ଛାତ୍ର ସଂସଦ ନିର୍ବାଚନକୁ ନେଇ ନୂଆପଡ଼ା ନ୍ୟାସନାଲ କଲେଜରେ ଉତ୍ତେଜନା: ପୋଲିସ ସହ କଂଗ୍ରେସ କର୍ମୀ ଧସ୍ତାଧସ୍ତି
ନୂଆପଡ଼ା: କଲେଜ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ନୂଆପଡ଼ା ନ୍ୟାସନାଲ କଲେଜରେ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି। ନିର୍ବାଚନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ନିରପେକ୍ଷତା ଦାବି କରି କଂଗ୍ରେସ କର୍ମୀମାନେ କଲେଜ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା।
ବିକ୍ଷୋଭ ବେଳେ ବରିଷ୍ଠ କଂଗ୍ରେସ ନେତା ଭରତ ରାଉତଙ୍କୁ ସ୍ଥାନୀୟ ପୋଲିସ ଅଟକ ରଖି ନୂଆପଡ଼ା ଥାନାକୁ ନେଇଯାଇଛି। ଅଟକ ବେଳେ ୪ ଜଣ ପୋଲିସ କର୍ମଚାରୀ ବଳପୂର୍ବକ ଭରତ ରାଉତଙ୍କୁ ପୋଲିସ ଗାଡ଼ି ଭିତରକୁ ଠେଲି ଦେଇଥିବା ନେଇ କଂଗ୍ରେସ ନେତାମାନେ ଗୁରୁତର ଅଭିଯୋଗ ଆଣିଛନ୍ତି।
ଛାତ୍ରଛାତ୍ରୀମାନଙ୍କୁ ଆଣିବା ପାଇଁ ଜ୍ଞାନଜ୍ୟୋତି ବିଦ୍ୟାଳୟର ଏକ ସ୍କୁଲ ବସର ବ୍ୟବହାରକୁ କଂଗ୍ରେସ ପାର୍ଟି ବିରୋଧ କରିବା ପରେ ଏହି ଅଶାନ୍ତିର ସୂତ୍ରପାତ ହୋଇଥିଲା। ଏହି ବ୍ୟବସ୍ଥା ଦ୍ୱାରା ନିର୍ବାଚନରେ ଜାଲିଆତି ଏବଂ ଅନୁଚିତ ଉପାୟ ଅବଲମ୍ବନ କରାଯିବାର ଆଶଙ୍କା ଥିବା କଂଗ୍ରେସ ଅଭିଯୋଗ କରିଛି। ଗତକାଲି ରାତି ୧୧ ଟା ପର୍ଯ୍ୟନ୍ତ କଂଗ୍ରେସ ପ୍ରତିନିଧି ଏବଂ ଉପଜିଲ୍ଲାପାଳ ସୁର୍ମି ସୋରେନଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ସତ୍ତ୍ୱେ କୌଣସି ନିଷ୍କର୍ସ ନବାହାରିବାରୁ ଆଜି ମଧ୍ୟ ବିକ୍ଷୋଭ ଅବ୍ୟାହତ ରହିଛି।
ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏସଡିପିଓ, ନୂଆପଡ଼ା ଥାନା ଅଧିକାରୀ ଗଙ୍ଗାଧର ମେହେର ଏବଂ ନୂଆପଡ଼ା ତହସିଲଦାର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ବିକ୍ଷୋଭରେ କଂଗ୍ରେସ ଜିଲ୍ଲା ସଭାପତି ଡାକ୍ତର ଅଙ୍କିତ ସିଂଘାଇ, ଅଭିଷେକ ମହାନନ୍ଦ, ନରେନ୍ଦ୍ର ନାଗ ଏବଂ କମଲ ଚରଣ ତାଣ୍ଡିଙ୍କ ସମେତ ବହୁ ସମର୍ଥକ ସାମିଲ ହୋଇଥିଲେ।






