ରେଳଧାରଣାରୁ ପୋଲିସ ASIଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
କଟକ: କଟକ ସହରର କାଠଯୋଡ଼ି ନିକଟସ୍ଥ ରେଳଧାରଣାରୁ ଜଣେ ପୋଲିସ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସଆଇ)ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଜିତେନ୍ଦ୍ର ସାମନ୍ତରାୟ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। ତାଙ୍କର ରହସ୍ୟଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ଆହୁରି ପଢ଼ନ୍ତୁ: ବିଗତ ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାର ନିମ୍ନତାର ସବୁ ସୀମା ଟପିଗଲା: ସୁଜାତା ରାଉତ କାର୍ତ୍ତିକେୟନ
ସୂଚନା ଅନୁଯାୟୀ, ଜିତେନ୍ଦ୍ର ସାମନ୍ତରାୟ ପ୍ରଥମେ ୨୦୧୧ ମସିହାରେ ପୋଲିସ ବାହିନୀରେ ଜଣେ କନେଷ୍ଟବଳ ଭାବରେ ଯୋଗ ଦେଇଥିଲେ। ନିଜର ନିଷ୍ଠାପର କାର୍ଯ୍ୟ ଯୋଗୁଁ ପ୍ରାୟ ୫ ମାସ ପୂର୍ବେ ତାଙ୍କୁ ଏଏସଆଇ ପଦବୀକୁ ପଦୋନ୍ନତି ମିଳିଥିଲା। ପଦୋନ୍ନତି ପରେ ସେ ବର୍ତ୍ତମାନ ବୈରୀ ଟ୍ରେନିଂ ସେଣ୍ଟରରେ ନିଜର ପ୍ରଶିକ୍ଷଣ ନେଉଥିଲେ।ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ସେ କିପରି ଏବଂ କେଉଁ ପରିସ୍ଥିତିରେ ରେଳଧାରଣା ନିକଟକୁ ଆସିଲେ, ତାହା ସ୍ପଷ୍ଟ ହୋଇପାରିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।






