ଅକ୍ଟୋବର ୨୮ରେ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ
ବାରିପଦା: ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକୁ ନେଇ ରାଷ୍ଟ୍ରପତି ସଚିବାଳୟର ଟୁର୍ ସେକ୍ସନ ପକ୍ଷରୁ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ଯାତାୟାତ ସମୟ, ଦୂରତା ଓ ରାସ୍ତାର ସ୍ଥିତି ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ଚିଠି ଜାରି କରାଯାଇଛି।
ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ଅକ୍ଟୋବର ୧୩ ତାରିଖରେ ଜାରି ହୋଇଥିବା ଏହି ଚିଠିରେ ଅକ୍ଟୋବର ୨୮ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଓଡ଼ିଶାର ରାଇରଙ୍ଗପୁର ଏବଂ ପଶ୍ଚିମବଙ୍ଗର କଲାଇକୁଣ୍ଡା ଗସ୍ତ ପରିପ୍ରେକ୍ଷୀରେ ରାସ୍ତା ଯାତ୍ରାର ସମୟ ନିର୍ଦ୍ଧାରଣ ଉପରେ ଗୁରୁତ୍ୱ ଦିଆଯାଇଛି।
ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୨୮ ତାରିଖରେ ଦାଣ୍ଡବୋଷ ବିମାନବନ୍ଦରରୁ ଯାତ୍ରା ଆରମ୍ଭ କରି ବହଳଦା ସ୍ଥିତ ମା’ କିଚକେଶ୍ୱରୀ ମନ୍ଦିର, ମାହୁଲଡିହାର ଲକ୍ଷ୍ମୀମଣ୍ଡପ ଏବଂ ରାଇରଙ୍ଗପୁର ସ୍ଥିତ ରାଷ୍ଟ୍ରପତିଙ୍କ ଗୃହକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଓ ରାଇରଙ୍ଗପୁର କଚେରି ପଡ଼ିଆ ଗସ୍ତ ସହ ହଲିଡେ ହୋମ୍କୁ ଯାତାୟାତର ଯୋଜନା ରହିଛି।
ସେହିପରି ଅକ୍ଟୋବର ୨୯ ତାରିଖରେ ରାଇରଙ୍ଗପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ, ବିକାଶ ନଗର ଏବଂ ଗୋରୁମହିଷାଣୀ ଆଇରନ୍ କଲେଜସ୍ଥିତ ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ସମେତ ଟାଉନ୍ ହଲ୍ ଗସ୍ତର କାର୍ଯ୍ୟସୂଚୀ ରହିଛି। ଏହାପରେ ଦାଣ୍ଡବୋଷ ବିମାନବନ୍ଦର ଅଭିମୁଖେ ଫେରିବାର ଯୋଜନା ରହିଛି।
ରାଷ୍ଟ୍ରପତିଙ୍କ କାରକେଡ୍ର ସୁଗମ ଓ ସୁରକ୍ଷିତ ଯାତାୟାତ ପାଇଁ ପ୍ରତ୍ୟେକ ରାସ୍ତାର ଦୂରତା, ଯାତ୍ରାରେ ଲାଗିବାକୁ ଥିବା ସମୟ ଏବଂ ରାସ୍ତାର ବାସ୍ତବ ସ୍ଥିତି ଯାଞ୍ଚ କରି ତଥ୍ୟ ଦେବାକୁ ଚିଠିରେ ଅନୁରୋଧ କରାଯାଇଛି। ଏଥିସହ ପ୍ରତ୍ୟେକ ରାସ୍ତାଖଣ୍ଡରେ ଯାତାୟାତ ସମୟରେ ରାସ୍ତାର ସ୍ଥିତି କିପରି ରହିଛି, ସେ ସମ୍ପର୍କରେ ସ୍ପଷ୍ଟ ରିପୋର୍ଟ ଦେବାକୁ କୁହାଯାଇଛି।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ପୁଲିସ ଓ ସମ୍ପୃକ୍ତ ବିଭାଗଗୁଡ଼ିକ ପକ୍ଷରୁ ରାସ୍ତାଘାଟ, ଯାତାୟାତ ଓ ସୁରକ୍ଷା ବ୍ୟବସ୍ଥାର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯିବା ଆଶା କରାଯାଉଛି। ତେବେ ରାଷ୍ଟ୍ରପତିଙ୍କ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଓ ପ୍ରତ୍ୟେକ କାର୍ଯ୍ୟକ୍ରମର ସମୟ ସମ୍ପର୍କରେ ଅଧିକାରିକ ସୂଚନାକୁ ଅପେକ୍ଷା କରାଯାଇଛି।






