ଦିନକୁ ହଜାରେ ବଢୁଛି ସୁନା ଦର, ଜାଣନ୍ତୁ ଦର ବୃଦ୍ଧିର ୪ ବଡ଼ କାରଣ....

ଭୁବନେଶ୍ବର: ଘରୋଇ ବଜାରରେ ଥମୁନି ସୁନା ଓ ରୁପା ଦର ବୃଦ୍ଧି। ଧନ୍ତେରାସ ପୂର୍ବରୁ ସୁନା ଏବଂ ରୁପା ଦର ଉପରମୁହାଁ ହୋଇଚାଲିଛି। ଦୈନିକ ଉଭୟ ଧାତୁର ମୂଲ୍ୟରେ ବୃଦ୍ଧି ଧାରା ଅବ୍ୟାହତ ରହିଛି। ଦର ବୃଦ୍ଧିରେ ଲାଗୁନି ଲଗାମ୍। ଇତିମଧ୍ୟରେ ପୁଣି ଥରେ ସୁନା ଦର ଏହାର ସବୁ ପୁରୁଣା ରେକର୍ଡ ଭାଙ୍ଗି ଐତିହାସିକ ରେକର୍ଡ ସ୍ତର ୧୦ ଗ୍ରାମ ପିଛା ୧.୨୬ ଲକ୍ଷ ଟଙ୍କା ଅତିକ୍ରମ କରିଛି। ଏଭଳି ଚାଲିଲେ ଯାହା ଲାଗୁଛି ଧନତେରାସ୍ ପୂର୍ବରୁ ସୁନା ବଜାରରେ ଦୀପାବଳି ହୋଇଯିବ। କାରଣ ଦିନକୁ ୧୦ ଗ୍ରାମ ପିଛା ସୁନା ଦର ହାରାହାରି ୧,୦୦୦ ଟଙ୍କା ହାରରେ ବଢ଼ିଚାଲିଛି। ରେଟିଂ ଏଜେନ୍ସି ଗୋଲ୍ଡମ୍ୟାନ୍ ସ୍ୟାଚ୍ର ସଦ୍ୟ ରିପୋର୍ଟ ଅନୁସାରେ ଆସନ୍ତା ବର୍ଷ ସୁଦ୍ଧା ୧୦ ଗ୍ରାମ ପିଛା ସୁନା ଦର ଦେଢ଼ ଲକ୍ଷ ଟଙ୍କା ଟପିଯିବ।
ସୁନା ଦର ବଢ଼ିବାର ଅନେକ ପ୍ରମୁଖ କାରଣ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ଏଭଳି ସ୍ଥିତିରେ ବାଣିଜ୍ୟ ଯୁଦ୍ଧ ଡରରେ ନିବେଶକ ସୁନାକୁ ସୁରକ୍ଷିତ ମଣି ଏଥିରେ ଅଧିକ ନିବେଶ କରୁଛନ୍ତି। ଏହା ଦର ବୃଦ୍ଧକୁ ଇନ୍ଧନ ଦେଉଛି।
ରାଜଧାନୀ ଭୁବନେଶ୍ୱରରେ ଆଜି ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍ ସୁନା ଦର ଯଥାକ୍ରମେ ୧୯୦୦ ଟଙ୍କା ଏବଂ ୧୭୫୦ ଟଙ୍କା ବଢ଼ିଛି । ଉଭୟର ମୂଲ୍ୟ ଯଥାକ୍ରମେ ୧,୨୩,୮୦୦ ଟଙ୍କା ଏବଂ ୧,୧୩,୬୦୦ ଟଙ୍କା ସ୍ତରରେ ପହଞ୍ଚିଛି। ଅନ୍ୟପକ୍ଷରେ, ଆଜି କିଲୋଗ୍ରାମ ପିଛା ରୁପା ଦର ୧୦୦୦ ଟଙ୍କା ମହଙ୍ଗା ହୋଇ ୧,୬୭,୧୦୦ ଟଙ୍କା ହୋଇଛି। ଚଳିତବର୍ଷ ଏ ପର୍ଯ୍ୟନ୍ତ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ପ୍ରାୟ ୪୫,୯୩୬ ଟଙ୍କା ଏବଂ ରୁପା କିଲୋ ପିଛା ୬୩,୦୦୦ ଟଙ୍କା ମହଙ୍ଗା ହୋଇଛି।
ବିଗତ ୧୫ ବର୍ଷ ମଧ୍ୟରେ ବିଶେଷକରି ବିଶ୍ୱ ସଙ୍କଟ ସମୟରେ ସୁନା ମୂଲ୍ୟରେ ବିଭିନ୍ନ ସମୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୦୮ ଆର୍ଥିକ ମାନ୍ଦାବସ୍ଥାଠାରୁ ଆରମ୍ଭ କରି ୨୦୨୦ କରୋନା ମହାମାରୀ ପର୍ଯ୍ୟନ୍ତ, ଅନିଶ୍ଚିତତା ସମୟରେ ସୁନା ମୂଲ୍ୟ ଐତିହାସିକ ଭାବରେ ବୃଦ୍ଧି ପାଇଛି। କମୋଡିଟି ବଜାର ବିଶେଷଜ୍ଞ ଅଜୟ କେଡିଆ ସୁନା ମୂଲ୍ୟ ବୃଦ୍ଧିର ୪ଟି ପ୍ରମୁଖ କାରଣ ଚିହ୍ନଟ କରିଛନ୍ତି, ଯେଉଁଥିରେ ଭୂ-ରାଜନୈତିକ ଉତ୍ତେଜନା, କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ସୁନା କ୍ରୟ, ସୁଧ ହାରରେ ପରିବର୍ତ୍ତନ ଏବଂ ଚୀନ୍ ଏବଂ ଭାରତରେ ସୁନା ଚାହିଦାରେ ବୃଦ୍ଧି ଅନ୍ତର୍ଭୁକ୍ତ। ସେ ଏହା ମଧ୍ୟ କହିଛନ୍ତି ଯେ ସୁନା ଇଟିଏଫ୍ରେ ନିରନ୍ତର କ୍ରୟ ମଧ୍ୟ ସୁନା ମୂଲ୍ୟ ବୃଦ୍ଧିରେ ବଡ଼ ଯୋଗଦାନ ରଖୁଛି।
ଦର ବୃଦ୍ଧିର ୪ ବଡ଼ କାରଣ
ପ୍ରଚୁର ସୁନା କିଣୁଛନ୍ତି କେନ୍ଦ୍ରୀୟ ବ୍ୟାଙ୍କ
ବିଶ୍ୱ ସୁନା ପରିଷଦର ତଥ୍ୟ ଅନୁଯାୟୀ, ଗତ ଦଶନ୍ଧି ମଧ୍ୟରେ ବିଶ୍ୱବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସେମାନଙ୍କର ସୁନା ଭଣ୍ଡାରକୁ ପ୍ରାୟ ଦ୍ୱିଗୁଣିତ କରିଛନ୍ତି, ଯାହା ସୁନାର ଅଭିବୃଦ୍ଧି ସମ୍ଭାବନା ଏବଂ ଉନ୍ନତ ରିଟର୍ଣ୍ଣ ଉପରେ ବିଶ୍ୱାସକୁ ସୂଚିତ କରୁଛି। ଅସ୍ଥିର ବିଶ୍ୱ ପରିସ୍ଥିତି ମଧ୍ୟରେ ଆର୍ବିଆଇ ମଧ୍ୟ ସ୍ଥିର ଭାବରେ ଏହାର ସୁନା ଭଣ୍ଡାର ବୃଦ୍ଧି କରିଛି।
ସୁଧ ହାରରେ ହ୍ରାସ
