଇଁ ଓ ଚାଷ ଜମିରେ ପ୍ରଚୁର ଶସ୍ୟର ଅମଳ ପାଇଁ କୃଷକ ଏହି ଅକ୍ଷୟତୃତୀୟା ଦିନରେ ତା’ର କ୍ଷେତରେ ଅକ୍ଷିମୁଠି ଅନୁକୂଳ କରିଥାଏ। ଅକ୍ଷୟ ତୃତୀୟାର ଅମୃତ ମୁହୂର୍ତ୍ତରେ କୃଷକଟିକୁ ତାର ଘରଣୀ ଚନ୍ଦନ, ସିନ୍ଦୂର ଓ ହଳଦୀ ବୋଲା ଯାଇଥିବା ଧାନବିହନର ଗଉଣୀଟିଏ ତା’ର ହସ୍ତରେ ଧରାଇଦେଇଥାଏ । ତାସହିତ ଅନ୍ୟ ଏକ ପାତ୍ରରେ ପିଠା ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ଦେଇ କୃଷିକ୍ଷେତକୁ ପଠାଇଥାଏ। କୃଷକଟି ତା’ର କୃଷିକ୍ଷେତର ଐଶାନ୍ୟକୋଣ ଅର୍ଥାତ ଉତ୍ତର-ପୂର୍ବ ଦିଗରେ ମା ଲକ୍ଷ୍ମୀ ଅନ୍ନପୂର୍ଣ୍ଣା, ଧରିତ୍ରୀମାତା ଓ ଅନ୍ୟାନ୍ୟ ଦେବାଦେବୀମାନଙ୍କୁ ନୈବେଦ୍ୟ ଅର୍ପଣ କରିଥାଏ। ଏହି ତିଥିରେ କୃଷକଟି ତା’ର କିଆରୀରେ ପ୍ରଥମ କରି ହଳ ବୁଲାଇଥାଏ, ଏବଂ ମୁଠା ମୁଠା କରି ଧାନବିହନ ଯାହାକୁ ଅକ୍ଷିମୁଠି ବୋଲି କୁହାଯାଏ ତାହାକୁ ସେ ଗଉଣୀରୁ କାଢି ତା’ ଧାନବିଲରେ ବୁଣିଥାଏ। ଯାହାକୁ ଅକ୍ଷିମୁଠି ଅନୁକୂଳ ବୋଲି କୁହାଯାଇଥାଏ।

ପୁରାଣଶାସ୍ତ୍ର ଅନୁସାରେ, ଏହି ଅକ୍ଷୟତୃତୀୟା ତିଥିରେ ଅନେକ ଶୁଭକାର୍ଯ୍ୟ ସମ୍ପାଦିତ ହୋଇଛି। କୁହାଯାଏ ଯେ, ସତ୍ୟ ଯୁଗ ଓ ତ୍ରେତୟାଯୁଗର ଆରମ୍ଭ ଏହି ଅକ୍ଷୟତୃତୀୟା ଦିନ ହୋଇଥିଲା। ଭଗବାନ ଶ୍ରୀକୃଷ୍ଣ ଏହିଦିନ ସମସ୍ତ ପ୍ରାଣୀଙ୍କ ପରିପାକ ପୂରଣ ନିମନ୍ତେ ମହୀମଣ୍ଡଳରେ ଯବଶସ୍ୟ ପ୍ରଥମକରି ଉତ୍ପାଦନ କରିଥିଲେ। ଏହି ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ଅକ୍ଷୟପାତ୍ର ପ୍ରଦାନ କରିଥିଲେ। ଆହୁରି ମଧ୍ୟ ବାଲ୍ୟଶଖା ଭଗବାନ ଶ୍ରୀକୃଷ୍ଣଙ୍କୁ ସୁଦାମା ଦ୍ୱାରିକାରେ ଏହିଦିନ ଭେଟିଥିଲେ ଏବଂ ତାପରେ ସୁଦାମା ଅମାପ ଧନସମ୍ପତ୍ତିର ଅଧିକାରୀ ହୋଇଥିଲେ ବୋଲି କୁହାଯାଏ। ଅକ୍ଷୟତୃତୀୟା ଦିନ ଭଗବାନ ପର୍ଶୁରାମ ପରଂବ୍ରହ୍ମ ବିଷ୍ଣୁଙ୍କର ଷଷ୍ଠ ଅବତାର ନେଇ ମର୍ତ୍ତ୍ୟମଣ୍ଡଳରେ ଆବିର୍ଭାବ ହୋଇଥିଲେ। ଏହିଦିନ ମଧ୍ୟ ଜୟଦେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରୀଗୀତଗୋବିନ୍ଦ ରଚନା କରିଥିଲେ । ଏବେବି ଭଗବାନ ଶ୍ରୀଜଗନ୍ନାଥ ଯାହାଙ୍କର ସ୍ମୃତିକୁ ନେଇ ଗୀତଗୋବିନ୍ଦ ଖଣ୍ଡୁଆ ଧାରଣ କରନ୍ତି। ସେହି କିମ୍ବଦନ୍ତୀ ପୁରୁଷ ଭକ୍ତ ଜୟଦେବଙ୍କ ଜନ୍ମତିଥି ହେଉଛି ଅକ୍ଷୟତୃତୀୟା। ଆହୁରି ମଧ୍ୟ ଭଗବାନ କୁବେର ଏହି ପବିତ୍ର ତିଥିରେ ଧନ, ସମ୍ପତ୍ତି, ଗୋପ ଲକ୍ଷ୍ମୀର ଅଧିକାରୀ ହୋଇଥିଲେ ଏବଂ ଧନସମ୍ପତ୍ତିର ଦେବତା ଭାବେ ସ୍ୱୀକୃତି ଲାଭ କରିଥିଲେ। ଏହିଦିନ ଭାରତର ଚାରିଧାମ ମଧ୍ୟରୁ ଏକଧାମ ବଦ୍ରିନାଥ ଧାମ ବର୍ଷକରେ ଥରେ ଖୋଲାଯିବାର ବିଧି ରହିଛି। ଆହୁରି ମଧ୍ୟ ଗଙ୍ଗୋତ୍ରୀ, ଯମୁନେତ୍ରୀ ମନ୍ଦିର ଅକ୍ଷୟତୃତୀୟା ପରଠାରୁ ଛ’ ମାସ ପର୍ୟ୍ୟନ୍ତ ଖୋଲାଯାଏ। ଏହିପରି ଭାବରେ ଅନେକ କିମ୍ବଦନ୍ତୀ ଜଡିତ ହୋଇ ରହିଛି ଅକ୍ଷୟ ତୃତୀୟା ତିଥିକୁ ନେଇ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର