ମନୋରଞ୍ଜନ
ବେକାରୀରୁ ସଫଳ ଚାଷୀ: ୧୦ଟି ପରିବାରକୁ ଯୋଗାଇ ଦେଇଛନ୍ତି ରୋଜଗାର
ଅନୁଗୁଳ:ସରକାରୀ ଯୋଜନାର ସଠିକ ସୁଯୋଗ ନେଇ ଜଣେ ସଫଳ ଓ ବୃହତ ଚାଷି ହେବାର ସୌଭାଗ୍ୟ ସମସ୍ତଙ୍କୁ ମିଳେ ନାହିଁ। ହେଲେ ଅନୁଗୁଳ ଜିଲ୍ଲାର ଏମିତି ଜଣେ ଯୁବ ଚାଷି ଯିଏ ୫ବର୍ଷ ପୂର୍ବେ ବେକାର ହୋଇ ବୁଲୁଥିଲେ ଆଜି ଜଣେ ନାମୀ ଓ ଦାମୀ ଚାଷୀ ହୋଇ ପାରିଛନ୍ତି। ରାଜ୍ୟ ସରକାରଙ୍କ ସମସ୍ତ କୃଷକ କଲ୍ୟାଣ ଯୋଜନାରେ ନିଜକୁ ସାମିଲ କରି ପାରିଛନ୍ତି। ନିଜେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ୧୦ଟି ପରିବାରକୁ ରୋଜଗାର […]
ଅନୁଗୁଳ:ସରକାରୀ ଯୋଜନାର ସଠିକ ସୁଯୋଗ ନେଇ ଜଣେ ସଫଳ ଓ ବୃହତ ଚାଷି ହେବାର ସୌଭାଗ୍ୟ ସମସ୍ତଙ୍କୁ ମିଳେ ନାହିଁ। ହେଲେ ଅନୁଗୁଳ ଜିଲ୍ଲାର ଏମିତି ଜଣେ ଯୁବ ଚାଷି ଯିଏ ୫ବର୍ଷ ପୂର୍ବେ ବେକାର ହୋଇ ବୁଲୁଥିଲେ ଆଜି ଜଣେ ନାମୀ ଓ ଦାମୀ ଚାଷୀ ହୋଇ ପାରିଛନ୍ତି। ରାଜ୍ୟ ସରକାରଙ୍କ ସମସ୍ତ କୃଷକ କଲ୍ୟାଣ ଯୋଜନାରେ ନିଜକୁ ସାମିଲ କରି ପାରିଛନ୍ତି। ନିଜେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ୧୦ଟି ପରିବାରକୁ ରୋଜଗାର ଯୋଗାଇ ଦେଇଛନ୍ତି। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବୁଢ଼ାପଙ୍କ ଗାଁର ତପନ ସାମଲ।

ଆଜିକୁ ପ୍ରାୟ ୫ବର୍ଷ ପୂର୍ବେ ଗାଁରେ ବେକାର ହୋଇ ବୁଲୁଥିଲେ। କଣ କରିବେ, କେମିତି ଅର୍ଥ ରୋଜଗାର କରିବେ ସେହି ଚିନ୍ତାରେ ଦିନ କଟୁଥିଲା। ଗାଁ ମୁଣ୍ଡରେ ପ୍ରାୟ ୭ଏକର ଜମି ଅବ୍ୟବହୃତ ହୋଇ ପଡି ରହିଥିଲା। ତେଣୁ ସେହି ଜମିରେ କିଛି କରିବାକୁ ଯୋଜନା କଲେ। ସରକାରଙ୍କ ପଶୁ ସମ୍ପଦ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କଲେ। ତେଣୁ ଗତ ୨୦୧୫ରେ ରାଜ୍ୟ ସରକାରଙ୍କ ପିଡ଼ିଇ ସ୍କିମରେ ତାଙ୍କୁ ୧୦ଟି ଗାଈ ଯୋଗାଇ ଦିଆଗଲା। ସେଥିରେ ତାଙ୍କୁ ସରକାରଙ୍କ ତରଫରୁ ୧ଲକ୍ଷ ୨୫ହଜାର ଟଙ୍କା ରିହାତି ମିଳିଲା। ତେଣୁ କ୍ଷୀର ବିକ୍ରି କରି ବେସ ଦୁଇ ପଇସା ରୋଜଗାର କଲେ। ଏବେ ତାଙ୍କ ପାଖରେ ୩୦ଟି ଦୁଧିଆଳି ଗାଈ, ୨୦ଟି ବାଛୁରୀ ଓ ଛଡା ଅଛନ୍ତି। ଦୈନିକ ୩୦୦ଲିଟର କ୍ଷୀର ଉତ୍ପାଦନ କରୁଛନ୍ତି।

ପଶୁ ସଂପଦ ବିଭାଗ ତରଫରୁ ତାଙ୍କୁ ରିହାତି ମୂଲ୍ୟରେ ବିଦ୍ୟୁତ ଚାଳିତ ଘାସ କଟା ଯନ୍ତ୍ର, ସାଇଲେଜ ପିଟ ଓ କ୍ଷୀର ଦୁହିଁବା ଯନ୍ତ୍ର ଆଦି ଯୋଗାଇ ଦିଆଯାଇଛି। କେବଳ ସେତିକି ନୁହେଁ। ପ୍ରାୟ ୪ଏକର ଜାଗାରେ ସେ ଘାସ ଚାଷ କରିଛନ୍ତି। ପଶୁ ସମ୍ପଦ ବିଭାଗ ତରଫରୁ ତାଙ୍କୁ ୩୬ହଜାର ଟଙ୍କା ସବସିଡି ଦିଆଯାଇଛି। ସେହି ଘାସକୁ ନିଜେ ରଖିଥିବା ଗାଈକୁ ଖାଇବାକୁ ଦେବାସହ କେଜି ପ୍ରତି ୩ଟଙ୍କା ଦରରେ ବିକ୍ରି କରୁଛନ୍ତି। ଗତ ୨୦୧୮ ବେଳକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପ୍ରାୟ ୫ହଜାର କୁକୁଡ଼ା ପାଳନ କରିଛନ୍ତି। ସରକାର ସେଥିପାଇଁ ତାଙ୍କୁ ସାଢ଼େ ସାତ ଲକ୍ଷ ଟଙ୍କା ସବସିଡି ମଞ୍ଜୁରୀ କରିଛନ୍ତି। ଗାଈ, କୁକୁଡ଼ା ଓ ଘାସ ଚାଷରୁ ବିପୁଳ ଲାଭ ପାଇବା ପରେ ସେହି ଟଙ୍କାରୁ ନିଜେ ନିଜେ ଉଦ୍ୟମରେ ପ୍ରାୟ ୨ଏକର ଜମିରେ ୬ଟି ପୋଖରୀ କରି ମାଛ ଚାଷ କରୁଛନ୍ତି। ତେଣୁ ତପନ ଏକାଧାରରେ ଏଭଳି ମିଶ୍ରିତ ଚାଷ କରି ସଫଳ ହୋଇ ପାରିଛନ୍ତି। ସରକାରୀ ସହାୟତା ଏବଂ ନିଜର ପରିଶ୍ରମ ଓ ନିଷ୍ଠା ବଳରେ ସେ ଏହି ସଫଳତା ପାଇ ପାରିଛନ୍ତି।

ଆଜି ତପନ ଗାଈ ପାଳନ କରି ବାର୍ଷିକ ପ୍ରାୟ ୮ଲକ୍ଷ, କୁକୁଡ଼ା ପାଳନ କରି ବାର୍ଷିକ ୪ଲକ୍ଷ, ମାଛ ଚାଷରୁ ବାର୍ଷିକ ୪ଲକ୍ଷ ଏବଂ ଘାସ ଚାଷରୁ ବାର୍ଷିକ ପ୍ରାୟ ୨ଲକ୍ଷ ଟଙ୍କା ରୋଜଗାର କରି ପାରୁଛନ୍ତି। ଆଗକୁ ତାଙ୍କର ଏହି କୃଷି ଭିତ୍ତିକ ବ୍ୟବସାୟ ଆହୁରି ବଢ଼ାଇ ବାର ଲକ୍ଷ୍ୟ ରଖିଛନ୍ତି। ସୁଦୂର ପଞ୍ଜାବରୁ ଭଲ ଜାତୀୟ ଗାଈ ଆଣି ଦୁଗ୍ଧ ଉତ୍ପାଦନ ବଢାଇବା ସହ ସେ ନିଜେ ପ୍ୟାକେଟ ପ୍ରସ୍ତୁତ କରିବା ଏବଂ ଉନ୍ନତ ମାନର ଛେନା, ଦହି, ପନୀର ଓ ଆହୁରି ଅନେକ ଦୁଗ୍ଧ ଜାତ ଜିନିଷ ନିଜେ ପ୍ରସ୍ତୁତ କରି ବିକ୍ରି କରିବାର ଯୋଜନା କରୁଛନ୍ତି। ଏହାଛଡା କୁକୁଡ଼ା ଓ ମାଛ ଚାଷକୁ ମଧ୍ୟ ଆହୁରି ଅଧିକ ବଢାଇବା ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରି ସରକାରୀ ସହାୟତା ପାଇଁ ଆବେଦନ କରିଛନ୍ତି। ତପନଙ୍କ ସଫଳତା ଦେଖି ପଶୁ ସମ୍ପଦ ବିଭାଗ ତାଙ୍କୁ ଆହୁରି ଅଧିକ ସହାୟତା ଦେବାକୁ ଆଗେଇ ଆସିଛି। ତପନ କେବଳ ନିଜେ ରୋଜଗାର କରୁଛନ୍ତି ତାହା ନୁହେଁ। ୧୦ଟି ପରିବାରକୁ ଆଣି କାମରେ ନିୟୋଜିତ କରାଇ ଛନ୍ତି। ସେମାନଙ୍କ ପାଇଁ ଘର କରି ଦେଇଛନ୍ତି। ସେମାନଙ୍କୁ ସଠିକ ସମୟରେ ଉଚିତ ମଜୁରୀ ଦେଉଛନ୍ତି। ଫଳରେ ସେହି ପରିବାର ଗୁଡିକ ସୁଖରେ ସେମାନଙ୍କ ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି। ରାତି ପାହିଲେ ତପନ ଓ ତାଙ୍କ ପରିବାର ସଦସ୍ୟ ମାନେ ଲାଗି ପଡନ୍ତି କାମରେ। ଶ୍ରମିକ ମାନଙ୍କ ସହ ଶ୍ରମିକ ହୋଇ କାମ କରନ୍ତି। ରାଜ୍ୟ ସରକାର କୃଷି ଓ କୃଷକ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। କୃଷକ ମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ତେଣୁ ସମସ୍ତ କୃଷକ ତପନଙ୍କ ଭଳି ସୁଯୋଗ ନେଲେ ନିଶ୍ଚିତ ଭାବେ ସଫଳତା ପାଇ ପାରିବେ। ଏ ନେଇ ତପନ ସାମଲ କୁହନ୍ତି ସରକାରଙ୍କ ସହାୟତା ମିଳୁଛି। ତେଣୁ ତାହାର ସୁଯୋଗ ନେଇ ଆଜି ମୁଁ ଏତେବଡ଼ ଚାଷୀ ହୋଇ ପାରିଛି। ତେଣୁ ଚାକିରୀ ପଛରେ ନ ଗୋଡ଼ାଇ ନିଜେ ସ୍ୱାବଲମ୍ବୀ ହେବାରେ ଗୌରବ ଅଛି। ଜିଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀ ଡା ରଞ୍ଜିତ କୁମାର ଦାସ କୁହନ୍ତି ଯୁବକ ମାନେ ତପନଙ୍କ ଭଳି ହେବା ଆବଶ୍ୟକ। ସରକାର ସବୁ ସୁବିଧା ଦେଉଛନ୍ତି। ଆର୍ଥିକ ସହାୟତା ଦେଉଛନ୍ତି। ତେଣୁ ସମସ୍ତେ ଏହାର ଲାଭ ଉଠାଇବା ଉଚିତ।