ଚଳିତବର୍ଷ ସୁନା ମୂଳ୍ୟ ବୃଦ୍ଧି ପାଇଁ ଆଉ ଏକ ପ୍ରମୁଖ କାରଣ ହେଉଛି, ଗତ ସେପ୍ଟେମ୍ବର ମାସରେ ଆମେରିକୀୟ କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ଦ୍ୱାରା ସୁଧହାରରେ ୨୫ ବେସିସ୍ ପଏଣ୍ଟ ସୁଧ ହାର ହ୍ରାସ। ସୁଧ ହାର କମ୍ ହେବା ସାଧାରଣତଃ ଆମେରିକୀୟ ଡଲାରକୁ ଦୁର୍ବଳ କରିଥାଏ, ଯାହା ଫଳରେ ନିବେଶକମାନେ ସୁନା ଭଳି ସୁରକ୍ଷିତ ନିବେଶ ମାଧ୍ୟମ ଆଡକୁ ମୁହଁାଇଲେ।
ଭୂ-ରାଜନୈତିକ ଉତ୍ତେଜନା
ବିଶ୍ୱ ଅସ୍ଥିରତା ସର୍ବଦା ସୁନା ମୂଲ୍ୟ ବୃଦ୍ଧିକୁ ତ୍ୱରାନ୍ୱିତ କରିଛି। ଗତ ୫ ବର୍ଷ ଧରି ବିଶ୍ୱ ପରିସ୍ଥିତି ବିଶେଷ ଭାବରେ ଆହ୍ବାନପୂର୍ଣ୍ଣ ହୋଇଛି। ୨୦୨୦ରେ କୋଭିଡ୍-୧୯ ମହାମାରୀ ବିଶ୍ୱ ଅର୍ଥନୀତିକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଥିଲା। ଏହାପରେ ୨୦୨୨ରେ ରୁଷ-ୟୁକ୍ରେନ ଯୁଦ୍ଧ, ୨୦୨୩ରେ ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ଏବଂ ଚଳିତ ବର୍ଷ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସାମରିକ ସଂଘର୍ଷ ଘଟିଥିଲା, ଯାହା ଭୂ-ରାଜନୈତିକ ଉତ୍ତେଜନାକୁ ବୃଦ୍ଧି କରିଛି।
ଭାରତ ଏବଂ ଚୀନରେ ସୁନା ଚାହିଦା
ଭାରତ ଏବଂ ଚୀନ୍ ହେଉଛନ୍ତି ବିଶ୍ୱର ସୁନାର ସର୍ବବୃହତ ଗ୍ରାହକ। ଉଭୟ ଦେଶରେ ସୁନାର ଚାହିଦା ଦୃଢ଼ ରହିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ସୁନା ମୂଲ୍ୟରେ ଅହେତୁକ ବୃଦ୍ଧି ସତ୍ତ୍ୱେ ଚୀନ୍ ଏବଂ ଭାରତରେ ଏହି ଧାତୁର ଆମଦାନୀ ବଢ଼ିବାରେ ଲାଗିଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ଭାରତର ସୁନା ଅଳଙ୍କାର ଚାହିଦା ଚୀନ୍ ଠାରୁ ଅଧିକ ହୋଇଛି। ବିଶ୍ୱ ସୁନା ପରିଷଦର ଏକ ରିପୋର୍ଟ ଅନୁଯାୟୀ, ଜୁନ୍ ଶେଷ ୬ ମାସରେ ଭାରତରେ ଅଳଙ୍କାର ଚାହିଦା ୬ ପ୍ରତିଶତ ବୃଦ୍ଧି ପାଇ ୫୬୩ ଟନ୍ ହୋଇଛି, ଯାହା ଚୀନ୍ (ହଂକଂ ଏବଂ ତାଇୱାନ ସମେତ)ରେ ୫୧୧ ଟନ୍ ରହିଥିଲା।