ଉପାନ୍ତ ଓଡ଼ିଶାର ବୈଦ୍ୟଶାଳା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ

The Sakala Picture
Published On

କୋରାପୁଟ (ସୁବୋଧ କୁମାର ଚେଟ୍ଟୀ): ଆଦିବାସୀ ବହୁଳ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ଆଜି ମାଇଲ୍‌ଖୁଣ୍ଟ ସାଜିଛି। ପୂର୍ବରୁ ଲୋକେ ଅତି ସାଧାରଣ ଚିକିତ୍ସା ନିମନ୍ତେ ଜିଲ୍ଲା କିମ୍ବା ରାଜ୍ୟ ବାହାରକୁ ଯାଉଥିଲେ। କିନ୍ତୁ ମେଡିକାଲ କଲେଜ ସ୍ଥାପନା ପରେ କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାର ଲୋକଙ୍କୁ ସାଧାରଣ ଚିକିତ୍ସା ପାଇଁ ଆଉ ଅନ୍ୟତ୍ର ଯିବାକୁ ପଡୁନି। ଅଧିକାଂଶ ରୋଗୀ କୋରାପୁଟ […]

କୋରାପୁଟ (ସୁବୋଧ କୁମାର ଚେଟ୍ଟୀ): ଆଦିବାସୀ ବହୁଳ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ଆଜି ମାଇଲ୍‌ଖୁଣ୍ଟ ସାଜିଛି। ପୂର୍ବରୁ ଲୋକେ ଅତି ସାଧାରଣ ଚିକିତ୍ସା ନିମନ୍ତେ ଜିଲ୍ଲା କିମ୍ବା ରାଜ୍ୟ ବାହାରକୁ ଯାଉଥିଲେ। କିନ୍ତୁ ମେଡିକାଲ କଲେଜ ସ୍ଥାପନା ପରେ କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାର ଲୋକଙ୍କୁ ସାଧାରଣ ଚିକିତ୍ସା ପାଇଁ ଆଉ ଅନ୍ୟତ୍ର ଯିବାକୁ ପଡୁନି। ଅଧିକାଂଶ ରୋଗୀ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲରେ ଉତ୍ତମ ଚିକିତ୍ସା ପାଇ ସୁସ୍ଥ ହେଉଥିବା ନଜିର ଆସିଛି। ମେଡିକାଲ କଲେଜ ପ୍ରତିଷ୍ଠା ହେବାର ମାତ୍ର ୭ ବର୍ଷ ମଧ୍ୟରେ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ କୋରାପୁଟ ମେଡିକାଲ କଲେଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଗତ ଦୁଇ ବର୍ଷରେ କୋରାପୁଟ ମେଡିକାଲ୍‌ କଲେଜ ଓ ହସ୍ପିଟାଲରେ କେତେକ ବିରଳ ଅସ୍ତ୍ରୋପଚାର କରାଯାଇ ଲୋକଙ୍କ ଆସ୍ଥାଭାଜନ ହେବାକୁ ଉଦ୍ୟମ କରାଯାଇଛି।

ଆହୁରି ପଢ଼ନ୍ତୁ: ରୋଗୀଙ୍କ ଜୀବନ ସହିତ ସାଙ୍ଘାତିକ ଖେଳ: ମେଡିକାଲରେ ମିଳୁଛି ପୋକରା ଔଷଧ !

କୋରାପୁଟ ହସ୍ପିଟାଲ୍‌ର ଇତିହାସ
କୋରାପୁଟର ଜଳବାୟୁ ଗୋରା ସାହେବ (ବିେଦଶୀ)ମାନଙ୍କ ପାଇଁ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ଅନୁକୂଳ ହୋଇଥିବାରୁ ସେମାନେ କୋରାପୁଟରେ ରହିବାକୁ ପ୍ରାଥମିକତା ଦେଇଥିଲେ। ତେବେ ସ୍ବାସ୍ଥ୍ୟଗତ ସମସ୍ୟାର ଉପଚାର ପାଇଁ ଅନେକ ସମୟରେ ସେମାନଙ୍କୁ ବିଶାଖାପାଟଣା ଉପରେ ନିର୍ଭର କରିବାକୁ ପଡ଼ୁଥିବା କାରଣରୁ ବ୍ରିଟିଶ ପ୍ରଶାସନ ୧୯୦୮ ମସିହାରେ କୋରାପୁଟରେ  ଏକ  ପ୍ରାଥମିକ ସ୍ବାସ୍ଥ୍ୟ ସହାୟତା କେନ୍ଦ୍ର ସ୍ଥାପନା କରିଥିଲେ। ପରବର୍ତ୍ତୀ ସମୟରେ ୧୯୩୬ ମସିହାରେ ମାଡ୍ରାସ ପେସିଡେନ୍ସିରୁ ଅଲଗା ହୋଇ ଭାଷା ଭିତ୍ତିରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଗଠିତ ହୋଇଥିଲା ଏବଂ କୋରାପୁଟକୁ ଜିଲ୍ଲା ମାନ୍ୟତା ମିଳିଥିଲା। କୋରାପୁଟ ଜିଲ୍ଲା ମାନ୍ୟତା ପାଇବାର ବର୍ଷକ ପରେ ଅର୍ଥାତ୍‌ ୧୯୩୭ ମସିହାରେ ସ୍ବାସ୍ଥ୍ୟ ସହାୟତା କେନ୍ଦ୍ରରୁ ଉନ୍ନୀତ ହୋଇ ଜିଲ୍ଲାସ୍ତରୀୟ ହସ୍ପିଟାଲ୍‌ରେ ପରିଣତ ହୋଇଥିଲା।

୨୦୦୪ରେ ରେଫରାଲ୍‌ ହସ୍ପିଟାଲ୍‌
୧୯୩୭ଠାରୁ ୨୦୦୪ ଯାଏ ଜିଲ୍ଲା ହସ୍ପିଟାଲ ଭାବେ କୋରାପୁଟ ମେଡିକାଲ୍‌ ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ୧୯୯୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପ୍ରଶାସନିକ ସୁବିଧା ପାଇଁ କୋରାପୁଟ ଜିଲ୍ଲାକୁ ବିଭାଜନ କରି ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲା କରିଥିଲେ। ନୂଆ ଜିଲ୍ଲା ଗଠନ ପରେ ମଧ୍ୟ ରାୟଗଡ଼ା,ମାଲକାନଗିରି ଓ ନବରଙ୍ଗପୁର ଅଞ୍ଚଳବାସୀ କୋରାପୁଟ ଜିଲ୍ଲା ହସ୍ପିଟାଲ ଉପରେ ନିର୍ଭରଶୀଳ ରହୁଥିବାରୁ ଏହାକୁ ତିନି ଜିଲ୍ଲାର ରେଫରାଲ୍ ହସ୍ପିଟାଲ ମାନ୍ୟତା ଦିଆଯାଇଥିଲା। ଦିନକୁ ଦିନ ରୋଗୀସଂଖ୍ୟା ବୃଦ୍ଧିହେବା ଯୋଗୁଁ ୨୦୦୪ରେ ଜିଲ୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇ କୋରାପୁଟ ସହର ଉପକଣ୍ଠ ଯାନିଗୁଡ଼ାରେ ନୂତନ କୋଠା ନିର୍ମାଣ କରାଗଲା।

ମେଡିକାଲ୍‌ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା
ରାଜ୍ୟରେ ଡାକ୍ତର ଅଭାବ ଦୂରକରିବା ସହ ଲୋକଙ୍କୁ ରାଜ୍ୟ ଭିତରେ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ନେଇ ବିଭିନ୍ନ ସ୍ଥାନରେ ସରକାରୀ ମେଡିକାଲ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ତଦନୁଯାୟୀ କୋରାପୁଟରେ  ୧୦୦ ସିଟ୍ ବିଶିଷ୍ଟ ଏକ ମେଡିକାଲ କଲେଜର ସ୍ଥାପନା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ୨୦୧୬ ସେପ୍ଟେମ୍ବର ୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଗସ୍ତକରି ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ନିକଟରେ ମେଡିକାଲ କଲେଜ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନା କରିଥିଲେ। କୋରାପୁଟ ମେଡିକାଲ କଲେଜ ନାମକରଣ ପ୍ରସଙ୍ଗ ଉଠିବା ପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମହାନ ସ୍ବାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ନାମରେ ମୁଖ୍ୟମନ୍ତ୍ରୀ  କୋରାପୁଟ ମେଡିକାଲ କଲେଜର ନାମକରଣ କରିଥିଲେ। ରାଜ୍ୟ ପୂର୍ତ୍ତ ବିଭାଗ ଅଧୀନରେ ଏକ ବହୁରାଷ୍ଟ୍ରୀୟ ଘରୋଇ କମ୍ପାନୀ ନିର୍ମାଣ କାର୍ଯ୍ୟ ଦାୟିତ୍ବ ନେଇ ଯୁଦ୍ଧକାଳୀନ ଭିତ୍ତିରେ ଗୋଟିଏ ବର୍ଷ ମଧ୍ୟରେ ସର୍ବନିମ୍ନ ଆବଶ୍ୟକ ଅନୁଯାୟୀ କିଛି କୋଠା ନିର୍ମାଣ ଶେଷ କରିଥିଲା ଓ ୨୦୧୭ରୁ ଏସ୍‌ଏଲ୍‌ଏନ୍ ମେଡିକାଲ କଲେଜରେ ପ୍ରଥମ ବ୍ୟାଚ୍ ନାମ ଲେଖା ଆରମ୍ଭ ହୋଇଥିଲା। ତେବେ ପ୍ରାରମ୍ଭରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ୍ ସିଟ୍‌ ସଂଖ୍ୟା ୧୦୦ ଥିଲାବେଳେ ଭିତ୍ତିଭୂମିର ବିକାଶ ପରେ ମେଡିକାଲ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆର ଅନୁମୋଦନ କ୍ରମେ ସିଟ୍‌ସଂଖ୍ୟା ୧୨୫କୁ ବୃଦ୍ଧି ହୋଇଥିଲା ଓ ୨୦୧୯-୨୦ ଶିକ୍ଷାବର୍ଷରୁ କୋରାପୁଟ ମେଡିକାଲ କଲେଜରେ ୧୨୫ଜଣ ପଢ଼ିବାର ସୁଯୋଗ ସୃଷ୍ଟି ହେଲା।

ରକ୍ତ ଭଣ୍ଡାର
ହସ୍ପିଟାଲ ପରିସର ମଧ୍ୟରେ ଏକ ଅତ୍ୟାଧୁନିକ ରକ୍ତ ଭଣ୍ଡାର ରହିଛି। ବିଭିନ୍ନ ସମୟରେ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର ସହାୟତାରେ ରକ୍ତଦାନ ଶିବିର ଆୟୋଜନ କରି ଆବଶ୍ୟକ ରକ୍ତ ସଂଗ୍ରହ କରାଯାଉ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତ ସଂଗ୍ରହ କରାଯାଉଥିବା ପ୍ରଫେସର୍ ସାହୁ କହିଛନ୍ତି। ରକ୍ତ ଅଭାବ ଦୂର କରିବା ନିମନ୍ତେ ଅନେକ ସମୟରେ ରୋଗୀଙ୍କ ସମ୍ପର୍କୀୟମାନଙ୍କ ସହ ରକ୍ତ ଅଦଳବଦଳ କରାଯାଇଥାଏ।

ମେଡିକାଲ୍‌ କଲେଜକୁ ପୁରିଲା ୮ ବର୍ଷ
କୋରାପୁଟ ମେଡିକାଲ କଲେଜ ପ୍ରତିଷ୍ଠା ହେବାର ମାତ୍ର ୮ ବର୍ଷ ହୋଇଛି। ୨୦୧୬ରେ କଲେଜ ପ୍ରତିଷ୍ଠା ହେଲା, କିନ୍ତୁ ଶିକ୍ଷାଦାନ ୨୦୧୭-୧୮ରୁ ହୋଇଥିଲା। ଏହା ମଧ୍ୟରେ କୋରାପୁଟ ମେଡିକାଲ କଲେଜରୁ ଦୁଇଟି ବ୍ୟାଚ୍ ପାସ୍‌ଆଉଟ୍ ହୋଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର୍ ଡ଼ାକ୍ତର ସଦାନନ୍ଦ ରଥ ସୂଚନା ଦେଇଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ମେଡିକାଲ୍‌ କଲେଜର ଆବଶ୍ୟକତା ରହିଥିଲା ତେଣୁ ତା’ର ଗୁରୁତ୍ବ ଉପଲବ୍ଧ ଅନୁଭବ କରି ରାଜ୍ୟ ସରକାର କୋରାପୁଟକୁ ଚୟନ କରିଛନ୍ତି ବୋଲି ପ୍ରଫେସର୍ ରଥ କହିଛନ୍ତି। ଅଶୀ ଦଶକରେ ସେ ରାୟଗଡ଼ା ଜିଲ୍ଲା କଲନରା (ଅବିଭକ୍ତ କୋରାପୁଟର ଏକ ଅଂଶ) ହସ୍ପିଟାଲରେ ଡାକ୍ତର ଚାକିରି ଆରମ୍ଭ କରିଥିଲେ। ସେହି ସମୟରେ ଏହି ଅଞ୍ଚଳରେ ଚିକିତ୍ସା ସେବା ବୋଲି ସେମିତି କିଛି ନ ଥିଲା। ଲୋକେ ରୋଗରେ ପଡ଼ିଲେ ଡାକ୍ତରଖାନା ଯିବା ବଦଳରେ ସ୍ଥାନୀୟ ଦିଶାରି କିମ୍ବା ଗୁଣିଆ ପାଖକୁ ଯାଇ ଝଡ଼ାଫୁଙ୍କା କରୁଥିଲେ। ବର୍ତ୍ତମାନ ଲୋକେ ସଚେତନ ହେବା ସହ ସରକାରୀ ହସ୍ପିଟାଲଗୁଡ଼ିକରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ମିଳୁ ଥିବାରୁ ସମସ୍ତେ ସରକାରୀ ହସ୍ପିଟାଲ୍‌କୁ ଯାଉଛନ୍ତି ବୋଲି କହିଛନ୍ତି ପ୍ରଫେସର୍ ରଥ। ତେଣୁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲ ଉପରେ ମଧ୍ୟ ଲୋକଙ୍କ ଆସ୍ଥା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ବିନା ଦେୟରେ ଅଲଟ୍ରା ସାଉଣ୍ଡ, ସିଟି ସ୍କାନ୍‌, ଡାଏଲିସିସ୍‌ ଓ ଏକ୍ସରେ ସହ ସମସ୍ତ ପରୀକ୍ଷା ସୁବିଧା ଉପଲବ୍ଧ
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲରେ ବିନାଦେୟରେ ଅଲଟ୍ରା ସାଉଣ୍ଡ, ସିଟି ସ୍କାନ୍, ଏକ୍ସରେ , କିଡ୍‌ନୀ ରୋଗୀଙ୍କ ଡାଏଲିସିସ୍‌ ସମେତ ରକ୍ତ, ମଳ, ମୂତ୍ର ପରୀକ୍ଷା କରାଯାଉଛି। ଏହି ସୁବିଧା ସପ୍ତାହର ସବୁଦିନ ୨୪ ଘଣ୍ଟା ଉପଲବ୍ଧ ହେଉ ଥିବାବେଳେ ଦୈନିକ ୩୦-୪୦ ସିଟି ସ୍କାନ ଓ  ୭୦ରୁ ଊର୍ଦ୍ଧ୍ବ ଅଲଟ୍ରା ସାଉଣ୍ଡ ସହ ୫୦୦ ରୋଗୀଙ୍କ ରକ୍ତ, ମଳ, ମୂତ୍ର ପରୀକ୍ଷା କରାଯାଉଥିବା ହସ୍ପିଟାଲ ଅଧୀକ୍ଷକ ପ୍ରଫେସର୍ ଡାକ୍ତର ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।

କୋରାପୁଟ ମେଡିକାଲ୍‌ କଲେଜରେ ସଫଳ ଅସ୍ତ୍ରୋପଚାର
କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲରେ ସଫଳତାର ସହ ଗୋଟେ ପରେ ଗୋଟେ ଅସ୍ତ୍ରୋପଚାର କରାଯାଇ ଜନମାନସରେ ମେଡିକାଲ କଲେଜ୍ ଓ ହସ୍ପିଟାଲ୍ ପ୍ରତି  ଆସ୍ଥା ପ୍ରକଟ କରାଯାଉଥିବା ବେଳେ  ବିରଳ ଅସ୍ତ୍ରୋପଚାର କରା ଯାଇ  ରେକର୍ଡ ସୃଷ୍ଟି କରାଯାଇଛି।  ଯୁବକଙ୍କ ମୁଣ୍ଡ  ଅପରେସନ୍ କରାଯାଇଥିବା ବେଳେ ଜଣେ ୧୭ ବର୍ଷିୟା ଯୁବତୀଙ୍କ ଗର୍ଭାଶୟରୁ  ଅସ୍ତ୍ରୋପଚାର  କରି ପ୍ରାୟ ୭ କିଲୋ ଓଜନର ଟ୍ୟୁମୋର ବାହାର କରିବା କୋରାପୁଟ ମେଡିକାଲ କଲେଜ୍ ଓ ହସ୍ପିଟାଲ  ପାଇଁ ଏକ ରେକର୍ଡ।  ବୈପାରିଗୁଡ଼ା ବ୍ଲକ୍‌ ଦୋରାଗୁଡ଼ା ଗ୍ରାମର ଯୁବତୀଙ୍କ ପେଟ ଫୁଲି ପ୍ରବଳ ଯନ୍ତ୍ରଣା ହେବାରୁ ପରିବାର ଲୋକେ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବିଭିନ୍ନ ପରୀକ୍ଷାନିରୀକ୍ଷା ପରେ ଯୁବତୀଙ୍କ ଗର୍ଭାଶୟରେ ଟ୍ୟୁମର  ହୋଇଥିବା ଜଣା ପଡ଼ିଥିଲା।  କୋରାପୁଟ ହସ୍ପିଟାଲରେ ଯୁବତୀଙ୍କ  ଅସ୍ତ୍ରୋପଚାର କରିବାକୁ   ମେଡିକାଲ କଲେଜ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବା ପରେ ମେଡିକାଲ  କଲେଜର  ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ପ୍ରଫେସର ସୁଜାତା ସ୍ୱାଇଁଙ୍କ ନେତୃତ୍ୱରେ  ସହକାରୀ  ପ୍ରଫେସର  ଡାକ୍ତର ରାଧାକାନ୍ତ ପାଣିଗ୍ରାହୀ, ସ୍ତ୍ରୀ ଓ ପ୍ରସୂତି  ବିଶେଷଜ୍ଞ ଡାକ୍ତର ଜଗଦୀଶ ବେହେରା, ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ଗୋପାଳ ନାୟକ, ସ୍ତ୍ରୀ ଓ ପ୍ରସୁତି ବିଭାଗ ଡାକ୍ତର ଏଲ୍‌.ଶିରିଶା, ଡାକ୍ତର  ଜିମ୍ମି, ଡାକ୍ତର ବାସୁ ଏବଂ ନିଶ୍ଚେତକ ଡାକ୍ତର  ଆମ୍ବିକାଙ୍କୁ ନେଇ  ଗଠିତ ଏକ ଟିମ୍  ଯୁବତୀଙ୍କ  ଅସ୍ତ୍ରୋପଚାର କରି ଗର୍ଭାଶୟରୁ  ୬ କିଲୋ ୭୭୫ ଗ୍ରାମ ଓଜନର  ଏକ ଟ୍ୟୁମର ବାହାର କରିଥିଲେ। ଅସ୍ତ୍ରୋପଚାର  ସଫଳ ହୋଇଥିବାବେଳେ ଯୁବତୀଙ୍କ ଗର୍ଭାଶୟରେ କୌଣସି କ୍ଷତ ହୋଇ ନ ଥିବାରୁ ସେ  ଭବିଷ୍ୟତରେ ମା’ ହେବାରେ କୌଣସି ଅସୁବିଧା ନ ଥିବା ଡାକ୍ତରୀ ଟିମ୍ କହିଥିଲେ ।

ମେଡିକାଲ କଲେଜ ସମ୍ପର୍କିତ ବିବରଣୀ 
କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୨୧ଟି ବିଭାଗରେ ଶିକ୍ଷାଦାନ କରା ଯାଉଥିବା କଲେଜ ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର୍ ସଦାନନ୍ଦ ରଥ ସୂଚନା ଦେଇଛନ୍ତି। ମୋଟ ସିଟ୍ ସଂଖ୍ୟା ୧୨୫ ଥିବାବେଳେ ସେଥି ମଧ୍ୟରୁ ୧୦୯ଟି ରାଜ୍ୟ କୋଟା ଏବଂ ୧୬ଟି ସିଟ୍ ସର୍ବଭାରତୀୟ କୋଟାରେ ପିଲା ନାମ ଲେଖାଇବା ବ୍ୟବସ୍ଥା ରହିଛି। ମେଡିକାଲ କଲେଜରେ ମୋଟ ୧୯୯ଟି ଅନୁମୋଦନପ୍ରାପ୍ତ ଶିକ୍ଷକ ପଦ ଥିବାବେଳେ ସେଥି ମଧ୍ୟରୁ ୮୭ଟି ପଦ ଖାଲିଥିବା ଜଣାପଡ଼ିଛି। ପ୍ରଫେସର୍ ରଥଙ୍କ ଠାରୁ ମିଳିଥିବା ସୂଚନା ମୁତାବକ କୋରାପୁଟ ଏସ୍‌ଏଲ୍‌ ଏନ୍ ମେଡିକାଲ କଲେଜରେ ବର୍ତ୍ତମାନ ସ୍ଥିତିରେ ୪ ଟି ପ୍ରଫେସର୍,୧୧ ଏସୋସିଏଟ୍ ପ୍ରଫେସର୍, ୯ ସହକାରୀ ପ୍ରଫେସର୍, ୩୪ ସିନିଅର୍ ରେସିଡେଣ୍ଟ, ଏବଂ ୨୯ ଜୁନିଅର୍‌ ରେସିଡେଣ୍ଟ ପଦ ଖାଲି ରହିଛି।

ହସ୍ପିଟାଲ ସମ୍ପର୍କରେ
୨୦୧୬ ସେପ୍ଟେମ୍ବର ପୁର୍ବରୁ ଏହା ଜିଲ୍ଲା ହସ୍ପିଟାଲ ଥିଲେ ମଧ୍ୟ ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁରର ଜିଲ୍ଲାର ରେଫରାଲ ହସ୍ପିଟାଲ ଭାବେ କାର୍ଯ୍ୟ କରି ଆସୁଥିଲା। ପ୍ରତିଦିନ ଉପରୋକ୍ତ ଜିଲ୍ଲାଗୁଡ଼ିକରୁ ଶତାଧିକ ରୋଗୀ କୋରାପୁଟ ସ୍ଥାନାନ୍ତର ହେଉଥିଲେ। ବର୍ତ୍ତମାନ ମେଡିକାଲ୍‌ କଲେଜ ହେବା ପରେ ରୋଗୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧିପାଇଛି। ବର୍ତ୍ତମାନ ସ୍ଥିତିରେ କୋରାପୁଟ ଏସ୍‌ଏଲ୍‌ଏନ୍ ମେଡିକାଲ କଲେଜ ଓ ହସ୍‌ପିଟାଲକୁ କୋରାପୁଟ ସମେତ ରାୟଗଡ଼ା, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାରୁ ଦୈନିକ ପ୍ରାୟ ଦେଢ଼ ହଜାର ରୋଗୀ ଆସୁଥିବା ହସ୍ପିଟାଲ ଅଧୀକ୍ଷକ ପ୍ରଫେସର୍ ଡାକ୍ତର ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ହସ୍ପିଟାଲରେ ବର୍ତ୍ତମାନ ବିଭିନ୍ନ ବିଭାଗରେ ୩୦୦ ଶଯ୍ୟା ଥିବାବେଳେ ଭେଷଜ ବିଭାଗରେ ୧୧, ଏସ୍‌ଏନ୍‌ସିୟୁ ୱାର୍ଡରେ ୨୪ ଓ ପିକୁ ବିଭାଗରେ ୬ଟି ମୋଟ ୪୧ ଟି ଆଇ ସିୟୁ ବେଡ୍ ରହିଛି। ତେବେ ଅନେକ ସମୟରେ ରୋଗୀଙ୍କ  ସଂଖ୍ୟାବୃଦ୍ଧି ଯୋଗୁଁ ଶଯ୍ୟା ସମସ୍ୟା ରହୁଥିବା ହସ୍ପିଟାଲ ଅଧୀକ୍ଷକ ସ୍ବୀକାର କରିଛନ୍ତି। କୋରାପୁଟ ହସ୍ପିଟାଲରେ ବର୍ତ୍ତମାନ ଅନେକ ପ୍ରକାର ଅସ୍ତ୍ରୋପଚାର ସମ୍ଭବପର ହୋଇପାରିଛି। ସେହିପରି ସରକାରଙ୍କ ମାଗଣା ୧୦୮ ଆମ୍ବୁଲାନ୍ସ ସେବା ସମସ୍ତଙ୍କୁ ଯଥାସମ୍ଭବ ଯୋଗାଇ ଦିଆଯାଉଛି। କୋରାପୁଟ ହସ୍ପିଟାଲରୁ ବ୍ରହ୍ମପୁର ପର୍ଯ୍ୟନ୍ତ ରୋଗୀମାନଙ୍କୁ ବିନା ଦେୟରେ ସ୍ଥାନାନ୍ତର କରାଯାଉଛି। ଅନ୍ୟପକ୍ଷରେ ମୃତଦେହ ନେବା ନିମନ୍ତେ ବଡ଼ ଡାକ୍ତରଖାନାରେ ୩ଟି ଶବବାହକ ଗାଡ଼ି ରହିଛି, ଜିଲ୍ଲା ଭିତରେ ମୃତଦେହ ପହଞ୍ଚାଇବା ସରକାରଙ୍କ ନିର୍ଦ୍ଦେଶ ରହିଛି। ତେବେ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲ ଉପରେ ପଡ଼ୋଶୀ ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁରର ଜିଲ୍ଲାବାସୀ ନିର୍ଭର କରୁଥିବାରୁ ଜିଲ୍ଲାପାଳଙ୍କ ଅନୁମତିକ୍ରମେ ଆବଶ୍ୟକ ସ୍ଥଳେ ଉପରୋକ୍ତ ଜିଲ୍ଲାକୁ ମଧ୍ୟ ମୃତଦେହ ପରିବହନ ବ୍ୟବସ୍ଥା କରାଯାଉଥିବା ହସ୍ପିଟାଲ ଅଧୀକ୍ଷକ ସୂଚନା ଦେଇଛନ୍ତି।

