ବୃକ୍ଷମାନଙ୍କ ପ୍ରତି ସମ୍ବେଦନଶୀଳତା ପ୍ରକାଶ ପାଉ: ଡ଼. ଜୟକୃଷ୍ଣ ପାଣିଗ୍ରାହୀ
ଭୁବନେଶ୍ୱର: ସାମ୍ପ୍ରତିକ ସମୟରେ ବିଭିନ୍ନ ପରିବେଶଜନିତ ସମସ୍ୟା କ୍ରମେ ଅଧିକ ଗମ୍ଭୀର ରୂପ ଧାରଣ କରୁଥିବା ପରିପ୍ରେକ୍ଷୀରେ ପରିବେଶ ଓ ପ୍ରକୃତିର ସୁରକ୍ଷା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି । ସରକାରଙ୍କ ଠାରୁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ସବୁ ସ୍ତରରେ ଏଥି ନିମନ୍ତେ ପ୍ରତିବଦ୍ଧତାର ପ୍ରକାଶ ଏକାନ୍ତ ଆବଶ୍ୟକ । ପରିବେଶ ସଂରକ୍ଷଣ ନିମନ୍ତେ ଏବେ ଅନ୍ୟ ବହୁ କାର୍ଯ୍ୟକ୍ରମ ମଧ୍ୟରେ ଚାରାରୋପଣ ଏକ ପ୍ରମୁଖ କାର୍ଯ୍ୟ ରୂପେ ସମାଜରେ ସର୍ବଜନ ଗ୍ରହଣୀୟ ପ୍ରକ୍ରିୟା […]
ଭୁବନେଶ୍ୱର: ସାମ୍ପ୍ରତିକ ସମୟରେ ବିଭିନ୍ନ ପରିବେଶଜନିତ ସମସ୍ୟା କ୍ରମେ ଅଧିକ ଗମ୍ଭୀର ରୂପ ଧାରଣ କରୁଥିବା ପରିପ୍ରେକ୍ଷୀରେ ପରିବେଶ ଓ ପ୍ରକୃତିର ସୁରକ୍ଷା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି । ସରକାରଙ୍କ ଠାରୁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ସବୁ ସ୍ତରରେ ଏଥି ନିମନ୍ତେ ପ୍ରତିବଦ୍ଧତାର ପ୍ରକାଶ ଏକାନ୍ତ ଆବଶ୍ୟକ । ପରିବେଶ ସଂରକ୍ଷଣ ନିମନ୍ତେ ଏବେ ଅନ୍ୟ ବହୁ କାର୍ଯ୍ୟକ୍ରମ ମଧ୍ୟରେ ଚାରାରୋପଣ ଏକ ପ୍ରମୁଖ କାର୍ଯ୍ୟ ରୂପେ ସମାଜରେ ସର୍ବଜନ ଗ୍ରହଣୀୟ ପ୍ରକ୍ରିୟା ହୋଇଛି । ବିଶେଷ ରୂପେ ବର୍ଷା ଋତୁରେ ଜଙ୍ଗଲ ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟରେ ଜଡି଼ତ ହୋଇ ନିଜନିଜର ଅବଦାନ ରଖନ୍ତି । ସହରାଞ୍ଚଳମାନେ ଅଧିକ ପରିବେଶ ସମସ୍ୟାରେ ପ୍ରପୀଡ଼ିତ ହେଉଥିବାରୁ ଏବଂ ଏଠାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ବୃକ୍ଷ ଛେଦନ ବୃଦ୍ଧି ପାଉଥିବାରୁ ପରବର୍ତ୍ତୀ ସମୟରେ ଏଠାରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ପଥପାର୍ଶ୍ୱରେ ଏବଂ ଫାଙ୍କା ସ୍ଥାନମାନଙ୍କରେ ଚାରାରୋପଣ କରି ସହର ପରିବେଶରେ ସବୁଜିମା ବୃଦ୍ଧି ନିମନ୍ତେ ପ୍ରଚେଷ୍ଟା କରାଯାଏ । କିନ୍ତୁ, ରୋପଣ ପରବର୍ତ୍ତୀ ସମୟରେ ଆବଶ୍ୟକ ଯତ୍ନ ଓ ସୁରକ୍ଷାର ଅଭାବରୁ ଅନେକ ଚାରା ବୃକ୍ଷରେ ରୂପାନ୍ତରିତ ହେବାରୁ ବଞ୍ଚିତ ହୁଅନ୍ତି । ଗଣମାଧ୍ୟମରେ ଗଛଲଗା ଚିତ୍ର ପ୍ରଦର୍ଶିତ ହେବା ପରେ ଲଗାଇଥିବା ଚାରା ବିଷୟରେ ଆମେ ପ୍ରାୟତଃ ଭୁଲିଯାଉ ଯେ ଗଛ ହେଉଛି ଜୀବନ୍ତ ଏବଂ ଏହା ରୋପଣ ପରବର୍ତ୍ତୀ ଯତ୍ନର ଆବଶ୍ୟକ କରେ ।
ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟରେ ବୃକ୍ଷ କଟାଯିବାକୁ ଏଡ଼ାଇବାକୁ ଏବଂ ବୃକ୍ଷର ମୂଳ ଚତୁଃପାର୍ଶ୍ୱରେ ସେମାନଙ୍କ ବଞ୍ଚିବା ଏବଂ ଦୀର୍ଘାୟୁ ହେବାକୁ ଦୃଷ୍ଟିରେ ରଖି ଆବଶ୍ୟକ ଫାଙ୍କା ସ୍ଥାନ ନିଶ୍ଚିତ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଜାତୀୟ ସବୁଜ ଟ୍ରିବ୍ୟୁନାଲ ପୂର୍ବରୁ ନିର୍ଦେଶାନାମାମାନ ଜାରି କରିଛନ୍ତି । ପ୍ରତ୍ୟେକ ଗଛ ଚାରିପଟେ ଖୁବ୍ କମ୍ରେ ଏକ ମିଟର ବ୍ୟାସାର୍ଦ୍ଧର ମୃତ୍ତିକା ଥିବା ଖୋଲାସ୍ଥାନ ରହିବା ଜରୁରୀ, ଯାହା ଦ୍ୱାରା ଏହାର ଚେର ଠିକ୍ ଭାବରେ ବିସ୍ତାରିତ ହେବ ଏବଂ ବର୍ଷାଜଳ ମାଟିରେ ପ୍ରବେଶ କରିବ ।
ଭୁବନେଶ୍ୱରର ବୁଦ୍ଧ ପାର୍କକୁ ଲାଗି ରହିଥିବା ଗଛର ମୂଳକୁ ସମ୍ପୂର୍ଣ୍ଣ ରୂପେ କଂକ୍ରିଟ କରାଯାଇ ଥିବାରୁ ବର୍ଷାଦିନରେ ମଧ୍ୟ ଜଳାଭାବରେ ଏହା ମୃତ୍ୟୁବରଣ କରି ମୂକ ଭାବରେ ଛିଡ଼ା ହୋଇ ରହିଛି । ଏପରି ଦୁରାବସ୍ଥାରେ ରହିଛନ୍ତି ଭୁବନେଶ୍ୱର, କଟକ ଏବଂ ଅନ୍ୟ ସହରାଞ୍ଚଳର ଅନେକ ଗଛମାନେ, ଯେହେତୁ ଏଠାରେ କଂକ୍ରିଟ ବା ପେଭର୍ ବ୍ଲକ ବିହୀନ ସ୍ଥାନ କ୍ରମଶଃ ହ୍ରାସ ପାଇ ଚାଲିଛି I ନିଃସ୍ୱାର୍ଥପର ଭାବରେ ବହୁବିଧ ସେବା ପ୍ରଦାନ କରୁଥିବା ଗଛମାନଙ୍କର ବଞ୍ଚିବା ପାଇଁ ଜଳର ଆବଶ୍ୟକତା ରହିଛି, ଯାହା ମୁଖ୍ୟତଃ ବର୍ଷା ଦ୍ୱାରା ଘଟିଥାଏ । କଂକ୍ରିଟମୟ ସହରରେ ବର୍ଷାଜଳ ମୃତ୍ତିକାରେ ପ୍ରବେଶ କରିପାରୁ ନାହିଁ, ଯାହା ବୃକ୍ଷମାନଙ୍କ ନିମନ୍ତେ ସମସ୍ୟାର କାରଣ ପାଲଟିଛି ଏବଂ ଭୂତଳଜଳ ପୁନର୍ଭରଣା ମଧ୍ୟ ହ୍ରାସ ପାଉଛି । ଏହାକୁ ହୃଦୟଙ୍ଗମ କରି ରାଜ୍ୟର ସମସ୍ତ ପୌରପାଳିକା ବୃକ୍ଷରୋପଣକୁ ଗୁରୁତ୍ୱ ଦେବା ସହ ବୃକ୍ଷମାନଙ୍କର ସୁରକ୍ଷା ଓ ସୁସ୍ଥତା ନିମନ୍ତେ ସମ୍ବେଦନଶୀଳତାର ସହ ବିହିତ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ବିଧେୟ ବୋଲି ଓଡ଼ିଶା ପରିବେଶ ସମିତିର କାର୍ଯ୍ୟକାରୀ ସଭାପତି ଡ଼. ଜୟକୃଷ୍ଣ ପାଣିଗ୍ରାହୀ ମତ ପ୍ରକାଶ କରିଛନ୍ତି ।






