ମନୋରଞ୍ଜନ
ଓଡ଼ିଶା
ବିଜୁ ପଟ୍ଟନାୟକ ବିମାନବନ୍ଦର ଲିଜ୍ ନକ୍ସା ପ୍ରସ୍ତୁତ: ୪୦୦୦ କୋଟିରେ ୫୦ ବର୍ଷ !
ଭୁବନେଶ୍ୱର: ଜାତୀୟ ମୁଦ୍ରୀକରଣ ପାଇପଲାଇନ୍ (ଏନ୍ଏମ୍ପି ୨.୦) ଅଧୀନରେ ଓଡ଼ିଶାର ଗର୍ବ କୁହାଯାଉଥିବା ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଏକ ଘରୋଇ ସଂସ୍ଥାକୁ ଲିଜ ଦିଆଯିବ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ଗତ ୪ ତାରିଖରେ କେନ୍ଦ୍ର ସରକାରଙ୍କ ପିପିପି ଆପ୍ରାଇଜାଲ କମିଟି ନୀତିଗତ ଭାବରେ ଅନୁମୋଦନ ଦେଇଛି। କୁହାଯାଉଛି ଯେ ଏହି ବିମାନବନ୍ଦରକୁ ୫୦ ବର୍ଷ ପାଇଁ ଲିଜ୍ ଦିଆଯିବ। ଯାହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସବୁଠାରୁ ଗୁରୁ୍ତ୍ୱପୂର୍ଣ୍ଣ କଥା ହେଉଛି ଭୁବନେଶ୍ୱର ବିମାନବନ୍ଦରର ଜମି ମୂଲ୍ୟ ପ୍ରାୟ ୪୦ ହଜାର କୋଟି ଟଙ୍କା ଆକଳନ କରାଯାଉଥିବାବେଳେ ଏହାକୁ ୪ ହଜାରରୁ ୫ ହଜାର କୋଟି ଟଙ୍କାରେ ଲିଜ୍ ଦିଆଯିବା ପଛରେ କି ରହସ୍ୟ ଅଛି ବୋଲି ମଧ୍ୟ ପ୍ରଶ୍ନ ଉଠିଛି।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଦେଇ ବାର୍ଷିକ ପ୍ରାୟ ୫୦ ଲକ୍ଷ ଯାତ୍ରୀ ଯାତାୟତ କରୁଛନ୍ତି। ଆର୍ଥିକ ଦୃଷ୍ଟିରୁ ବିମାନବନ୍ଦରଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ଓ ଉପଲବ୍ଧ ତଥ୍ୟ ଅନୁସାରେ ବିପିଏଆଇ ପ୍ରତିବର୍ଷ ହାରାହାରି ୧୮୦ କୋଟିରୁ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଲାଭ କରୁଛି। ମାତ୍ର ଓଡ଼ିଶାର ଏହି ସମ୍ପତ୍ତିକୁ କ୍ଷତିରେ ଚାଲିଥିବା କର୍ଣ୍ଣାଟକର ହୁବଲ୍ଲି ବିମାନବନ୍ଦର ସହ ଯୋଡ଼ି ଏକ ପ୍ୟାକେଜ ଭାବରେ ନିଲାମ ପାଇଁ ଯୋଜନା ରଖାଯାଇଛି। କେବଳ ନିବେଶକମାନଙ୍କ ଲାଭ ପାଇଁ ଲାଭଜନକ ବିମାନବନ୍ଦର ସହ ତୁଳନାମୂଳକ ଭାବେ କମ୍ ଲାଭ କରୁଥିବା ବା କ୍ଷତିରେ ଚାଲୁଥିବା ବିମାନବନ୍ଦରକୁ ଯୋଡ଼ି ଘରୋଇ ନିବେଶକଙ୍କୁ ଆକର୍ଷିତ କରାଇବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ଥିବା କୁହାଯାଉଛି। ନିଲାମରେ ଭାଗ ନେଉଥିବା ସଂସ୍ଥାମାନେ ପ୍ରତି ଘରୋଇ ଯାତ୍ରୀ ପିଛା ଦେବାକୁ ଥିବା ଶୁଳ୍କ ଆଧାରରେ ବିଡ୍ କରିବେ। ସର୍ବାଧିକ କିମ୍ବା ନିର୍ଦ୍ଧାରିତ ସର୍ତ୍ତରେ ସଫଳ ବିଡର୍ ବିମାନବନ୍ଦରର ପରିଚାଳନା ଓ ବିକାଶ ଦାୟିତ୍ୱ ଗ୍ରହଣ କରିବ ବୋଲି କୁହାଯାଉଛି।
ଭୁବନେଶ୍ୱର ବିମାନବନ୍ଦର ଦେଶର ଅନେକ ବିମାନବନ୍ଦରଠାରୁ ଉନ୍ନତ। ଏହା ୮୩୬ ଏକର (୩କୋଟି ୬୪ ଲକ୍ଷ ୧୬ ହଜାର୧୬୦ ବର୍ଗଫୁଟ) ଜମି ଉପରେ ପରିବ୍ୟାପ୍ତ। ବିମାନବନ୍ଦର ଆଖପାଖରେ ଜମିର ମୂଲ୍ୟ ଆକାଶଛୁଆଁ। ସରକାରୀ ବେଞ୍ଚମାର୍କଠାରୁ ଦୁଇରୁ ତିନିଗୁଣ ମୂଲ୍ୟରେ ଏଠାରେ ଜମି ବିକ୍ରି ହେଉଥିବା ଦେଖାଯାଏ। ବିମାନବନ୍ଦର ନିକଟବର୍ତ୍ତୀ ଅଞ୍ଚଳରେ ଜମିର ବର୍ଗଫୁଟ ବର୍ତ୍ତମାନ ୧୦ ହଜାରରୁ ୧୧ ହଜାର ଟଙ୍କାରେ ବିକ୍ରି ହେଉଛି ଓ ହାରାହାରି ଦେଖିଲେ ୮୩୬ ଏକର ଜମିର ବଜାର ମୂଲ୍ୟ ପାଖାପାଖି ୪୦ ହଜାର କୋଟି ଟଙ୍କା। ଏହାବ୍ୟତୀତ ଭିତ୍ତିଭୂମି ବାବଦରେ ମଧ୍ୟ ବିପୁଳ ନିବେଶ ହୋଇଥିବାରୁ ମୋଟ ସମ୍ପତ୍ତିର ମୂଲ୍ୟ ପାଖପ।।ଖି ୫୦ ହଜାର କୋଟି ଟଙ୍କାରୁ ଅଧିକ ହେବ। ପୁଣି ଏହି ବିମାନବନ୍ଦର ଏକ ଲାଭକାରୀ ସଂସ୍ଥା ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଅଧୀନରେ ରହିଛି।
ସାଧାରଣତଃ ଖରାପ ପ୍ରଦର୍ଶନ କରୁଥିବା, କ୍ଷତି ସହୁଥିବା ସଂସ୍ଥାକୁ ସରକାର ଅନ୍ୟ ସଂସ୍ଥା ବା ଘରୋଇ କମ୍ପାନୀକୁ ଲିଜ୍ ଦେଇ ମୁଣ୍ଡରୁ ବୋଝ ହଟାଇବା କଥା ଦେଖାଯାଏ। ମାତ୍ର ବିପୁଳ ସମ୍ପତ୍ତି ଥାଇ ଲାଭ କରୁଥିବା ସଂସ୍ଥାକୁ ଘରୋଇ ସଂସ୍ଥାକୁ ଲିଜ ଦେବାକୁ କେହି ଚିନ୍ତା କରି ନ ଥାନ୍ତି। ତେଣୁ ଭୁବନେଶ୍ୱର ବିପିଏଆଇ ଲିଜ୍ ନିମନ୍ତେ କେନ୍ଦ୍ର ସରକାରଙ୍କ ନୀତିଗତ ନଷ୍ପତ୍ତିକୁ ନେଇ ସାରା ରାଜ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ବିଜେଡି ଓ କଂଗ୍ରେସ ଏହି ପଦକ୍ଷେପକୁ ତୀବ୍ର ବିରୋଧ କରିଛନ୍ତି। ଏକ ଲାଭଜନକ ସରକାରୀ ସମ୍ପତ୍ତିକୁ ଘରୋଇ ହାତକୁ ଟେକିଦେବାର ଯୋଜନା ବୋଲି ଅଭିହିତ କରିଛନ୍ତି। ବିପିଆଇଏ ରୁଗ୍ଣ, ଦେବାଳିଆ ବା ଅଚଳ ସମ୍ପତ୍ତି ନୁହେଁ; ବରଂ ଏହା ଦେଶର ଅନ୍ୟତମ ସଫଳ ଓ ଦ୍ରୁତ ବିକାଶଶୀଳ ବିମାନବନ୍ଦର। ୨୦୨୨-୨୩ ଆର୍ଥିକ ବର୍ଷରେ ବିମାନବନ୍ଦରଟି ପ୍ରାୟ ୨୩୮ କୋଟି ଟଙ୍କା ଲାଭ କରିଥିଲା। ଏପରି ଏକ ଲାଭକାରୀ ସଂସ୍ଥାକୁ କେଉଁ ସ୍ୱାର୍ଥରେ ଓ କାହା ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ଲିଜ୍ ଦେବାକୁ ଯୋଜନା କରୁଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।






