ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ...

‘‘ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ।’’ ଗୋପବନ୍ଧୁ ଦାସଙ୍କ ଏହି ଦୁଇ ଧାଡ଼ି କବିତାରୁ ବାରି ହୁଏ ତାଙ୍କ ତ୍ୟାଗ ଓ ବଳିଦାନର ଗାଥା । ସେ ନିଃସ୍ବାର୍ଥ ସେବାର ମୂର୍ତ୍ତିମନ୍ତ ବିଗ୍ରହ ଥିଲେ । ଆଜୀବନ ତ୍ୟାଗମନ୍ତ୍ରରେ ଦୀକ୍ଷିତ ଗୋପବନ୍ଧୁ ଦୀନ ଦରିଦ୍ରଙ୍କର ବନ୍ଧୁ ଭାବରେ ବେଶ୍ ଜଣାଶୁଣା ଥିଲେ। ଏକାଧାରରେ ସେ ଥିଲେ ସମାଜସେବୀ, ଦେଶପ୍ରେମୀ, ରାଷ୍ଟ୍ରନୀତିଜ୍ଞ, ସଂସ୍କାରକ, ସାମ୍ବାଦିକ, ସୁଲେଖକ, କବି, ଶିକ୍ଷାବିତ୍ ଏବଂ ଆଇନଜ୍ଞ । ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ଭକ୍ତକବି ମଧୁସୂଦନ ରାଓଙ୍କ ନିଷ୍ପତ୍ତି କ୍ରମେ ଗୋପବନ୍ଧୁ ସାକ୍ଷୀଗୋପାଳର ବକୁଳ ଓ ଛୁରିଅନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା।
ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହା ଆଜିର ଦିନରେ ଦୈତାରି ଦାସ ଓ ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଖୁବ୍ ଅଳ୍ପ ବୟସ ହୋଇଥିବାବେଳେ ତାଙ୍କ ମାତାଙ୍କର ମୃତ୍ୟୁ ହୋଇଯାଇଥିଲା । ଗୋପବନ୍ଧୁ ଦାସ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ପାଠପଢ଼ା ଜାରି ରଖିଥିଲେ । ପୁରୀରୁ ମାଟ୍ରିକ୍ ପାସ୍ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ। କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଗୋପବନ୍ଧୁ, ‘କର୍ତ୍ତବ୍ୟ ବୋଧିନୀ ସମିତି’ ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ । ୧୯୦୩ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ସମୟରେ, ତାଙ୍କର ପ୍ରଥମ ପୁତ୍ର ସନ୍ତାନଟିର ଅକାଳ ମୃତ୍ୟୁ ଘଟିଥିଲା । ଏହିପରି ନାନାଦି ବାଧାବିଘ୍ନ ସତ୍ତ୍ୱେ ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ୍ କଲେ ଓ କଲିକତାରେ ବିଏଲ୍ ପଢ଼ିଲେ । ସେଠାରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖଦୁର୍ଦ୍ଦଶାରେ ବ୍ୟଥିତ ହୋଇ, ସେ ‘ଓଡ଼ିଆ ଶ୍ରମିକ ସଂଘ’ ଓ ‘ସାନ୍ଧ୍ୟ ବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ । ଇତିମଧ୍ୟରେ ତାଙ୍କର ଦ୍ୱିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏପରିକି, ଯେଉଁଦିନ ସେ ବିଏଲ୍ ପାସ୍ କରିଛନ୍ତି ବୋଲି ଖବର ପାଇଥିଲେ, ସେହିଦିନ ତାଙ୍କୁ ନିଜ ପତ୍ନୀଙ୍କର ମୃତ୍ୟୁ ସମ୍ବାଦ ମଧ୍ୟ ମିଳିଥିଲା । ଏତେ ସବୁ ଦୁଃଖ କିନ୍ତୁ ତାଙ୍କୁ ନିଜ କର୍ମରୁ ବିଚ୍ୟୁତ କରିପାରିନଥିଲା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା । ୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ଘଟିଥିବା ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା। ସେ ଚୁଡ଼ା, ଚାଉଳ ଧରି ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିବା ସହ ମାନବ ସେବାରେ ଲାଗି ପଡ଼ିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରରୋଚନାରେ ଗୋପବନ୍ଧୁ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ। ୧୯୨୧ ମସିହାରେ ଗୋପବନ୍ଧୁ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ଗୋପବନ୍ଧୁଙ୍କ ପ୍ରଚେଷ୍ଟାରେ ଓଡ଼ିଶାରେ ଜନ୍ମ ନେଇଥିଲା ଦୈନିକ ଖବରକାଗଜ ‘ସମାଜ’। ‘ଅବକାଶ ଚିନ୍ତା’, ‘ଧର୍ମପଦ’, ‘କାରା କବିତା’ ଓ ‘ବନ୍ଦୀର ଆତ୍ମକଥା’ ପ୍ରମୁଖ ଥିଲା ତାଙ୍କର ସ୍ମରଣୀୟ କାବ୍ୟକୃତି। ୧୯୨୮ ଜୁନ୍ ୧୭ରେ ପଣ୍ଡିତ ଗୋପବନ୍ଧୁ ଶେଷନିଃଶ୍ବାସ ତ୍ୟାଗ କରିଥିଲେ।