ମନୋରଞ୍ଜନ
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଥିଲି ବ୍ଲକ୍ AEE ଙ୍କୁ ଗିରଫ କଲା ଭିଜିଲାନ୍ସ
ମାଲକାନଗିରି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ତଥା ଡିଆରଡିଏ (DRDA) ସହ ସଂପୃକ୍ତ ଥିବା ଶିଶିର କୁମାର ଦାଶଙ୍କୁ ଗିରଫ କରିଛି। ଜଣେ ସରକାରୀ ଅଧିକାରୀ ଭାବରେ ସେ ନିଜ ଜ୍ଞାତ ଆୟ ତୁଳନାରେ ଅହେତୁକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ତାଙ୍କ ବିରୋଧରେ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶିଶିର କୁମାର ଦାଶଙ୍କ ନାମରେ ଥିବା ଏକାଧିକ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତାଙ୍କର ଆୟ ତୁଳନାରେ ବିପୁଳ ଅସାବର୍ଣ୍ଣ ସମ୍ପତ୍ତି ଥିବା ଜଣାପଡିଥିଲା, ଯାହାର ସନ୍ତୋଷଜନକ ଉତ୍ତର ସେ ଦେଇପାରିନଥିଲେ। ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ମୋଟ ୯୩୦୦ ବର୍ଗଫୁଟ ବିଶିଷ୍ଟ ୨ଟି ବହୁମହଲା କୋଠା, ୬ଟି ଦାମୀ ପ୍ଲଟ, ୮୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଗୋଟିଏ ଚାରିଚକିଆ ଯାନ ସମେତ ଅନ୍ୟାନ୍ୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଥିବା ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏହି ଘଟଣାରେ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ (ପ୍ରିଭେନସନ୍ ଅଫ୍ କରପସନ୍ ଆକ୍ଟ) ଅନୁଯାୟୀ ବ୍ରହ୍ମପୁର ଭିଜିଲାନ୍ସ ଥାନା କେସ୍ ନମ୍ବର ୧୧/୨୦୨୬ ରୁଜୁ କରାଯାଇଛି। ଆଜି ତାଙ୍କୁ ବ୍ରହ୍ମପୁରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।