ଖୁବ୍‌ଶୀଘ୍ର ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ
ଦିନକୁଦିନ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲର ଗୁରୁତ୍ଵ ବୃଦ୍ଧି ସହ ରୋଗୀସଂଖ୍ୟା ବଢ଼ି ଚାଲିଥିବାରୁ ରାଜ୍ୟ ସରକାର କୋରାପୁଟ ବଡ଼ ମେଡିକାଲରେ  ଶଯ୍ୟାସଂଖ୍ୟା ୬୫୦କୁ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ହସ୍ପିଟାଲର ଅତି ନିକଟରେ ୫୨ ଏକର ସରକାରୀ ଜମିରେ ନିର୍ମାଣ ଚାଲିଛି ୭ ମହଲା ବିଶିଷ୍ଟ କୋଠା। ମୋଟ ୩୩୬ କୋଟି ୭ ଲକ୍ଷ ଟଙ୍କା ବ୍ୟୟରେ ରାଜ୍ୟ ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ  ପ୍ରସିଦ୍ଧ ସାପୋର ଜି ପାଲୋଞ୍ଜି କମ୍ପାନୀ ନିର୍ମାଣ ଦାୟିତ୍ବ ନେଇଛି। ଖୁବ୍‌ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ଓ କୋରାପୁଟ ବଡ଼ ଡାକ୍ତରଖାନାରେ ଥିବା ଶଯ୍ୟା ସମସ୍ୟା ଦୂରହେବ ବୋଲି ହସ୍ପିଟାଲ ଅଧୀକ୍ଷକ କହିଛନ୍ତି।

ସୂଚନା ଥାଉ କି, ୨୦୨୩ ଫେବୃଆରୀ ୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ ତଥା ବର୍ତ୍ତମାନର ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିର୍ମାଣାଧୀନ ୬୫୦ ଶଯ୍ୟା ହସ୍ପିଟାଲ କୋଠା ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ଯଥାସମୟରେ କାର୍ଯ୍ୟ ଶେଷ କରିବାକୁ ଠିକା ସଂସ୍ଥା, ନିର୍ମାଣ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଆଉ ମାତ୍ର କିଛିଦିନ ମଧ୍ୟରେ ୬୫୦ ଶଯ୍ୟା ନୂଆ କୋଠା କାର୍ଯ୍ୟକ୍ଷମ ହେବ ଓ ଶଯ୍ୟା ସମସ୍ୟା ଦୂରହେବ ବୋଲି ହସ୍ପିଟାଲ ଅଧୀକ୍ଷକ କହିଛନ୍ତି।

ନିର୍ମାଣ ଚାଲିଛି କ୍ୟାନ୍ସର ହସ୍ପିଟାଲ୍‌ 
ରାଜ୍ୟ ସରକାର ଓ ଟାଟା ମେମୋରିଆଲ କ୍ୟାନ୍ସର ଅନୁଷ୍ଠାନ ମିଳିତ ଭାବେ ଶହେ ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ କୋରାପୁଟରେ ପ୍ରତିଷ୍ଠା ହେବ। ଏଥି ନିମନ୍ତେ ରାଜ୍ୟ ସରକାର ଏବଂ ଟାଟା କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିବାବେଳେ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ନିର୍ମାଣାଧୀନ ୬୫୦ ଶଯ୍ୟା କୋଠା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ ନିମନ୍ତେ ରାଜ୍ୟ ସରକାର ନିକଟରେ ଟାଟା କମ୍ପାନୀକୁ ମାଗଣା ସରକାରୀ ଜମି ଯୋଗାଇ ଦେଇଛନ୍ତି। ଫଳରେ ଅବିଭକ୍ତ କୋରାପୁଟ ଜିଲ୍ଲା କ୍ୟାନ୍ସର ରୋଗୀଙ୍କୁ ଆଉ କଟକ କିମ୍ବା ଅନ୍ୟତ୍ର ଯିବାକୁ ପଡ଼ିବ ନାହିଁ। ତେବେ କୋରାପୁଟରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା ହେବା ପରଠାରୁ ଏହି ଅଞ୍ଚଳବାସୀ ଉନ୍ନତ ମାନର ଚିକିତ୍ସା ସେବା ପାଇ ପାରିଛନ୍ତି ତାହା ଅବିଭକ୍ତ କୋରାପୁଟ ପାଇଁ ବରଦାନ ସଦୃଶ ହୋଇଛି। ମେଡିକାଲ କଲେଜରେ ଖାଲିଥିବା ପଦ ପୂରଣ ସହ ୬୫୦ ଶଯ୍ୟା ହସ୍ପିଟାଲ ଆରମ୍ଭ ଓ କ୍ୟାନ୍ସର ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ କୋରାପୁଟ, ରାୟଗଡ଼ା,ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାବାସୀ ଅଧିକ ଉପକୃତ ହେବେ, ଏଥିରେ ସନ୍ଦେହ ନାହିଁ।

ଖାଇବା ଯୋଗାଉଛନ୍ତି ମିଶନ ଶକ୍ତି ମାଆ
ମେଡିକାଲ୍‌ର ଅନ୍ତର୍ବିଭାଗ ରୋଗୀଙ୍କୁ ଉତ୍ତମମାନର ଖାଦ୍ୟ ଦିଆଯାଉଥିବା ବେଳେ ମିଶନ ଶକ୍ତି  ଜିଲ୍ଲା ମହାସଂଘ ଏହାର ପରିଚାଳନା ଦାୟିତ୍ବ ନେଇଛି। ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଦୈନିକ ଖାଦ୍ୟସୂଚୀ ଅନୁଯାୟୀ ସାଧାରଣ ରୋଗୀ, ଡାଇବେଟିସ୍, ଶିଶୁମାନଙ୍କ ପାଇଁ ଭିନ୍ନ ଭିନ୍ନ ଖାଦ୍ୟ ଦିଆଯାଉଥିବା ହସ୍ପିଟାଲ ଅଧୀକ୍ଷକ ପ୍ରଫେସର୍ ସାହୁ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଦିନ ମିଶନ ଶକ୍ତି ମା’ ମାନେ ପ୍ରତି ୱାର୍ଡ ଯାଇ ରୋଗୀଙ୍କ ଇଚ୍ଛା ମୁତାବକ ଖାଦ୍ୟ ତାଲିକା ସଂଗ୍ରହ କରି ସେମାନଙ୍କୁ ଠିକ୍ ସମୟରେ ଖାଦ୍ୟ ଯୋଗାଉଥିବା ମିଶନ ଶକ୍ତି ଜିଲ୍ଲା ସଭାନେତ୍ରୀ ଜ୍ୟୋତିରେଖା ଚେଟ୍ଟି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତୀକରଣ ନୀତି ଯୋଗୁଁ ଆଜି ଜିଲ୍ଲା ମହାସଂଘ ଏହି ଦାୟିତ୍ବ ପାଇଥିବାବେଳେ ଏଥିରେ ପ୍ରାୟ ୨୦ ଜଣ ମହିଳା ରୋଜଗାରକ୍ଷମ ହୋଇଥିବା ଶ୍ରୀମତୀ ଚେଟ୍ଟି ପ୍ରକାଶ କରିଛନ୍ତି।

03 Mar 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର