ବିଜେଡିର କ୍ଷୋଭ: ନିର୍ବାଚନ କମିସନଙ୍କୁ ପଚାରିଥିବା ଅନେକ ପ୍ରଶ୍ନର ଉତ୍ତର ଏଯାଏଁ ମିଳିଲା ନାହିଁ

Madhusudan Das Picture
Published On

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବିଭିନ୍ନ ଅନିୟମିତତାକୁ ନେଇ ଭାରତୀୟ ନିର୍ବାଚନ କମିସନରଙ୍କୁ ଦୁଇ ଦୁଇ ଥର ଲିଖିତ ଭାବେ ଏକାଧିକ ଅସମାହିତ ପ୍ରଶ୍ନର ଉତ୍ତର ମଗାଯାଇଥିଲେ ହେଁ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ମିଳିପାରି ନାହିଁ ବୋଲି ବିଜେଡି ପକ୍ଷରୁ କ୍ଷୋଭକ୍ତି ପ୍ରକାଶ କରିଛି। ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଡ. ସଂତୃପ୍ତ ମିଶ୍ର ଓ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏହି ପ୍ରଶ୍ନଗୁଡିକ ଉପସ୍ଥାପନ କରି ଦେଶରେ ଏକ ସୁଦୃଢ଼ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ଏହି ପ୍ରଶ୍ନଗୁଡିକର ଉତ୍ତର ଆସିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଡ. ସଂତୃପ୍ତ ମିଶ୍ର କହିଥିଲେ ଯେ କୌଣସି ରାଜନୀତି ଉଦ୍ଦେଶ୍ୟରେ ନୁହେଁ; ବରଂ ଗୋଟିଏ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ଭାବେ ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜେଡି ଏହି ପ୍ରଶ୍ନର ଉତ୍ତର ଆଶା କରୁଛି। ନିର୍ବାଚନରେ ପ୍ରତି ବୁଥ୍‌ରେ ପଡ଼ିଥିବା ଭୋଟ ସଂଖ୍ୟାର ତଥ୍ୟ ଫର୍ମ ୧୭-ସିରେ ମିଳିଥାଏ। ଅନେକ ଜାଗାରେ ପଡିଥିବା ଭୋଟ ଓ ଗଣତି ହୋଇଥିବା ଭୋଟ ମଧ୍ୟରେ ତାରତମ୍ୟ ରହୁଥିବାରୁ ନିର୍ବାଚନ କମିସନଙ୍କୁ ଲେଖାଯାଇଥିବା ପତ୍ରରେ ଫର୍ମ ୧୭-ସି  ହସ୍ତାନ୍ତର କରିବା ପାଇଁ ଦଳ ଆବେଦନ କରିଥିଲା। କିନ୍ତୁ କିଛି ଆସନରେ ନିର୍ବାଚନ ମାମଲା ଚାଲିଥିବା କାରଣରୁ ଏହା ଦିଆଯାଇ ପାରିବ ନାହିଁ ବୋଲି କମିସନ ଉତ୍ତର ଦେଇଥିଲେ। ତେବେ ୨୮ଟି ଆସନରେ ନିର୍ବାଚନୀ ମାମଲା ଚାଲିଥିବା ବେଳେ ଅନ୍ୟ ଆସନଗୁଡିକର ଫର୍ମ ୧୭-ସି କାହିଁକି ପ୍ରଦାନ କରାଯିବ ନାହିଁ, ସେନେଇ କୌଣସି ଉତ୍ତର ରଖି ନ ଥିଲେ। ସେହିପରି କିଛି ସ୍ଥାନରେ ପଡ଼ିଥିବା ଭୋଟ ସଂଖ୍ୟା ଅପେକ୍ଷା କିପରି ଅଧିକ ଭୋଟ ଗଣତି ହୋଇପାରିଲା, ସେ ସମ୍ୱନ୍ଧରେ ମଧ୍ୟ ନିର୍ବାଚନ କମିସନ କୌଣସି ଉତ୍ତର ରଖିନାହାନ୍ତି। ନିର୍ବାଚନ କମିସନ ତାଙ୍କ ଉତ୍ତରରେ ଜଣାଇଥିଲେ ଯେ, ଯେଉଁଠାରେ କଣ୍ଟ୍ରୋଲ ୟୁନିଟରେ ଥିବା ଭୋଟ ସଂଖ୍ୟା ଫର୍ମ ୧୭-ସିରେ ଲେଖାଯାଇଥିବା ଭୋଟ ସଂଖ୍ୟା ସହିତ ତାଳମେଳ ଖାଏ ନାହିଁ, ସେହି ଭୋଟ ଗଣତି କରାଯାଏ ନାହିଁ। କିନ୍ତୁ କେତୋଟି ସ୍ଥାନରେ ଏପରି ହୋଇଛି, ତାହା ନିର୍ବାଚନ କମିସନ ସ୍ପଷ୍ଟ କରିନାହାନ୍ତି। ନିର୍ବାଚନ କମିସନ ଦେଇଥିବା ଉତ୍ତର ଅନୁଯାୟୀ ମକ୍‌ ପୋଲ୍‌ ବେଳେ ପଡିଥିବା ଭୋଟଗୁଡିକ ଡିଲିଟ୍‌ ହୋଇ ନ ଥିଲେ, ସେହି ଇଭିଏମରେ ପଡ଼ିଥିବା ଭୋଟ୍‌ଗୁଡିକୁ ମଧ୍ୟ ଗଣତି କରାଯାଏ ନାହିଁ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ଜଣେ ନାଗରିକର ଭୋଟକୁ ଗଣତି ନ କରିବା ମଧ୍ୟ ତା’ର ମତ ଦେବାର ଅଧିକାରକୁ କ୍ଷୁଣ୍ଣ କରିବା ସଦୃଶ୍ୟ। ସେହିପରି ଭୋଟିଂ ସମୟରେ ଇଭିଏମ୍‌ ମେସିନରେ ତ୍ରୁଟି ଦେଖାଯାଏ, ଯେଉଁଥିପାଇଁ ସେଠାରେ ଆଉ ଏକ ମେସିନ ଲଗାଯାଏ। କିନ୍ତୁ ତ୍ରୁଟି ଦେଖାଯିବା ପୂର୍ବରୁ କେତେ ଭୋଟ ପଡିଥିଲା, ତାହାର କୌଣସି ବିବରଣୀ ପ୍ରଦାନ କରାଯାଉ ନାହିଁ। 

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଡ. ମିଶ୍ର କହିଥିଲେ ଯେ ସନ୍ଧ୍ୟା ୫ଟା ଭୋଟ ଶେଷ ପାଇଁ ଥିବା ନିର୍ଦ୍ଧାରିତ ସମୟରେ କମିସନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଭୋଟ ସଂଖ୍ୟା କିପରି ଭାବେ ଅହେତୁକ ବୃଦ୍ଧି ପାଉଛି ବୋଲି ବିଜେଡି ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲା। ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାର ସମସ୍ତ ୨୧ଟି ସଂସଦୀୟ କ୍ଷେତ୍ରରେ ଓ ୩୮ଟି ବିଧାନସଭା କ୍ଷେତ୍ରରେ ସନ୍ଧ୍ୟା ୫ଟାରେ ଘୋଷିତ ଭୋଟଦାନ ଠାରୁ ୭ରୁ ୩୦ ପ୍ରତିଶତ ଭୋଟ ବୃଦ୍ଧି ପାଇଥିଲା, ଯାହା ପୂର୍ବ ନିର୍ବାଚନଗୁଡିକରେ ଦେଖିବାକୁ ମିଳି ନ ଥିଲା। ନିର୍ବାଚନ କମିସନ ଏହି ପ୍ରଶ୍ନ ସମ୍ୱନ୍ଧରେ ସ୍ପଷ୍ଟ କରିନାହାନ୍ତି। ଏହାଛଡା ନିର୍ବାଚନରେ ସ୍ୱଚ୍ଛତା ବୃଦ୍ଧି ପାଇଁ ଇଭିଏମ୍‌କୁ ନିୟମିତ ବ୍ୟବଧାନରେ ଅଡିଟ୍‌ କରିବା ପାଇଁ ରାଜନୈତିକ ଦଳମାନଙ୍କୁ ସୁଯୋଗ ଦିଆଯାଉ ବୋଲି ଦଳ ଦାବି କରିଥିଲେ ହେଁ ନିର୍ବାଚନ କମିସନ ଏ ସମ୍ୱନ୍ଧରେ ମଧ୍ୟ କୌଣସି ଉତ୍ତର ରଖି ନାହାନ୍ତି ବୋଲି ଡଃ ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ଡ. ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ ଗତ ନିର୍ବାଚନକୁ ୧୯ ମାସରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ବାଚନ କମିସନ ଫର୍ମ ୧୭-ସିକୁ ତାଙ୍କ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କଲେ ନାହିଁ। ଫୁଲବାଣୀ ବିଧାନସଭା ଆସନର ବୁଥ୍‌ ନମ୍ୱର ୫୭ରେ ଫର୍ମ ୧୭-ସି ଅନୁଯାୟୀ ପଡ଼ିଥିବା ଭୋଟ ଓ ଫର୍ମ ୨୦ ଅନୁଯାୟୀ ଗଣତି ହୋଇଥିବା ଭୋଟ ସଂଖ୍ୟା ୬୮୨ ଖଣ୍ଡ ଅଧିକ ଭୋଟ ରହିଛି। ସେହିପରି ତଲସରା ବିଧାନସଭା ଆସନର ୧୬୫ ଓ ୨୧୯ ନମ୍ୱର ବୁଥ୍‌ରେ ୬୬୦ ଓ ୭୮୪ ଖଣ୍ଡ ଭୋଟ ଅଧିକ ଗଣତି ହୋଇଛି। ପଡ଼ିଥିବା ଭୋଟ ଓ ଗଣତି ହୋଇଥିବା ଭୋଟ ମଧ୍ୟରେ ରହୁଥିବା ଏହି ତାରତମ୍ୟ ନିର୍ବାଚନର ସ୍ୱଛତା ଉପରେ ପ୍ରଶ୍ନ ଉଠାଉଥିଲେ ମଧ୍ୟ ନିର୍ବାଚନ କମିସନ ଏହାକୁ ସ୍ପଷ୍ଟ କରିବା ପରିବର୍ତ୍ତେ ଅସ୍ପଷ୍ଟ ଉତ୍ତର ଦେଇ ଏହାକୁ ଟାଳି ଦେବାକୁ ଉଦ୍ୟମ କରୁଛନ୍ତି। ଦେଶରେ ସ୍ୱଚ୍ଛ ନିର୍ବାଚନ ଆୟୋଜନ କରିବା ଦେଶର ନିର୍ବାଚନ କମିସନରଙ୍କ ଦାୟିତ୍ୱ। ସ୍ୱଚ୍ଛ ନିର୍ବାଚନ ପ୍ରସଙ୍ଗରେ ଆଜି ବିଜେଡି ଯେଉଁ ପ୍ରଶ୍ନ ପଚାରୁଛି, ତାହା ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ। ତେଣୁ ନିର୍ବାଚନ କମିସନ ଏ ସମ୍ୱନ୍ଧରେ ସ୍ପଷ୍ଟ ଉତ୍ତର ରଖିବା ସହିତ ଦେଶବାସୀଙ୍କ ମନରୁ ସନ୍ଦେହ ଦୂର କରିବା ଉଚିତ ବୋଲି ଡ. ସାମନ୍ତସିଂହାର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର