ସାମ୍ପ୍ରତିକ ସାମାଜିକ ଓ ରାଜନୈତିକ ପରିସ୍ଥିତିରେ ଆମ୍ବେଦକରବାଦର ପ୍ରାସଙ୍ଗିକତା

The Sakala Picture
Published On

ଯୋଗଜନ୍ମା ଡଃ. ବାବା ସାହେବ ଆମ୍ବେଦକର ଭାରତବର୍ଷର ନବ ନିର୍ମାତା କହିଲେ ଅତ୍ୟୁକ୍ତି ହେବନାହିଁ। ମହାତ୍ମା ଗାନ୍ଧୀ ଏ ଦେଶକୁ ବ୍ରିଟିଶ ଶାସନ କବଳରୁ ମୁକ୍ତ କରିବା ପାଇଁ ଦେଶବାସୀଙ୍କୁ ପଥ ପ୍ରଦର୍ଶନ କରିଥିଲେ, କିନ୍ତୁ ସେ ସମୟର ସ୍ବାଧୀନ ଭାରତକୁ ଏକତାର ସୂତ୍ରରେ ବାନ୍ଧି ଏକ ଶକ୍ତିଶାଳୀ ଦେଶ ଗଠନ କରିବାରେ ଆମ୍ବେଦକର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦେଶର ଏକତା ଓ ଅଖଣ୍ଡତା କହିଲେ କେବଳ ଭୌଗୋଳିକ ଏକତା ବୁଝାଏ ନାହିଁ, ସର୍ଦ୍ଦାର ପଟେଲ […]

ଯୋଗଜନ୍ମା ଡଃ. ବାବା ସାହେବ ଆମ୍ବେଦକର ଭାରତବର୍ଷର ନବ ନିର୍ମାତା କହିଲେ ଅତ୍ୟୁକ୍ତି ହେବନାହିଁ। ମହାତ୍ମା ଗାନ୍ଧୀ ଏ ଦେଶକୁ ବ୍ରିଟିଶ ଶାସନ କବଳରୁ ମୁକ୍ତ କରିବା ପାଇଁ ଦେଶବାସୀଙ୍କୁ ପଥ ପ୍ରଦର୍ଶନ କରିଥିଲେ, କିନ୍ତୁ ସେ ସମୟର ସ୍ବାଧୀନ ଭାରତକୁ ଏକତାର ସୂତ୍ରରେ ବାନ୍ଧି ଏକ ଶକ୍ତିଶାଳୀ ଦେଶ ଗଠନ କରିବାରେ ଆମ୍ବେଦକର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦେଶର ଏକତା ଓ ଅଖଣ୍ଡତା କହିଲେ କେବଳ ଭୌଗୋଳିକ ଏକତା ବୁଝାଏ ନାହିଁ, ସର୍ଦ୍ଦାର ପଟେଲ ଖଣ୍ଡ ବିଖଣ୍ଡିତ ଅଞ୍ଚଳର ଏକତ୍ରିକରଣ କରି ନୂତନ ଭାରତର ମାନଚିତ୍ରର ରୂପରେଖ ଦେଇଥିଲେ। କିନ୍ତୁ, ସେ ସମୟରେ ଥିବା ସାମାଜିକ ଫାଟକୁ ଦୂରକରି ଏକ ସୁସ୍ଥ ଓ ଭେଦଭାବହୀନ ସମାଜ ଗଠନ ଆବଶ୍ୟକତାକୁ ଆଇନ ସମ୍ମତ କରିଥିଲେ ବାବା ସାହେବ ସମ୍ବିଧାନ ପ୍ରଣୟନ କରିବା ଅବସରରେ ।

ବାବା ସାହେବଙ୍କ ରାଜନୈତିକ ଜୀବନ ଅସ୍ପୃଶ୍ୟତା ବିରୁଦ୍ଧରେ ଆନ୍ଦୋଳନରୁ ଆରମ୍ଭ ହୋଇଥିଲା। ତତ୍କାଳୀନ ସମାଜରେ ଅସ୍ପୃଶ୍ୟତା ଏତେ ଉତ୍କଟ ଥିଲା ଯେ ଦଳିତ ସମାଜର ଲୋକେ କୁଅ ପୋଖରୀରୁ ପାଣି ବ୍ୟବହାର କରିପାରୁ ନ ଥିଲେ। ଅନେକ ସମାଜରେ ଦଳିତଙ୍କ ଛାଇ ଉଚ୍ଚବର୍ଣ୍ଣର ଲୋକଙ୍କ ଦେହରେ ପଡିଗଲେ, ଦଳିତଙ୍କୁ କଠୋର ଦଣ୍ଡ ଦିଆଯାଉଥିଲା। ଏହି ସାମାଜିକ ବ୍ୟବସ୍ଥାରେ ବ୍ୟଥିତ ହୋଇ ବାବା ସାହେବ ଏହି କୁତ୍ସିତ ଜାତି ବ୍ୟବସ୍ଥା ବିରୁଦ୍ଧରେ ସଂଗ୍ରାମ ଯୋରଦାର କରିଥିଲେ। ଏହାର ଆଉ ଗୋଟିଏ କାରଣ ହେଉଛି, ସେ ନିଜେ ଛାତ୍ର ଜୀବନରେ ଏପରିକି ମହାବିଦ୍ୟାଳୟରେ ଶିକ୍ଷକ ପଦରେ ଅଧିଷ୍ଠିତ ହୋଇ ସୁଦ୍ଧା, ଅସ୍ପୃଶ୍ୟତାର ଶିକାର ହୋଇଥିଲେ।

ନିଜ ଜୀବନର ପ୍ରାରମ୍ଭରେ ସେ ଅନୁଭବ କରିଥିଲେ ଯେ ଅସ୍ପୃଶ୍ୟତାର ବ୍ୟାଧି ସମାଜରୁ ଦୂର ନ ହେଲେ ଦେଶର କଲ୍ୟାଣ ହୋଇପାରିବ ନାହିଁ। ତାଙ୍କର ଏହି ସଂଗ୍ରାମ ଆରମ୍ଭ ହୋଇଥିଲା, ପ୍ରଥମେ କଲମ ମୁନରେ, ୧୯୨୦ ମସିହାରେ, ସାପ୍ତାହିକ ‘ମୁକନାୟକ’ ପତ୍ରିକା ପ୍ରକାଶ ମାଧ୍ୟମରେ। ଏହା ପରେ ୧୯୨୭ ମସିହାରେ ସେ ଅସ୍ପୃଶ୍ୟତା ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା ଦେଇଥିଲେ। ଖବରକାଗଜ, ପତ୍ରିକାରେ ଆଲେଖ୍ୟ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହିତ ସେ ସଡକରେ ସଂଗ୍ରାମ କରିବାକୁ ମନସ୍ଥ କରି ସାମାଜିକ ଅସ୍ପୃଶ୍ୟତା ଦୂର କରିବା ପାଇଁ ୧୯୨୭ ମସିହାରୁ ଗଣ ଆନ୍ଦୋଳନ ଆରମ୍ଭ କରିଥିଲେ।

ବିଭିନ୍ନ ମନ୍ଦିରରେ ଦଳିତଙ୍କ ପ୍ରବେଶ କଟକଣାକୁ ଦୂର କରିବା ପାଇଁ ଆନ୍ଦୋଳନ ସେ ସମୟର ସାମାଜିକ ବ୍ୟବସ୍ଥା ପ୍ରତି ଏକ ଆହ୍ବାନ ଥିଲା। ଏହି ଆନ୍ଦୋଳନର ଫଳ ସ୍ୱରୂପ ତାଙ୍କର କଳାରାମ ମନ୍ଦିର ଆନ୍ଦୋଳନ ଉଲ୍ଲେଖନୀୟ, ଏହି ଆନ୍ଦୋଳନରେ ୧୫ ହଜାରରୁ ଅଧିକ ଦଳିତ ଯୋଗଦେଇଥିଲେ, ଯାହା ଦେଶର ଆତ୍ମାକୁ ଆନ୍ଦୋଳିତ କରିଥିଲା। ଦଳିତ ଆନ୍ଦୋଳନକୁ ଆଉ ଏକ ପାଦ ଆଗକୁ ନେଇ ସେ ୨୫ ଡିସେମ୍ବର ୧୯୨୭ ମସିହାରେ ‘ମନୁସ୍ମୃତି’କୁ ସାଙ୍କେତିକ ଭାବେ ଦହନ କରିଥିଲେ, କାରଣ ମନୁସ୍ମୃତି ଜାତିଗତ ଆଧାରରେ ଅସ୍ପୃଶ୍ୟତାକୁ ଯଥାର୍ଥ ଭାବେ ପ୍ରତିପାଦିତ କରୁଥିଲା। କିନ୍ତୁ, କ୍ଷୋଭର ବିଷୟ ଯେ ଆଜି ମଧ୍ୟ ଦଳିତଙ୍କୁ ଅନେକ କ୍ଷେତ୍ରରେ ମନ୍ଦିର ପ୍ରବେଶ ପାଇଁ ଅନୁମତି ଦିଆଯାଉନାହିଁ। କିଛି ଦିନ ପୂର୍ବେ କିଛି ଦଳିତ ଏବଂ ପଛୁଆବର୍ଗର ନେତା ଏକ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ, ମନ୍ଦିରକୁ ଗଙ୍ଗା ଜଳ ସିଞ୍ଚି ପୁନର୍ବାର ‘ଶୁଦ୍ଧିକରଣ’ କରାଯାଇଥିଲା। ଆଜି ମଧ୍ୟ ଅନେକ ରାଜ୍ୟରେ ଦଳିତଙ୍କୁ ନିଶ ରଖିବା ପାଇଁ ନିଷେଧ, ବାଜା ବଜାଇ ଗାଁ ଦାଣ୍ଡରେ ଘୋଡ଼ା ଚଢ଼ି ବରଯାତ୍ରୀ ଶୋଭାଯାତ୍ରା କରିବାକୁ ମନା। ତେଣୁ, ବାବା ସାହେବ ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ, ଆଜି ମଧ୍ୟ ଏହା ଜାରି ରହିଛି ଏବଂ ଅସ୍ପୃଶ୍ୟତା ବିରୋଧୀ ଆନ୍ଦୋଳନର ସଂଗ୍ରାମର ଆଜି ବି ପ୍ରାସଙ୍ଗୀକତା ରହିଛି।

ସ୍ବାଧୀନତା ପରବର୍ତ୍ତୀ ରାଜନୈତିକ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ। ସେ ଜାଣିଥିଲେ ଯେ ଯେତେ ପର୍ଯ୍ୟନ୍ତ ସମାଜର ସମସ୍ତ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ସମାନ ସୁଯୋଗ ପ୍ରଦାନ କରା ନ ଯାଇଛି, ସେତେ ଦିନ ପର୍ଯ୍ୟନ୍ତ ‘ପ୍ରକୃତ ଗଣତନ୍ତ୍ର’ ର ପ୍ରତିଷ୍ଠା ହୋଇ ପାରିବ ନାହିଁ। ସମାଜ ଏବଂ ବ୍ୟକ୍ତି ମଧ୍ୟରେ ଥିବା ସମ୍ପର୍କ ଏହି ଦର୍ଶନ ଉପରେ ଆଧାରିତ ଥିଲା। ଗଣତନ୍ତ୍ରର ବିକାଶ ପାଇଁ ସାମାଜିକ ଏବଂ ଅର୍ଥନୈତିକ ଅସମାନତା ହେଉଛି ପ୍ରତିବନ୍ଧକ। ବାବା ସାହେବଙ୍କ ପାଇଁ ଗଣତନ୍ତ୍ର କେବଳ ଏକ ଲିଖିତ ନିୟମ ଅନୁଯାୟୀ ଏକ ଶାସନ ବ୍ୟବସ୍ଥା ହେବା ଉଚିତ ନୁହେଁ, ‘ଗଣତନ୍ତ୍ର’ ଏକ ‘ଜୀବନଧାରା’ ହେବା ଉଚିତ ଯେଉଁଠି ପ୍ରତ୍ୟେକ ନାଗରିକ ନିଜ ବ୍ୟକ୍ତିତ୍ବକୁ ପରିପୃଷ୍ଠ କରିବା ପାଇଁ ସମାନ ସୁଯୋଗର ଅଧିକାରୀ ହୋଇପାରିବେ।

ତାଙ୍କର ଏହି ଭାବନା ଓ ବିଶ୍ବାସ ସମ୍ବିଧାନର ୧୪ ରୁ ୨୮ ମୌଳିକ ଅଧିକାର ଅନୁଚ୍ଛେଦରେ ଉଲ୍ଲିଖିତ ଅଛି। ଏହି ଧାରାଗୁଡିକୁ ଆମ ସମ୍ବିଧାନର କେନ୍ଦ୍ର କହିଲେ ଅତ୍ୟୁକ୍ତି ହେବନାହିଁ; କାରଣ ଏହା ‘ସମାନତା’ କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରେ। ଏହି ସମାନତାକୁ ଆଉ ପାଦେ ଆଗକୁ ନେଇ ଜାତିଭିତ୍ତିକ ସଂରକ୍ଷଣକୁ ବୈଧାନିକ ଅଧିକାର ଦିଆଗଲା। ତେଣୁ ଆଜି ଶିକ୍ଷା, ଚାକିରି ଏବଂ ରାଜନୈତିକ କ୍ଷେତ୍ରରେ ଦଳିତ ଏବଂ ଆଦିବାସୀ ସଂପ୍ରଦାୟର ନାଗରିକମାନେ ଅଂଶଗ୍ରହଣ କରିବା ପାଇଁ କିଛି ସୁଯୋଗ ପାଉଛନ୍ତି। କିନ୍ତୁ, ଏହି ସଂରକ୍ଷଣ ମାଧ୍ୟମରେ ଯେଉଁ ସୁଫଳ ପାଇବା କଥା, ଆଜି ତାହା ମିଳି ପାରୁନାହିଁ। ଆଜି ବି ମନୁବାଦରେ ବିଶ୍ବାସ ରଖୁଥିବା ଲୋକେ ବିଭିନ୍ନ ଆଳରେ ସଂରକ୍ଷଣକୁ ସଙ୍କୁଚିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ସେମାନେ, ମନେ ରଖିବା ଉଚିତ ହଜାର ହଜାର ବର୍ଷର ଅସ୍ପୃଶ୍ୟତା ଏବଂ ମାନସିକ ଅତ୍ୟାଚାର ଏତେ ଶୀଘ୍ର ଦୂରୀଭୂତ ହେବ ନାହିଁ। ଯେତେଦୂର ପର୍ଯ୍ୟନ୍ତ ଅସ୍ପୃଶ୍ୟତାର ମାନସିକତା ସମାଜରୁ ନିର୍ମୂଳ ହୋଇନାହିଁ, ସେତେ ଦିନ ପର୍ଯ୍ୟନ୍ତ ସକାରାତ୍ମକ ଭେଦଭାବର ଆବଶ୍ୟକତା ରହିବ।

କେବଳ ସାମାଜିକ ଓ ରାଜନୈତିକ କ୍ଷେତ୍ର ନୁହେଁ, ମହିଳା ସଶକ୍ତିକରଣ ପାଇଁ ବାବା ସାହେବଙ୍କ ଅବଦାନ ଅତୁଳନୀୟ। ସେ ଭଲ ଭାବେ ହୃଦୟଙ୍ଗମ କରିଥିଲେ ଯେ ଭାରତୀୟ ସମାଜରେ ମହିଳାଙ୍କ ସ୍ଥାନ ସମାନତା ଆଧାରିତ ନୁହେଁ, ଲିଙ୍ଗଗତ ଭେଦଭାବ ଏକ ସାମାଜିକ ସତ୍ୟ। ତେଣୁ, ସେ ଜାତିଗତ ଅସ୍ପୃଶ୍ୟତା ସହିତ ମହିଳା ସଶକ୍ତିକରଣ ପାଇଁ ମଧ୍ୟ ଚିନ୍ତିତ ଥିଲେ ଏବଂ ଲିଙ୍ଗଗତ ଭେଦଭାବ ପାଇଁ ସଡ଼କରୁ ସାଂସଦ ପର୍ଯ୍ୟନ୍ତ ଲଢେଇ କରିଥିଲେ। ଏହାର ଜ୍ବଳନ୍ତ ଉଦାହରଣ ହେଉଛି, ଦେଶର ପ୍ରଥମ ଆଇନ ମନ୍ତ୍ରୀ ଭାବେ ସଂସଦରେ ‘ହିନ୍ଦୁ କୋର୍ଡ ବିଲ୍’ ଆଗତ କରିଥିଲେ। କିନ୍ତୁ, ସେ ସମୟର ରକ୍ଷଣଶୀଳ ରାଜନେତାମାନେ ଏହାକୁ ଘୋର ବିରୋଧ କରିଥିଲେ। ଏହାର, ଉତ୍ତରରେ ବାବା ସାହେବ ମନ୍ତ୍ରୀପଦ ପାଇଁ ନିଜ ବିଚାରଧାରାକୁ ସାଲିସ ନ କରି ଇସ୍ତଫା ପ୍ରଦାନ କରିଥିଲେ। ଏହି ବିଲ୍‍‍ରେ ବିବାହ, ବିଚ୍ଛେଦ, ସମ୍ପତ୍ତି ଉତ୍ତରାଧିକାର, ଅର୍ଥନୀତି ସ୍ବାଧିକାର କ୍ଷେତ୍ରରେ ଲିଙ୍ଗଗତ ସମାନତାକୁ ଆଧାର କରାଯାଇଥିଲା। ପରିତାପର ବିଷୟ ସାତ ଦଶକ ପରେ ମଧ୍ୟ, ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଲିଙ୍ଗଗତ ପ୍ରଭେଦକୁ ଦୂର କରିବା ପାଇଁ ଆଜି ମଧ୍ୟ ଲଢେଇ ଚାଲିଛି।

ଆଜି ଯେତେବଳେ ଆମେ ବାବା ସାହେବଙ୍କ ଜୟନ୍ତୀ ପାଳନ କରୁଛୁ, ଏହା ଏକ ବାର୍ଷିକ ଉତ୍ସବ ଭାବେ ପାଳନ କରାଯିବା ଉଚିତ ନୁହେଁ। ଆଜି କିଛି ବିଚାରଧାରା ବାବା ସାହେବଙ୍କ ବିଚାରଧାରା, ଏପରିକି ବାବା ସାହେବଙ୍କ ନାଁ ଉଚ୍ଚାରଣ କରିବାରେ ସଙ୍କୋଚ କରୁଛନ୍ତି। ଏହାର ପ୍ରତିଫଳନ କିଛି ଦିନ ପୂର୍ବେ ସାଂସଦରେ ଦେଖାଯାଇଥିଲା ଏବଂ ତାର ପ୍ରଭାବ ସାରା ଦେଶରେ ପ୍ରତିଫଳିତ ହୋଇଥିଲା। କିଛି ବିଚାରଧାରାଙ୍କ ପାଇଁ ‘ମହାତ୍ମାଗାନ୍ଧୀ’ ମଜବୁରିର ନାମ, ଠିକ୍ ସେହିପରି ‘ଆମ୍ବେଦକର’ ମଧ୍ୟ ମଜବୁରିର ନାମ। ଗାନ୍ଧୀଜୀ ଏବଂ ଆମ୍ବେଦକରଙ୍କ ଚିନ୍ତାଧାରା, ବିଚାରଧାରା ସମାଜ ପାଇଁ ଏତେ ବଡ ଏବଂ ଏତେ ପ୍ରାସଙ୍ଗିକ ଯେ ବାଧ୍ୟବାଧକତାରେ ହେଉ, ତାଙ୍କ ବିଚାରଧାରାରେ ଚାଲିବାକୁ ସେମାନେ ଏକ ରକମର ବାଧ୍ୟ ହେଉଛନ୍ତି । ଏହା ହେଉଛି ‘ଆମ୍ବେଦକରବାଦ’ର ପ୍ରାସଙ୍ଗିକତା।
ବାବା ସାହେବ ସବୁ ପ୍ରକାର ଭେଦଭାବକୁ ଦୂରୀଭୂତ କରି ଏକ ସଶକ୍ତ ସମାଜ ଗଠନ ପାଇଁ ସାରା ଜୀବନ ସଂଘର୍ଷ କରିଥିଲେ, କିନ୍ତୁ ତାଙ୍କ ଜୀବଦଶାରେ ଏହା ସମ୍ଭବ ହୋଇନଥିଲା। ତେଣୁ, ମହାପ୍ରୟାଣର ଦୁଇମାସ ପୂର୍ବରୁ ତାଙ୍କର ଲକ୍ଷ ଲକ୍ଷ ଅନୁଗାମୀଙ୍କ ସହିତ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିଲେ। ଏହା ଆମ ସମସ୍ତଙ୍କ ପାଇଁ ଏକ ଶିକ୍ଷା ହେବା ଉଚିତ। ବାବା ସାହେବଙ୍କ ତ୍ୟାଗ, ବଳିଦାନ ଏବଂ ସଂଘର୍ଷ ଆଜିର ସଭ୍ୟ ସମାଜକୁ ପ୍ରତି ମୂହୁର୍ତ୍ତରେ ଆନ୍ଦୋଳିତ କରିବା ଉଚିତ, ତା ହେଲେ ଯାଇ ବାବା ସାହେବଙ୍କ ସ୍ଵପ୍ନର ଭାରତ, ‘ଭେଦଭାବରହିତ ଭାରତ’ର ନିର୍ମାଣ ହୋଇ ପାରିବ। ଏହା ହିଁ ହେବ ତାଙ୍କ ଜୟନ୍ତୀର ପ୍ରକୃତ ଶ୍ରଦ୍ଧାଞ୍ଜଳି।

ରଣେନ୍ଦ୍ର ପ୍ରତାପ ସ୍ବାଇଁ
ବିଧାୟକ, ଆଠଗଡ଼
ସମସ୍ତଙ୍କୁ ମହାବିଷୁବ ସଂକ୍ରାନ୍ତି ଏବଂ ଓଡିଆ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର