ମାଟ୍ରିକ୍ ପରେ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖାଉ ନାହାନ୍ତି ଛାତ୍ରଛାତ୍ରୀ, ଖାଲି ପଡ଼ୁଛି ଲକ୍ଷାଧିକ ସିଟ୍
ଭୁବନେଶ୍ୱର: ମାଟ୍ରିକ୍ ପରେ ପିଲାଙ୍କ ପଢ଼଼ାରେ ବନ୍ଧା ହେଉଛି ଡୋରୀ। ଦଶମ ପାସ୍ ପରେ ସୀମିତ ହେଉଛି ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ରାଜ୍ୟରେ ପ୍ରାୟ ଦେଢ଼ଲକ୍ଷ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରେ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖାଇ ନାହାନ୍ତି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୯୩.୧୨ ପ୍ରତିଶତ ଛାତ୍ରଛାତ୍ରୀ ମାଟ୍ରିକରେ ଉତ୍ତୀର୍ଣ୍ଣର୍ ହୋଇଥିଲେ ମଧ୍ୟ +୨ରେ ଲକ୍ଷାଧିକ ସିଟ୍ ଖାଲି ପଡ଼ିଛି। ଆଇଟିଆଇ ଓ ଡିପ୍ଲୋମା କଲେଜଗୁଡ଼ିକରେ ମଧ୍ୟ ସମାନ ସ୍ଥିତି। ଉଭୟ ବର୍ଗରେ […]
ଭୁବନେଶ୍ୱର: ମାଟ୍ରିକ୍ ପରେ ପିଲାଙ୍କ ପଢ଼଼ାରେ ବନ୍ଧା ହେଉଛି ଡୋରୀ। ଦଶମ ପାସ୍ ପରେ ସୀମିତ ହେଉଛି ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ରାଜ୍ୟରେ ପ୍ରାୟ ଦେଢ଼ଲକ୍ଷ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରେ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖାଇ ନାହାନ୍ତି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୯୩.୧୨ ପ୍ରତିଶତ ଛାତ୍ରଛାତ୍ରୀ ମାଟ୍ରିକରେ ଉତ୍ତୀର୍ଣ୍ଣର୍ ହୋଇଥିଲେ ମଧ୍ୟ +୨ରେ ଲକ୍ଷାଧିକ ସିଟ୍ ଖାଲି ପଡ଼ିଛି। ଆଇଟିଆଇ ଓ ଡିପ୍ଲୋମା କଲେଜଗୁଡ଼ିକରେ ମଧ୍ୟ ସମାନ ସ୍ଥିତି। ଉଭୟ ବର୍ଗରେ ୬୫ ହଜାରରୁ ଅଧିକ ସିଟ୍ ଖାଲିପଡ଼ିଛି। ରାଜ୍ୟର ଅଧିକାଂଶ ଛାତ୍ରଛାତ୍ରୀ ପାଠପଢ଼଼ା ଡୋରି ଦଶମ ପରେ ହିଁ ବନ୍ଧା ପଡ଼ୁଛି।
ରୋଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କୁ ମିଶାଇ ମୋଟ ୫ ଲକ୍ଷ ୮ହଜାର ଛାତ୍ରଛାତ୍ରୀ ଚଳିତ ବର୍ଷରେ ମାଟ୍ରିକ୍ ଉତ୍ତୀର୍ଣ୍ଣ ହୋଇଥିଲେ। ରେକର୍ଡ ସଂଖ୍ୟକ ପାସ୍ହାର ହୋଇଥିଲେ ମଧ୍ୟ ଆହୁରି ଲକ୍ଷାଧିକ +୨ ସିଟ୍ ଖାଲି ପଡ଼ିଛି। ଇତି ମଧ୍ୟରେ ପ୍ରଥମ ପର୍ଯ୍ୟାୟର ସମସ୍ତ ରାଉଣ୍ଡ ନାମଲେଖା ଶେଷ ହୋଇ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ଜାରି ରହିଛି। ରାଜ୍ୟର ୨୧୯୧ଟି +୨ କଲେଜରେ ଆହୁରି ପ୍ରାୟ ପାଖାପାଖି ୧ ଲକ୍ଷ ୩୭ ହଜାର ସିଟ୍ ବଳକା ରହିଛି। ସମାନ ସ୍ଥିତି ମଧ୍ୟ ଡିପ୍ଲୋମା ଓ ଆଇଟିଆଇ କଲେଜଗୁଡ଼ିକରେ ଦେଖାଦେଇଛି। ଡିପ୍ଲୋମାରେ ୨୯ ହଜାର ୮୯୩ଟି ସିଟ୍ ଖାଲି ଥିବାବେଳେ ଆଇଟିଆଇରେ ମଧ୍ୟ ୩୫ ହଜାରରୁ ଅଧିକ ସିଟ୍ ଖାଲି ରହିଛି। ସୂଚନା ମୁତାବକ ରାଜ୍ୟରେ ପିଲାଙ୍କ ମାଟ୍ରିକ ଶିକ୍ଷା ପରେ ନାମଲେଖା ପାଇଁ ଚଳିତ ବର୍ଷ +୨ ରେ ୫ଲକ୍ଷ ୧୬ହଜାର ସିଟ୍ ଥିବାବେଳେ ଆଇଟିଆଇରେ ୮୩ହଜାର ୬ଶହ ଓ ଡିପ୍ଲୋମାରେ ୭୬ହଜାର ୬୮୪ଟି ସିଟ୍ ରହିଛି। ସମୁଦାୟ ସିଟ୍କୁ ମିଶାଇଲେ ରାଜ୍ୟରେ +୨ ପରେ ନାମଲେଖା ପାଇଁ ୬ଲକ୍ଷ ୭୭ହଜାର ୧୦୧ଟି ସିଟ୍ ରହିଛି। ସମୁଦାୟ ସିଟ୍ରୁ ୨ଲକ୍ଷରୁ ଅଧିକ ସିଟ୍ରେ ନାମଲେଖା ହୋଇନି। ଯଦିଓ ଆଇଟିଆଇରେ ସ୍ପଟ୍ ନାମଲେଖା ଚାଲିଛି, ମାତ୍ର +୨ ଓ ଡିପ୍ଲୋମାରେ ନାମଲେଖା ଶେଷ ହୋଇ ସାରିଲାଣି। ନାମଲେଖା ପରେ +୨ରେ ୧ଲକ୍ଷ ୩୭ହଜାର ୪୬୭ଟି ସିଟ ଖାଲି ଥିବାବେଳେ ଡିପ୍ଲୋମାରେ ୨୯ହଜାର ୮୯୩ ଓ ଆଇଟିଆଇରେ ୩୫ ହଜାର ୫୮୩ଟି ସିଟ୍ ଖାଲି ପଡ଼ିଛି। ତେବେ +୨, ଆଇଟିଆଇଟି ଓ ଡିପ୍ଲୋମାରେ ନାମଲେଖା ପାଇଁ ରାଜ୍ୟବୋର୍ଡର ପିଲାଙ୍କ ସହିତ ସିବିଏସଇ ଓ ଆଇସିଏସଇ ବୋର୍ଡ ପିଲା ମଧ୍ୟ ଆବେଦନ କରିଥାନ୍ତି।
ଏହି କ୍ରମରେ ଚଳିତ ବର୍ଷ ମାଟ୍ରିକ୍ ପାସ୍ କରିଥିବା ବିଏସଇର ୫ଲକ୍ଷ ୮ହଜାର ପିଲାଙ୍କ ସହିତ ଅନ୍ୟ ବୋର୍ଡ଼ର ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀଙ୍କୁ ହିସାବକୁ ନେଲେ ୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇବା କଥା। ଆହୁରି ୨ଲକ୍ଷରୁ ଅଧିକ ସିଟ୍ ବଳକା ରହିଛି। ଯାହାକି ମାଟ୍ରିକ୍ ପରେ ପିଲା ଉଚ୍ଚଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କରୁ ନ ଥିବା ସୂଚାଇଛି। ରାଜ୍ୟ ବୋର୍ଡରେ ଏବର୍ଷ ୫ଲକ୍ଷ ୮ହଜାର ପିଲା ଉତ୍ତୀର୍ଣ୍ଣ ହୋଇଥିଲେ ବି +୨, ଆଇଟିଆଇ ଓ ଡିପ୍ଲୋମାରେ ମାତ୍ର ୪ ଲକ୍ଷ ୩୪ ହଜାର ପିଲା ନାମ ଲେଖାଇଛନ୍ତି। ଆହୁରି ୭୪ ହଜାରରୁ ଅଧିକ ପିଲା ନାମ ଲେଖାଇ ନାହାନ୍ତି। ସମାନ ସ୍ଥିତି ମଧ୍ୟ ପୂର୍ବ ବର୍ଷମାନଙ୍କରେ ଦେଖା ଦେଇଥିଲା। ପୂର୍ବବର୍ଷ +୨ରେ ୧ଲକ୍ଷ ୪ହଜାରରୁ ଅଧିକ ସିଟ୍ ଖାଲି ଥିବାବେଳେ ଆଇଟିଆଇ ଓ ଡିପ୍ଲୋମା କଲେଜରେ ମଧ୍ୟ ୫୦ ହଜାରରୁ ସିଟ୍ ଖାଲି ରହିଥିଲା। ଏ ସମ୍ପର୍କରେ ଉତ୍କଳ ଅଭିଭାବକ ସଂଘର ସଭାପତି କୃଷ୍ଣଚନ୍ଦ୍ର ପତି କହନ୍ତି ଯେ, ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଓ ଗରିବ ବର୍ଗର ପିଲାମାନେ ମାଟ୍ରିକ୍ ପରେ ପରବର୍ତ୍ତୀ ଶିକ୍ଷା ପାଇଁ ଉଚିତ୍ ମାର୍ଗଦର୍ଶକ ପାଇ ପାରୁନାହାନ୍ତି। ଅପରପକ୍ଷେ ଶିକ୍ଷା ବ୍ୟବସ୍ଥାରେ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଓ ନିଯୁକ୍ତି ପ୍ରତି ଧ୍ୟାନ ଦେଲେ ପଢ଼଼ା ପ୍ରତି ପିଲାଙ୍କ ଆଗ୍ରବ ବଢ଼଼ିବ ବୋଲି ଶିକ୍ଷାବିତ୍ ଡ. ପର୍ଶୁରାମ ନାୟକ କହନ୍ତି।






