ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

Madhusudan Das Picture
Published On

ଭୁବନେଶ୍ୱର: ଭାରତବର୍ଷରେ ଗୁରୁଶିଷ୍ୟ ପରମ୍ପରା ବହୁ ପ୍ରାଚୀନ। ବିନା ଗୁରୁରେ କେହି କେବେ ସଫଳତାର ଶିଖର ଛୁଇଁପାରି ନ ଥାଏ। କେବେ ଆକଟ ଭରା କଠୋର ଅନୁଶାସନ ତ ପୁଣି କେବେ ଉତ୍ସାହପ୍ରଦ ପ୍ରେରଣା । ସାଧାରଣ ଛାତ୍ରଟିକୁ ଅସାଧାରଣ କରିବାର ଶକ୍ତି ତାଙ୍କ ପାଖେ। କଞ୍ଚାମାଟି ପିଣ୍ଡୁଳାକୁ ସୁନ୍ଦର ପ୍ରତିମା ରୂପେ ଗଢ଼ିବାରେ ନିରନ୍ତର ଚେଷ୍ଟା କରିଥାନ୍ତି ଗୁରୁ।  ଶିକ୍ଷା ପ୍ରଦାନ ସହ ଜୀବନକୁ ମାର୍ଜିତ, ଶୃଙ୍ଖଳିତ କରିବାରେ ତାଙ୍କ ଅବଦାନ ଥାଏ ଖୁବ୍ ଗୁରୁତ୍ବପୂର୍ଣ୍ଣ। ପାଠ ଠାରୁ ଖେଳକୁଦ ପୁଣି ନୃତ୍ୟ, ସଙ୍ଗୀତ, ଅଭିନୟ, ସବୁ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଗୁରୁଙ୍କ ଯୋଗଦାନ ଲୋଡ଼ାଥାଏ । ଛାତ୍ରର ମାର୍ଗଦର୍ଶକ ସାଜି ଭଲ ମଣିଷ ରୂପେ ଗଢ଼ିତୋଳିବାରେ ଗୁରୁଙ୍କ ଭୂମିକା ସର୍ବାଗ୍ରେ। 

ଆହୁରି ପଢ଼ନ୍ତୁ: ସକ୍ରିୟ ହେଲା ସୁସ୍ପଷ୍ଟ ଲଘୁଚାପ: ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ବରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭାରତୀୟ ସଂସ୍କୃତି ହିଁ ଗୁରୁ-ଶିଷ୍ୟ ପରମ୍ପରା ଉପରେ ପ୍ରତିଷ୍ଠିତ। ଅତୀତରେ ଗୁରୁକୁଳ ଆଶ୍ରମଗୁଡ଼ିକରେ ଶିଷ୍ୟମାନଙ୍କୁ ସାଧୁତା-ନୈତିକତା ମୂଲ୍ୟବୋଧ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରାଯାଉଥିଲା।  ଆଜିର ଆଧୁନିକ ଯୁଗରେ ଶିକ୍ଷାଦାନର ଶୈଳୀ ବଦଳିଛି। ବ୍ଲାକବୋର୍ଡ ସ୍ଥାନରେ ସ୍ମାର୍ଟବୋର୍ଡ ଏବଂ କ୍ଲାସରୁମ୍‌ ସ୍ଥାନରେ ଇଣ୍ଟରନେଟ୍ ଆସିଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଗୁଗଲ୍ ତଥ୍ୟ ଦେଇପାରେ, ହେଲେ ସେହି ତଥ୍ୟକୁ ଜୀବନରେ କେମିତି ପ୍ରୟୋଗ କରାଯିବ ଏବଂ ଭଲ-ମନ୍ଦର ବିଚାର କେବଳ ଜଣେ ଗୁରୁ ହିଁ ଦେଇପାରିବେ। ଗୁରୁଙ୍କ ସ୍ନେହଭରା ଚାହାଣୀ ଓ ଶାସନର ବିକଳ୍ପ କୌଣସି ଟେକ୍ନୋଲୋଜି ହୋଇପାରିବ ନାହିଁ। 

ଆହୁରି ପଢ଼ନ୍ତୁ: କଟକ ରେଳ ଷ୍ଟେସନରୁ ନିଖୋଜ ନାବାଳିକା ସୁରକ୍ଷିତ ଉଦ୍ଧାର, ସନ୍ଦେହରେ ବୃଦ୍ଧ ଅଟକ

ଆମ ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ଭାବେ ପାଳନ କରାଯାଏ। ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମତିଥିରେ ପାଳିତ ହୁଏ ଗୁରୁ ଦିବସ। ୧୮୮୮ ମସିହା ଆଜିର ଦିନରେ ତାମିଲନାଡ଼ୁର ତିରୁଟ୍ଟନୀ ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ। ଶିକ୍ଷା ପ୍ରତି ଥିବା ତାଙ୍କର ଅବଦାନକୁ ମନେ ରଖିବା ପାଇଁ ଏହି ଦିବସ ପାଳନ କରାଯାଏ। ୧୯୬୨ ମସିହାରେ ସେ ଭାରତର ଦ୍ବିତୀୟ ରାଷ୍ଟ୍ରପତି ହେଲେ। ସେ ରାଷ୍ଟ୍ରପତି ଥିବା ସମୟରେ ବହୁ ଛାତ୍ରଛାତ୍ରୀ ତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ। ମାତ୍ର ସେ ସେମାନଙ୍କୁ ନିଜ ଜନ୍ମଦିନ ପାଳିବାକୁ ମନା କରିଥିଲେ। ଜନ୍ମଦିନ ପାଳନ କରିବା ଅପେକ୍ଷା ଏହି ଦିନକୁ ଗୁରୁମାନଙ୍କ ଦିବସ ଭାବେ ପାଳନ କରାଗଲେ, ତାହା ତାଙ୍କ ପାଇଁ ବଡ଼ ସମ୍ମାନ ହେବ ବୋଲି କହିଥିଲେ। ସେବେଠୁ ତାଙ୍କ ଜନ୍ମଦିବସକୁ ‘ଗୁରୁ ଦିବସ’ ଭାବେ ପାଳନ କରାଯାଇ ଆସୁଛି। 

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ରାଧାକ୍ରିଷ୍ଣନ୍‌ଙ୍କ କ୍ୟାରିୟର ଶିକ୍ଷକତାରୁ ଆରମ୍ଭ ହୋଇଥିଲା। ଶିକ୍ଷାର ମହତ୍ତ୍ବ ଉପରେ ସଚେତନତା ସୃଷ୍ଟି କରିବା ସହ ଦେଶର ସାକ୍ଷରତା ହାର କିଭଳି ଉପରକୁ ଉଠିବ, ତାହା ଥିଲା ତାଙ୍କର ଲକ୍ଷ୍ୟ। ସେ ଭାରତୀୟ ଦର୍ଶନ, ଧର୍ମ ଦର୍ଶନରେ ଶିକ୍ଷାଦାନ କରିଥିଲେ। ବେଦ, ଉପନିଷଦକୁ ସେ ଅତି ସୁନ୍ଦର ଭାବେ ବ୍ୟାଖ୍ୟା କରୁଥିଲେ। ଶିକ୍ଷା ପ୍ରତି ଥିବା ତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଦିନ ସ୍କୁଲ, କଲେଜ ତଥା ବିଭିନ୍ନ ଅନୁଷ୍ଠାନରେ ଗୁରୁ ଦିବସ ପାଳନ କରାଯାଏ। ଜୀବନର ପ୍ରଥମ ଗୁରୁ ମାଆଙ୍କଠାରୁ ଆରମ୍ଭ କରି ସ୍କୁଲ, କଲେଜ ଏବଂ କର୍ମକ୍ଷେତ୍ରରେ ଆମକୁ ବାଟ ଦେଖାଇଥିବା ପ୍ରତ୍ୟେକ ଶିକ୍ଷକଙ୍କ ପାଇଁ ଏହି ଦିନଟି କୃତଜ୍ଞତା ଜଣାଇବାର ଦିନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର