ଶବ୍ଦ ସ୍ୱତ୍ତ୍ୱାଧିକାର

The Sakala Picture
Published On

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା, ନୀତିକାନ୍ତି ଏବଂ ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ଧାମ ପୁରୀ ସମ୍ପର୍କିତ ଅନନ୍ୟ ଶବ୍ଦାବଳୀର ପ୍ୟାଟେଣ୍ଟ(ସ୍ୱତ୍ତ୍ୱାଧିକାର) କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଯଦି ଏହା ବିଧିବଦ୍ଧ ସର୍ବସମ୍ମତ ସ୍ୱୀକୃତି ଲାଭ କରେ ତେବେ ଏହି ଉଦ୍ୟମ ହେବ ଶ୍ରୀମନ୍ଦିର ପରିଚାଳନା ଇତିହାସରେ ଏକ ଅଭିନବ ପଦକ୍ଷେପ। ପଶ୍ଚିମବଙ୍ଗର ଦୀଘାଠାରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିରକୁ ‘ଧାମ’ ଭାବରେ ନାମିତ କରିବା ପରେ ଓଡ଼ିଶାରେ ଯେଉଁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି […]

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା, ନୀତିକାନ୍ତି ଏବଂ ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ଧାମ ପୁରୀ ସମ୍ପର୍କିତ ଅନନ୍ୟ ଶବ୍ଦାବଳୀର ପ୍ୟାଟେଣ୍ଟ(ସ୍ୱତ୍ତ୍ୱାଧିକାର) କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଯଦି ଏହା ବିଧିବଦ୍ଧ ସର୍ବସମ୍ମତ ସ୍ୱୀକୃତି ଲାଭ କରେ ତେବେ ଏହି ଉଦ୍ୟମ ହେବ ଶ୍ରୀମନ୍ଦିର ପରିଚାଳନା ଇତିହାସରେ ଏକ ଅଭିନବ ପଦକ୍ଷେପ। ପଶ୍ଚିମବଙ୍ଗର ଦୀଘାଠାରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିରକୁ ‘ଧାମ’ ଭାବରେ ନାମିତ କରିବା ପରେ ଓଡ଼ିଶାରେ ଯେଉଁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ସେହି ପୃଷ୍ଠଭୂମିରେ ଏବଂ ଜନମତର ସ୍ରୋତାନୁକୂଳରେ ଏହି ନବଚିନ୍ତନ ଜନ୍ମ ନେଇଥିବା ମନେହୁଏ। ସମ୍ପ୍ରତି ରାଜ୍ୟ-ରାଜ୍ୟ ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ଯେଭଳି ତଥାକଥିତ ଅସ୍ମିତା ହଡ଼ପ ପ୍ରତିଯୋଗିତା ଆରମ୍ଭ ହୋଇଛି ସେହି ଦୃଷ୍ଟିକୋଣରୁ ବିଚାରକଲେ ଶ୍ରୀମନ୍ଦିର ପ୍ରଶାସନର ଉପରୋକ୍ତ ନିଷ୍ପତ୍ତି ସ୍ୱାଗତଯୋଗ୍ୟ ଓ ସମୟୋପଯୋଗୀ। କିନ୍ତୁ ଏ ବିଷୟରେ ନିଗୂଢ଼ ଭାବେ ଚିନ୍ତା କଲେ କେତେକ ପ୍ରଶ୍ନ ଓ ଦ୍ୱନ୍ଦ୍ୱ ସ୍ୱତଃ ସୃଷ୍ଟି ହେଉଛି, ଯାହା କିଞ୍ଚିତ ଆଲୋଚନାର ଅବକାଶ ସୃଷ୍ଟି କରିଛି।

ଶ୍ରୀଜଗନ୍ନାଥ ଚେତନାର ସୌରଭ ସାତସମୁଦ୍ର, ପର୍ବତ, ଅରଣ୍ୟ ଭେଦି ବିଶ୍ୱାୟନରେ ‘ଜଗତର ନାଥ’ ଶବ୍ଦର ସାର୍ଥକତା ଓ ପ୍ରାମାଣିକତା ପ୍ରତିଷ୍ଠା କରିସାରିଛି ଏବଂ ଏବେ ଏହା ଆହୁରି ପରିବ୍ୟାପ୍ତ ହେଉଛି। ଏକପକ୍ଷରେ ଆମେ ନୀଳାଦ୍ରିନାଥଙ୍କୁ ବିଶ୍ୱାୟନରେ ଉପସ୍ଥାପନ କରିବା ବେଳେ ତତ୍‌‌ସଂଲଗ୍ନ ଶବ୍ଦ ଓ ଉଚ୍ଚାରଣକୁ ସ୍ୱତ୍ତ୍ୱାଧିକାରରେ ଆବଦ୍ଧ କଲେ ଶ୍ରୀଜଗନ୍ନାଥ ଚେତନା ଓ ମହନୀୟତାକୁ ଏକ ସଂକୀର୍ଣ୍ଣତାବାଦୀ ରକ୍ଷଣଶୀଳ ଦୁନିଆରେ ସୀମାବଦ୍ଧ କରିଦେବା ଭଳି ହେବ ନି ତ? ଅନିଚ୍ଛା ସତ୍ତ୍ବେ ଏଭଳି ପ୍ରଶ୍ନଟିଏ ଶ୍ରୀଜଗନ୍ନାଥଙ୍କୁ ବ୍ରହ୍ମାଣ୍ଡର ଠାକୁର ଭାବେ ଗ୍ରହଣ କରି ନେଇଥିବା ବିଶ୍ୱହିତୈଷୀ ଓଡ଼ିଆର ହୃଦୟ ଓ ମନ ଭିତରେ ଆନ୍ଦୋଳିତ ହେଉଛି। ଆମେ ଏହି ସ୍ତମ୍ଭରେ ପୂର୍ବରୁ ମଧ୍ୟ ଉଲ୍ଲେଖ କରିଥିଲୁ ଯେ ଯେପରି ରାମଚନ୍ଦ୍ର ନାମ ଧାରଣ କଲେ କେହି ମର୍ଯ୍ୟାଦା ପୁରୁଷୋତ୍ତମ ହୋଇପାରିବେ ନାହିଁ, ସେହିଭଳି ‘ଶ୍ରୀକ୍ଷେତ୍ର’, ‘ଧାମ’ ଆଦି ନାମ ବହନ ଓ ଧାରଣ କଲେ ସେହି ଅଞ୍ଚଳ ପାବନ ଶଙ୍ଖକ୍ଷେତ୍ର ହୋଇଯିବ ନାହିଁ। ଓଡ଼ିଶା ଓ ଓଡ଼ିଶା ବାହାରେ ଏଭଳି ଅନେକ ‘…ଶ୍ରୀକ୍ଷେତ୍ର’, ‘ଆନନ୍ଦବଜାର’ ଆଦି ପ୍ରତିଷ୍ଠା ହୋଇଥିଲେ ମଧ୍ୟ ନୀଳାଚଳଧାମ ପ୍ରତି ଜନସମୁଦାୟର ଆବେଗ, ଶ୍ରଦ୍ଧା ଓ ଭକ୍ତିରେ ତିଳେମାତ୍ର ଆଞ୍ଚ ଆସିନାହି, ବରଂ ଶ୍ରୀକ୍ଷେତ୍ର ପୁରୀକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦିନକୁ ଦିନ ବଢ଼଼ିବାରେ ଲାଗିଛି। ଦୀଘା ‘ଧାମ’ ନାମ ଧାରଣ କଲେ ପୁରୀ ତୀର୍ଥାଟନ ଓ ପର୍ଯ୍ୟଟନରେ ମର୍ଯ୍ୟାଦା ଓ ଗୁରୁତ୍ୱ ହରାଇବ ବୋଲି କତିପୟ ବିଭ୍ରାନ୍ତ ମସ୍ତିଷ୍କରୁ ସୃଷ୍ଟି ହୋଇଥିବା ଉଦ୍‌‌ଭ୍ରାନ୍ତ ଓ ଅବାନ୍ତର ଧାରଣା ହିଁ ବିବାଦକୁ ଜଟିଳ କରୁଛି ଏବଂ ଶ୍ରୀଜଗନ୍ନାଥ ଚେତନାକୁ ସଂକୁଚିତ କରୁଛି। ଏପରିକି ଓଡ଼ିଶାରେ ଏଭଳି ବିତର୍କ ଓ ଆଲୋଚନା ଦ୍ୱାରା ବଙ୍ଗୀୟମାନଙ୍କର ଗୁରୁତ୍ୱ ପରୋକ୍ଷରେ ବଢ଼଼ୁଛି।

ସ୍ୱତ୍ତ୍ୱାଧିକାର ପାଇଁ ଆବେଦନ କରିବା ବେଳେ ସେଥିରେ କେଉଁସବୁ ଶବ୍ଦ ରହିବ ତାହା ଏ ପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ। ଯଦି ଶ୍ରୀମନ୍ଦିର ପ୍ରଶାସନ ଏକ ମହତ୍‌‌ ଭାବନା ନେଇ ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ବକୁ ଯାଇ ଏଭଳି ଚିନ୍ତା କରିଥିବେ ଏବଂ ବିହିତ ପଦକ୍ଷେପ ନେବେ ତେବେ ତାହାକୁ ଆମେ ସଶ୍ରଦ୍ଧ, ସବିନୟ ଓ ସସମ୍ମାନ ସ୍ୱାଗତ କରୁଛୁ। ତଥାପି କିଛି ଦ୍ୱନ୍ଦ୍ୱ ବିଜଡ଼ିତ ପ୍ରଶ୍ନ ଉତ୍‌‌ଥାପନ କରିବାର ଧୃଷ୍ଟତା କରୁଛୁ। କୋଟିକୋଟି ଓଡ଼ିଆର ପରମ ଆରାଧ୍ୟ, ଓଡ଼ିଆ ସଂସ୍କୃତିର ନାଭିକେନ୍ଦ୍ର, ଓଡ଼ିଆ ଜାତିର ମୁରବି ବିଶ୍ୱବ୍ରହ୍ମାଣ୍ଡର ନାୟକଙ୍କ ପ୍ରତି ଭକ୍ତି, ଶ୍ରଦ୍ଧା ଓ ଭରସାର ପ୍ରତୀକ ରୂପେ ବିଶ୍ୱର ଅନେକ ଅଞ୍ଚଳରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି ଏବଂ ସେଥିସହିତ ଚାପଖେଳ, ସ୍ନାନପୂର୍ଣ୍ଣିମା, ଛେରାପହଁରା, ମାଉସୀମା’, ଆଡ଼ପ ମଣ୍ଡପ, ଅଣସର, ନୀଳାଦ୍ରିବିଜେ, ଅଧରପଣା ଆଦି ନୀତିକାନ୍ତି ପାଳନ ହୋଇଆସୁଛି, ଯାହା ମୂଳତଃ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିରୁ ସୃଷ୍ଟ ଓ ପ୍ରଚଳିତ। ଏହା ଭକ୍ତଙ୍କର ପ୍ରଭୁଙ୍କ ପ୍ରତି ଆତ୍ମୀୟତା ଓ ଭାବାବେଗର ପ୍ରତୀକ। ଯଦି ସ୍ୱତ୍ତ୍ୱାଧିକାରରେ ଏହିସବୁ ଶବ୍ଦ ସାମିଲ୍‌‌ ହୋଇଯାଏ ତେବେ ଭକ୍ତ ଓ ଭଗବାନ ମଧ୍ୟରେ ପ୍ରତିବନ୍ଧକଟିଏ ସୃଷ୍ଟି ହେବ ନାହିଁ କି? ଯଦି କେବଳ ଦୀଘାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜଗନ୍ନାଥଧାମ, ମହାପ୍ରସାଦ ଭଳି ନିର୍ଦ୍ଦିଷ୍ଟ ଶବ୍ଦକୁ ସ୍ୱତ୍ତ୍ୱାଧିକାରରେ ସାମିଲ୍‌‌ କରିବାକୁ ଯୋଜନା ହୋଇଥାଏ ତାହା କୋଟି ଓଡ଼ିଆର ମଉଡ଼ମଣି ବିଶ୍ୱାତ୍ମାଙ୍କ ଗରିମା ଓ ମହିମା ଦୃଷ୍ଟିରୁ ବୋଧହୁଏ ଶୋଭନୀୟ ହେବ ନାହିଁ ବୋଲି ଆମର ବିନମ୍ର ପରାମର୍ଶ। ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ଶବ୍ଦର ସ୍ୱତ୍ତ୍ୱାଧିକାର କହିବାକୁ ଯେତିକି ସରଳ, ତା’ର ରୂପାୟନ ଓ ପ୍ରଭାବ କାହିଁ କେତେ ଅଧିକ ଜଟିଳ। ତେଣୁ ଏ ସମ୍ପର୍କରେ ବ୍ୟାପକ ଓ ବିସ୍ତୃତ ଆଲୋଚନା ହେବା ଆବଶ୍ୟକ ଏବଂ ପରାମର୍ଶସବୁକୁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱର ସହିତ ବିଚାର ପାଇଁ ଗ୍ରହଣ କରିବା ମଧ୍ୟ ଜରୁରୀ। ସର୍ବୋପରି ଶଙ୍କରାଚାର୍ଯ୍ୟଙ୍କ ମତାମତ ଏ କ୍ଷେତ୍ରରେ ସର୍ବାଦୌ ଗୁରୁତ୍ୱପୂର୍ଣ୍ଣ ଓ ବାଞ୍ଛନୀୟ।

ଏହି ପୃଷ୍ଠଭୂମିରେ ଆମେ ରଥଯାତ୍ରାକୁ ୟୁନେସ୍କୋର ଅସ୍ପୃଶ୍ୟମାନ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ୍‌‌ ବିଷୟ ପୁନଃଉପସ୍ଥାପନ କରିବାକୁ ପ୍ରାସଙ୍ଗିକ ମନେ କରୁଛୁ। ପଶ୍ଚିମବଙ୍ଗ ରସଗୋଲାକୁ ଜିଆଇ ଟ୍ୟାଗ୍‌‌ ଦାବି କରି ପ୍ରମାଣପତ୍ର ହାସଲ କରିସାରିବା ପରେ ଆମେ ତତ୍ପର ହେଲୁ; ‘ଦୀଘା’କୁ ‘ଧାମ’ ଘୋଷଣା କରିବା ପରେ ଆମେ ଏବେ ପ୍ରତିକ୍ରିୟାଶୀଳ ହେଉଛୁ। କିନ୍ତୁ ପଶ୍ଚିମବଙ୍ଗର ଦଶହରା ପର୍ବ ପୁରୀ ରଥଯାତ୍ରାଠାରୁ ଅର୍ବାଚୀନ ହେଲେ ମଧ୍ୟ ୟୁନେସ୍କୋର ଏହି ତାଲିକାରେ ସାମିଲ୍‌‌ ହୋଇସାରିଛି। ଅଥଚ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏ ପର୍ଯ୍ୟନ୍ତ ତାଲିକାଭୁକ୍ତ ହୋଇପାରିନାହିଁ କି ଆମେ ସେ ଦିଗରେ ନିଷ୍ଠାବାନ ହୋଇପାରିଲୁ ନାହିଁ। ସଦ୍ୟତମ ଉଦ୍ୟମ ବଳରେ ଆମ ଆବେଦନ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ଷ୍ଟୋରରୁମ୍‌‌(ଇନ୍‌‌ଭେଣ୍ଟ୍ରି ବର୍ଗଭୁକ୍ତ ହୋଇଛି)ରେ ପଡ଼ି ରହିଛି। ଚଳିତ ବର୍ଷ ରଥଯାତ୍ରା ପ୍ରତ୍ୟକ୍ଷ ଦେଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ତାଙ୍କ ମନ୍ତ୍ରିପରିଷଦର ବହୁ ସଦସ୍ୟ ଆସୁଥିବା ଚର୍ଚ୍ଚା ହେଉଛି। ଏହି ଅବସରରେ ଦାବି ଓ ସଂକଳ୍ପପତ୍ର ଉପସ୍ଥାପନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଆଲୋଚନା ହୋଇଥିଲେ ଓଡ଼ିଶା ପ୍ରତି ହୋଇଆସୁଥିବା ଐତିହାସିକ ଅନ୍ୟାୟ ଓ ଅବହେଳା ଦୂର କରିବାରେ ଯଥୋଚିତ ଓ ସମୟୋପଯୋଗୀ ପଦକ୍ଷେପ ହୋଇଥା’ନ୍ତା। ଡବଲ୍‌‌ ଇଞ୍ଜିନ ସରକାରରେ ଏ କାମଟି ହେବାକୁ ବିଳମ୍ବ ହୁଅନ୍ତା ନାହିଁ।

ଆମେ ପୁଣି ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛୁ ଯେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ଶୃଙ୍ଖଳିତ ହୋଇପାରିଲା ନାହିଁ। ଧାଡ଼ି ଦର୍ଶନ କେବଳ ଘୋଷଣାରେ ସୀମିତ ରହିଗଲା। ମହାପ୍ରସାଦର ଦର ନିର୍ଦ୍ଧାରଣ ମଧ୍ୟ ଗ୍ରହଣୀୟ ହୋଇପାରିନାହିଁ। ପୁରୀକୁ ଆସୁଥିବା କୋଟିକୋଟି ଶ୍ରୀଜଗନ୍ନାଥ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏହା ଅଶ୍ୱସ୍ତି ସୃଷ୍ଟି କରୁଛି। ଆଭ୍ୟନ୍ତରୀଣ ଶୃଙ୍ଖଳା ରକ୍ଷା ଏବଂ ତ୍ରୁଟି ସଜାଡ଼ିବାରେ ଅବହେଳାରୁ ସର୍ବସାଧାରଣଙ୍କ ଦୃଷ୍ଟି ଭ୍ରମିତ କରିବା ପାଇଁ ଶବ୍ଦ ସ୍ୱତ୍ତ୍ୱାଧିକାର ଭଳି ଉଚ୍ଚାଟ ସୃଷ୍ଟିକାରୀ ଘୋଷଣା ହୋଇଥାଇପାରେ ବୋଲି ହେଉଥିବା ଅଭିଯୋଗକୁ ମଧ୍ୟ ଏହି ପୃଷ୍ଠଭୂମିରେ ହଠାତ୍‌‌ ହାଲ୍‌‌କା ଭାବେ ନିଆଯାଇପାରିବ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର